କ୍ବାଲକମ୍‌ କମ୍ପାନି ପକ୍ଷରୁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପରେ ପର୍ଯ୍ୟବସିତ ତାହାର ସଦ୍ୟତମ ଚିପ୍‌ସେଟ୍‌ ‘ସ୍ନାପଡ୍ରାଗନ୍‌ ୮ଏସ୍‌ ଜେନ୍‌୩’ର ଦକ୍ଷତା ବାବଦରେ ଗତ ମାର୍ଚ୍ଚ ମାସରେ ଘୋଷଣା କରାଯାଇଥିଲା। ତେବେ କମ୍ପାନି ଦ୍ବାରା ନିର୍ମିତ ଏହି ନୂତନ ‘୪ ନାନୋମିଟର ଅକ୍ଟା-କୋର’ ଚିପ୍‌ସେଟ୍‌ ଭାରତରେ ଉନ୍ମୋଚିତ ହେବ ବୋଲି ଜଣାଯାଇଛି। ଆଗକୁ ଉନ୍ମୋଚନ ଅପେକ୍ଷାରେ ଥିବା ପୋକୋ କମ୍ପାନିର ନୂତନ ସ୍ମାର୍ଟଫୋନ୍‌ ‘ଏଫ୍‌୬ ୫ଜି’ ପ୍ରଥମ ଫୋନ୍‌ ଭାବେ ‘ସ୍ନାପଡ୍ରାଗନ୍‌ ୮ଏସ୍‌ ଜେନ୍‌୩’ ଚିପ୍‌ସେଟ ସହ ବଜାରକୁ ଆସିବ।
ମେ ୨୩ ତାରିଖରେ ଅନ୍‌ଲାଇନ୍‌ କାରବାର ମଞ୍ଚ ଫ୍ଲିପ୍‌କାର୍ଟରେ ଏହି ଫୋନ୍‌ ଉପଲବ୍‌ଧ ହେବ ବୋଲି ସ୍ପଷ୍ଟ ହୋଇଛି। ମୋଟୋରୋଲା, ସାଓମି ଓ ରିଅଲ୍‌ମି ପରି ଅନ୍ୟ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନିମାନେ ପୂର୍ବରୁ ଭାରତ ବାହାରେ ବିଶ୍ବ ବଜାରରେ ‘ସ୍ନାପଡ୍ରାଗନ୍‌ ୮ଏସ୍‌ ଜେନ୍‌୩’ ଚିପ୍‌ସେଟ୍‌ ଖଚିତ ଫୋନ୍‌ ଛାଡ଼ି ସାରିଥିବା ବେଳେ ଭାରତରେ ପ୍ରଥମ ଥର ପାଇଁ ପୋକୋ କମ୍ପାନି ହିଁ ଏହି ଫୋନ୍‌ ଛାଡ଼ିବାକୁ ଯାଉଛି। ଏହି ୪ଏନ୍‌ଏମ୍‌ ଅକ୍ଟା-କୋର୍‌ ବିଶିଷ୍ଟ ଚିପ୍‌ସେଟ୍‌ର ୩.୦ ଗିଗାହର୍ଜ ଫ୍ରିକ୍ବେନ୍‌ସିରେ ଚାଲିବାର ଦକ୍ଷତା ରହିଥିବା ବେଳେ ଏହାର ସର୍ବାଧିକ କ୍ଲକ୍‌ ସ୍ପିଡ୍‌ ହେଉଛି ୨.୮ ଗିଗାହର୍ଜ। ଏହାର ଆଡ୍ରିନୋ ଜିପିୟୁ, ଏଚ୍‌ଡିଆର୍‌ ଗେମିଂକୁ ସୁଗମ କରିବ। ଏଥିରେ ୟୁଏଫ୍‌ଏସ୍‌ ୪.୦ ଷ୍ଟୋରେଜ୍‌ ସହ ୪୨୦୦ ମେଗାହର୍ଜ ବିଶିଷ୍ଟ ‘ରାମ୍‌’ ଖଞ୍ଜାଯାଇଛି। ଏହା ମଧ୍ୟ ଜେମିନି ନାନୋ, ଲାମା-୨ ଓ ବାଇଚୁଆଁ-୭ବି ପରି ୩୦ରୁ ଅଧିକ ପ୍ରକାରର ସୃଜନଶୀଳ ଏଆଇ ମଡେଲ୍‌ ଚଳାଇବାର କ୍ଷମତା ରଖିଛି। ୯୦ ଵାଟ୍‌ ବିଶିଷ୍ଟ ଦ୍ରୁତ ଚାର୍ଜିଂକ୍ଷମ ୫,୦୦୦ ଏମ୍‌ଏଏଚ୍‌ ବ୍ୟାଟେରି ସନ୍ନିହିତ ଏହି ନୂତନ ଫୋନ୍‌ରେ ଏକ ୬.୭ ଇଞ୍ଚର ୧୨୨୦x୨,୭୧୨ ପିକ୍ସେଲ୍‌ ରିଜୋଲୁସନ୍‌ର ଓଲେଡ୍‌ ପରଦା ଖଞ୍ଜାଯାଇଛି। ଏଥି ସହିତ ଫୋନ୍‌ଟିରେ ୫୦ ମେଗାପିକ୍ସେଲ୍‌ର ସୋନି ଏଲ୍‌ଵାଇଟି-୬୦୦ କ୍ୟାମେରା ସେନ୍‌ସର୍‌ ସାଙ୍ଗକୁ ୮ ମେଗାପିକ୍ସେଲ୍‌ର ଅଲଟ୍ରାଵାଇଡ୍‌ କ୍ୟାମେରା ଓ ୨୦ ମେଗାପିକ୍ସେଲ୍‌ର ସାମନା କ୍ୟାମେରା ରହିଛି। ଭାରତୀୟ ବଜାରରେ ଏହି ବହୁପ୍ରତୀକ୍ଷିତ ଫୋନ୍‌ର ମୂଲ୍ୟ ପ୍ରାୟ ୨୩ ହଜାର ଟଙ୍କା ରହିବ ବୋଲି ଅନୁମାନ କରାଯାଉଛି।