ପ୍ରସିଦ୍ଧ ଲାପ୍‌ଟପ୍‌ ଓ ସ୍ମାର୍ଟଫୋନ୍‌ ନିର୍ମାତା ‘ଆପଲ୍‌’ ପକ୍ଷରୁ ଉନ୍ନତ ଏମ୍‌୪ ଚିପ୍‌ ଦ୍ବାରା ପରିଚାଳିତ ୧୩ ଇଞ୍ଚ ଓ ୧୫ ଇଞ୍ଚ ପରଦା ବିଶିଷ୍ଟ ମ୍ୟାକ୍‌ବୁକ୍‌ ଏଆର ମଡେଲ୍‌ ଭାରତରେ ଉନ୍ମୋଚିତ ହୋଇଛି। ଏହାର ଏକ ଆକର୍ଷଣୀୟ ବୈଶିଷ୍ଟ୍ୟ ହେଉଛି, ଏହାର ଏକ ସଂପୂର୍ଣ୍ଣ ନୂତନ ସ୍କାଏ ବ୍ଳ୍ୟୁ ରଙ୍ଗର ବିକଳ୍ପ। ଏଥି ସହିତ ଭାରତୀୟ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ଏହାର ମୂଲ୍ୟକୁ ପୂର୍ବର ମଡେଲଗୁଡ଼ିକ ତୁଳନାରେ ବହୁତ କମ୍‌ ରଖାଯାଇଛି। ‘ମ୍ୟାକ୍‌ବୁକ୍‌ ଏଆର ଏମ୍‌୪’ର ୧୩ ଇଞ୍ଚ ସଂସ୍କରଣର ଦାମ୍‌ ୯୯,୯୦୦ ଟଙ୍କା ରହିଥିବା ବେଳେ ୧୫ ଇଞ୍ଚ ସଂସ୍କରଣର ମୂଲ୍ୟ ୧,୨୪,୯୦୦ ଟଙ୍କା ରଖାଯାଇଛି। ଗତବର୍ଷ ବଜାରକୁ ଆସିଥିବା ଆପଲ୍‌ର ଏମ୍‌୩ ମଡେଲଗୁଡ଼ିକ ତୁଳନାରେ ଏହା ପ୍ରାୟ ୧୫ ହଜାର ଟଙ୍କା ଶସ୍ତା।

Advertisment

ଭିଡିଓ କନଫରେନସିଂ ପାଇଁ ଏଥିରେ ଏକ ୧୨ ମେଗାପିକ୍ସେଲ କ୍ୟାମେରା ଲାଗିଛି। ଥରେ ପୂରା ଚାର୍ଜ କଲେ ଏହା ୧୮ ଘଣ୍ଟା କାର୍ଯ୍ୟକ୍ଷମ ରହିବାକୁ ସକ୍ଷମ। ଏହାର ଲିକ୍ବିଡ ରେଟିନା ପରଦାର ବ୍ରାଇଟ୍‌ନେସ୍‌ ୫୦୦ ନିଟ୍‌ସ ଯାଏ ବଢ଼ିପାରିବ। ଅନ୍ୟ ଲାପ୍‌ଟପ୍‌ ତୁଳନାରେ ଏହାର ରିଜୋଲ୍ୟୁସନ ଦୁଇଗୁଣ ଅଧିକ ବୋଲି କମ୍ପାନି ଦାବି କରିଛି। ସେହିପରି ଯଦିଓ ଆପଲ୍‌ ଉତ୍ପାଦଗୁଡ଼ିକର ଭାରତୀୟ ବଜାର ମୂଲ୍ୟ ସର୍ବଦା ଆମେରିକୀୟ ବଜାର ତୁଳନାରେ ଅଧିକ ଥାଏ, ଏହି ନୂତନ ମଡେଲଗୁଡ଼ିକୁ ଭାରତରେ ଅପେକ୍ଷାକୃତ କମ୍‌ ମୂଲ୍ୟରେ ଘୋଷଣା କରାଯାଇଛି।