ଇଣ୍ଟର୍‌ନେଟ୍‌ ଓ ସ୍ମାର୍ଟଫୋନ୍‌ ଯୋଗୁଁ ଏବେ ଆର୍ଥିକ କାରବାର ଅତ୍ୟନ୍ତ ସୁବିଧାଜନକ ହୋଇପାରିଛି। ତେବେ ତାହାକୁ ଆଉ ପାଦେ ଆଗେଇ ନେବା ପାଇଁ ଏୟାରଟେଲ୍‌ ପେମେଣ୍ଟସ୍‌ ବ୍ୟାଙ୍କ୍‌ ସହ ନଏଜ୍‌ ଓ ମାଷ୍ଟର୍‌କାର୍ଡ କମ୍ପାନି ମିଶି ଏକ ଅଭିନବ ସ୍ମାର୍ଟଵାଚ୍‌ ବଜାରକୁ ଛାଡ଼ିଛନ୍ତି। ମାତ୍ର ୨,୯୯୯ ଟଙ୍କାରେ ମିଳୁଥିବା ଏହି ହାତଘଣ୍ଟାରେ ସାଧାରଣ ସ୍ମାର୍ଟଵାଚ୍‌ ପରି ସ୍ବାସ୍ଥ୍ୟ ସୂଚନା ଓ ଅନ୍ୟାନ୍ୟ ସୁବିଧା ରହିଛି। ଏହାର ବିଶେଷତ୍ବ ହେଲା ଗୋଟିଏ ଟିପରେ ଟଙ୍କା କାରବାର କରିହେବ। ଏଣିକି ଟଙ୍କା ନେଣଦେଣ ପାଇଁ ନିଜର ସ୍ମାର୍ଟଫୋନ୍‌ରେ ଆଉ ନିର୍ଦ୍ଦିଷ୍ଟ ଆପ୍‌ ଖୋଲି ସମୟସାପେକ୍ଷ ପ୍ରକ୍ରିୟା କସରତ କରିବା ଦରକାର ପଡ଼ିବନି। ବର୍ତ୍ତମାନ ଏୟାରଟେଲ୍‌ ପେମେଣ୍ଟ୍‌ସ ବ୍ୟାଙ୍କର ଗ୍ରାହକମାନେ ଏହି ଘଣ୍ଟାକୁ ଏୟାରଟେଲ୍‌ ଥାଙ୍କସ ଆପ୍‌ ମାଧ୍ୟମରେ ଖରିଦ କରିପାରିବେ। ନୂତନ ଗ୍ରାହକମାନେ ମଧ୍ୟ ନୂଆ ବ୍ୟାଙ୍କ ଆକାଉଣ୍ଟ୍‌ ଖୋଲି ଏୟାରଟେଲ୍‌ ଆପ୍‌ରେ ତାହାକୁ ବରାଦ କରିପାରିବେ। ଏହି ସ୍ମାର୍ଟଵାଚ୍‌ ମାଧ୍ୟମରେ ଦିନକୁ ଜଣେ ୨୫ ହଜାର ଟଙ୍କା ଯାଏ ନେଣଦେଣ କରିପାରିବ। ଅଧିକ କ୍ଷମତାଯୁକ୍ତ ବ୍ୟାଟେରି ସମ୍ବଳିତ ଏହି ଘଣ୍ଟାରେ ଏପରି ଅତ୍ୟନ୍ତ ସହଜସାଧ୍ୟ ଅର୍ଥ କାରବାର ସାଙ୍ଗକୁ ବ୍ଲୁଟୁଥ୍‌ କଲିଂ, ଚବିଶ ଘଣ୍ଟିଆ ହୃତ୍‌ସ୍ପନ୍ଦନ ହାର ମାପ, ରକ୍ତରେ ଅମ୍ଳଜାନ ସାନ୍ଦ୍ରତା (ଏସ୍‌ପିଓ୨), ନିଦ୍ରା ନିରୀକ୍ଷଣ ଟ୍ରାକର ଓ ରକ୍ତଚାପ ନିରୀକ୍ଷଣ ଆଦି ସୁବିଧା ରହିଛି।