ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ମହତ୍ତ୍ବାକାଂକ୍ଷୀ ମହାକାଶ ମାନବ ପ୍ରେରଣ ଅଭିଯାନ ‘ଗଗନଯାନ’ ପାଇଁ ପ୍ରମୁଖ ଯାନ୍ତ୍ରିକ କାର୍ଯ୍ୟ ‘ସର୍ଭିସ୍ ମଡ୍ୟୁଲ୍ ପ୍ରପଲ୍ସନ୍ ସିଷ୍ଟମ୍’(ଏସ୍ଏମ୍ପିଏସ୍)ର ବିକାଶ ଶେଷ ହୋଇଛି। ଏହାର ଯୋଗ୍ୟତା ପରୀକ୍ଷା କାର୍ଯ୍ୟକ୍ରମ ସଫଳ ହୋଇଛି ବୋଲି ‘ଇସ୍ରୋ’ ପକ୍ଷରୁ ଘୋଷଣା କରାଯାଇଛି। ଏହି ମାଇଲଖୁଣ୍ଟ ଭାରତକୁ ୨୦୨୭ର ପ୍ରଥମ ତ୍ରୈମାସ ପାଇଁ ସ୍ଥିର ହୋଇଥିବା ପ୍ରଥମ ମାନବବାହୀ ମହାକାଶ ଅଭିଯାନର ନିକଟତର କରିଛି। ତାମିଲନାଡୁର ମହେନ୍ଦ୍ରଗିରି ସ୍ଥିତ ‘ଇସ୍ରୋ ପ୍ରପଲ୍ସନ୍ କମ୍ପ୍ଲେକ୍ସ’ରେ ଶୁକ୍ରବାର ୩୫୦ ସେକେଣ୍ଡ୍ ପାଇଁ ଏସ୍ଏମ୍ପିଏସ୍ର ଏକ ପୂର୍ଣ୍ଣ-ଅବଧିର ପରୀକ୍ଷଣ କରାଯାଇଥିଲା। ପରୀକ୍ଷଣ ସମୟରେ ପ୍ରପଲ୍ସନ୍ ସିଷ୍ଟମ୍ର ସମଗ୍ର କାର୍ଯ୍ୟଦକ୍ଷତା ସ୍ୱାଭାବିକ ଓ ପୂର୍ବାନୁମାନ ଅନୁଯାୟୀ ଥିଲା ବୋଲି ଅଧିକାରୀମାନେ କହିଛନ୍ତି। ଗଗନଯାନ ମିସନ୍ର ସର୍ଭିସ୍ ମଡ୍ୟୁଲ୍ ହେଉଛି ଏକ ନିୟନ୍ତ୍ରିତ ବାଇ-ପ୍ରପେଲାଣ୍ଟ୍ ପ୍ରପଲ୍ସନ୍ ସିଷ୍ଟମ୍, ଯାହା ବିଭିନ୍ନ କକ୍ଷପଥ ଚାଳନା ପାଇଁ ଗୁରୁତ୍ୱପୂର୍ଣ୍ଣ। ଏଥିରେ ପାଞ୍ଚଟି ଲିକ୍ୱିଡ୍ ଆପୋଜି ମୋଟର ଇଞ୍ଜିନ୍ ଓ ୧୬ଟି ପ୍ରତିକ୍ରିୟା ନିୟନ୍ତ୍ରଣ ପ୍ରଣାଳୀ ଥ୍ରଷ୍ଟର୍ ଅଛି।
ଏହି ମାଇଲଖୁଣ୍ଟ ଭାରତକୁ ୨୦୨୭ର ପ୍ରଥମ ତ୍ରୈମାସ ପାଇଁ ସ୍ଥିର ହୋଇଥିବା ପ୍ରଥମ ମାନବବାହୀ ମହାକାଶ ଅଭିଯାନର ନିକଟତର କରିଛି।
ଉଲ୍ଲେଖଯୋଗ୍ୟ, ଭାରତର ଗଗନଯାନ ମିସନ୍ର ଲକ୍ଷ୍ୟ ହେଉଛି ଭାରତୀୟ ମହାକାଶଚାରୀମାନଙ୍କୁ ଭୂପୃଷ୍ଠରୁ ପ୍ରାୟ ୪୦୦ କିଲୋମିଟର ଉପରେ ଏକ ନିମ୍ନ-ପୃଥିବୀ କକ୍ଷପଥକୁ ପଠାଇ କିଛି ଦିନ ପରେ ସେମାନଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କରାଇବା। ଏହି ସଦ୍ୟତମ ସଫଳତା ଅନ୍ୟାନ୍ୟ ପ୍ରମୁଖ ପରୀକ୍ଷଣ ମାଇଲଖୁଣ୍ଟ ଅନୁସରଣ କରିଛି, ଯହିଁରେ ଚଳିତ ବର୍ଷ ଆରମ୍ଭରେ କରାଯାଇଥିବା ପ୍ରଥମ ଅନକ୍ରୁଡ୍ ମିସନ୍ ଅନ୍ତର୍ଭୁକ୍ତ। ସେହିପରି ମହାକାଶଚାରୀ ତାଲିମ ମଧ୍ୟ ନିରନ୍ତର ଭାବରେ ଆଗେଇ ଚାଲିଛି। ମହାକାଶଚାରୀ ଭାବରେ ମନୋନୀତ ହୋଇଥିବା ତିନି ଜଣ ଭାରତୀୟ ବାୟୁସେନା ପାଇଲଟ୍ ରୁଷରେ ପ୍ରାରମ୍ଭିକ ତାଲିମ ସାରି ଏବେ ଭାରତରେ ପ୍ରସ୍ତୁତି ଜାରି ରଖିଛନ୍ତି।