ଗାନ୍ଧୀଜିଙ୍କ ସ୍ୱପ୍ନର ଜାତୀୟ ଶିକ୍ଷା

ପ୍ରୀତୀଶ ଆଚାର୍ଯ୍ୟ

୧୯୨୧ ସେପ୍‌ଟେମ୍ବର୍‌ ମାସରେ ମହାତ୍ମା ଗାନ୍ଧୀ ନିଜ ସଂପାଦିତ ‘ୟଙ୍ଗ୍‌ ଇଣ୍ଡିଆ’ ପତ୍ରିକାରେ ‘ଜାତୀୟ ଶିକ୍ଷା’ ଶୀର୍ଷକରେ ଏକ ଅପେକ୍ଷାକୃତ ଦୀର୍ଘ ପ୍ରବନ୍ଧ ଲେଖିଥିଲେ। ଶିକ୍ଷାକୁ ନେଇ ଏହା ଗାନ୍ଧୀଙ୍କର ପ୍ରଥମ କିଂବାଶେଷ ଲେଖା ନୁହେଁ। ବିଦ୍ୟାଳୟରେ ଭାଷା ଶିକ୍ଷାଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା, ପ୍ରାଥମିକ ଶିକ୍ଷା, ନାରୀ ଶିକ୍ଷା ତଥା ଧର୍ମ ଶିକ୍ଷା ଆଦି ଶିକ୍ଷାର ବିଭିନ୍ନ ବିଭାଗରେ ସେ ଅନେକ ସମୟରେ ନିଜ ବିଚାର ରଖିଛନ୍ତି। କେବଳ ଶିକ୍ଷାକୁ ନେଇ ଗାନ୍ଧୀଙ୍କର ସବୁ ବିଚାରକୁ ସଂକଳିତ କଲେ, ଗୋଟାଏ ମୋଟା ବହି ହେବ। ସ୍ୱାଧୀନତା ପରବର୍ତ୍ତୀ କାଳରେ ଭାରତରେ ଏବଂ ଭାରତ ବାହାରେ ତାଙ୍କର ଶିକ୍ଷା ବିଚାରକୁ ନେଇ ଶିକ୍ଷାବିଦ୍‌ମାନେ ଯେତେ ଯାହା ଆଲୋଚନା-ପର୍ଯ୍ୟାଲୋଚନା କରିଛନ୍ତି, ସେସବୁର ମୋଟ ପରିମାଣ ସମ୍ଭବତଃ ଆକଳନର ବାହାରେ। ଏସବୁ ସତ୍ତ୍ୱେ ଏଠାରେ କେବଳ ଉକ୍ତ ‘ଜାତୀୟ ଶିକ୍ଷା’ ପ୍ରବନ୍ଧକୁ କେନ୍ଦ୍ର କରି ସଂକ୍ଷେପରେ ଚର୍ଚ୍ଚା କରାଯାଇଛି, କାରଣ ସେହି ରଚନା ଲେଖାଯିବାର ପ୍ରାୟ ଶହେ ବର୍ଷ ପରେ ମଧ୍ୟ ଏକ ପିଣ୍ଡଲେଖ ଭଳି ଆଜି ପ୍ରାସଙ୍ଗିକ ମନେହୁଏ।

‘ଜାତୀୟ ଶିକ୍ଷା’ ପ୍ରବନ୍ଧରେ ଗାନ୍ଧୀ ଦୁଇଟି ପ୍ରମୁଖ କାରଣରୁ ତତ୍କାଳୀନ ଶିକ୍ଷାକୁ ସମସ୍ୟାପୂର୍ଣ୍ଣ ମନେକରିଛନ୍ତି। କାରଣ ତାଙ୍କ ମତରେ, ଆଜିର ଶିକ୍ଷା ବ୍ୟବସ୍ଥା ଏକ ଅନ୍ୟାୟୀ ସରକାର (ବ୍ରିଟିସ୍‌) ଦ୍ୱାରା ପରିଚାଳିତ ଏବଂ ଏହି ଶିକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଦୋଷଯୁକ୍ତ। ତିନିଟି ଆଧାରରେ ଏହାର ଦୋଷକୁ ଦେଖାଯାଇପାରେ। ପ୍ରଥମ,ଏହା ବିଦେଶୀ ସଂସ୍କୃତି ଆଧାରିତ ଏବଂ ଏଥିରେ ସ୍ଥାନୀୟ ସଂସ୍କୃତିର ଲେଶମାତ୍ର ସୁଦ୍ଧା ଦୃଶ୍ୟମାନ ହୁଏନାହିଁ। ଦ୍ୱିତୀୟ, ଏହା ଉଭୟ ହୃଦୟ ଓ ହାତ (ଶ୍ରମ)କୁ ଉପେକ୍ଷା କରେ ଏବଂ ଶିକ୍ଷାକୁ କେବଳ ମୁଣ୍ଡ ଯାଏ ସୀମିତ କରିଦିଏ। ତୃତୀୟ, ଏକ ବିଦେଶୀ ଭାଷା ମାଧ୍ୟମରେ ଏହା ଶିକ୍ଷାଦାନ କରିବାକୁ ପ୍ରୟାସ କରେ, ଯାହା କଦାପି ସମ୍ଭବ ନୁହେଁ।

ଗାନ୍ଧୀ ତିନିଟିଯାକ ଦୋଷକୁ ବିସ୍ତାରରେ ପର୍ଯ୍ୟାଲୋଚନା କରିଛନ୍ତି। ‘‘ପ୍ରାୟତଃ ଆରମ୍ଭରୁ ପାଠ୍ୟ ପୁସ୍ତକ ସେହି ବିଷୟ ବସ୍ତୁଗୁଡ଼ିକୁ ଚର୍ଚ୍ଚା କରେ, ଯାହା ସହିତ ଛାତ୍ର-ଛାତ୍ରୀ ସମ୍ପୂର୍ଣ୍ଣ ଅପରିଚିତ। ଘରେ ପିଲା ଯେଉଁ ବସ୍ତୁ ବା ସ୍ଥିତି ସହ ପରିଚିତ, ସେସବୁର ପୁସ୍ତକରେ କୌଣସି ଉଲ୍ଲେଖ ନ ଥାଏ। ବ୍ୟବହାରିକତା ଦୃଷ୍ଟିରୁ କ’ଣ ଭଲ, କଣ ଖରାପ, ତାହା ପିଲା ପାଠ ବହିରୁ ଜାଣିପାରେନାହିଁ। ନିଜର ଆଖ-ପାଖର ପରିବେଶକୁ ନେଇ ଗର୍ବ କରିବା କଥା ବୋଲି ପିଲା ଅବଗତ ହୁଏନାହିଁ। ଶିକ୍ଷାର ସ୍ତର ଯେତେ ଯେତେ ଉପରକୁ ଯାଏ, ପିଲା ସେତେ ସେତେ ସ୍ୱ-ପରିବେଶରୁ ଦୂରେଇ ଯାଏ। …. ଗ୍ରାମ୍ୟ ଦୃଶ୍ୟ ହେଲା ପିଲା ପାଇଁ ପାଠ୍ୟ ବହିର୍ଭୂତ ସାମଗ୍ରୀ।… ନିଜ ସଂସ୍କୃତିରୁ ତା’ର ଅଧିକରୁ ଅଧିକ ତିରୋହିତ ହେବା ହେଲା ତା ପାଇଁ ଶିକ୍ଷା! ଯଦି ଶିକ୍ଷିତ ଯୁବ ସମାଜ ଆଜି ଯାଏ ରାଷ୍ଟ୍ରପ୍ରେମର ଧାରାରେ ଓତପ୍ରୋତ, ତେବେ ତା’ ପଛରେ କାରଣ ସେମାନଙ୍କ ଶିକ୍ଷା ନୁହେଁ, ବରଂ ଆମ ପ୍ରାଚୀନ ସଭ୍ୟତାର ଦୃଢ଼ ଓ ଶକ୍ତ ନିଅଁ। ….ଶିକ୍ଷା ଯଦି ପିଲାକୁ କେବଳ ସାକ୍ଷର କରେ ଏବଂ ପରବର୍ତ୍ତୀ ଜୀବନରେ ଶାରୀରିକ ଶ୍ରମ ନିମନ୍ତେ ତାକୁ ଅନୁପଯୋଗୀ କରିଦିଏ, ତେବେ ତାହା କ’ଣ ଏକ ଅପରାଧ ତୁଲ୍ୟ ହେବ ନାହିଁ। .. ରାଷ୍ଟ୍ର ପାଇଁ ଶାରୀରିକ ଶ୍ରମର ହତାଦରଠାରୁ ଅଧିକ ନିରାଶାଜନକ ଆଉ କିଛି ହୋଇ ନ ପାରେ।’’

