ବାଲିଅନ୍ତାରେ ତିନି ଦିନ ରହିଥିଲେ ଗାନ୍ଧୀଜୀ: ଅସ୍ପୃଶ୍ୟତା ବିରୋଧୀ ଲଢ଼େଇର ମୋଡ଼ ବଦଳାଇଥିଲା ପଦଯାତ୍ରା

ସମସ୍ତଙ୍କ ପାଇଁ ଖୋଲିଥିଲା ନିକୁଞ୍ଜ ବିହାରୀ ମନ୍ଦିର
ମୁଠିଭିକ୍ଷା କରି ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିଥିଲେ ବୁଦ୍ଧନାଥ

ଭୁବନେଶ୍ବର : ଭାରତୀୟ ସମାଜର ଏକ କଳଙ୍କିତ ବ୍ୟବସ୍ଥା ହେଲା ଅସ୍ପୃଶ୍ୟତା। ଏହାର ପରିଣାମ ସ୍ବରୂପ ଅନୁସୂଚିତ ଜାତିର ମଣିଷମାନଙ୍କୁ ଅଛୁଆଁ କରି ରଖାଯାଉଥିଲା। ଏମାନଙ୍କ ଲାଗି ଶିକ୍ଷା, ସ୍ବାସ୍ଥ୍ୟ ଭଳି ପ୍ରାଥମିକ ସୁବିଧା ସହିତ ମନ୍ଦିରର ଦ୍ବାର ମଧ୍ୟ ବନ୍ଦ କରି ଦିଆଯାଇଥିଲା। ଏହି ସମୟରେ ମହାତ୍ମା ଗାନ୍ଧୀ ଇଂରେଜ କବଳରୁ ଦେଶକୁ ମୁକ୍ତ କରିବା ପାଇଁ କେବଳ ସ୍ବାଧୀନତା ସଂଗ୍ରାମ କରୁନଥିଲେ; ଦେଶ ଭିତରେ ସାମାଜିକ ନ୍ୟାୟ ପାଇଁ ଅସ୍ପୃଶ୍ୟତା ବିରୋଧରେ ମଧ୍ୟ ଲଢେଇ କରୁଥିଲେ। ତାଙ୍କରି ଗସ୍ତର ପ୍ରଭାବ ସ୍ବରୂପ ୧୯୩୪ ମସିହା ମେ ମାସ ୧୫ ତାରିଖରେ ଭୁବନେଶ୍ବର ଉପକଣ୍ଠର ବାଲିଅନ୍ତା ସ୍ଥିତ ନିକୁଞ୍ଜ ବିହାରୀ ମନ୍ଦିରକୁ ପ୍ରଥମ ଥର ପାଇଁ ଅନୁସୂଚିତ ଜାତିର ଲୋକଙ୍କ ପାଇଁ ଖୋଲି ଦିଆଯାଇଥିଲା।

ଗାନ୍ଧୀଜୀଙ୍କ ଏହି ଓଡ଼ିଶା ଗସ୍ତ ଅବସରରେ ପ୍ରଥମେ ହିନ୍ଦୋଳ ରାଜା ଏବଂ ଏହାର କିଛି ଦିନ ପରେ ବାଲିଅନ୍ତାରେ ଜାତିଭେଦରୁ ଉର୍ଧ୍ବକୁ ଉଠି ମନ୍ଦିର ଖୋଲା ଯିବା ଥିଲା ଏକ ଐତିହାସିକ ପଦକ୍ଷେପ। ମନ୍ଦିର ଖୋଲିବା ପରେ ସେହି ଅଞ୍ଚଳଗୁଡ଼ିକରେ ସମ୍ପୂର୍ଣ୍ଣ ରୂପେ ଅସ୍ପୃଶ୍ୟତା ଦୂର ହୋଇଥିଲା ତାହା ନୁହେଁ; ଗାନ୍ଧୀଜୀଙ୍କ ଗସ୍ତ ଅସ୍ପୃଶ୍ୟତା ବିରୋଧରେ ଲୋକଙ୍କ ମଧ୍ୟରେ ସଚେତନତାର ବୀଜ ବପନ କରିଥିଲା। ଅନୁସୂଚିତ ଜାତି ବର୍ଗଙ୍କୁ ଆତ୍ମବିଶ୍ବାସ ଦେଇଥିଲା।

 

ଏ ସଂପର୍କରେ ଗାନ୍ଧୀବାଦୀ ଗବେଷକ ପ୍ରହଲ୍ଲାଦ ସିହ୍ନା କହନ୍ତି, ମହାତ୍ମା ଗାନ୍ଧୀଙ୍କ ଆନ୍ଦୋଳନ ଜୀବନରେ ଇଂରେଜଙ୍କ ବିରୋଧରେ ଦାଣ୍ଡି ପଦଯାତ୍ରା, ଅସ୍ପୃଶ୍ୟତା ବିରୋଧରେ ହରିଜନ ପଦଯାତ୍ରା ଏବଂ ସମ୍ପ୍ରଦାୟିକ ସଦ୍‌ଭାବନା ପ୍ରତିଷ୍ଠା ପାଇଁ ନୂଆଖଲି ପଦଯାତ୍ରା ଗୁରୁତ୍ବପୂର୍ଣ୍ଣ। ୧୯୩୪ ମସିହା ମେ ମାସ ୮ ତାରିଖରେ ପୁରୀରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହିତ ସେ ହରିଜନ ପଦଯାତ୍ରା ଆରମ୍ଭ କରିଥିଲେ। ପୁରୀରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଚନ୍ଦନପୁର, ସାକ୍ଷୀଗୋପାଳ, ପିପିଲି, ସିଉଳା ପରେ ୧୨ ତାରିଖ ବାଳକାଟିରେ ରାତିରେ ରହିବା ପରେ ୧୩ ତାରିଖରେ ଗାନ୍ଧୀଜୀ ବାଲିଅନ୍ତାରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ସହିତ ଆସିଥିଲେ ଯମୁନାଲାଲ ବଜାଜଙ୍କ ଝିଅ, ମାଳତୀ ଚୌଧୁରୀ, ମା ରମାଦେବୀ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବ, କରୁଣାକର ପାଣିଗ୍ରାହୀଙ୍କ ସମେତ ଅନେକ ସଂଗ୍ରାମୀ । ଗାନ୍ଧୀଜୀଙ୍କ ଗସ୍ତକୁ ରିପୋର୍ଟିଂ କରୁଥିଲେ ବିନୋଦ କାନୁନଗୋ। ବାଲିଅନ୍ତାରେ ଗାନ୍ଧୀଜୀ କୁଆଖାଇ ନଦୀରୁ ବାହାରିଥିବା କୁଶଭଦ୍ରା ନଦୀପଠାରେ ଥିବା ଆମ୍ବତୋଟା ପଡ଼ିଆରେ ନିଜ ସାଥୀମାନଙ୍କ ସହିତ ଅବସ୍ଥାନ କରିଥିଲେ। ପ୍ରଥମ ଦିନରେ ସ୍ବଚ୍ଛତାର ବାର୍ତ୍ତା ଦେଇଥିଲେ। ଦ୍ବିତୀୟ ଦିନଟି ଥିଲା ତାଙ୍କର ମୌନ ଦିବସ।

ସ୍ଥାନୀୟ ଅଧିବାସୀ ତଥା ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ବିଭାଗର ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ଅନୁସାରେ, ବାଲିଅନ୍ତାରେ ଗାନ୍ଧୀଜୀଙ୍କ ଅବସ୍ଥାନ ଦେଶରେ ଅସ୍ପୃଶ୍ୟତା ବିରୋଧୀ ଲଢେଇକୁ ଗୁରୁତ୍ବପୂର୍ଣ୍ଣ ମୋଡ଼ ଦେଇଥିଲେ ମଧ୍ୟ ଏହା ଇତିହାସ ପୃଷ୍ଠାରେ ଏତେଟା ସ୍ଥାନ ପାଇନାହିଁ। ତୃତୀୟ ଦିନ ଅର୍ଥାତ ୧୫ ତାରିଖରେ କଂଗ୍ରେସ ନେତା ବଂଶୀଧର ମଙ୍ଗରାଜଙ୍କ ନେତୃତ୍ବରେ ସ୍ଥାନୀୟ ଜନତା ସେହି ଅଞ୍ଚଳର ଅନୁସୂଚିତ ଜାତିର ଲୋକଙ୍କ ପାଇଁ ମନ୍ଦିରର ଦ୍ବାର ଖୋଲି ଦେଇଥିଲେ। ସାମୂହିକ ଭୋଜନ ମଧ୍ୟ ହୋଇଥିଲା। ବଂଶୀଧର ମଙ୍ଗରାଜ ଅନେକ ଦିନରୁ ଅସ୍ପୃଶ୍ୟତା ବିରୋଧରେ ଲୋକଙ୍କ ଭିତରେ ଲଗାତାର ସଚେତନତାର ବାର୍ତ୍ତା ଦେଇ ଆସୁଥିଲେ। ଏହାର ପରିଣାମ ସ୍ବରୂପ ସ୍ଥାନୀୟ ଅଧିବାସୀ ନିଜ ତରଫରୁ ମନ୍ଦିର ଖୋଲା କାର୍ଯ୍ୟକ୍ରମ କରିଥିଲେ।

ଗାନ୍ଧୀଜୀଙ୍କ ଏହି ତିନି ଦିନିଆ ଗସ୍ତ ବେଳେ ତାଙ୍କୁ ଦେଖିବା ପାଇଁ ଦୂର-ଦୂରାନ୍ତରୁ ପୁରୁଷଙ୍କ ସହିତ ଅନେକ ସଂଖ୍ୟାରେ ମହିଳା ଚାଲିଚାଲି, ଶଗଡ଼ରେ ଆସିଥିଲେ। ମହାତ୍ମା ଗାନ୍ଧୀ ଅସ୍ପୃଶ୍ୟତା ନିରାକରଣ ସହିତ ନିଶା ନିବାରଣର ଆହ୍ବାନ ମଧ୍ୟ ଦେଇଥିଲେ। ବାଲିଆପାଟଣାରେ ମହାତ୍ମା ଗାନ୍ଧୀଙ୍କ ସ୍ମୃତି ରକ୍ଷା ପାଇଁ ୧୯୮୦ ମସିହାରେ ପ୍ରଥମ ଥର ପାଇଁ କଂଗ୍ରେସ କର୍ମୀ ବୁଦ୍ଧନାଥ ଭୋଇ ଉଦ୍ୟମ କରିଥିଲେ। ବୁଦ୍ଧନାଥ ଅନୁସୂଚିତ ଜାତି ପରିବାରର ଏବଂ ନିଜେ ଅତି ଗରିବ ହୋଇଥିଲେ ମଧ୍ୟ ଲୋକଙ୍କ ଠାରୁ ମୁଠି ଭିକ୍ଷା ଏବଂ ୧୦ ପଇସା ଆଦାୟ କରି ଏଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିଥିଲେ।

ଅଧାରେ ଅଟକିଛି ଗାନ୍ଧୀ ସ୍ମୃତିପୀଠ ତୋରଣ
ବାଲିଅନ୍ତା : ଆଜି ଗାନ୍ଧୀ ଜୟନ୍ତୀ। ଏ ନେଇ ବାଲିଅନ୍ତା ନିକୁଞ୍ଜବିହାରୀ ସ୍ଥିତ ଗାନ୍ଧୀସ୍ମୃତି ପୀଠ ପରିସରରେ ଗାନ୍ଧୀପୀଠ ଚଳଚଞ୍ଚଳ ହୋଇପଡ଼ିଛି। ଏଠାରେ ଗାନ୍ଧୀ ଜୟନ୍ତୀ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପୀଠ ସମେତ ପ୍ରତିମୂର୍ତ୍ତି ଚୂନ ଧଉଳା ଯାଇଛି। ମନ୍ଦିର ଭିତରେ ସବୁ ସାଜସଜ୍ଜା‌ ବ୍ୟବସ୍ଥା ହୋଇଛି ସତ, କିନ୍ତୁ ମନ୍ଦିର ବାହାର ପରିବେଶ ଅସଜଡ଼ା ହୋଇପଡ଼ିଛି। ମନ୍ଦିର ସମ୍ମୁଖ ଭାଗ ସାପ୍ତାହିକ ହାଟ ପରିସର ପରିମଳ ବିପର୍ଯ୍ୟସ୍ତ ହୋଇପଡ଼ିଛି। ପ୍ରବେଶପଥ ତୋରଣ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ଅବସ୍ଥାରେ ପଡ଼ିଛି। ଓଟିଡିସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ୧୮ ଫୁଟ୍‌ ଉଚ୍ଚତା ବିଶିଷ୍ଟ ତୋରଣର କଂକ୍ରିଟ ନିର୍ମାଣ କାର୍ଯ୍ୟ ଶେ‌ଷ ହୋଇଛି। ହେଲେ ତୋରଣରେ ଖଣ୍ଡେଲାଇଟ ପଥର ଲଗାଯିବାକୁ ଥିବା ବେଳେ ଏହି କାମ ହୋଇନାହିଁ। ଖଣିରୁ ଖଣ୍ଡେଲାଇଟ ପଥର ଉତ୍ତୋଳନ ଓ ଚାଲାଣ ନେଇ କଟକଣା ଥିବାରୁ କାମ ଆଗେଇ ପାରୁ ନାହିଁ। ସେହିପରି ପୀଠ ପରିସରରେ ଅନ୍ୟାନ୍ୟ କାରୁକାର୍ଯ୍ୟର ନିର୍ମାଣ ମଧ୍ୟ ବାକି ରହିଛି। ତୋରଣରେ ଷ୍ଟିଲ୍‌ ଗେଟ୍‌ ମଧ୍ୟ ଲଗାଯାଇ ନାହିଁ। ପରସିରରେ ଉଜ୍ବଳ ଆଲୋକ ବ୍ୟବସ୍ଥା ହୋଇନାହିଁ। ତୋରଣ ନିର୍ମାଣ କାର୍ଯ୍ୟ ଲାଗି ପର୍ଯ୍ୟଟନ ବିଭାଗ ପକ୍ଷରୁ ୧୫ ଲକ୍ଷ ଟଙ୍କା ମଂଜୁର ହୋଇଥିଲା। ହେଲେ ଠିକାଦାର କାମ ଅଧା କରି ବିଲ୍‌ କରି ନେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର