ଚୀନ୍ର ଅନ୍ୟତମ ବହୁଦେଶୀୟ ଫୋନ୍ନିର୍ମାତା ‘ସାଓମି’ କମ୍ପାନି ତାହାର ସଦ୍ୟତମ ସ୍ମାର୍ଟଫୋନ୍ ‘ସାଓମି ୧୫ ଅଲ୍ଟ୍ରା’ର ବଜାରପ୍ରବେଶ କରାଇଛି। ଆସନ୍ତା କିଛି ସପ୍ତାହ ଭିତରେ ଭାରତ ସମେତ ଆନ୍ତର୍ଜାତିକ ବଜାରରେ ଉପଲବ୍ଧ ହେବାକୁ ଥିବା ଏହି ଫୋନ୍ ସ୍ନାପଡ୍ରାଗନ୍ ୮ ଇଲାଇଟ୍ ଚିପ୍ସେଟ୍ ଦ୍ବାରା କାର୍ଯ୍ୟକ୍ଷମ, ଯାହାର ରାମ୍ କ୍ଷମତା ୧୬ ଜିବି ଯାଏ ରହିଛି। ଏହାର ୬.୭୩ ଇଞ୍ଚର ୨,୦୦୦ ଟିସିଏଲ୍ ଓଲେଡ୍ ପରଦାର ୧ରୁ ୧୨୦ ହର୍ଜ ଯାଏ ପରିବର୍ତ୍ତନଶୀଳ ରିପ୍ରେସ ରେଟ୍ ରହିଛି ଏବଂ ଏହା ଏଚ୍ଡିଆର୧୦ ପ୍ଳସ ଓ ଡଲ୍ବି ଭିଜନ୍ ପ୍ରଯୁକ୍ତିକୁ ସମର୍ଥନ କରିବାକୁ ସକ୍ଷମ।
ଏହା ପଛରେ ଚାରିଟି କ୍ୟାମେରା ରହିଛି: ୫୦ ମେଗାପିକ୍ସେଲ ପ୍ରାଇମେରି ସେନ୍ସର, ୫୦ ମେଗାପିକ୍ସେଲ ଜୁମ୍ ସେନ୍ସର, ୫୦ ମେଗାପିକ୍ସେଲ ଅଲଟ୍ରାଵାଇଡ୍ ଲେନ୍ସ ଓ ୨୦୦ ମେଗାପିକ୍ସେଲର ଏକ ଶକ୍ତିଶାଳୀ ପେରିସ୍କୋପ୍ ଟେଲିଫଟୋ ଲେନ୍ସ। ଏହାର ୬,୦୦୦ ଏମ୍ଏଏଚ୍ର ବ୍ୟାଟେରିଟି ୯୦ ଵାଟ୍ର ତାରଯୁକ୍ତ ଚାର୍ଜିଂ ଏବଂ ୮୦ ଵାଟ୍ର ବେତାର ଚାର୍ଜିଂ ପାଇଁ ସୁସଂଗତ। ଏହାର ୧୨ ଜିବି ରାମ୍ ଓ ୨୫୬ ଜିବି ମେମୋରି ସଂସ୍କରଣର ମୂଲ୍ୟ ୬,୪୯୯ ଚୀନୀ ୟୁଆନ୍ ବା ୭୮,୦୦୦ ଟଙ୍କା ରହିଥିବାବେଳେ ୧୬ ଜିବି ରାମ୍ ଓ ୫୧୨ ଜିବି ମେମୋରି ସଂସ୍କରଣର ଦାମ୍ ୬,୯୯୯ ଚୀନୀ ୟୁଆନ୍ ବା ପ୍ରାୟ ୮୪,୦୦୦ ଟଙ୍କା ରଖାଯାଇଛି। ସେହିପରି ୧୬ ଜିବି ରାମ୍ ଓ ୧ ଟିବି ମେମୋରି ବିଶିଷ୍ଟ ଶୀର୍ଷ ସଂସ୍କରଣର ଦର ୭,୭୯୯ ୟୁଆନ୍ ବା ୯୩,୫୦୦ ଟଙ୍କା ରହିଛି।