ମୁମ୍ବାଇ: ଗଜାନନ ରୂପରେ ହିଁ ସର୍ବତ୍ର ପରିଚିତ ଶ୍ରୀ ଗଣେଶ । ପାଖେଇ ଆସୁଛି ବିଘ୍ନହର୍ତ୍ତାଙ୍କ ପୂଜା । ସମଗ୍ର ଦେଶରେ ହସ ଉଲ୍ଲାସର ସହ ପାଳନ କରାଯାଏ ଗଣେଶ ପୂଜା । ଚଳିତ ବର୍ଷ ଅଗଷ୍ଟ ୨୭ରେ ଧରାପୃଷ୍ଠକୁ ଆସୁଛନ୍ତି ବାପ୍ପା ମୋରିୟାଁ । ଆସନ୍ତୁ ଜାଣିବା ବିଘ୍ନବିନାଶକଙ୍କ ବିସର୍ଜନ କାହିଁକି ହୁଏ ? ଏହି ପରମ୍ପରା କେବେଠୁ ରହିଅଛି..?
ଅଗଷ୍ଟ ୨୭ରେ ଗଣେଶ ଚତୁର୍ଥୀ ପୂଜା କରାଯିବ । ସେହିଦିନ ଠାରୁ ୧୦ ଦିନ ଧରି ଗଣେଶ ଉତ୍ସବ ପାଳନ କରାଯିବ । ପ୍ରଥାରେ ରହିଛି ପୂଜା ଆରମ୍ଭର ୧୧ ଦିନରେ ପଡ଼େ ଅନନ୍ତ ଚତୁର୍ଦ୍ଦଶୀ । ଏହି ଦିନରେ ପୂଜା ଶେଷ ହୋଇଥାଏ ଓ ଜଳରେ ଗଣେଶଙ୍କ ପ୍ରତିମାକୁ ବିସର୍ଜନ କରାଯାଏ । ବିଶ୍ୱାସ ରହିଛି ଯେ, ୧୦ ଦିନ ଧରି ଗଣେଶ ଉତ୍ସବ ଚାଲିଥିବା ବେଳେ ଭକ୍ତମାନଙ୍କର ସମସ୍ତ ସମସ୍ୟା ବୁଝିପାରନ୍ତି ବିଘ୍ନହର୍ତ୍ତା । ଶେଷରେ ସମସ୍ତ ଅସୁବିଧା ଦୂର କରି ନିଜ ଦୁନିଆକୁ ଫେରିଯାଇଥାନ୍ତି ।
ଶାସ୍ତ୍ର ଅନୁସାରେ, ଗଣପତିଙ୍କ ମୂର୍ତ୍ତି ସ୍ଥାପନ କରିବା ପରେ ଏହାର ବିସର୍ଜନ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହା ମହାଭାରତ ସହିତ ଯୋଡ଼ି ହୋଇ ରହିଛି । ମହର୍ଷି ବେଦବ୍ୟାସ ମହାଭାରତ ଲେଖିବା ପାଇଁ ଜଣେ ପ୍ରତିଭାବାନ ଲେଖକ ଖୋଜୁଥିଲେ । ଶ୍ରୀ ଗଣେଶ ମହାଭାରତ ଲେଖିବା ପାଇଁ ରାଜି ହୋଇଥିଲେ । କିନ୍ତୁ ଶ୍ରୀ ଗଣେଶ ଏଥିରେ ଏକ ସର୍ତ୍ତ ରଖିଥିଲେ । ଯେ ପର୍ଯ୍ୟନ୍ତ ବେଦବ୍ୟାସ ବିନା ଅଟକି କଥା ଶୁଣାଇବେ ସେପର୍ଯ୍ୟନ୍ତ ସେ ନିରନ୍ତର ଲେଖିବେ । ବେଦବ୍ୟାସ ଗଣେଶ ଚତୁର୍ଥୀ ଦିନରୁ ମହାଭାରତ ଲେଖିବା ଆରମ୍ଭ କରିଥିଲେ । ଗୌରୀ ପୁତ୍ର ଗଣେଶ ୧୦ ଦିନ ଧରି ନିରନ୍ତର ମହାଭାରତ ଲେଖି ଚାଲିଥିଲେ ।
ମହାଭାରତ କାହାଣୀ ଶେଷହେବା ପରେ ଯେତେବେଳେ ବେଦବ୍ୟାସ ଆଖି ଖୋଲିଲେ, ଦେଖିଲେ ଯେ ଗଣେଶଙ୍କ ଚାରି ପଟେ ଏକ ତେଜ ସୃଷ୍ଟି ହୋଇଥିଲା ଓ ଗଣେଶଙ୍କ ଶରୀର ଖୁବ ଜୋରରେ ତାତି ଯାଇଥିଲା । ତାପରେ ଦେଦବ୍ୟାସ ଗଣେଶଙ୍କୁ ନିକଟରେ ଥିବା ଏକ ପାଣି କୁଣ୍ଡରେ ସ୍ନାନ କରାଇଦେଲେ ତା'ପରେ ତାଙ୍କ ଶରୀରର ତାପ କମିଯାଇଥିଲା । ସେହିଦିନ ଅନନ୍ତ ଚତୁର୍ଦ୍ଦଶୀ ଦିନ ଥିଲା ।
ତେଣୁ ଧାର୍ମିକ ବିଶ୍ୱାସ ଅନୁସାରେ, ଗଣେଶ ଉତ୍ସବର ୧୦ ଦିନ ପରେ ଗଣେଶ ମୂର୍ତ୍ତି ବିସର୍ଜନ କରାଯାଏ । ଚଳିତ ବର୍ଷ ସେପ୍ଟେମ୍ବର ୬ରେ ବିଘ୍ନବିନାଶକଙ୍କୁ ବିସର୍ଜନ କରାଯିବ ।