ଭିଡିଓଗେମ୍‌ ଖେଳିବାରେ ପୁରୁଷମାନଙ୍କର ଏକଚାଟିଆ ଆଗ୍ରହ ଓ ଭାଗୀଦାରି ରହିଛି ବୋଲି ଏକ ଧାରଣା ରହିଆସିଥିଲେ ହେଁ ଭାରତୀୟ ମହିଳାମାନେ ଏହି ଧାରଣାକୁ ସଂପୂର୍ଣ୍ଣ ଭୁଲ୍ ପ୍ରମାଣିତ କରିସାରିଲେଣି। ଅଲ୍‌ ଇଣ୍ଡିଆ ଗେମ୍ ଡେଭେଲୋପର୍ସ ଫରୋମ୍ (ଏଆଇଜିଡିଏଫ୍‌) ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତର ଗେମିଂ ଆଗ୍ରହୀଙ୍କ ମଧ୍ୟରୁ ୪୪% ହେଉଛନ୍ତି ମହିଳା। ଏହା ସତ୍ତ୍ବେ ଭିଡିଓଗେମ୍ ପ୍ରସ୍ତୁତ କରୁଥିବା କମ୍ପାନିରେ ମହିଳା କର୍ମଚାରୀଙ୍କ ହାର ଅତି ନଗଣ୍ୟ (୧୨-୨୪%) ରହିଛି। ପୁଣି ଗେମିଂ କମ୍ପାନିରେ ବୈଷୟିକ ପଦରେ ଥିବା କର୍ମଚାରୀଙ୍କ ଭିତରେ ମହିଳାଙ୍କ ପ୍ରତିନିଧିତ୍ବ ଆହୁରି ନିରାଶାଜନକ (୬-୯%)। 

Advertisment

ସଂଖ୍ୟା ଦୃଷ୍ଟିରୁ ଦେଖିଲେ, ବର୍ତ୍ତମାନ ଭାରତର ୨୬ କୋଟି ଭିଡିଓଗେମ୍‌ ଖେଳାଳି ହେଉଛନ୍ତି ମହିଳା। ଖେଳାଳି ଭାବେ ଏମାନଙ୍କ ପ୍ରତିନିଧିତ୍ବରେ ବୃଦ୍ଧିକୁ ତାଳ ଦେଇ ଭିଡିଓଗେମ୍‌ ଶିଳ୍ପରେ ଏମାନଙ୍କ ପ୍ରତିନିଧିତ୍ବ ବୃଦ୍ଧି ପାଇବା କଥା। କାରଣ ଗେମିଂ ଶିଳ୍ପରେ ଅଗ୍ରଗତିର ଅନେକ ସମ୍ଭାବନା ରହିଛି ଏବଂ ମହିଳାମାନେ ଏହାର ବିବର୍ତ୍ତନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ମହିଳାଙ୍କୁ ଗେମିଂ କ୍ଷେତ୍ରକୁ ଆଣିବା ଦ୍ବାରା କେବଳ ମହିଳାମାନେ ଲାଭାନ୍ବିତ ହେବେ ନାହିଁ, ଏହି ଶିଳ୍ପ ମଧ୍ୟରୁ ସେଥିରୁ ଲାଭ ପାଇବ ବୋଲି ‘ମୋବାଇଲ୍ ପ୍ରିମିଅର୍‌ ଲିଗ୍‌’ କମ୍ପାନିର ସିଓଓ ନମ୍ରତା ସ୍ବାମୀ କହନ୍ତି। ଗେମିଂ ଶିଳ୍ପରେ ଏହି ଲିଙ୍ଗଗତ ବିଭେଦକୁ ଦୂର କରିବାକୁ ହେଲେ ବିଜ୍ଞାନ, ପ୍ରଯୁକ୍ତି, ଇଂଜିନିଅରିଂ ଓ ଗଣିତ ଶିକ୍ଷାକୁ ଆହୁରି ସୁଦୃଢ଼ କରିବା ସହିତ ନିଯୁକ୍ତି କ୍ଷେତ୍ରରେ ଅଧିକ ଅନ୍ତର୍ଭୁକ୍ତୀ ଆଭିମୁକ୍ୟ ଆପଣାଇବା ଜରୁରି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।