ସୋମବାର ଭିଭୋ କମ୍ପାନି ଭାରତରେ ତାହାର ବହୁ ପ୍ରତୀକ୍ଷିତ ‘ଏକ୍ସ୨୦୦ ଏଫ୍‌ଇ’ ଫୋନ୍‌ର ଲୋକାର୍ପଣ କରିଛି। ଆଣ୍ଡ୍ରଏଡ୍‌ ୧୫ ଆଧାରିତ ଏହି ସ୍ମାର୍ଟଫୋନ୍ ମିଡିଆଟେକ୍‌ ଡିମେନ୍‌ସିଟି ୯୩୦୦+ ଚିପ୍‌ସେଟ୍‌ ଦ୍ବାରା କାର୍ଯ୍ୟକ୍ଷମ। ଏହି ଫୋନ୍‌ରେ ଏକ ୬.୩୧ ଇଞ୍ଚର ୧.୫କେ ପିକ୍ସେଲ୍‌ ଆମୋଲେଡ୍‌ ଡିସପ୍ଲେ ରହିଛି, ଯାହାର ରିଫ୍ରେସ ହାର ୧୨୦ ହର୍ଜ ଓ ସର୍ବାଧିକ ବ୍ରାଇଟ୍‌ନେସ୍ ୧,୮୦୦ ନିଟ୍‌ସ। ଏହାର ୬,୫୦୦ ଏମ୍‌ଏଏଚ୍‌ର ବ୍ୟାଟେରିକୁ ୯୦ ଵାଟ୍‌ ବେଗରେ ଚାର୍ଜ କରିହେବ। ଫୋନ୍‌ ପଛପଟେ ୫୦-ମେଗାପିକ୍ସେଲର ପ୍ରାଇମେରି ସୋନି ସେନ୍ସର୍ ସାଙ୍ଗକୁ ୮-ମେଗାପିକ୍ସେଲର ୱାଇଡ୍-ଏଙ୍ଗଲ୍ ସେନ୍ସର୍ ଏବଂ ୩x ଅପ୍ଟିକାଲ୍ ଜୁମ୍ ବିଶିଷ୍ଟ ୫୦-ମେଗାପିକ୍ସେଲର ଏକ ସୋନି  ପେରିସ୍କୋପ୍ ଟେଲିଫଟୋ ସେନ୍‌ସର୍‌ ଲାଗିଛି।

Advertisment

ସେହିପରି ସେଲଫି ଓ ଭିଡିଓ କଲ୍ ପାଇଁ ୫୦-ମେଗାପିକ୍ସେଲ୍‌ର ଏକ ସେନ୍‌ସର୍ ରହିଛି। ଧୂଳି ଓ ପାଣି ପ୍ରତିରୋଧ କ୍ଷମତା ପାଇଁ ଏହାକୁ ଆଇପି୬୮+ ଆଇପି୬୯ ରେଟିଂ ମିଳିଛି। ୧୮୬ ଗ୍ରାମ୍‌ର ଏହି ଫୋନ୍‌ରେ ଡୁଆଲ୍ ନାନୋ ସିମ୍, ୫ଜି, ୪ଜି, ଵାଇ-ଫାଇ, ବ୍ଲୁଟୁଥ୍ ୫.୪, ଜିପିଏସ୍‌, ଓଟିଜି, ଏନ୍‌ଏଫ୍‌ସି ଓ ସି-ଟାଇପ୍‌ ୟୁଏସ୍‌ବି ପୋର୍ଟ ପରି ଫିଚର୍ସ ରହିଛି। ଅମ୍ବର ୟେଲୋ, ଫ୍ରଷ୍ଟ ବ୍ଲୁ ଓ ଲକ୍ସ ଗ୍ରେ ଭଳି ତିନିଟି ରଙ୍ଗରେ ଉପଲବ୍ଧ ଏହି ହ୍ୟାଣ୍ଡସେଟ୍ ଆସନ୍ତା ୨୩ ତାରିଖରୁ ଫ୍ଲିପ୍‌କାର୍ଟ ଏବଂ ଭିଭୋ ଇଣ୍ଡିଆ ଇ-ଷ୍ଟୋର ମାଧ୍ୟମରେ ବିକ୍ରୟ ହେବ। ଭାରତରେ ଭିଭୋ ଏକ୍ସ୨୦୦ ଏଫ୍‌ଇର ୧୨ଜିବି ରାମ୍‌ ଓ ୨୫୬ ଜିବି ମେମୋରି ସଂସ୍କରଣର ମୂଲ୍ୟ ୫୪,୯୯୯ ଟଙ୍କା; ୧୬ ଜିବି ରାମ୍‌ ଓ ୫୧୨ ଜିବି ମେମୋରି ଭାରିଆଣ୍ଟର ମୂଲ୍ୟ ୫୯,୯୯୯ ଟଙ୍କା ରହିଛି।