ନେବା ଆଣିବାରେ ସୁବିଧା ପାଇଁ ଅନେକ ୧୧ ଇଞ୍ଚିଆ ପରଦାର ଲାପ୍ଟପ୍କୁ ପସନ୍ଦ କରୁଥିବା ବେଳେ ଅନେକ ମଧ୍ୟ ୧୮ ଇଞ୍ଚିଆ ପରଦାଯୁକ୍ତ ଡେସ୍କଟପ୍ର ମୋହ ଛାଡ଼ିପାରୁନାହାନ୍ତି। ତେବେ ଅନ୍ତର୍ଜାତୀୟ ବ୍ରାଣ୍ଡ୍ ଏଚ୍ପି ଉଭୟବର୍ଗଙ୍କୁ ସୁହାଇଲା ପରି ‘ଏନ୍ଭି ମୁଭ୍’ ନାମରେ ଏକ କମ୍ପ୍ୟୁଟର ବଜାରକୁ ଛାଡ଼ିଛି। ଏହାକୁ ଏକ ଅଲ-ଇନ୍-ଵାନ୍ କମ୍ପ୍ୟୁଟର ଓ ଲାପ୍ଟପ୍ (ଏଇଓସିଏଲ୍) କହିଲେ ଅତ୍ୟୁକ୍ତି ହେବନାହିଁ। ଏଥିରେ ଡେସ୍କଟପ୍ କମ୍ପ୍ୟୁଟରର କ୍ଷମତା ବଜାୟ ରହିବା ସହ ଲାପ୍ଟପ୍ର ସୁବିଧା ରହିଛି। ଧଳା ରଙ୍ଗର ଏକମାତ୍ର ଭାରିଆଣ୍ଟ୍ରେ ଉପଲବ୍ଧ ଏହି ଏଇଓସିଏଲ୍ର ଭାରତୀୟ ବଜାର ମୂଲ୍ୟ ରହିଛି ୧,୨୪,୯୯୯ ଟଙ୍କା। ଏହାର ୧୩ଶ ପିଢ଼ି ଇଣ୍ଟେଲ୍ କୋର୍ ଆଇ-୫ ପ୍ରସେସର ଓ ଇଣ୍ଟେଲ ୟୁଏଚ୍ଡି ଗ୍ରାଫିକ୍ସ ସହ ୧୬ ଜିବିର ରାମ୍ ଓ ୧ ଟିବିର ମେମୋରି ରହିଛି।
‘ଏନ୍ଭି ମୁଭ୍’ରେ ଡେସ୍କଟପ୍ କମ୍ପ୍ୟୁଟରର କ୍ଷମତା ସହ ଲାପ୍ଟପ୍ର ସୁବିଧା ରହିଛି। ଏହାକୁ ଯେକୌଣସି ସ୍ଥାନକୁ ସହଜରେ ନେଇଯିବା ସମ୍ଭବ।
୯୦ ଵାଟ୍ର ଆଡପ୍ଟର, ଓୟାର୍ଲେସ୍ ବ୍ଳୁଟୁଥ୍ କିବୋର୍ଡ ଓ ଇଣ୍ଟିଗ୍ରେଟେଡ୍ ଟଚ୍ପ୍ୟାଡ୍ ଏହାକୁ ଅଧିକ ଆକର୍ଷଣୀୟ କରିଛି। ସଂପୂର୍ଣ୍ଣ ଡେସ୍କଟପ୍ର ଦକ୍ଷତା ରଖିଥିଲେ ହେଁ ଏହାର ଓଜନ ମାତ୍ର ୪.୧ କେଜି । ଏଥିରେ ୨୩.୮ ଇଞ୍ଚ କ୍ୟୁଏଚ୍ଡିର ଏକ ଟଚ୍ସ୍କ୍ରିନ୍ ଆଇପିଏସ୍ ପ୍ୟାନେଲ ରହିଛି। ଏଥିରେ ଖଞ୍ଜା ଯାଇଥିବା ୬-ସେଲ୍ ବିଶିଷ୍ଟ ୮୩ ଵାଟ୍ଆଵାର ଶକ୍ତିସଂପନ୍ନ ଲିଥିଅମ୍-ଆୟନ୍ ବ୍ୟାଟେରିଟି ମାତ୍ର ୪୫ ମିନିଟ୍ରେ ୫୦ ପ୍ରତିଶତ ଚାର୍ଜ ହୋଇପାରୁଛି। ଥରେ ସଂପୂର୍ଣ୍ଣ ଚାର୍ଜ ହେଲେ ଏହା ୪ ଘଣ୍ଟା ଯାଏ ଚାଲିପାରିବ ବୋଲି କମ୍ପାନି ଦାବି କରିଛି। ଏଥିରେ ୫ ଵାଟ୍ର ଡୁଆଲ୍ ସ୍ପିକର୍ ସିଷ୍ଟମ୍ ସାଙ୍ଗକୁ ୫ ମେଗାପିକ୍ସେଲ୍ର ୱେବକ୍ୟାମ୍ ରହିଛି। ଭିଡିଓ କଲିଂ ବେଳେ ଉନ୍ନତ ଅଡିଓ ପାଇଁ କ୍ୟାମେରା ସହ ଦୁଇଟି ମାଇକ୍ରୋଫୋନ୍ ଖଞ୍ଜାଯାଇଛି। ସେହିପରି ବେତାର ସଂଯୋଗ ପାଇଁ ଵାଇ-ଫାଇ ୬ଇ ଏବଂ ବ୍ଲୁଟୁଥ୍ ୫.୩ ବ୍ୟବସ୍ଥା ରହିଛି।