ନିଜର ସ୍ମାର୍ଟଫୋନ୍ ଭିତ୍ତିଭୂମିକୁ ସମ୍ପ୍ରସାରଣ କରିବା ଲକ୍ଷ୍ୟରେ ସ୍ମାର୍ଟଫୋନ୍ ନିର୍ମାତା ‘ଭିଭୋ’ ପକ୍ଷରୁ ଏକ ନୂତନ ୫ଜି ଫୋନ୍ର ବଜାରପ୍ରବେଶ କରାଯାଇଛି। ‘ଵାଇ୨୯ ୫ଜି’ ନାମକ ଉକ୍ତ ଫୋନ୍ଟି ରାମ୍ ଓ ଷ୍ଟୋରେଜ୍ କ୍ଷମତାର ଏକାଧିକ ବିକଳ୍ପ ସହ ଉପଲବ୍ଧ। ଏହାର ୪ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍ ବିଶିଷ୍ଟ ସଂସ୍କରଣର ମୂଲ୍ୟ ୧୩,୯୯୯ ଟଙ୍କା ରହିଥିବା ବେଳେ ୬ ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍ର ସଂସ୍କରଣଟି ୧୫,୪୯୦ ଟଙ୍କାରେ ଉପଲବ୍ଧ। ସେହିପରି ୮ ଜିବି ରାମ୍ ଓ ୧୨୮ ଜିବି ମେମୋରି ବିଶିଷ୍ଟ ତୃତୀୟ ସଂସ୍କରଣର ମୂଲ୍ୟ ୧୬,୯୯୯ ଟଙ୍କା ରହିଥିବା ବେଳେ ଏହାର ୮ ଜିବି ରାମ୍ ଓ ୨୫୬ ଜିବି ଷ୍ଟୋରେଜ୍ ବିଶିଷ୍ଟ ଶୀର୍ଷ ସଂସ୍କରଣର ଦାମ୍ ୧୯,୯୯୯ ଟଙ୍କା ରହିଛି। ଏହି ଫୋନ୍ଟି ଡାଏମଣ୍ଡ୍ ବ୍ଲାକ୍, ଗ୍ଲାସିଅର୍ ବ୍ଳ୍ୟୁ ଓ ଟାଇଟାନିଅମ୍ ଗୋଲ୍ଡ ପରି ତିନିଟି ରଙ୍ଗରେ ଉପଲବ୍ଧ।
‘ଭିଭୋ ଵାଇ୨୯ ୫ଜି’ର ଏକ ୬.୬୮ ଇଞ୍ଚର ଏଚ୍ଡି ପ୍ଳସ୍ ରିଜୋଲ୍ୟୁସନ୍ ସଂପନ୍ନ ପରଦା ରହିଛି, ଯାହାର ରିଫ୍ରେସ୍ ରେଟ୍ ହେଉଛି ୧୨୦ ହର୍ଜ। ସେହିପରି ଏଥିରେ ଏକ ୫୦ ମେଗାପିକ୍ସେଲ୍ ମୁଖ୍ୟ କ୍ୟାମେରା ଓ ୦.୦୮ ମେଗାପିକ୍ସେଲ୍ ସହାୟକ ଲେନ୍ସ ରହିଛି। ଏଲ୍ଇଡି ଫ୍ଲାସ୍ ସହିତ ଏଥିରେ ୮ ମେଗାପିକ୍ସେଲ୍ର ଏକ ସେଲ୍ଫି କ୍ୟାମେରା ଖଞ୍ଜାଯାଇଛି। ଆଣ୍ଡ୍ରଏଡ୍ ୧୪ ଉପରେ ପର୍ଯ୍ୟବସିତ ‘ଫନ୍ଟଚ୍ ୧୪’ ଅପରେଟିଂ ସିଷ୍ଟମ୍ ଦ୍ବାରା ଏହି ଫୋନ୍ଟି ପରିଚାଳିତ। ଏଥିରେ ମିଡିଆଟେକ୍ ଡିମେନ୍ସିଟି ୬୩୦୦ ଚିପ୍ସେଟ୍ ଖଞ୍ଜାଯାଇଛି। ଏହାର ୫,୫୦୦ ଏମ୍ଏଏଚ୍ କ୍ଷମତାବିଶିଷ୍ଟ ବ୍ୟାଟେରିଟି ୪୪ ଵାଟ୍ର ଦ୍ରୁତ ଚାର୍ଜିଂ ସହ ସୁସଂଗତ। ଧୂଳିକଣା ଓ ଜଳ ପ୍ରତିରୋଧୀ ଗୁଣ ପାଇଁ ଏହାକୁ ଆଇପି୬୪ ରେଟିଂ ମିଳିଛି। ସର୍ବୋପରି ଏୟାରଟେଲ୍ ଓ ଜିଓ ପରି ୫ଜି ନେଟ୍ଵର୍କ ସହ ଭଲଭାବେ କାମ କରୁଥିବା ଏହି ଫୋନ୍ ଆଗାମୀ ପିଢ଼ିର ଯୋଗାଯୋଗ ଆବଶ୍ୟକତା ପାଇଁ ଏକ ପ୍ରକୃଷ୍ଟ ସରଞ୍ଜାମ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/02/UqFG3LegOD0ZWJPa9doF.jpg)