କାନାଡୀୟ କମ୍ପାନି ରାକୁତେନ କୋବୋ ଭାରତ ବଜାରରେ ପ୍ରଥମ କରି ତାହାର ଦୁଇଟି ରଙ୍ଗିନ ଇ-ରିଡର୍ ଡିଭାଇସ୍ ଛାଡ଼ିଛି। ‘କୋବୋ ଲିବ୍ରା କଲର୍’ ଓ ‘କୋବୋ କ୍ଲାରା କଲର୍’ ନାମକ ଏ ଦୁଇ ମଡେଲ୍ ଭାରତୀୟ ପାଠକମାନଙ୍କ ପଠନ ଅନୁଭୂତିକୁ ଅଧିକ ଉନ୍ନତ ତଥା ଉପଭୋଗ୍ୟ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। କମ୍ପାନି ‘କୋବୋ କ୍ଲାରା’ର ଏକ କଳାଧଳା ସଂସ୍କରଣ ମଧ୍ୟ ଛାଡ଼ିଛି। ଏଥି ସହିତ ‘କୋବୋ ପ୍ଲସ୍’ ସବ୍ସ୍କ୍ରିପ୍ସନ୍ ସାହାଯ୍ୟରେ ପାଠକମାନେ ବହି, ପତ୍ରପତ୍ରିକା ଓ ଶ୍ରବଣଯୋଗ୍ୟ ବହିର ବିଶାଳ ସମ୍ଭାର ପାଇପାରିବେ। ଏହି ଇ-ରିଡର୍ ଗୁଡ଼ିକ ଆମାଜନ୍ ଓ ଫ୍ଲିପ୍କାର୍ଟ ପରି ମଞ୍ଚରେ ଉପଲବ୍ଧ।
ଭାରତରେ ‘କ୍ଲାରା କଲର’ର ଦାମ୍ ୧୬,୯୯୯ ଟଙ୍କା ଏବଂ ‘ଲିବ୍ରା କଲର’ର ମୂଲ୍ୟ ୧୯,୯୯୯ ଟଙ୍କା। ସେହିପରି କ୍ଲାରା ବିଡବ୍ଲ୍ୟୁ ସଂସ୍କରଣର ଦର ୧୪,୯୯୯ ଟଙ୍କା ରହିଛି। ‘ଲିବ୍ରା କଲର’ର ପରଦା ଆକାର ୭ ଇଞ୍ଚ ହୋଇଥିବା ବେଳେ ‘କ୍ଲାରା କଲର’ର ପରଦା ଆକାର ୬ ଇଞ୍ଚ। ଦୁଇଟିଯାକ ପରଦାରେ ଅତ୍ୟାଧୁନିକ ‘ଇ-ଇଙ୍କ କାଲେଡିଓ୩’ ପ୍ରଯୁକ୍ତିର ଉପଯୋଗ କରାଯାଇଛି। ଉଭୟ ରିଡର୍ରେ ୩୨ ଜିବିର ମେମୋରି ରହିଛି ଯହିଁରେ ୨୪,୦୦୦ ବହି ଅଥବା ୧୫୦ଟି ଶ୍ରବଣଯୋଗ୍ୟ ବହି ରଖିହେବ। ଏ ଦୁଇଟି ଇ-ରିଡର୍କୁ ଥରେ ସଂପୂର୍ଣ୍ଣ ଚାର୍ଜ କଲେ ୪୦ ଦିନ ଯାଏ ବ୍ୟବହାର କରିହେବ। ସେହିପରି ‘କୋବୋ କ୍ଲାରା ବିଡବ୍ଲ୍ୟୁ’ର ଏକ ୬ ଇଞ୍ଚର କଳାଧଳା ପରଦା ସାଙ୍ଗକୁ ୧୬ ଜିବିର ମେମୋରି ରହିଛି। ଏହା ୧୨ ହଜାର ଇ-ବହି କିମ୍ବା ୭୫ଟି ଶ୍ରବଣଯୋଗ୍ୟ ବହି ସାଇତି ରଖିପାରିବା ସହ ଏହାର ବ୍ୟାଟେରିଟି ୫୩ ଦିନ ଯାଏ ସକ୍ରିୟ ରହିପାରିବ ବୋଲି କମ୍ପାନି ଦାବି କରିଛି।