ୟା’ ଭିତରେ ଶହେ ବର୍ଷ ବିତିଗଲାଣି। ୧୯୨୧ ମସିହାର ଏମିତିଆ ଏକ ମାର୍ଚ୍ଚ ୨୩ ତାରିଖ। ସେ ଦିନ ଅବଶ୍ୟ ଥିଲା ବୁଧବାର ଓ ଦୋଳପୂର୍ଣ୍ଣିମା। ପ୍ରଥମ ଥର ପାଇଁ ଓଡ଼ିଶା ଆସି ଗାନ୍ଧୀ ପହଞ୍ଚିଥିଲେ କଟକ ରେଳଷ୍ଟେସନ୍‌ରେ ପତ୍ନୀ କସ୍ତୁରବା ଓ ପୁତ୍ର ଦେବଦାସଙ୍କ ସହ। ପ୍ଲାଟ୍‌ଫର୍ମର ବାତାବରଣରେ ବଡ଼ି ଭୋରରୁ ଶୁଭୁଥାଏ- ଭାରତ ମାତା କୀ ଜୟ, ଗାନ୍ଧୀଜୀ କୀ ଜୟ, ହିନ୍ଦୁ-ମୁସଲମାନ କୀ ଜୟ। ୩୦,୦୦୦ ସରିକି ଲୋକ ଗାନ୍ଧୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ଯେଉଁମାନଙ୍କ ଭିତରେ ଥିଲେ ଶାନ୍ତି ଶୃଙ୍ଖଳା କଥା ବୁଝୁଥିବା ୩୦୦ ସ୍ବେଚ୍ଛାସେବୀ ଓ କଟକର ୭୨ କୀର୍ତ୍ତନ ମଣ୍ତଳୀ। ସହରସାରା ଶୋଭା ପାଉଥାଏ ପତ୍ର, ପୁଷ୍ପ, ବାଣୀ, ଝାଲେରୀ, ରିବନ୍‌ ଓ ପତାକାର ମାଳା। କଟକରେ ପହଞ୍ଚିବାର ପ୍ରଥମ ଦିନ ସ˚ଧୢାରେ କାଠଯୋଡ଼ି ନଈବାଲିରେ ଆୟୋଜିତ ଏକ ବିଶାଳ ଜନସଭାରେ ଗାନ୍ଧୀ ଉଦ୍‌ବୋଧନ ଦେଇଥିଲେ। ସଭାରେ ସଭାପତିତ୍ବ କରୁଥିବା ଗୋପବନ୍ଧୁ କହିଥିଲେ- ତିନି ଶହ ବର୍ଷ ପୂର୍ବେ ଏଇଠି ଏମିତିଆ ଅବସରରେ ଚୈତନ୍ୟ ମହାପ୍ରଭୁ ଭକ୍ତି ପ୍ରେମର ଧର୍ମ ପ୍ରଚାର କରିଥିଲେ ଯେଉଁଠି କି ଆଜି ଗାନ୍ଧୀ ଆସିଛନ୍ତି ରାଜନୈତିକ ପ୍ରେମର ଧର୍ମ ପ୍ରଚାର କରିବାକୁ। ପୁଣି ସେଇଦିନ ରାତିରେ କଟକରେ ମାରଵାଡୀ ଓ ଗୁଜୁରାଟୀ ଲୋକମାନଙ୍କ ଏକ ସଭାରେ ଭାଷଣ ଦେଇ ଗାନ୍ଧୀ ସେମାନଙ୍କୁ ଓଡ଼ିଶାର ସେବା କରିବାକୁ ଅନୁରୋଧ କରିଥିଲେ।

Advertisment