ଗାନ୍ଧୀ ଯେଉଁ ମାତ୍ରାରେ ଶିକ୍ଷା ପାଇଁ ଶରୀର ଶ୍ରମକୁ ଅତ୍ୟାବଶ୍ୟକ ମନେକରୁଥିଲେ, ସେହି ମାତ୍ରାରେ ଶିକ୍ଷା ପାଇଁ ଆନ୍ତରିକତାକୁ ମହତ୍ତ୍ୱ ଦେଉଥିଲେ। ତାଙ୍କ ମତରେ, କେବଳ ପାଠ ବହି ପ୍ରାଣର ଶିକ୍ଷା ଦେଇ ନ ପାରେ। ତା’ ପାଇଁ ଶିକ୍ଷକଙ୍କ ଆନ୍ତରିକତା ହେଉଛି ପ୍ରଥମ ଆବଶ୍ୟକତା। ଶିକ୍ଷକତାରୁ ଯଦି ଶିକ୍ଷକ ଚଳିବା ଭଳି ଦରମା ନ ପାଆନ୍ତି, ତାଙ୍କ ତାଲିମ ଯଦି ଅଧାଟିଆ, ଶିକ୍ଷକତାର ପେସା ଯଦିି ଶେଷ ବିକଳ୍ପ, ଶିକ୍ଷକତାରେ ପାଠ ପଢ଼ା ପାଇଁ ଆନ୍ତରିକତା ଆସିବ କେଉଁଠି? ଗାନ୍ଧୀ ପ୍ରଶ୍ନ କରନ୍ତି।

ପଢ଼ାର ମାଧ୍ୟମକୁ ନେଇ ଗାନ୍ଧୀଙ୍କ ମତ ଆହୁରି ଅଧିକ ସୁସ୍ପଷ୍ଟ। ‘‘ବିଦେଶୀ ଭାଷା ମାଧ୍ୟମରେ ପଢ଼ା ପିଲାଙ୍କ ମସ୍ତିଷ୍କକୁ ନିଃଶେଷ କରିଦେଉଛି। .. ଅହେତୁକ ବୋଝ ଲଦିଦେଉଛି। ପିଲାଙ୍କୁ ଘୋଷାପାଠ ଓ ଅନ୍ଧାନୁକରଣ ଆଡ଼କୁ ଟାଣିନେଉଛି। ପିଲା ମୌଳିକ କାମ କିଂବା ବିଚାର ନିମନ୍ତେ ସମର୍ଥ ହୋଇପାରୁନାହାନ୍ତି। ବିଦେଶୀ ଭାଷା ମାଧ୍ୟମ ଆମ ନିଜ ଭାଷାର ବିକାଶକୁ ଅବରୋଧିତ କରୁଛି। ଏହା ହେଉଛି ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥାର ବଡ଼ ଦୁଃଖଦାୟକ ପରିଣତି!’’ ଇଂରେଜୀ ମାଧ୍ୟମ ସ୍କୁଲ୍‌ଗୁଡ଼ିକର ଉଚ୍ଛେଦ ପାଇଁ ତାଙ୍କ ହାତରେ ‘ଏକଛତ୍ରବାଦୀର କ୍ଷମତା’ ଥାଆନ୍ତା କି ବୋଲି ଗାନ୍ଧୀ ଏହା ପରେ କହିଛନ୍ତି। ଯେଉଁମାନେ ଦେଶୀୟ ଭାଷାରେ ପାଠ୍ୟ ପୁସ୍ତକର ଅଭାବକୁ ଇଂରେଜୀ ମାଧ୍ୟମ ସ୍କୁଲ୍‌ର ପ୍ରଚଳନର କାରଣ ମନେକରନ୍ତି, ସେମାନଙ୍କ ପାଇଁ ଗାନ୍ଧୀଙ୍କର ଉତ୍ତର ହେଲା, ‘‘ଇଂରେଜୀ ମାଧ୍ୟମର ଉଚ୍ଛେଦ ହେଲା ପରେ ଆପେ ଦେଶୀୟ ଭାଷାରେ ପାଠ୍ୟ ସାମଗ୍ରୀ ମିଳିବ। ଇଂରେଜୀ ମାଧ୍ୟମକୁ ଅବ୍ୟାହତ ରଖି ତାହାରି ମାଧ୍ୟମରେ ଶିକ୍ଷା ସଂସ୍କାର ପାଇଁ ଜୋର୍‌ ଦେବା ହେଲା ଏକ ଦୁଶ୍ଚିନ୍ତା ଭଳି?’’

