ରକ୍ତରେ ଅମ୍ଳଜାନ ସାନ୍ଦ୍ରତା ଓ ହୃଦ୍‌ସ୍ପନ୍ଦନ ମାପି ପାରୁଥିବା ବୋଟ୍‌ କମ୍ପାନିର ସ୍ମାର୍ଟ ରିଂ (ମୁଦି) ‘ଆକ୍ଟିଭ୍ ପ୍ଲସ୍’ ଭାରତରେ ଲୋକାର୍ପିତ ହୋଇଯାଇଛି। ଏହି ସ୍ମାର୍ଟ ରିଂ ଛଅଟି ଆକାର ଏବଂ ତିନିଟି ଭିନ୍ନ ରଙ୍ଗରେ ମିଳୁଛି। ଷ୍ଟେନଲେସ୍ ଷ୍ଟିଲ୍‌ରେ ନିର୍ମିତ ଏହି ସ୍ମାର୍ଟ ରିଂ ୱେର୍‌ଲେସ୍‌ ଚାର୍ଜିଂ ସପୋର୍ଟ କରେ। ହାତ ଆଙ୍ଗୁଠିରେ ପରିଧାନଯୋଗ୍ୟ ଏହି ଉପକରଣଟି ଅତ୍ୟାଧୁନିକ ସେନ୍‌ସର୍‌ ମାଧ୍ୟମରେ ହୃଦ୍‌ସ୍ପନ୍ଦନ ପରିବର୍ତ୍ତନ, ରକ୍ତ ଅମ୍ଳଜାନ ସାନ୍ଦ୍ରତା ସ୍ତର, ନିଦ ଏବଂ ଚାପ ଭଳି ବିଭିନ୍ନ ସ୍ୱାସ୍ଥ୍ୟ ମାପଦଣ୍ଡକୁ ନିରୀକ୍ଷଣ କରିବା ପାଇଁ ସକ୍ଷମ। ଏହା ଚର୍ମର ତାପମାତ୍ରାକୁ ମଧ୍ୟ ଅନୁଧ୍ୟାନ କରିପାରିବ।

Advertisment

ଏହା ବ୍ୟତୀତ ଏଥିରେ ସାଇକେଲିଂ, ଦୌଡ଼ିବା ଓ ଯୋଗ ଭଳି ବିଭିନ୍ନ ଶାରୀରିକ କାର୍ଯ୍ୟକଳାପ ନିରୀକ୍ଷଣ କରିବା ପାଇଁ ଏକ ମଲ୍‌ଟି-ସ୍ପୋର୍ଟସ୍ ମୋଡ୍ ରହିଛି। ଫୋନ୍ ସହ ସଂଯୋଗ ପାଇଁ ଏଥିରେ ବ୍ଲୁଟୁଥ୍ ୫.୦ର ସୁବିଧା ରହିଛି। ଏହା ଧୂଳି, ଝାଳ ଓ ସ୍ପ୍ଲାସ୍-ପ୍ରତିରୋଧୀ। ଥରେ ଚାର୍ଜ କଲେ ପାଞ୍ଚ ଦିନ ପର୍ଯ୍ୟନ୍ତ ଚାଲିପାରିବ ବୋଲି କମ୍ପାନି ଦାବି କରିଛି। ଏକ ଚୁମ୍ବକୀୟ ଚାର୍ଜିଂ ଖୋଳ ସହିତ  ମିଡନାଇଟ୍ ବ୍ଲାକ୍, ରୋଜ୍ ଗୋଲ୍‌ଡ ଓ ରେଡିଆଣ୍ଟ୍ ସିଲଭର୍ ପରି ତିନିଟି ରଙ୍ଗରେ ଉପଲବ୍‌ଧ ବୋଟ୍ ସ୍ମାର୍ଟ ରିଂ ଆକ୍ଟିଭ୍ ପ୍ଲସ୍‌ ମୂଲ୍ୟ ୩,୯୯୯ ଟଙ୍କା ରହିଛି। ଏହାକୁ ବର୍ତ୍ତମାନ ବୋଟ୍ ଇଣ୍ଡିଆ ଓ ଆମାଜନ୍‌ ୱେବସାଇଟ୍ ମାଧ୍ୟମରେ କିଣାଯାଇପାରିବ।