ଆଧୁନିକ ସମୟର ପରିବେଶବିତ୍ମାନଙ୍କ କହିବାର ବହୁ ପୂର୍ବରୁ ଆଜି ଆମେ ସମ୍ମୁଖୀନ ହେଉଥିବା ବ୍ୟାପକ ଶିଳ୍ପାୟନଜନିତ ପ୍ରଦୂଷଣ ସମସ୍ୟା ବିଷୟରେ ଗାନ୍ଧୀ ସମଗ୍ର ବିଶ୍ବକୁ ସତର୍କ କରାଇ ଦେଇଥିଲେ। ଗାନ୍ଧୀ କଳ୍ପନା କରିଥିଲେ ଯେ, କଳକବ୍ଜା ପ୍ରଚଳନ କେବଳ ଶିଳ୍ପାୟନ, ବ୍ୟାପକ ସହରୀକରଣ, ବେକାରୀ ସୃଷ୍ଟି କରିବ ନାହିଁ, ପରିବେଶ ନଷ୍ଟର କାରଣ ବି ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ଶହେ ବର୍ଷ ପୂର୍ବେ ୧୯୦୯ରେ ଲିଖିତ ତାଙ୍କର ଗୁରୁତ୍ବପୂର୍ଣ୍ଣ ରଚନା ‘ହିନ୍ଦ୍ ସ୍ବରାଜ୍’ରେ ଆଜି ବିଶ୍ବ ସମ୍ମୁଖୀନ ହେଉଥିବା ପରିବେଶ ଧ୍ବଂସ ରୂପକ ବିପଦ ଏବଂ ବିଶ୍ବ ପ୍ରତି ବିପତ୍ତି ବିଷୟରେ ସତର୍କ କରାଇ ଦେଇଥିଲେ। ବ୍ୟାପକ ଉତ୍ପାଦନ ପରିବର୍ତ୍ତେ ବ୍ୟାପକସଂଖ୍ୟକ ଜନତାଙ୍କଦ୍ବାରା ଉତ୍ପାଦନ ଉପରେ ଗୁରୁତ୍ବ ଦିଆଯାଇ ଉଲ୍ଲେଖଯୋଗ୍ୟ ଅଭିବୃଦ୍ଧି ଓ ବିକାଶ ହାସଲ କରାଯାଉଥିବା ଆଜିର ଦିନରେ ଗାନ୍ଧୀ ନୀତିର ପ୍ରାସଙ୍ଗିକତା ରହିଛି। ତାଙ୍କ କହିବା ଅନୁସାରେ, ଏହି ନୀତି ଏଭଳି ଗୋଟାଏ ଅର୍ଥନୈତିକ ବ୍ୟବସ୍ଥା ବିକାଶ କରିବ ଯାହା ପରିବେଶ ଅଧୋଃଽଗତି ସର୍ବନିମ୍ନ କରିବା ସହ ବ୍ୟାପକ ବିକାଶ ହାସଲ କରିବାରେ ସହାୟକ ହେବ। ବାସ୍ତବ ଓ ସସ୍ଥିର ବିକାଶ ପାଇଁ ସମର୍ଥ କରାଇ ପାରୁଥିବା ତାଙ୍କ ସ୍ବରାଜ ଅଥବା ସ୍ବୟଂ-ଶାସନ ନୀତିକୁ ଜୀବନଯାପନର ମାନ ସହ ସାଲିସ ନ କରାଯାଇ ପ୍ରବର୍ତ୍ତନ କରିହେବ।
ସହରୀକରଣ ସମ୍ବନ୍ଧରେ ତାଙ୍କର ମତବ୍ୟକ୍ତ କରି କହିଥିଲେ, ଏହା ହେଉଛି ଗ୍ରାମାଞ୍ଚଳରୁ ଦ୍ବିଗୁଣ ଅର୍ଥ ନିଷ୍କାସନ କରାଇନେବାର ପ୍ରକ୍ରିୟା। ଭାରତରେ ସହରୀକରଣ ହେଉଛି ତା’ର ଗ୍ରାମସମୂହ ଏବଂ ଗ୍ରାମବାସୀଙ୍କ ମନ୍ଥର କିନ୍ତୁ, ନିଶ୍ଚିତ ମୃତ୍ୟୁର କାରଣ। ୭,୦୦, ୦୦୦ (୧୯୩୪ରେ ଦେଶରେ ଥିବା ଗାଁ’ର ସଂଖ୍ୟା) ଗାଁରେ ବାସ କରୁଥିବା ୯୦% ଜନତାଙ୍କୁ ନଗରିକରଣ କଦାପି ସହାୟକ ହୋଇପାରିବ ନାହିଁ।
