ସୋମବାର ଭାରତରେ ଲୁମିଓ କମ୍ପାନି ‘ଆର୍କ ୫’ ଓ ‘ଆର୍କ ୭’ ନାମକ ଦୁଇଟି ପ୍ରୋଜେକ୍ଟର ଉନ୍ମୋଚନ କରିଛି। ଏଗୁଡ଼ିକର ଏକ ପ୍ରମୁଖ ଆକର୍ଷଣ ହେଉଛି ଗୁଗଲ୍ ଟିଭି ଓ ନେଟ୍ଫ୍ଲିକ୍ସ ଆପ୍ର ଅଫିସିଆଲ୍ ସପୋର୍ଟ। ଉଭୟ ପ୍ରୋଜେକ୍ଟର ୧୦୮୦ ପିକ୍ସେଲ୍ (ଫୁଲ୍ ଏଚ୍ଡି) ରିଜୋଲ୍ୟୁସନ ବିଶିଷ୍ଟ ଚିତ୍ର କାନ୍ଥ ବା ପରଦା ଉପରେ ଦେଖାଇବାକୁ ସକ୍ଷମ। ‘ଆର୍କ ୫’ ସର୍ବାଧିକ ୧୦୦-ଇଞ୍ଚ ଆକାର ଓ ୨୦୦ ଲୁମେନ୍ ଉଜ୍ଜ୍ବଳତା ବିଶିଷ୍ଟ ଚିତ୍ର ଏବଂ ‘ଆର୍କ ୭’ ୧୨୦ ଇଞ୍ଚ ଆକାର ଓ ୪୦୦ ଲୁମେନ୍ ଉଜ୍ଜ୍ବଳତା ବିଶିଷ୍ଟ ଚିତ୍ର ପ୍ରଦର୍ଶନ କରିପାରିବ।
‘ଆର୍କ ୫’ରେ ଗୋଟିଏ ୫ ଵାଟ୍ ସ୍ପିକର୍ ଏବଂ ‘ଆର୍କ ୭’ରେ ଦୁଇଟି ୮ ଵାଟ୍ର ସ୍ପିକର୍ ଲାଗିଛି। ଉଭୟ ପ୍ରୋଜେକ୍ଟର ୨ ଜିବି ରାମ୍ ଓ ୧୬ ଜିବି ଷ୍ଟୋରେଜ୍ ସହିତ ସଂଯୁକ୍ତ ଏବଂ ମିଡିଆଟେକ୍ ଏମ୍ଟି୯୬୩୦ ପ୍ରୋସେସର୍ ଦ୍ୱାରା ପରିଚାଳିତ। ସେହିପରି ପ୍ରୋଜେକ୍ଟର ଦୁଇଟିରେ ସ୍ମୁଥ୍ ଟ୍ରାପେଜୋଡାଲ୍ ରିକାଲିବ୍ରେସନ୍, ଅଟୋ-କିଷ୍ଟୋନ୍ କରେକ୍ସନ୍, ଇନ୍ଷ୍ଟାଣ୍ଟ ଅଟୋଫୋକସ୍ ଭଳି ବୈଶିଷ୍ଟ୍ୟ ରହିଛି। ସଂଯୋଗ ପାଇଁ ବ୍ଲୁଟୁଥ୍ ୫.୧, ଵାଇଫାଇ ୫, ଏଚ୍ଡିଏମ୍ଆଇ ସହିତ ଡଲବି ପାସ୍ଥ୍ରୁ ଓ ୟୁଏସ୍ବି ସପୋର୍ଟ ରହିଛି। ‘ଆର୍କ ୫’ର ମୂଲ୍ୟ ୧୯,୯୯୯ ଟଙ୍କା; ‘ଆର୍କ ୭’ର ଦାମ୍ ୩୪,୯୯୯ ଟଙ୍କା ରଖାଯାଇଛି। ଆସନ୍ତା ୧୨ ତାରିଖରୁ ଆମାଜନ୍ରେ ‘ଆର୍କ ୭’ ଉପଲବ୍ଧ ହେବ ଏବଂ ‘ଆର୍କ ୫’ ଜୁଲାଇ ଶେଷ ସପ୍ତାହରେ ବିକ୍ରି ହେବ।