ତା’ ପରଦିନ କଦମ ରସୁଲ ଠାରେ ମୁସଲମାନମାନଙ୍କୁ ସମ୍ବୋଧନ କରି ଖିଲାଫତ୍‌ ଆନ୍ଦୋଳନର ତାତ୍ପର୍ଯ୍ୟ ଓ ସା˚ପ୍ରଦାୟିକ ସୌହାର୍ଦ୍ଦ୍ୟର ଗୁରୁତ୍ବ ସୂଚାଇ ଦେଇଥିଲେ ଗାନ୍ଧୀ। ସେଇ ୨୪ ତାରିଖ ଦିନ ଆଉ ଏକ ଜନସଭାରେ ନିଜର ମତ ରଖିଥିଲେ ଗାନ୍ଧୀ। ସେଠାରେ ବିଦ୍ୟାର୍ଥୀ ଓ ଓକିଲଙ୍କ ପାଇଁ ସ୍ବତନ୍ତ୍ର ବସିବା ବ୍ୟବସ୍ଥା କରାଯାଇଥିଲା। ଗାନ୍ଧୀ ସେ ସମାବେଶରେ ମୋଟାମୋଟି କହିଥିଲେ ଏଇଭଳି- ତିଳକ ଓ ରାମମୋହନ ଯଦି ଇ˚ରେଜୀ ସ˚ସ୍ପର୍ଶରେ ଆସି ନଥାନ୍ତେ ତେବେ ଆହୁରି ପ୍ରତିଭାବାନ୍‌ ଓ ପ୍ରଭାବଶାଳୀ ହୋଇପାରିଥାନ୍ତେ! ଚୈତନ୍ୟ, କବୀର, ଶଙ୍କର ଓ ନାନକଙ୍କ ତୁଳନାରେ ଖର୍ବକାୟ ହୋଇନଥାନ୍ତେ! ସେଦିନ ଆହୁରି ତିନିକୋଣିଆ ବଗିଚା ଠାରେ ଜନସାଧାରଣଙ୍କୁ ଭାଷଣ ଦେବା ପରେ ବିନୋଦ ବିହାରୀ ମନ୍ଦିର ଠିଁ ନାରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ସେ ଥରକ କଟକରେ ଥିଲା ବେଳେ ଗାନ୍ଧୀ ରହୁଥିଲେ ସ୍ବରାଜ ଆଶ୍ରମରେ।

ମାର୍ଚ୍ଚ ୨୫ରେ ଭଦ୍ରକର ଗାନ୍ଧୀ ପଡ଼ିଆରେ ଅନୁଷ୍ଠିତ ସଭାରେ ଗାନ୍ଧୀ କହିଥିଲେ- ଇସ୍‌ ସଲତ୍‌ନତ୍‌ ମେଁ ସୈତାନିଅତ୍‌ ଆ ଗୈ; ଯାହାର ମାନେ, ଏ ଇ˚ରେଜ ଶାସନର ସଇତାନପଣିଆ ଆସିଗଲାଣି। ତା’ ପରଦିନ ସତ୍ୟବାଦୀ ବକୁଳ ବନ ଭିତରେ ଏକ ସାଧାରଣ ସଭା ହୋଇଥିଲା। ବନ ବିଦ୍ୟାଳୟ ଗାନ୍ଧୀଙ୍କୁ ଏତେ ବିମୋହିତ କରିଥିଲା ଯେ ସିଏ ‘‘ୟଙ୍ଗ୍‌ ଇଣ୍ତିଆ’’ରେ ଲେଖିଥିଲେ- ଗୋପବନ୍ଧୁଙ୍କ ମୁକ୍ତାକାଶ ବିଦ୍ୟାଳୟ ସମସ୍ତେ ଦେଖିବାର କଥା। ବିହ୍ବଳ ଗାନ୍ଧୀ ଆହୁରି ବ୍ୟକ୍ତ କରିଥିଲେ- ଘିଅ ବିନା ଖାଲି ଭାତ ଓ ଡାଲିରେ ଚଳେଇ ପାରୁଥିବା ଗୋପବନ୍ଧୁଙ୍କ ଭଳି କର୍ମୀ ଓ ସମାଜସେବୀ ବିରଳ। ମତେ ଯଦି ଶହେ ଗୋପବନ୍ଧୁ ମିଳିଯାନ୍ତେ ତେବେ ସ୍ବରାଜ୍ୟ ଗୋଟେ ବର୍ଷ ଭିତରେ ପ୍ରାପ୍ତ ହୁଅନ୍ତା। ସେଇଦିନ ସନ୍ଧ୍ୟାରେ ଗାନ୍ଧୀ ପୁରୀରେ ପହଞ୍ଚିଥିଲେ। ପୁରୀ ରହଣି ସମୟରେ ସିଏ ପୁରୀର କେତେକ ଦୁର୍ଭିକ୍ଷ ପ୍ରପୀଡ଼ିିତ ଅ˚ଚଳ ସ୍ବଚକ୍ଷୁରେ ଦେଖିଥିଲେ। ଏକାଧିକ ସୂତ୍ରର ମତ ଓ ତଥ୍ୟ ମୁତାବକ ମାର୍ଚ୍ଚ ୨୭ ତାରିଖରେ ମହାତ୍ମା ଗାନ୍ଧୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିଥିଲେ ଶ୍ରୀମନ୍ଦିରରେ। ଦର୍ଶନ କଥା ଖୋଦ୍‌ ଗାନ୍ଧୀ ମଧ୍ୟ ଲେଖିଥିଲେ ‘‘ମାଇଁ ଓଡ଼ିଶା ଟୁର୍’’ ଲେଖାରେ ଯାହା ପ୍ରଥମେ ଏପ୍ରିଲ୍, ୧୯୨୧ରେ ନବଜୀବନ ଓ ୟଙ୍ଗ୍ ଇଣ୍ଡିଆରେ ପ୍ରକାଶିତ ହୋଇଥିଲା ଏବଂ ପରେ ମହାତ୍ମା ଗାନ୍ଧୀଙ୍କ ସଂଗୃହୀତ ରଚନାବଳୀରେ ସ୍ଥାନ ପାଇଛି। ସେ ଦିନ ଉପର ବେଳା ଏକ ମହିଳା ସଭାରେ ଓ ସ˚ଧୢାରେ ଶରଧାବାଲିର ସାଧାରଣ ସଭାରେ ଭାଗ ନେଇଥିଲେ ଗାନ୍ଧୀ। ମୌନ ଦିବସ ପରେ ମାର୍ଚ୍ଚ ୨୯ରେ ବ୍ରହ୍ମପୁରରେ ପହଞ୍ଚିଥିଲେ ଗାନ୍ଧୀ। ସେଠି ସିଏ ଏକ ବିରାଟ ସାଧାରଣ ସଭାରେ ଭାଷା ସୂତ୍ରରେ ପ୍ରଦେଶ ଗଠନ ନୀତିକୁ ସମର୍ଥନ କରିଥିଲେ; ପ୍ରକାରାନ୍ତରେ ସ୍ବତନ୍ତ୍ର ଓଡ଼ିଶା ଗଠନ ଆନ୍ଦୋଳନ ପ୍ରତି ସହାନୁଭୂତି ପ୍ରକଟ କରିଥିଲେ। ଏକାଧିକ ସୀମା ବିବାଦ ପୃଷ୍ଠଭୂମିରେ ଗାନ୍ଧୀ କହିଥିଲେ- ସେ ଭଳି ସମସ୍ୟାର ସମାଧାନ ଭାରତୀୟ ପନ୍ଥାରେ ଓ ରାଜନୀତିକ ଉପାୟରେ ହେବା ଦରକାର। ସେଇ ବ୍ରହ୍ମପୁର ଠାରେ ସିଏ ଚେତେଇ ଦେଇଥିଲେ- ସୂତା ଖିଅକରେ ସ୍ବରାଜ୍ୟ ଝୁଲୁଛି। ସେ ସୂତା ପୁଣି ହାତକଟା ସୂତା।

ଚାରିଟି ପ୍ରମୁଖ ଲକ୍ଷ୍ୟ ରଖି ଗାନ୍ଧୀଜୀ ପ୍ରଥମ ଥର ଓଡ଼ିଶା ଆସିଥିଲେ- ଗୋପବନ୍ଧୁଙ୍କୁ ବିଧିବଦ୍ଧ ଭାବେ ଭେଟିବା ଓ ତାଙ୍କ ସହ ମିଶି କାମ କରିବା, ପୁରୀର ଦୁର୍ଭିକ୍ଷଗ୍ରସ୍ତ ଡଭାର ଗାଁ ତଥା ଅନ୍ୟାନ୍ୟ ଅ˚ଚଳ ନିଜେ ଯାଇ ଦେଖିବା, ଅସହଯୋଗ ଆନ୍ଦୋଳନର ଜାତୀୟ ମହାସ୍ରୋତରେ ଆହୁରି ଅଧିକ ସକ୍ରିୟ ହୋଇ ମିଶିବା ପାଇଁ ଓଡ଼ିଶାକୁ ପ୍ରବର୍ତ୍ତେଇବା ଏବ˚ ତିଳକ ସ୍ବରାଜ୍ୟ ପାଣ୍ଠି ପାଇଁ ବର୍ଷକ ଭିତରେ ଓଡ଼ିଶାରୁ ତିନି ଲକ୍ଷ ଟଙ୍କା ଓ ତିନି ଲକ୍ଷ କର୍ମୀ ଯୋଗାଡ଼ କରିବା। ଓଡ଼ିଶା ମାଟିରେ ପାଦ ଦେବା ଆଗରୁ ଗାନ୍ଧୀ ଓଡ଼ିଶା ବାବଦରେ କିଛିଟା ଅବଗତ ହୋଇଥିଲେ ଦଶପଲ୍ଲା ଅ˚ଚଳର ମୁକ୍ତିସ˚ଗ୍ରାମୀ ଗୋବିନ୍ଦ ମିଶ୍ର, ଗୋପବନ୍ଧୁଙ୍କ ଚିଠି, ଠକ୍‌କର ବାପାଙ୍କ ଯୋଗାଯୋଗ, ନିରଞ୍ଜନ ପଟ୍ଟନାୟକ- ଚକ୍ରପାଣି ପ୍ରଧାନ ଲିଖିତ ‘‘ଓଡ଼ିଆ ମୁଭ୍‌ମେଣ୍ଟ୍‌’’ ପୁସ୍ତକ, ବ୍ରଜସୁନ୍ଦର ଦାସଙ୍କ ପ୍ରଚାରପତ୍ର ଓ ନାଗପୁର କ˚ଗ୍ରେସ ଅଧିବେଶନ ବେଳେ ଉତ୍କଳମଣିଙ୍କ ସହ ତିନି ମିନିଟିଆ ଭେଟ ଆଦି ବାଟେ। ଠକ୍‌କର ବାପାଙ୍କୁ ଗାନ୍ଧୀ ପୁରୀର ଦୁର୍ଭିକ୍ଷ କ୍ଷତିଗ୍ରସ୍ତ ଅ˚ଚଳ ପଠେଇଥିଲେ କ୍ଷେତ୍ର ଅଧୢୟନ ଭିତ୍ତିକ ନିୟମିତ ବିବରଣୀ ପ୍ରେରଣ ନିମନ୍ତେ। ତାଙ୍କ ହାତରେ ମଧୢ ପଠାଇଥିଲେ ସହଯୋଗ ରାଶି ସ୍ବରୂପ ୫୦୦୦ ଟଙ୍କା। ନିଜେ ଗାନ୍ଧୀ ବି ଓଡ଼ିଶାକୁ ୧୯୨୧ରେ ଆସିବା ଆଗରୁ ୟଙ୍ଗ୍‌ ଇଣ୍ତିଆ ଓ ନବଜୀବନରେ ଓଡ଼ିଶା (ଉତ୍କଳ) ସ˚ପର୍କିତ ଏକାଧିକ ପ୍ରସଙ୍ଗ ଚର୍ଚ୍ଚା କରିସାରିଥିଲେ।

ଗାନ୍ଧୀଜୀଙ୍କ ପ୍ରଥମ ଓଡ଼ିଶା ଆଗମନର ବଡ଼ ଦିଗଟି ହେଲା ଏଇଆ ଯେ ତାହା ତାଙ୍କ ପ୍ରଥମ ଓ ଶେଷ ଓଡ଼ିଶା ଗସ୍ତ ନଥିଲା। ଆହୁରି ସାତଟି ଗସ୍ତର ପଥ ସୁଗମ କରିଦେଲା ସେ ପ୍ରଥମ ଆଗମନ। ଏମିତି ମୋଟ ଆଠ ଥର ଓ ୬୯ ଦିନ ପାଇଁ ଗାନ୍ଧୀ ଓଡ଼ିଶା ଆସିଥିଲେ। ୧୯୨୫ ମସିହାର ଅଗଷ୍ଟ ମାସରେ ମଧୁବାବୁଙ୍କ ଆମନ୍ତ୍ରଣ କ୍ରମେ ଗାନ୍ଧୀ ଦ୍ବିତୀୟ ଥର ଓଡ଼ିଶା ଆସି ବ˚ଗୀୟ, ଖିରସ୍ତାନୀ ଓ ମହିଳାମାନଙ୍କୁ ଭେଟିଥିଲେ ଏବ˚ ଉତ୍କଳ ଟ୍ୟାନେରି, କୁଷ୍ଠାଶ୍ରମ, ଚାପେଲ୍‌ ଓ ସ୍ବରାଜ ଆଶ୍ରମ ଯାଇଥିଲେ। ଟାଉନ୍‌ ହଲ୍‌ରେ ସଭା କରିଥିଲେ। ମଧୁବାବୁ ତାଙ୍କୁ ଦ୍ବିତୀୟ ଟଲ୍‌ଷ୍ଟୟ ସମ ଲାଗିଥିଲେ। ତୃତୀୟ ଥର ଗାନ୍ଧୀ ଓଡ଼ିଶା ଆସିଥିଲେ ୧୯୨୭ ମସିହା ଡିସେମ୍ବର ମାସରେ, ଯାହା କି ଖଦି ଗସ୍ତ ନାଁରେ ଖ୍ୟାତ। ଖଦିକୁ ଉଭୟ ବସ୍ତ୍ର ଓ ବିଚାର, ସୂତା ଓ ସୂତ୍ର ଏବ˚ ସ୍ବାଧୀନତା ଆନ୍ଦୋଳନର ରାଜନୀତିକ ୟୁନିଫର୍ମ ବିବେଚନା କରୁଥିବା ଗାନ୍ଧୀ ଚାହୁଁଥିଲେ ଓଡ଼ିଶା ଭାରତବର୍ଷର ପ୍ରଧାନ ଖଦି ଭଣ୍ତାର ହେଉ ବୋଲି। ଦିିନିକିଆ ସମ୍ବଲପୁର ଗସ୍ତରେ ଆସି ପହଞ୍ଚିଥିଲେ ବାପୁ ୧୯୨୮ ମସିହା ଡିସେମ୍ବର ମାସରେ ଯାହାକି ଥିଲା ଗାନ୍ଧୀଙ୍କ ଚତୁର୍ଥ ଓଡ଼ିଶା ଗସ୍ତ। ସେଠି ସିଏ ଲୋକେ ମାଙ୍କଡ଼ଙ୍କ ଉପଦ୍ରବ ଯୋଗୁଁ ସମ୍ମୁଖୀନ ହେଉଥିବା ଅସୁବିଧାମାନ ଶୁଣିଥିଲେ; ସେସବୁକୁ ମାମୁଲି କହି ଏଡ଼ାଇ ଦେଇନଥିଲେ। ତେୟାନବେ ବର୍ଷ ତଳେ ସେ ଚତୁର୍ଥ ଗସ୍ତ ସମୟରେ ଗାନ୍ଧୀଜୀଙ୍କୁ ଚାନ୍ଦା ଆକାରରେ ମିଳିଥିଲା ୧୭୯୦ ଟଙ୍କା। ୧୯୩୪ ମସିହାରେ ଗାନ୍ଧୀ ଦୁଇଟି ପର୍ଯ୍ୟାୟରେ ଓଡ଼ିଶା ଆସିଥିଲେ ପଞ୍ଚମ ଓ ଷଷ୍ଠ ଥର। ହରିଜନ ପଦଯାତ୍ରା ସେଇ ୧୯୩୪ ମସିହାର (ମେ ୯ରୁ ଜୁନ୍‌ ୮) କଥା ଯାହା କି ପ୍ରଚଣ୍ତ ଧର୍ମଯାତ୍ରା ଭାବେ ଜଣାଶୁଣା। ତାହା ଆରମ୍ଭ ହୋଇଥିଲା ପୁରୀରୁ। ଆଗ ଦିନ ମେ’ରେ ଗାନ୍ଧୀ ପୁରୀରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ମେ-ଜୁନ୍‌ର ଧୁ ଧୁ ଖରା। ଗାନ୍ଧୀଙ୍କ ବୟସ ହୋଇସାରିଥାଏ ୬୫। ତଥାପି ସିଏ ପଦଯାତ୍ରାରେ ଚାଲିଥାଆନ୍ତି। ଗୋଡ଼ ଓ ଗାଡ଼ି ଆଧାରିତ ଯାତ୍ରା ଭିତରେ ତଫାତ୍‌ ଦର୍ଶାଇ ଗାନ୍ଧୀ କହିଥିଲେ ଗାଡ଼ିରେ ଗଲେ ବେଗ ବଢ଼େ, ଆବେଗ କମେ, ପ୍ରତ୍ୟକ୍ଷ ଜନସ˚ସ୍ପର୍ଶରୁ ଜଣେ ବ˚ଚିତ ହୁଏ।

