କେମିତି ଅଛନ୍ତି ପ୍ରବାସୀ ଓଡ଼ିଆ : ‘ଓଡ଼ିଆ ବହି ପଢ଼ୁଛି, ପୁରୁଣା ସ୍ମୃତି ମନେ ପକାଉଛି’

ଜାନୁୟାରୀ ମାସର ଶେଷ ସପ୍ତାହ ସପରିବାରେ ଆମେ ବାଲେଶ୍ବରରେ ଥାଉ । ସେତିକିବେଳେ ଖବରକାଗଜ ମାଧ୍ୟମରେ ପ୍ରଥମେ କୋରୋନା ଭାଇରସ୍‌ ଓ ତଜ୍ଜନୀତ ବେମାରି ସମ୍ବନ୍ଧରେ ମୁଁ ଅବଗତ ହେଲି।’ ଏହା କହିଛନ୍ତି ଟରୋ‌ଣ୍ଟୋର ଏକ ହସ୍ପିଟାଲରେ ରିସର୍ଚ୍ଚ ଆସୋସିଏଟ୍‌ ଭାବେ କାର୍ଯ୍ୟ କରୁଥିବା ଗଗନ ପାଣିଗ୍ରାହୀ। ଏଥିସହତ, କରୋନା କିଭଳି ତାଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଛି, ସେ ସମ୍ପର୍କରେ ‘ସମ୍ବାଦ’କୁ ଇମେଲ୍‌ ଯୋଗେ ଜଣାଇଛନ୍ତି।

ଶ୍ରୀ ପାଣିଗ୍ରାହୀ ଉଲ୍ଲେଖ କରିଛନ୍ତି ଯେ, ‘ଘରୁ ଫେରୁଥିବାବେଳେ ଟା ବିମା‌ନ ବନ୍ଦରରେ ସେତେଟା କଟକଣା ନଥିଲା। କେବଳ ଚୀନ ଦେଶ ନିକଟକୁ ଯାଇଥିଲୁ କି ନାହିଁ, ପଚରାଯାଇଥିଲା। ଏହାର କିଛିଦିନ ମଧ୍ୟରେ ବିଶ୍ବର ଅନ୍ୟ ଦେଶମାନଙ୍କୁ ସଂକ୍ରମିତ ହେବାକୁ ଲାଗିଲା। କାନାଡାରେ ସେତେବେଳ ଯାଏଁ ହାତଗଣତି କେତେଜଣ ଲୋକ ଆକ୍ରାନ୍ତ ହୋଇଥାନ୍ତି। ମାର୍ଚ୍ଚ ମାସ ମଧ୍ୟ ଭାଗରେ କାନାଡାରେ ମଧ୍ୟ ଆକ୍ରାନ୍ତ ହେବାର ସଂଖ୍ୟା ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଲା।’

ଏହାପରେ ତାଙ୍କ ଦୈନନ୍ଦିନ ଜୀବନଯାପନ ପ୍ରଭାବିତ ହୋଇଥିବା କହିଛନ୍ତି ଶ୍ରୀ ପାଣିଗ୍ରାହୀ। ସେ କହିଛନ୍ତି ଯେ, ‘ ମୁଁ କାର୍ଯ୍ୟ କରୁଥିବା ହସ୍ପିଟାଲରେ ଗବେଷଣା ସମ୍ବନ୍ଧୀୟ ପରୀକ୍ଷାନିରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଗଲା। ଏବଂ ଘରେ ରହିବାକୁ ନିର୍ଦ୍ଦେଶ ଦିଆଗଲା। ” ଘରେ ରହି ଲେଖା ପଢ଼ା ସହିତ ସହକର୍ମୀଙ୍କ ସହିତ ଗବେଷଣା ସମ୍ପର୍କରେ ଆଲୋଚନା କରୁଛି। ପତ୍ନୀ ଆଇଟିରେ ଥିବାରୁ ସେ ମଧ୍ୟ ଘରେ ରହି କାମ କରୁଛନ୍ତି। ଝିଅ ନେଟ୍‌ରେ ପଢ଼ାପଢ଼ି କରୁଛି। ସମୟ ପାଇଥିବାରୁ ପଢ଼ି ପାରିନଥିବା ଗୋପୀନାଥ ମହାନ୍ତିଙ୍କ ମାଟିମଟାଳକୁ ପଢ଼ି ଶେଷ କରିଛି। ଏବେ ସୁରେନ୍ଦ୍ର ମହାନ୍ତିଙ୍କ ନୀଳଶୖଳ ଆରମ୍ଭ କରିଛି। କୋଭିଡ ମହାମାରୀ ଯୋଗୁଁ ଟରୋଣ୍ଟୋ ଓଡିଆ ମାନଙ୍କର ଓଡିଶା ଦିବସ ଓ ସାହିତ୍ୟ ପାଠଚକ୍ର ବାତିଲ କରାଯାଇଥିଲା। ତେବେ, ଭିଡିଓ ମାଧ୍ୟମରେ ଏହାକୁ ୩୫ ଜଣ ଓଡ଼ିଆ କରୋନା ଭାଇରାସ ଉପରେ କବିତା ପଢ଼ିଥିଲେ,’ ବୋଲି କହିଛନ୍ତି ଶ୍ରୀ ପାଣିଗ୍ରାହୀ।

‘ ଏହି ସମୟରେ ୩୫ ବର୍ଷ ତଳର ପୁରୁଣା ଚିଠି ପଢ଼ୁଛି, ଘରେ ମିଳିମିଶି କାମ କରୁଛି ଏବଂ ବାଲେଶ୍ବରରେ ରହୁଥିବା ପରିବାର ସହିତ କଥାବାର୍ତ୍ତା କରୁଛି।ଏଥିସହିତ କରୋନାଜନିତ ବିଭିନ୍ନ ପରିସ୍ଥିତିକୁ ନେଇ ଆଶଙ୍କାର କଳାବାଦଲ ଛାଇ ହୋଇଯାଉଛି। ତେବେ, ସାଙ୍ଗମାନଙ୍କ ସହିତ ଆଲୋଚନା କରି ନିଜକୁ ହାଲ୍‌କା କରିବାକୁ ଚେଷ୍ଟା କରୁଛି ବୋଲି , କହିଛନ୍ତି ଶ୍ରୀ ପାଣିଗ୍ରାହୀ।

(ଇ-ମେଲ୍‌ ଯୋଗେ ନିଜର ଅନୁଭୂତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଟରୋଣ୍ଟୋରେ ରହୁଥିବା ଗଗନ ପାଣିଗ୍ରାହୀ)

ସମ୍ବନ୍ଧିତ ଖବର