ଆମେରିକାର ଅନ୍ୟତମ ସ୍ମାର୍ଟଫୋନ୍‌ ନିର୍ମାତା ମୋଟୋରୋଲା ପକ୍ଷରୁ ତାହାର ସଦ୍ୟତମ ଉତ୍ପାଦ ‘ମଟୋ ଜି୪୫  ୫ଜି’ର ଭାରତରେ ବଜାରପ୍ରବେଶ କରାଯାଇଛି। ସମସ୍ତଙ୍କୁ ସୁହାଇଲା ପରି କମ୍‌ ଦରରେ ବଜାରରେ ୫ଜି ଫୋନ୍‌ ଉପଲବ୍‌ଧ କରାଇବା ଲକ୍ଷ୍ୟରେ କମ୍ପାନି ଏହି ଫୋନ୍‌ ଛାଡ଼ିଛି। ଫ୍ଲିପ୍‌କାର୍ଟ ଓ ମୋଟୋରୋଲା ମାଧ୍ୟମରେ ମିଳୁଥିବା ଏହି ଫୋନ୍‌ର ଦୁଇଟି ସଂସ୍କରଣ ରହିଛି। ଏହାର ୪ ଜିବି ରାମ୍‌ ଓ ୧୨୮ ଜିବି ମେମୋରି ସଂସ୍କରଣର ଦର ୧୦,୯୯୯ ଟଙ୍କା ରହିଥିବା ବେଳେ ୮ ଜିବି ରାମ୍‌ ଓ ୧୨୮ ଜିବି ମେମୋରି ମଡେଲ୍‌ର ଦାମ୍‌ ୧୨,୯୯୯ ଟଙ୍କା ରଖାଯାଇଛି। ତେବେ ଆଗ୍ରହୀ ଉପଭୋକ୍ତାମାନେ ଆକ୍ସିସ୍ ବ୍ୟାଙ୍କ କିମ୍ବା ଆଇଡିଏଫ୍‌ସି ଫାଷ୍ଟ୍‌ ବ୍ୟାଙ୍କର କ୍ରେଡିଟ୍‌ କାର୍ଡ ମାଧ୍ୟମରେ ହଜାରେ ଟଙ୍କାର ରିହାତି ପାଇପାରିବେ। ଏହି ଫୋନ୍‌ ତୃତୀୟ ପିଢ଼ିର ସ୍ନାପ୍‌ଡ୍ରାଗନ୍‌ ୬ଏସ୍‌ ଅକ୍ଟାକୋର୍‌ ପ୍ରୋସେସର୍‌ ଦ୍ବାରା କାର୍ଯ୍ୟକ୍ଷମ।

Advertisment

ଏହାର ୟୁଏଫ୍‌ଏସ୍‌ ୨.୨ ଷ୍ଟୋରେଜ୍‌କୁ ଏସ୍‌ଡି କାର୍ଡ ମାଧ୍ୟମରେ ୧ ଟିବି ଯାଏ ପରିବର୍ଦ୍ଧିତ କରାଯାଇପାରିବ। ଏଥିରେ ଖଚିତ ୬.୫ ଇଞ୍ଚ୍‌ ଏଲ୍‌ସିଡି ପରଦାର ରିଫ୍ରେସ୍‌ ହାର ୧୨୦ ହର୍ଜ ରହିବା ସହ ତାହାକୁ ଗରିଲା ଗ୍ଲାସ-୩ ଦ୍ବାରା ସୁରକ୍ଷିତ କରାଯାଇଛି। ଏହି ଫୋନ୍‌ ବ୍ରିଲିଆଣ୍ଟ୍‌ ବ୍ଳ୍ୟୁ, ବ୍ରିଲିଆଣ୍ଟ୍‌ ଗ୍ରିନ୍‌ ଓ ଭିଭା ମାଜେଣ୍ଟା ପରି ତିନିଟି ରଙ୍ଗରେ ମିଳୁଛି। ଜଳକଣା ପ୍ରତିରୋଧ ପାଇଁ ଏହାକୁ ଆଇପି୫୨ ରେଟିଂ ମିଳିଛି। ଫଟୋ ଉଠାଇବା ପାଇଁ ଏଥିରେ ୫୦ ମେଗାପିକ୍ସେଲ କ୍ବାଡ୍‌ ପିକ୍ସେଲ୍‌ର ମୁଖ୍ୟ କ୍ୟାମେରା ସହ ଏକ ୧୬ ମେଗାପିକ୍ସେଲ୍‌ର ସେଲ୍‌ଫି କ୍ୟାମେରା ମଧ୍ୟ ରହିଛି। ଫୋନ୍‌ର ସୁଦୀର୍ଘ ବ୍ୟବହାର ପାଇଁ ଏକ ୫,୦୦୦ ଏମ୍‌ଏଏଚ୍‌ର ବ୍ୟାଟେରି ଖଞ୍ଜାଯାଇଛି ଏବଂ ଚାର୍ଜିଂ ସୁବିଧା ପାଇଁ ଫୋନ୍‌ ସହିତ ଏକ ୨୦ ଵାଟ୍‌ର ଦ୍ରୁତ ଚାର୍ଜର ମଧ୍ୟ ମିଳୁଛି।