ଗାନ୍ଧୀ ସ୍କୁଲ୍‌ ଶିକ୍ଷାରେ ଇଂରେଜୀ ମାଧ୍ୟମର ତୀବ୍ର ବିରୋଧୀ ଥିଲେ। ମାତ୍ର ‘‘ବିଦେଶୀ ସଂସ୍କୃତି ଓ ଇଂରେଜୀର ଅଧ୍ୟୟନ’’କୁ ତାଙ୍କର କୌଣସି ବିରୋଧ ନ ଥିଲା। ବରଂ ତାଙ୍କ ଭାଷାରେ- ‘ୟଙ୍ଗ୍‌ ଇଣ୍ଡିଆ’ ପତ୍ରିକାର ପାଠକ ଭଲ ଭାବେ ଜାଣନ୍ତି ଯେ, ଆନ୍ତର୍ଜାତିକ ବାଣିଜ୍ୟ ଓ କୂଟନୀତିର ଭାଷା ଭାବରେ ମୁଁ ସର୍ବଦା ଇଂରେଜୀର ମହତ୍ତ୍ୱକୁ ଦର୍ଶାଇଆସିଛି। ସେହି ଆଧାରରେ ଇଂରେଜୀ ଶିକ୍ଷାର ଆବଶ୍ୟକତା ଉପରେ ମୁଁ ବରାବର ଜୋର୍‌ ଦେଇଆସିଛି। ଇଂରେଜୀ ମାଧ୍ୟମର ବିରୋଧ ଏବଂ ଇଂରେଜୀ ଭାଷା-ସାହିତ୍ୟର ଅଧ୍ୟୟନକୁ ଦୃଢ଼ ସମର୍ଥନ ମଧ୍ୟରେ ଥିବା ପାର୍ଥକ୍ୟକୁ ଦର୍ଶାଇବାକୁ ଯାଇ ଗାନ୍ଧୀ ଲେଖିଛନ୍ତି, ‘‘ଆମେ ଅନ୍ୟମାନଙ୍କଠାରୁ ବିଚ୍ଛିନ୍ନ ହୋଇ ନିରୋଳାରେ ରହିବାର ବିଚାର ଆଦୌ ସ୍ପୃହଣୀୟ ନୁହେଁ। ମୋ ବିଚାରରେ ଏକ ଦୃଢ଼ ପାଚେରିର ପରିଧି ଭିତରେ ଆମର ଆବଦ୍ଧ ହୋଇରହିବା ଆଦୌ ବିଚାର୍ଯ୍ୟ ନୁହେଁ। ମାତ୍ର ନିଜ ସଂସ୍କୃତିର ଯଥୋଚିତ ସମ୍ମାନ ଓ ଅନ୍ତଃକରଣ କରିବା ପୂର୍ବରୁ ଅନ୍ୟ ସଂସ୍କୃତିର ଆମ ସଂସ୍କୃତି ସହିତ ସମାଗମ ଠିକ୍‌ ନୁହେଁ।’’

