ଚଷମା ଓ ଲେନ୍ସ ପରି ବିଭିନ୍ନ ପ୍ରକାର ଉନ୍ନତ ଚକ୍ଷୁ ସାମଗ୍ରୀ ପ୍ରସ୍ତୁତ କରୁଥିବା ଲେନ୍‌ସକାର୍ଟ ପକ୍ଷରୁ ଏକ ଅଭିନବ ସ୍ମାର୍ଟ ଚଷମା ନିର୍ମାଣ କରାଯାଇଛି। କମ୍ ମୂଲ୍ୟରେ ଉପଲବ୍‌ଧ ‘ଫୋନିକ୍‌ ସ୍ମାର୍ଟ ଗ୍ଳାସେସ୍‌’ ନାମକ ଏହି ଚଷମା ପାରମ୍ପରିକ ପ୍ରଚକ୍ଷୁର କାର୍ଯ୍ୟ କରିବା ସହିତ ଏଥିରେ ଫୋନ୍‌ କରିବା, ଗୀତ ଶୁଣିବା ଓ ଭଏସ୍‌ ଆସିଷ୍ଟାଣ୍ଟ୍‌ ଭାବେ କାର୍ଯ୍ୟ କରିବାର କ୍ଷମତା ରହିଛି। ଗୋଟିଏ ମାତ୍ର ବଟନ୍‌ ଚିପି ଉପରୋକ୍ତ ସୁବିଧା ସବୁ ଉପଭୋଗ କରିହେବ। ଏହାର କାନ ଉପରେ ରହୁଥିବା କାଣ୍ଡ ଦୁଇଟିର ବାଙ୍କ ସ୍ଥାନ (ଟେମ୍ପଲ୍‌)ରେ ଦୁଇଟି କ୍ଷୁଦ୍ର ସ୍ପିକର୍‌ ଖଞ୍ଚାଯାଇଛି ଯାହା ବ୍ଲୁଟୁଥ୍‌ ମାଧ୍ୟମରେ କାର୍ଯ୍ୟକାରୀ ହୋଇପାରିବ। ସେହିପରି ସ୍ମାର୍ଟଫୋନ୍‌ ସହିତ ସଂଯୋଗ କରି ଏହି ସ୍ପିକର୍‌ ଦ୍ବାରା କଥାବାର୍ତ୍ତା କରିହେବ। ଏହାର ଭଏସ୍‌ ଆସିଷ୍ଟାଣ୍ଟ୍‌ ମାଧ୍ୟମରେ ବ୍ୟବହାରକାରୀ କଣ୍ଠସ୍ବର ଦ୍ବାରା ମେସେଜ୍‌ ପଠାଇବା, ରିମାଇଣ୍ଡର୍‌ ସେଟ୍‌ କରିବା ଓ ଗୀତ ବଦଳାଇବା ଭଳି କାର୍ଯ୍ୟ ସମ୍ପାଦନ କରିପାରିବେ। ଏତେଗୁଡ଼ିଏ ଜଟିଳ ବୈଶିଷ୍ଟ୍ୟ ଥାଇ ମଧ୍ୟ ଗାଡ଼ି ଚାଳନା ବେଳେ ଏହା ଅନ୍ୟମନସ୍କତା କମାଇବାକୁ ସକ୍ଷମ ବୋଲି କମ୍ପାନି ଦାବି କରିଛି। 

Advertisment

ମ୍ୟାଟ୍‌ ବ୍ଳାକ୍‌ ଓ ସାଇନି ବ୍ଳ୍ୟୁ ପରି ଦୁଇଟି ରଙ୍ଗ ଏବଂ ନେଭିଗେଟର୍‌ ଓ ହସ୍‌ଲର୍‌ ଭଳି ଦୁଇଟି ଡିଜାଇନ୍‌ରେ ଏହା ଉପଲବ୍‌ଧ। ଏହି ସ୍ମାର୍ଟ ଚଷମା ବିଯୁକ୍ତ ୮ ଡାୟାପ୍ଟୋର୍‌ (-୮ଡି)ରୁ ଆରମ୍ଭ କରି ଯୁକ୍ତ ୬ ଡାୟାପ୍ଟୋର୍‌ (+୬ଡି) ଯାଏ ଉଭୟ ଉତ୍ତଳ ଓ ଅବତଳ ଲେନ୍‌ସ ଧାରଣ କରିବା ପାଇଁ ସକ୍ଷମ। ଏଥିସହିତ ଜଣେ ନିଜ ପସନ୍ଦ ମୁତାବକ ଏଥିରେ ବାଇଫୋକାଲ୍‌ ବା ପ୍ରୋଗ୍ରେସିଭ୍‌ ବା ସନ୍‌ଗ୍ଲାସ୍‌ ଲେନ୍‌ସ ମଧ୍ୟ ଖଞ୍ଜିପାରିବେ। କମ୍ପାନି ତାହାର ନିଜସ୍ବ ୱେବ୍‌ସାଇଟ୍‌ରେ ଏହି ‘ଫୋନିକ୍‌ ସ୍ମାର୍ଟ ଗ୍ଲାସେସ୍‌’ର ଦର ୭,୦୦୦ ଟଙ୍କା ଉଲ୍ଲେଖ କରିଥିବା ବେଳେ ଭାରତରେ ଏହା ୪,୦୦୦ ଟଙ୍କାରେ ଉପଲବ୍‌ଧ ହେଉଛି।