ଏବେ ପ୍ରତି ସପ୍ତାହରେ ବିଭିନ୍ନ ଫୋନ୍ ନିର୍ମାତା ୨୦ ହଜାର ଟଙ୍କା ଭିତରେ ବହୁବିଧ କାର୍ଯ୍ୟ ସାଧନ କରିପାରୁଥିବା ଫୋନ୍‌ଗୁଡ଼ିକୁ ବଜାରକୁ ଛାଡୁଛନ୍ତି। ଫଳରେ ଆଖୁବାଡ଼ିରେ ପଶି ଆଖୁ ଭାଙ୍ଗିଲା ଭଳି ଜଣେ ନିଜର ନିର୍ଦ୍ଦିଷ୍ଟ ଚାହିଦା ମୁତାବକ ଫୋନ୍‌ଟିଏ ଚୟନ କରିବା କଷ୍ଟକର ବ୍ୟାପାର ହୋଇପଡ଼ିଛି। ପୁଣି ଯଦି କେହି ନିଜ ଫୋନ୍‌ରେ ବିଭିନ୍ନ ଉନ୍ନତ ମାନର ଗେମ୍‌ ଖେଳିବା ପାଇଁ ଇଚ୍ଛା କରୁଥାନ୍ତି, ତା’ହେଲେ ତ ସମସ୍ୟା ଆହୁରି ଗମ୍ଭୀର। ତେଣୁ ୨୦ ହଜାର ଟଙ୍କା ଭିତରେ ବର୍ତ୍ତମାନ ବଜାରରେ ଉପଲବ୍ଧ ପାଞ୍ଚଟି ଉତ୍କୃଷ୍ଟ ଗେମିଂ ଫୋନ୍‌ ବିଷୟରେ ଆଲୋଚନା କରିବା, ଯାହା ଆପଣଙ୍କ ନୂଆ ଫୋନ୍ ଚୟନରେ ସହାୟକ ହେବ।

Advertisment

ବର୍ତ୍ତମାନର ଏକ ଉତ୍କୃଷ୍ଟ ଗେମିଂ ଫୋନ୍‌ ହେଉଛି ‘ପୋକୋ ଏକ୍ସ୬’। ଆଣ୍ଡ୍ରଏଡ୍ ୧୪ ଅପରେଟିଂ ସିଷ୍ଟମ୍ ଦ୍ବାରା ପରିଚାଳିତ ଏହି ଫୋନ୍‌ରେ ୧୨୦ ହର୍ଜ ରିଫ୍ରେସ୍ ରେଟ୍‌ ବିଶିଷ୍ଟ ଏକ ୬.୬୭ ଇଞ୍ଚର ଆମୋଲେଡ୍ ଡିସ୍‌ପ୍ଲେ ରହିଛି। ଏଥିରେ କ୍ବାଲକମ୍ ସ୍ନାପ୍‌ଡ୍ରାଗନ୍ ଜେନ୍୨ ପ୍ରୋସେସର୍‌ ସାଙ୍ଗକୁ ଆଡ୍ରିନୋ ୭୧୦ ଜିପିୟୁ ସଂଯୁକ୍ତ ରହିଛି। ପଛପଟେ ୬୪ ମେଗାପିକ୍ସେଲ୍‌ର ମୁଖ୍ୟ କ୍ୟାମେରା, ୮ ମେଗାପିକ୍ସେଲ୍‌ର ଅଲ୍‌ଟ୍ରାଵାଇଡ୍‌ ସେନ୍‌ସର୍‌ ଓ ୧୬ ମେଗାପିକ୍ସେଲ୍‌ର ମାକ୍ରୋ ପରି ତିନିଟି କ୍ୟାମେରା ରହିଛି। ଏହାର ୫,୧୦୦ ଏମ୍‌ଏଏଚ୍‌ ବ୍ୟାଟେରିଟି ୬୭ ଵାଟ୍ ଚାର୍ଜର ଦ୍ବାରା ତ୍ବରିତ ଚାର୍ଜିଂ ହୋଇପାରିବ। ଆଇପି୫୪ ସାର୍ଟିଫିକେସନ୍‌ ଏହାକୁ ଧୂଳି ଓ ପାଣିରୁ ସୁରକ୍ଷା ଦେଇଥାଏ। ‘ଫ୍ଲିପ୍‌କାର୍ଟ’ରେ ଏହାର ଦାମ ୧୮,୯୯୯ ଟଙ୍କା।