ଗାନ୍ଧୀ ଏ କଥା ଲେଖିବାର ବିଗତ ଶହେ ବର୍ଷ ମଧ୍ୟରେ (୧୯୨୧ରୁ ୨୦୧୯) ଦେଶ ଅନେକ ପରିବର୍ତ୍ତନ ଦେଖିସାରିଲାଣି। ୧୯୨୧ରେ ଦେଶରେ ସାକ୍ଷରତା ହାର ଥିଲା ୭.୨ ପ୍ରତିଶତ; ଆଜି ୨୦୧୯ରେ ତାହା ୭୪.୦୪ ପ୍ରତିଶତରୁ ଅଧିକ। ଦେଶର ପ୍ରଶାସନ ବିଦେଶୀ ଇଂରେଜଙ୍କ ହାତରୁ ଆସି ଦେଶୀୟ ଲୋକଙ୍କ ତତ୍ତ୍ୱାବଧାନରେ। ନାରୀ ସାକ୍ଷରତା ଯାହା ସେତେ ବେଳେ ୧.୮ ପ୍ରତିଶତ ଥିଲା, ଆଜି ତାହା ୬୫.୪୬%। ଏଥି ସହ ଏ କଥା ବି ସତ ଯେ ବିଦ୍ୟାଳୟ ଶିକ୍ଷା ହୃଦୟ ଓ ହାତ ବା ଶ୍ରମ ମଧ୍ୟରେ ସନ୍ତୁଳନ ଆଣିପାରିନାହିଁ। ବରଂ ଶିକ୍ଷିତ ବ୍ୟକ୍ତି ଆଜି ଶରୀର ଶ୍ରମରୁ ଅଧିକ ତିରୋହିତ। ଏହାର ପରିଣତି ସ୍ୱରୂପ, ଛାତ୍ର ପାଠର ଶ୍ରମ(ଯଥା- ଲେଖିବା ଓ ପଢ଼ିବା)କୁ ମଧ୍ୟ ତିରସ୍କାରଯୋଗ୍ୟ ମନେକରୁଛି। ଫଳରେ, ତା’ର ଶିକ୍ଷା କେବଳ ସୂଚନା କୈନ୍ଦ୍ରିକ ହୋଇରହିଯାଉଛି; ସମୀକ୍ଷା ବିଶ୍ଳେଷଣ ଓ ସୃଜନଶୀଳତା ତହିଁରୁ କ୍ରମଶଃ ତିରୋହିତ ହେଉଛି। ବିଦେଶୀ ଶାସକଙ୍କ ହସ୍ତକ୍ଷେପ ଯୋଗୁଁ ଶିକ୍ଷା ଘୋଷାପାଠ ଓ ଅନ୍ଧାନୁକରଣର ବଶବର୍ତ୍ତୀ ହେଉଛି ବୋଲି ଗାନ୍ଧୀ ଯେଉଁ ଅଭିଯୋଗ କରୁଥିଲେ, ତାହା ସ୍ୱଦେଶୀ ଶାସନ କାଳରେ ଅନ୍ତ ହେବ କ’ଣ, ମାତ୍ରାଧିକ ହୋଇଛି।