ବାଲିଅନ୍ତା ଠାରେ କୁଞ୍ଜ ବିହାରୀ ମନ୍ଦିରକୁ ହରିଜନଙ୍କ ପ୍ରବେଶ ଅବସରରେ ସିଏ ପ୍ରକାଶ କରିଥିଲେ- ଦେବାଳୟ ଖାଲି ଧାର୍ମିକ ଅନୁଷ୍ଠାନ ନୁହେଁ; ତାହା ଅନେକ ଦୃଷ୍ଟିରୁ ସର୍ବସାଧାରଣଙ୍କ ବିବିଧ ବ୍ୟବହାରରେ ଲାଗିପାରିଲା ଭଳି ସାମାଜିକ ପୀଠ। ସେଇ ୧୯୩୪ ମସିହାର ମେ ୧୬ ତାରିଖରେ ଗାନ୍ଧୀ କାଠଯୋଡ଼ି ବାଲିରେ ସଭା କରୁଥିଲା ବେଳେ କାଶୀ ଆଡୁ ଆସିଥିବା ସନାତନୀ ନେତା ପଣ୍ତିତ ଲାଲ୍‌ ନାଥ ତାଙ୍କୁ କଳା ପତାକା ଦେଖାଇଥିଲେ ବି ଗାନ୍ଧୀ ଲାଲ୍‌ ନାଥଙ୍କ ଦ୍ବିମତକୁ ସମ୍ମାନ ଜଣାଇ ମଞ୍ଚକୁ ଆସି ଲାଲ୍‌ ନାଥଙ୍କୁ ପ୍ରଥମେ କହିବା ପାଇଁ ସୁଯୋଗ ଦେଇଥିଲେ। ଗୋପବନ୍ଧୁ ଓ ମଧୁବାବୁଙ୍କ ଅବର୍ତ୍ତମାନରେ ୧୯୩୪ ମସିହାରେ ଓଡ଼ିଶାରେ ଗାନ୍ଧୀ ଗସ୍ତ ସ˚ପର୍କିତ ସମସ୍ତ କାର୍ଯ୍ୟ ସ˚ପାଦିତ ହୋଇଥିଲା। ସପ୍ତମ ଥର ପାଇଁ ଗାନ୍ଧୀ ଓଡ଼ିଶା ଆସିଥିଲେ ୧୯୩୮ ମସିହା ମାର୍ଚ୍ଚ ଶେଷ ସପ୍ତାହରେ ଡେଲାଙ୍ଗ-ବେରବୋଇରେ ହେଉଥିବା ଗାନ୍ଧୀ ସେବା ସ˚ଘର ବାର୍ଷିକ ଅଧିବେଶନକୁ। ସେଇ ଅଧିବେଶନ ସମୟରେ ଗାନ୍ଧୀଙ୍କ ବିନା ଅନୁମତିରେ ଦିନେ କସ୍ତୁରବା ଓଗେର ପୁରୀ ମନ୍ଦିରକୁ ଯାଇଥିବାରୁ ଗାନ୍ଧୀ ଭୀଷଣ ବିଗିଡ଼ି ଯାଇଥିଲେ। ବେରବୋଇ ଠାରେ ଆଚାର୍ଯ୍ୟ ହରିହର ଉପହାର ଭାବେ ଦେଇଥିବା ବାଡ଼ିଟିକୁ ଗାନ୍ଧୀ ଅନେକ ବର୍ଷ ଧରି ବ୍ୟବହାର କରିଥିଲେ। ସେଠିକି ଆସିଥିବା ପ୍ରଖ୍ୟାତ ନୃତତ୍ତ୍ବବିତ୍‌ ଓ ଗାନ୍ଧୀ ବିଶାରଦ ନିର୍ମଳ କୁମାର ବୋଷଙ୍କୁ ଲାଗିଥିଲା ଗାନ୍ଧୀ ଯେମିତି ତାଙ୍କୁ ଇ˚ଗିତରେ କହୁଥିଲେ- ଆପଣ ଆପଣଙ୍କ ମୂଳ କାମରେ ମନୋନିବେଶ କଲେ ସମସ୍ତଙ୍କ ପାଇଁ ଭଲ। ଆଉ ୧୯୪୬ ମସିହା ଜାନୁଆରି ମାସରେ (କେତେକଙ୍କ ଲେଖା ମୁତାବକ ଜୁଲାଇରେ) ଟ୍ରେନ୍‌ରେ ମାନ୍ଦ୍ରାଜ ଗଲା ବେଳେ ଗାନ୍ଧୀ ଓଡ଼ିଶାର ବାଲେଶ୍ବର, ଭଦ୍ରକ, କଟକ ଓ ବ୍ରହ୍ମପୁର ହୋଇ ଯାଇଥିଲେ ଏବ˚ ବାଲେଶ୍ବର, କଟକ ଓ ବ୍ରହ୍ମପୁର ଷ୍ଟେସନ୍‌ ଠାରେ ଲୋକମାନଙ୍କୁ ସ୍ବଳ୍ପ ସ୍ବଳ୍ପ ସମୟ ପାଇଁ ଉଦ୍‌ବୋଧନ ଦେଇଥିଲେ। ଲୋକଙ୍କ ଘୋ ଘା ଓ ବିଶୃଙ୍ଖଳାକୁ ନାପସନ୍ଦ କରି ଗାନ୍ଧୀ କହିଥିଲେ- ସ୍ବରାଜ ପାଇଁ ଲୋଡ଼ା ସ˚ଯମ ଓ ଅନୁଶାସନ। ପାଟିତୁଣ୍ତ କଲେ ମୋ ଭଳି ବୁଢ଼ା ଲୋକଟି ଶୋଇବ କେମିତି? ତାହା ଥିଲା ଗାନ୍ଧୀଙ୍କ ଶେଷ ଓଡ଼ିଶା ଆଗମନ- ଓଡ଼ିଶା ବାଟ ଦେଇ ଯିବା ସୌଜନ୍ୟରୁ।

ଏକ ମୁଖ୍ୟତଃ ଧାର୍ମିକ ଓ ସା˚ସ୍କୃତିକ ସମାଜ କିଭଳି ଅଧିକରୁ ଅଧିକ ରାଜନୀତିକ ସମାଜଟିରେ ପରିଣତ ହେଉଥାଏ ତାହା ଗାନ୍ଧୀଜୀଙ୍କ ପ୍ରଥମ ଆଉ ତା’ ପରବର୍ତ୍ତୀ ଓଡ଼ିଶା ଆଗମନର ପ୍ରଭାବରୁ ଧରିହୁଏ। ଉତ୍କଳମଣି ଓ ଉତ୍କଳ ଗୌରବଙ୍କୁ ଯଥାମାନ୍ୟ ଦେବା ସା˚ଗକୁ ଗାନ୍ଧୀ ଓଡ଼ିଶାର ଅଗଣିତ ସାଧାରଣ ମଣିଷ ଓ ଅପା˚କ୍ତେୟଙ୍କ ଅସ୍ତିତ୍ବ ଓ ଅସ୍ମିତାଦର୍ଶକୁ ସ୍ବୀକାର କଲେ। ତାଙ୍କ ପ୍ରଭାବରେ ନାରୀମାନେ ଲୋକ ଇଲାକାରେ ଅତି ସକ୍ଷମ ଓ ମୁଖର ସଦସ୍ୟା ଭାବେ ଉଭା ହେଲେ। ଗାନ୍ଧୀଙ୍କ ଗସ୍ତ କାଳରେ ହରିବୋଲ, ହୁଳହୁଳି, ଘଣ୍ଟବାଡ଼ିଆ, ଶଙ୍ଖ ଧ୍ବନି, ଜୟ, ଜିନ୍ଦାବାଦ୍‌ ଓ ଅନ୍ୟ ଅନେକ ଧାର୍ମିକ ସମ୍ଭାଷଣର ସକାରାତ୍ମକ ଗଣତନ୍ତ୍ରୀକରଣ ତଥା ରାଜନୀତୀକରଣ ଘଟିଲା। ମଶାଣି, ନଈପଠା, ଆମ୍ବତୋଟା, କୋଠି, ବ˚ଗଳା, କୁଷ୍ଠାଶ୍ରମ, ଦଳିତ ବସ୍ତି, ଗୋଚର, ଟାଉନ୍‌ ହଲ୍‌, ଟ୍ରେନ୍‌, ଷ୍ଟେସନ୍‌, ଧର୍ମାନୁଷ୍ଠାନ ପରିସର ଓ କାରଖାନା ହତା ଭଳି ସର୍ବସାଧାରଣ କ୍ଷେତ୍ରର ଧର୍ମ ନିରପେକ୍ଷ ଓ ଜନତାନ୍ତ୍ରିକ ସଦୁପଯୋଗ ହୋଇପାରିଲା। ଲୋକେ କେଉଁଠି କେଉଁଠି ତାଙ୍କୁ ଆମ୍ବ ଜାଗାରେ କମଳା ଓ ଭାତ ଜାଗାରେ ରୁଟି ଦେଲେ ଗାନ୍ଧୀ ପରାମର୍ଶ ଦେଉଥିଲେ- ସ୍ଥାନୀୟ ଉତ୍ପନ୍ନର ବହୁଳ ବ୍ୟବହାର କରାଯାଉ। ସିଏ କହୁଥିଲେ ଅସ୍ପୃଶ୍ୟତା ଆଦୌ ଶାସ୍ତ୍ର ସମ୍ମତ ନୁହେଁ। ଜଣେ ଜାତୀୟ ମହାତ୍ମାଙ୍କ ଯାଦୁ ବଳରେ ଓଡ଼ିଶାରେ ଅନେକ ସ˚ଘୀୟ, ପ୍ରାଦେଶିକ, ଆ˚ଚଳିକ ଓ ସ୍ଥାନୀୟ ଗାନ୍ଧୀ ସୃଷ୍ଟି ହେଲେ। ଓଡ଼ିଶାରେ ଗାନ୍ଧୀ ପୁରାଣ ଲେଖାହେଲା। କେତେକ ଜାଗାରେ ଗାନ୍ଧୀ ଖଟୁଲି ବୁଲିଥିଲା ଯେଉଁଠିକି ଗାନ୍ଧୀ ଯାଇ ପାରିନଥିଲେ। ଗାନ୍ଧୀଗସ୍ତ କୈନ୍ଦ୍ରିକ ହାତଲେଖା ଦୈନିକ ଖବର କାଗଜ ‘ଗାନ୍ଧୀ ସମାଚାର’ ବାହାରିଲା। ବାମୁରରେ ଗଛର ନାଁ ରଖାଗଲା ‘ଗାନ୍ଧୀ ଗଛ’। କାରଣ ଗାନ୍ଧୀ ଖାଇସାରି ଦେଇଥିବା ଆମ୍ବ ଟାକୁଆରୁ ତାହା ସମ୍ଭବ ହୋଇଥିଲା। ସମ୍ବଲପୁର ଅ˚ଚଳରେ ଲୋକେ ପାର˚ପରିକ ନୂଆଁଖାଇ ସା˚ଗକୁ ପରେ ଗାନ୍ଧୀ ନୂଆଁଖାଇ ଥରେ ପାଳନ କଲେ। କାରଣ ଗାନ୍ଧୀଙ୍କ ଆଗମନ ପରେ ନୂଆ ଧାନ ଗଛ ଗଜୁରିଥିଲା। ଗାନ୍ଧୀ ଓଡ଼ିଶାରେ (ବୋଲଗଡ଼ ଠାରେ) ଘୋଷଣା କରିଥିଲେ- ଭୟ କଳାଜ୍ବର ଠାରୁ ଅଧିକ ମାରାତ୍ମକ। ଓଡ଼ିଶା ଗସ୍ତଗୁଡ଼ିକ ସମୟରେ ଗାନ୍ଧୀ ଉଭୟ ଦେଶର ସ୍ବାଧୀନତା ଓ ଦେଶ ଭିତରେ ଲୋକଙ୍କ ମୁକ୍ତି କଥା କହୁଥିଲେ।

ଗୋଟିଏ ଛବି ଓ ଏକ ବର୍ଣ୍ଣନା ଗାନ୍ଧୀଜୀଙ୍କ ପ୍ରଥମ ଓଡ଼ିଶା ଆଗମନ ବାବଦରେ ଚୁମ୍ବକରେ ଅନେକ କଥା କହିଦିଏ। କଟକ କାଠଯୋଡ଼ି ପଠାରେ ଖଟଟିଏ ପଡ଼ିଛି। ତା’ ଉପରେ ଦୁଇଟି ଚୌକି। ଗୋଟିକରେ ଗାନ୍ଧୀ। ପୁରୀରେ ଅନେକ ଲୋକ ଏକା ସା˚ଗରେ ବାପୁ, ବା’ ଓ ଗୋପବନ୍ଧୁଙ୍କୁ ଦେଖି ପ୍ରସିଦ୍ଧ ଓ ପବିତ୍ର ତ୍ରିମୂର୍ତ୍ତି କଥା ମାନସପଟକୁ ଆଣୁଛନ୍ତି। ଛବି ଓ ବର୍ଣ୍ଣନା ଦେଇ ଫୁଟି ବାହାରୁଥିବା ବଶମ୍ବଦ ଓଡ଼ିଶାର ଏଭଳି ଆଭିମୁଖ୍ୟ କିଛି କମ୍‌ ନୁହେଁ।

ବେହୁରିଆ ଭବନ, ଗୌରୀ ନଗର, ଭୁବନେଶ୍ବର-୨
ମୋ- ୮୯୧୭୬୮୩୫୩୬