ଛୋଟ ଛୋଟ ଗାଁରୁ କୁଟୀର ଶିଳ୍ପ ଉଚ୍ଛେଦକୁ ସେ ବିରୋଧ କରୁଥିଲେ। ସେ ଅନୁଭବ କରୁଥିଲେ, ହାତ ଓ ବୁଦ୍ଧିର କୁଶଳୀ ଉପଯୋଗ ନିମନ୍ତେ ଯାହା କିଛି ଅଳ୍ପ ସୁଯୋଗ ଅଛି କୁଟୀର ଶିଳ୍ପ ଉଚ୍ଛେଦଦ୍ବାରା ତାହା ବୁଡ଼ିଯିବ।
୭-୯-୧୯୩୪ ମସିହାର ‘ହରିଜନ’ ପତ୍ରିକାରେ ସେ ଲେଖିଥିଲେ, ଗ୍ରାମ୍ୟ ହସ୍ତଶିଳ୍ପ ଉଚ୍ଛେଦ ହୋଇଗଲେ ବର୍ଷକୁ ଛଅ ଅଥବା ଚାରି ମାସ ଆଳସ୍ୟରେ ବିତାଇ କେବଳ ଗୋରୁମାନଙ୍କୁ ନେଇ ବିଲରେ କାମ କରୁଥିବା ଗ୍ରାମବାସୀମାନେ ପଶୁସ୍ତରକୁ ଚାଲିଯିବେ। ମେଧା କିଂବା ଶରୀର ପାଇଁ ଉପଯୁକ୍ତ ପୋଷଣ ନ ଥିବାରୁ ସେମାନେ ନିରାନନ୍ଦ ଓ ନିରାଶ ହୋଇଯାଇଥିବେ।
ଐତିହାସିକ ଦଲିଲ ଅନୁସାରେ, ଗାନ୍ଧୀଜୀ ପରିବେଶ ପ୍ରଦୂଷଣ ଏବଂ ମନୁଷ୍ୟ ସ୍ବାସ୍ଥ୍ୟ ଉପରେ ତାହାର ପରିଣତି ସମ୍ପର୍କରେ ଖୁବ୍ ସଚେତନ ଥିଲେ। ବିଶେଷକରି, କଳକାରଖାନାରେ କାମ କରିବାର ଭୟାବହ ଅବସ୍ଥା ପ୍ରତି ସେ ଚିନ୍ତିତ ଥିଲେ। ସେଠାରେ ଶ୍ରମିକମାନେ ସଂକ୍ରମିତ ତଥା ବିଷାକ୍ତ ପବନରେ ନିଃଶ୍ବାସ ନେବାକୁ ବାଧ୍ୟ ହେଉଥିଲେ। ୧୯୦୬ ମେ ୫ରେ ସେ ‘ଇଣ୍ଡିଆନ୍ ଓପିନିୟନ୍’ରେ ଉପରୋକ୍ତ ଚିନ୍ତା ଉଦ୍ରେକ କରି ଲେଖିଥିଲେ, ଆଜିକାଲି ମୁକ୍ତ ବାୟୁର ଆବଶ୍ୟକତା ପ୍ରତି ବିଜ୍ଞ ବ୍ୟକ୍ତିମାନଙ୍କର ଅନ୍ତର୍ଦୃଷ୍ଟି ବୃଦ୍ଧି ପାଉଛି।
(ଏହି ଆଲେଖ୍ୟଟି ‘ସମ୍ବାଦ ଡିଜିଟାଲ୍’ର ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ-ୱାନ୍ ଆର୍ଥ, ୟୁନାଇଟ୍ ଫର୍ ଇଟ୍’ର ଅଂଶବିଶେଷ)