ଏ କଥା ସତ ଯେ, ଆଜି ଇଂରେଜୀ ବିଦେଶରେ ଜାତ ଏକ ବହୁ ଆଦୃତ ଭାରତୀୟ ଭାଷା; ତା’କୁ ବିଦେଶୀଙ୍କ ଭାଷା କହିବା ସମୀଚୀନ ହେବନାହିଁ। ତହିଁରେ ଜ୍ଞାନ ଅର୍ଜନ ସମସ୍ତ ଦେଶବାସୀଙ୍କ ଲକ୍ଷ୍ୟ ଓ କାମ୍ୟ, କାରଣ ତାହା ଦ୍ୱାରା ଦେଶ ଓ ବିଦେଶରେ ସମ୍ମାନ ମିଳେ! କେତେକଙ୍କ ପାଇଁ ଏହା ଶୋଭନୀୟ ନ ହେଲେ ବି ଏକ ନଗ୍ନ ବାସ୍ତବିକତା! ମାତ୍ର ଏହି ପରିବର୍ତ୍ତନ ସତ୍ତ୍ୱେ ଦେଶୀୟ ଭାଷା ପ୍ରାଥମିକ ଶିକ୍ଷାର ମାଧ୍ୟମ ହେବା କ’ଣ ଅପରିହାର୍ଯ୍ୟ ନୁହେଁ? ପୁଣି ଦେଶୀୟ ଭାଷାର ପରିଭାଷା କ’ଣ? ପ୍ରାଥମିକ ସ୍ତରରେ ଅଗଣିତ ମାତୃଭାଷାଠାରୁ ତାହା ଭିନ୍ନ କିଛି କି? ଦେଶରେ ୨୨ଟି ଭାଷାକୁ ସମ୍ବିଧାନ ସ୍ୱୀକୃତି ଦେଇଛି। ତା’ ବାହାରେ ଆଞ୍ଚଳିକ ସ୍ତରରେ ୨୦୦୧ର ଜନଗଣନା ଅନୁଯାୟୀ ୧୨୨ଟି ମୁଖ୍ୟ ଭାଷା ଏବଂ ୧୫୦୦ରୁ ଅଧିକ ଉପଭାଷା ରହିଛି। ୨୦୧୧ର ଜନଗଣନା ଅନୁସାରେ, ଦେଶରେ ୧୩୬୮ ପ୍ରକାର ଭାଷାର ବ୍ୟବହାର ଚାଲିଛି। ଏହିସବୁ ଭାଷା କ’ଣ ଦେଶୀୟ ଭାଷା ନୁହନ୍ତି କି? ଏତେଗୁଡ଼ିଏ ଭାଷା ସ୍ଥାନରେ କେବଳ ଗୋଟାଏ (ହିନ୍ଦୀ) ଭାଷାର ପ୍ରଚଳନ ଦେଶର ରାଷ୍ଟ୍ରୀୟତା ପାଇଁ ଜରୁରି ବୋଲି ଶାସନରେ ଅଧୁନା ଆସୀନ ଲୋକେ କହିବା ଆରମ୍ଭ କଲେଣି। ଅର୍ଥାତ୍‌, ଇଂରେଜୀ ମାଧ୍ୟମର ଉଚ୍ଛେଦ କଥା ଦୂରେ ଥାଉ, ହିନ୍ଦୀକୁ ସବୁ ଭାଷା-ଭାଷୀ ପିଲାଙ୍କ ଉପରେ ଲଦିଦେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି, ଯେମିତି ଏହା ‘ଜାତୀୟ ଶିକ୍ଷାର ଭାଷା’ର ମର୍ଯ୍ୟାଦା ପାଇବ। ଗାନ୍ଧୀଙ୍କ ‘ହିନ୍ଦୀ’ କେବେ ‘ହିନ୍ଦୁସ୍ତାନୀ’ ଏମିତି ଏକ କଳ୍ପନାର ଭାଷା, ଯାହାକୁ ଭାରତର ପ୍ରାୟ ୧୫୦୦ ଭାଷାର ସଂଗମ, ଏକ ସମାବେଷ୍ଟୀ ଭାଷା ରୂପେ ଗାନ୍ଧୀ ଏବଂ ତାଙ୍କ ସଙ୍ଗରେ ଥିବା ଜାତୀୟତାବାଦୀ ଗୋଷ୍ଠୀ ସ୍ୱପ୍ନ ଦେଖୁଥିଲେ। ତା’କୁ ଆବଶ୍ୟକ ପ୍ରୋତ୍ସାହନ ମିଳିଲେ ଶିକ୍ଷିତ ବ୍ୟକ୍ତି ଶ୍ରମକୁଣ୍ଠ ହେବାକୁ ଲଜ୍ଜାବୋଧ କରିବ ତଥା ଅନ୍ଧାନୁକରଣରୁ ମଧ୍ୟ ଦୂରରେ ରହିବ। ତାହା ହିଁ ଗାନ୍ଧୀଜିଙ୍କ ସ୍ୱପ୍ନର ଜାତୀୟ ଶିକ୍ଷା- ଏଥିରେ ଦ୍ୱିମତ ନାହିଁ।

[email protected]

ସମ୍ବନ୍ଧିତ ଖବର