ଭାରତୀୟ ବଜାରରେ ‘ଵାନ୍‌ପ୍ଲସ୍‌ ୧୩ଏସ୍‌’ ସ୍ମାର୍ଟଫୋନ୍‌ର ବିକ୍ରି ଆଜି ଆରମ୍ଭ ହୋଇଛି। ଏହାର ଛୋଟ ଆକାର, ଫ୍ଲାଗସିପ୍ ହାର୍ଡୱେର୍, ଅଧିକ ବ୍ୟାଟେରି କ୍ଷମତା ଆଦି ବୈଶିଷ୍ଟ୍ୟ ଏହାକୁ ଏକ ଆକର୍ଷଣୀୟ ସ୍ମାର୍ଟଫୋନ୍‌ର ମାନ୍ୟତା ଦେଇଥାଏ। ସ୍ନାପଡ୍ରାଗନ୍ ୮ ଏଲିଟ୍‌ ଚିପସେଟ୍ ଦ୍ୱାରା ପରିଚାଳିତ ଏହି ଫୋନ୍‌ର ଏକ ୫,୮୫୦ ଏମ୍‌ଏଏଚ୍‌ର ବ୍ୟାଟେରି ରହିଛି, ଯାହା ୮୦ ଵାଟ୍‌ର ଦ୍ରୁତ-ଚାର୍ଜିଂ ସହ ସୁସଙ୍ଗତ। ସେହିପରି ଲୋକପ୍ରିୟ ଆଲର୍ଟ ସ୍ଲାଇଡର ବଦଳରେ ଏଥିରେ ଏକ କଷ୍ଟମାଇଜେବଲ୍ ଆକ୍ସନ୍ ବଟନ୍ ପରି କାର୍ଯ୍ୟ କରୁଥିବା ନୂତନ ‘ପ୍ଲସ୍ କି’ ରହିଛି, ଯାହା ଫୋନ୍‌କୁ ନିରବ, ରିଙ୍ଗ୍ କିମ୍ବା ଭାଇବ୍ରେଟ୍ ମୋଡ୍‌ରେ ରଖିବା ପାଇଁ ବ୍ୟବହୃତ ହୋଇଥାଏ। ଏଲ୍‌ଇଡି ଟର୍ଚ୍ଚକୁ ମଧ୍ୟ ତୁରନ୍ତ ଜାଳିବା ପାଇଁ ଏହାକୁ ବ୍ୟବହାର କରିହେବ।

Advertisment

ଏଥିରେ ନୂତନ ଵାନ୍‌ପ୍ଳସ୍‌ ଏଆଇ ସ୍ପେସ୍ ବୈଶିଷ୍ଟ୍ୟ ମଧ୍ୟ ସେଟ୍ କରିହେବ। ଏଥିରେ ଲାଗିଥିବା ସ୍କ୍ରିନ୍‌ର ଆକାର ୬.୩୨ ଇଞ୍ଚ, ଯାହା ଏଲ୍‌ଟିପିଓ, ୧୦-ବିଟ୍ କଲର୍‌ ଡେଫ୍‌ଥ ଓ ୧୨୦ ହର୍ଜ ରିଫ୍ରେସ୍‌ ରେଟ୍‌ ପରି ବୈଶିଷ୍ଟ୍ୟ ପ୍ରଦାନ କରିଥାଏ। ଏହା ପଛରେ ଲାଗିଥିବା ଦୁଇଟି କ୍ୟାମେରା ମଧ୍ୟରୁ ଗୋଟିଏ ଓଆଇଏସ୍‌ ସହିତ ୫୦ ମେଗାପିକ୍ସେଲ୍ ପ୍ରାଥମିକ ସେନ୍‌ସର୍ ହୋଇଥିବା ବେଳେ ଅନ୍ୟଟି ହେଉଛି ୫୦ ମେଗାପିକ୍ସେଲ୍‌ ଟେଲିଫୋଟୋ ଲେନ୍ସ। ଫୋନ୍‌ର ସମ୍ମୁଖ ଭାଗରେ ଏକ ୩୨ ମେଗାପିକ୍ସେଲ୍ କ୍ୟାମେରା ଲାଗିଛି। ଭାରତୀୟ ବଜାରରେ ଗୋଲାପୀ, ସବୁଜ ଓ ଧୂସର ପରି ତିନିଟି ରଙ୍ଗରେ ମିଳୁଥିବା ଏହାର ୧୨ ଜିବି ରାମ୍‌ ଓ ୨୫୬ ଜିବି ମେମୋରି ସଂସ୍କରଣର ମୂଲ୍ୟ ୫୪,୯୯୯ ଟଙ୍କା ରହିଥିବା ବେଳେ ୫୨୬ ଜିବି ଷ୍ଟୋରେଜ୍‌ ଭାରିଆଣ୍ଟ୍‌ର ଦାମ ହେଉଛି ୫୯,୯୯୯ ଟଙ୍କା।