ହୁଆୱେ କମ୍ପାନି ତାହାର ପ୍ରଥମ ଅଣ-ୱିଣ୍ଡୋଜ୍ ଫୋଲ୍ଡେବଲ୍ ଲାପ୍ଟପ୍ ଉନ୍ମୋଚନ କରିଛି। ଆସନ୍ତା ମାସ ବଜାରକୁ ଆସିବାକୁ ଥିବା ‘ମେଟ୍ବୁକ୍ ଫୋଲ୍ଡ ଅଲ୍ଟିମେଟ୍’ ନାମକ ଏହି ୧.୧୬ କେଜି ଓଜନର ଲାପ୍ଟପ୍ରେ ଏକ ବିଶାଳ ୧୮ ଇଞ୍ଚ ବିଶିଷ୍ଟ ଓଲେଡ୍ ଟଚ୍ସ୍କ୍ରିନ୍ ଡିସ୍ପ୍ଲେ ରହିଛି। ଏହାର ବିଶେଷତ୍ବ ହେଉଛି, ଜଣେ ଚାହିଁଲେ ଏହାକୁ ପାରମ୍ପରିକ ଲାପ୍ଟପ୍ ପରି ମଝିରୁ ଭାଙ୍ଗି ବ୍ୟବହାର କରିପାରିବେ ଅଥବା ସଂପୂର୍ଣ୍ଣ ଖୋଲି ବଡ଼ ଆକାରର ଡିସ୍ପ୍ଲେ ରୂପେ ବ୍ୟବହାର କରାଯାଇପାରିବ।
ସଂପୂର୍ଣ୍ଣ ଖୋଲା ଅବସ୍ଥାରେ ଏହି ଡିସ୍ପ୍ଲେର ରିଜୋଲ୍ୟୁସନ୍ ହେଉଛି ୩୨୯୬x୨୪୭୨। ୧୬୦୦ ନିଟ୍ ପିକ୍ ବ୍ରାଇଟ୍ନେସ୍ ବିଶିଷ୍ଟ ପରଦାଟି ଆଖି ସୁରକ୍ଷା ପାଇଁ ୧୪୪୦ ହର୍ଜର ଡିମିଂ ସୁବିଧା ପ୍ରଦାନ କରେ। ଏହି ପ୍ୟାନେଲ୍ ୩୦ ପ୍ରତିଶତ କମ୍ ଶକ୍ତି ବ୍ୟବହାର କରେ ଏବଂ ସାଧାରଣ ଓଲେଡ୍ ସ୍କ୍ରିନ୍ ଅପେକ୍ଷା ଏହାର ଜୀବନକାଳ ତିନିଗୁଣ ଅଧିକ ବୋଲି କମ୍ପାନି ଦାବି କରିଛି। ଏହା ହୁଆୱେର ନିଜସ୍ବ ଅପରେଟିଂ ସିଷ୍ଟମ ‘ହାର୍ମୋନିଓଏସ୍ ୫’ ଦ୍ବାରା ପରିଚାଳିତ। ଏହି ଲାପ୍ଟପ୍ରେ ୭୪.୬୯ ଵାଟ୍ଆଵାରର ଶକ୍ତିଶାଳୀ ବ୍ୟାଟେରି ସାଙ୍ଗକୁ ଦୁଇଟି ୟୁଏସ୍ବି-ସି ପୋର୍ଟ, ଛଅଟି ସ୍ପିକର୍ ଓ ଚାରିଟି ମାଇକ୍ରୋଫୋନ୍ ରହିଛି। ପ୍ରତ୍ୟେକ ୟୁନିଟ୍ରେ ଏକ ବେତାର କିବୋର୍ଡ, କ୍ୟାରି କେସ୍ ଓ ଏକ ୧୪୦ ଵାଟ୍ ଚାର୍ଜର୍। ଏହାର ମୂଳ ମଡେଲ୍ରେ ୩୨ ଜିବି ରାମ୍ ଓ ୧ଟିବି ଷ୍ଟୋରେଜ୍ ରହିଛି ଯାହାର ମୂଲ୍ୟ ୨୪,୦୦୦ ୟୁଆନ୍ ବା ପ୍ରାୟ ୨.୮୫ ଲକ୍ଷ ଟଙ୍କା। ୨ ଟିବି ଷ୍ଟୋରେଜ୍ ବିଶିଷ୍ଟ ଶୀର୍ଷ ସଂସ୍କରଣର ମୂଲ୍ୟ ୨୭,୦୦୦ ୟୁଆନ୍ ବା ପ୍ରାୟ ୩.୨ ଲକ୍ଷ ଟଙ୍କା ରଖାଯାଇଛି।