ଫୋନ ନିର୍ମାତା ନଥିଙ୍ଗ୍‌ ତାହାର ସିଏମ୍‌ଏଫ୍‌ ବ୍ରାଣ୍ଡ୍‌ ଅଧୀନରେ ପ୍ରଥମ ଥର ପାଇଁ ଏକ ସ୍ମାର୍ଟଫୋନ୍ ଭାରତୀୟ ବଜାରକୁ ଛାଡ଼ିବାକୁ ଯାଉଛି। ଏହାର ନାମ ସିଏମ୍‌ଏଫ୍ ଫୋନ୍ (୧)। ଏହା ନଥିଙ୍ଗ୍‌ ଫୋନ୍‌ର ଏକ ସୁଲଭ ସଂସ୍କରଣ। ଲୋକାର୍ପିତ ହେବା ପୂର୍ବରୁ ତାହାର ଭାରତୀୟ ମୂଲ୍ୟ ପ୍ରଘଟ ହୋଇଛି। ନଥିଙ୍ଗ୍‌ ଫୋନ୍ (୨ଏ)ର ପ୍ରାରମ୍ଭିକ ମଡେଲ୍‌ର ମୂଲ୍ୟ ୨୩,୯୯୯ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ସିଏମ୍‌ଏଫ୍ ଫୋନ୍ (୧)ର ୬ଜିବି ରାମ୍ ଓ ୧୨୮ ଜିବି ମେମୋରି ବିଶିଷ୍ଟ ମଡେଲ୍‌ର ଦର ୧୯,୯୯୯ ଟଙ୍କା ରହିଛି। କୌଣସି ଅଫର୍‌ ବିନା ଫୋନ୍‌ର ମୂଲ୍ୟ ୧୮ ହଜାର ଟଙ୍କା ଓ ରିହାତି ସହ ୧୭ ହଜାର ଟଙ୍କାରେ ଫୋନ୍‌ଟି ମିଳିବ ବୋଲି ଅନୁମାନ କରାଯାଉଛି।

Advertisment

ଉଲ୍ଲେଖଯୋଗ୍ୟ, ଆଣ୍ଡ୍ରଏଡ୍‌-୧୪ ଉପରେ ପର୍ଯ୍ୟବସିତ ଏହି ଫୋନ୍‌ଟି ମିଟିଆଟେକ୍ ଡିମେନ୍‌ସିଟି ୭୩୦୦ ଏସ୍‌ଓସି ଚିପ୍‌ସେଟ୍ ଦ୍ବାରା କାର୍ଯ୍ୟକ୍ଷମ। ଏହାର ଏକ ୬.୬୭ ଇଞ୍ଚର ଫୁଲ୍‌ଏଚ୍‌ଡି+ ଓଲେଡ୍ ପରଦା ରହିଛି, ଯାହାର ରିଫ୍ରେସ ହାର ହେଉଛି ୧୨୦ ହର୍ଜ। ଏଥିରେ ଏକ ୫୦ ମେଗାପିକ୍ସେଲର ପ୍ରାଥମିକ କ୍ୟାମେରା ଓ ମାଧ୍ୟମିକ କ୍ୟାମେରା ସହ ୧୬ ମେଗାପିକ୍ସେଲର ଏକ ସେଲ୍‌ଫି କ୍ୟାମେରା ରହିଛି। ଏହାର ୬ ଜିବି/୮ ଜିବି ରାମ୍ ସହ ୧୨୮ ଜିବି/୨୫୬ ଜିବିର ଇଣ୍ଟର୍‌ନାଲ୍‌ ମେମୋରି ରହିଛି। ଏଥି ସହିତ ଅତିରିକ୍ତ ମେମୋରି ଯୋଡ଼ିବା ପାଇଁ ଏକ ମାଇକ୍ରୋ ଏସ୍‌ଡି ସ୍ଲଟ୍ ମଧ୍ୟ ରହିଛି। ଏହାର ୫,୦୦୦ ଏମ୍‌ଏଏଚ୍ କ୍ଷମତା ବିଶିଷ୍ଟ ବ୍ୟାଟେରିଟି ୩୩ ଵାଟର ଚାର୍ଜର ଦ୍ବାରା ଫାଷ୍ଟ୍‌ ଚାର୍ଜିଂ ହୋଇପାରିବ। ଫୋନ୍‌ଟି ଫ୍ଲିପ୍‌କାର୍ଟ ମାଧ୍ୟମରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି।