ଚୀନ୍ର ଅନ୍ୟତମ ଲୋକପ୍ରିୟ ଫୋନ୍ ନିର୍ମାତା ସାଓମି ପକ୍ଷରୁ ଭାରତରେ ତାହାର ସବୁଠୁ ଶସ୍ତା ୫ଜି ଫୋନ୍ର ଉନ୍ମୋଚନ ବାବଦରେ ଘୋଷଣା କରାଯାଇଛି। ଚଳିତ ବର୍ଷ ଶେଷ ଆଡ଼କୁ ବଜାରକୁ ଆସିବାକୁ ଥିବା ‘ରେଡ୍ମି ଏ୪ ୫ଜି’ ନାମକ ଏହି ବଜେଟ୍ ଫୋନ୍ ମାତ୍ର ଦଶ ହଜାର ଟଙ୍କା ଭିତରେ ମିଳିପାରିବ ବୋଲି ସୂଚନା ମିଳିଛି। ଏହାକୁ ସକ୍ରିୟ କରିବା ପାଇଁ ଏଥିରେ ଏକ ନୂତନ ଶୈଳୀର ‘ସ୍ନାପଡ୍ରାଗନ୍ ୪ଏସ୍ ଜେନ୍୨’ ଚିପ୍ସେଟ୍ ଖଞ୍ଜାଯାଇଛି। ସାଓମି କମ୍ପାନି ପକ୍ଷରୁ ଯଦିଓ ଫୋନ୍ ବାବଦରେ ବିଶଦ ଭାବରେ କିଛି କୁହାଯାଇନି, ତେବେ ପ୍ରାୟ ୮,୦୦୦ ଟଙ୍କାରୁ ଏହି ୫ଜି ଫୋନ୍ର ଦର ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି।
ଏହି ମୂଲ୍ୟର ୪ଜି ଫୋନ୍ଗୁଡ଼ିକର ପରଦା ସାଧାରଣତଃ ଏଚ୍ଡି ରିଜୋଲ୍ୟୁସନ ବିଶିଷ୍ଟ ଓ ରିଫ୍ରେସ୍ ରେଟ୍ ୬୦ ହର୍ଜ ରହୁଥିବା ବେଳେ ‘ରେଡ୍ମି ଏ୪ ୫ଜି’ର ପରଦାଟି ଫୁଲ୍ଏଚ୍ଡି ପ୍ଲସ୍ ହେବା ସହ ତାହାର ରିଫ୍ରେସ୍ ରେଟ୍ ୯୦ ହର୍ଜ ରହିପାରେ। ଏହା ୮ଜିବି ରାମ୍ ବିଶିଷ୍ଟ ଓ ଷ୍ଟୋରେଜ୍ ପାଇଁ ଏଥିରେ ୟୁଏଫ୍ଏସ୍ ୩.୧ ପରି ବ୍ୟବସ୍ଥା ରହିବ। ସେହିପରି ଏହି ଫୋନ୍ରେ ୪୦ ଵାଟ୍ର ଚାର୍ଜିଂ ସୁବିଧା ରହିବ ବୋଲି ଏହାର ଚିପ୍ସେଟ୍ ନିର୍ମାତା ‘କ୍ବାଲ୍କମ୍’ ପକ୍ଷରୁ ସୂଚନା ମିଳିଛି। ତେବେ ଭାରତୀୟ କ୍ରେତାଙ୍କ ପାଇଁ ଅଳ୍ପ କେଇ ଦିନ ଭିତରେ ଏହି ଫୋନ୍ ବାବଦରେ ସବିଶେଷ ବିବରଣୀ ମିଳିପାରିବ ବୋଲି ଆଶା କରାଯାଉଛି।