ଏହି ଶ୍ରେଣୀର ଆଉ ଏକ ଫୋନ୍‌ ହେଉଛି ‘ଆଇକ୍ୟୁ ଜେଡ୍୯’। ମିଡିଆଟେକ୍ ଡିମେନ୍‌ସିଟି ୭୨୦୦ ଚିପ୍‌ସେଟ୍ ଓ ମାଲି-ଜି୬୧୦ ଜିପିୟୁ ଦ୍ବାରା କାର୍ଯ୍ୟକ୍ଷମ ଏହି ଫୋନ୍‌ରେ ପୋକୋ ଏକ୍ସ୬ ଅନୁରୂପ ଆମୋଲେଡ୍ ପରଦା ରହିଛି। ଏହାର ୮ ଜିବିର ଏଲ୍‌ପିଡିଡିଆର୍‌୪ଏକ୍ସ ରାମ୍ ସହିତ ୨୫୬ ଜିବି ଯାଏ ୟୁଏଫ୍‌ଏସ୍‌ ୨.୨ ଷ୍ଟୋରେଜ୍‌ ବ୍ୟବସ୍ଥା ରହିଛି। ଏହାର ପଛପଟେ ୫୦ ମେଗାପିକ୍ସେଲ୍‌ର ‘ସୋନି ଆଇଏମ୍ଏକ୍ସ୮୮୨’ ମୁଖ୍ୟ କ୍ୟାମେରା ଓ ୧୬ ମେଗାପିକ୍ସେଲ୍‌ର ସେଲ୍‌ଫି କ୍ୟାମେରା ରହିଛି। ‘ଆମାଜନ୍’ରେ ଏହାର ଦର ୧୯,୯୯୯ ରହିଛି। ୧୮,୯୯୯ ଟଙ୍କାରେ ମିଳୁଥିବା ୮ ଜିବି ରାମ୍ ଓ ୧୨୮ ଜିବି ମେମୋରି ବିଶିଷ୍ଟ ‘ଵାନ୍ ପ୍ଲସ୍ ନର୍ଡ ସିଇ ୩’ ଫୋନ୍‌ରେ ୬.୭ ଇଞ୍ଚର ଆମୋଲେଡ୍ ପରଦା ରହିଛି, ଯାହାର ରିଫ୍ରେସ୍‌ ରେଟ୍‌ ୧୨୦ ହର୍ଜ। ସ୍ନାପ୍‌ଡ୍ରାଗନ୍ ୭୮୨ଜି ଚିପ୍‌ସେଟ୍ ଦ୍ବାରା ପରିଚାଳିତ ଏହି ଫୋନ୍‌ରେ ୫୦ ଏମ୍‌ପିର ମୁଖ୍ୟ କ୍ୟାମେରା ସାଙ୍ଗକୁ ୧୬ ମେଗାପିକ୍ସେଲ୍‌ର ଫ୍ରଣ୍ଟ୍ କ୍ୟାମେରା ରହିଛି। ଚତୁର୍ଥରେ ଆସିବ ‘ରେଡ୍‌ମି ନୋଟ୍ ୧୩’, ଯାହାର ଉପରୋକ୍ତ ଫୋନ୍‌ମାନଙ୍କ ପରି ଅନୁରୂପ ପରଦା ଲାଗିଛି। ଏହାର ମଧ୍ୟ ଆଇପି୫୪ ସାର୍ଟିଫିକେସନ୍‌ ରହିଛି। ଏହା ମିଡିଆଟେକ୍ ଡିମେନସିଟି ୬୦୮୦ ଚିପ୍‌ସେଟ୍ ଓ ମାଲି-ଜି୫୭ ଜିପିୟୁ ଦ୍ବାରା କାର୍ଯ୍ୟକ୍ଷମ। ଏହାର ମୁଖ୍ୟ କ୍ୟାମେରାଟି ୧୦୮ ମେଗାପିକ୍ସେଲ ବିଶିଷ୍ଟ। ଏହାର ୫,୦୦୦ ଏମ୍‌ଏଏଚ୍ ବ୍ୟାଟେରିଟି ୩୩ ଵାଟ୍ ଚାର୍ଜର୍‌ ଦ୍ବାରା ଫାଷ୍ଟ୍‌ ଚାର୍ଜ ହୋଇପାରିବ। ‘ଆମାଜନ୍‌’ରେ ଏହା ୧୬,୯୯୯ ଟଙ୍କାରେ ଉପଲବ୍ଧ।

‘ରିଅଲମି ପି୧ ୫ଜି’ ଅନ୍ୟତମ ଆକର୍ଷଣୀୟ ଗେମିଂ ଫୋନ୍। ଏହାର ୬ ଜିବି ରାମ୍ ଓ ୧୨୮ ଜିବି ମେମୋରି ବିଶିଷ୍ଟ ଭାରିଆଣ୍ଟର ମୂଲ୍ୟ ୧୫,୯୯୯ ଟଙ୍କା। ଏହି ଫୋନ୍‌ର ମଧ୍ୟ ୧୨୦ ହର୍ଜ ରିଫ୍ରେସ୍‌ ରେଟ୍ ବିଶିଷ୍ଟ ୬.୬୭ ଇଞ୍ଚ ଫୁଲ୍‌ଏଚ୍‌ଡି ପ୍ଲସ୍‌ ଆମୋଲେଡ୍ ପରଦା ରହିଛି। ଏହା ମିଡିଆଟେକ୍ ଡିମେନ୍‌ସିଟି ୭୦୫୦ ଏସ୍‌ଓସି ଚିପ୍ ଓ ମାଲି-ଜି୬୮ ଏମସି୪ ଜିପିୟୁ ଦ୍ବାରା ପରିଚାଳିତ। ୫୦ ଏମ୍‌ପିର ‘ସୋନି ଏଲଵାଇଟି’ ମୁଖ୍ୟ କ୍ୟାମେରା ସାଙ୍ଗକୁ ୧୬ ଏମ୍‌ପିର ସେଲ୍‌ଫି କ୍ୟାମେରା ଯୁକ୍ତ ଏହି ଫୋନ୍‌ର ୫,୦୦୦ ଏମ୍‌ଏଏଚ୍‌ ବ୍ୟାଟେରିଟି ୪୫ ଵାଟ୍‌ ଚାର୍ଜର ଦ୍ବାରା ଫାଷ୍ଟ ଚାର୍ଜ ହୋଇପାରିବ।