ଆମେ ସାଧାରଣତଃ ବର୍ଷରେ ଦୁଇଟି ଦଶହରା ପାଳିଥାଉ। ଗୋଟିଏ ଆଶ୍ୱିନ ଶୁକ୍ଳ ଦଶମୀରେ ପାଳିତ ହେଉଥିବା ଦଶହରା ଏବଂ ଅନ୍ୟଟି ଚୈତ୍ର ଶୁକ୍ଳ ଦଶମୀରେ ପାଳିତ ହେଉଥିବା ଦଶହରା। ଏହା ଯଥାକ୍ରମେ ‘ଶାରଦୀୟ’ ଓ ‘ବାସନ୍ତିକ’ ଦଶହରା ରୂପେ କଥିତ ହୁଏ। ପୁରାଣ ପ୍ରସଙ୍ଗ ଅନୁସାରେ, ଆଶ୍ୱିନ ମାସରେ ଦେବୀ ଦୁର୍ଗା ଶୟନ କରିଥିବା ବେଳେ, ରାବଣକୁ ବଧ କରିବା ପାଇଁ ଶ୍ରୀରାମ ଅକାଳରେ ତାଙ୍କର ଆବାହନ କରିଥିଲେ। ତେଣୁ ତାହା ‘ଅକାଳବୋଧନ’ ଭାବରେ କଥିତ। ଏହା ଶ୍ରୀରାମଙ୍କ ଦ୍ୱାରା ପ୍ରବର୍ତ୍ତିତ ଦେବୀପୂଜା। ସେହିପରି, ବାସନ୍ତିକ ଦଶହରା ରାବଣ ଦ୍ୱାରା ପ୍ରବର୍ତ୍ତିତ ଦେବୀପୂଜା ରୂପେ କଥିତ ହୋଇଥାଏ।

Advertisment

ଗଙ୍ଗାଙ୍କ ଜନ୍ମ ପରେ ଦେବତାମାନେ ହିମାଳୟଙ୍କୁ ଅନୁରୋଧ କରି ଗଙ୍ଗାଙ୍କୁ ସ୍ୱର୍ଗକୁ ନେଇଗଲେ। ସେଠାରେ ସେ ସ୍ୱର୍ଗଗଙ୍ଗା ‘ସୁରଧୁନୀ’ ନାମରେ ପରିଚିତା ହେଲେ।

କିନ୍ତୁ ଏହି ଦୁଇ ଦଶହରା ବ୍ୟତୀତ, ଆମର ଆଉ ଗୋଟିଏ ଦଶହରା ମଧ୍ୟ ଅଛି। ତାହା ହେଉଛି- ଗଙ୍ଗା ଦଶହରା। ଏହା ଜ୍ୟେଷ୍ଠ ଶୁକ୍ଳ ଦଶମୀରେ ପାଳିତ ହୁଏ। ଏହା ସ୍ୱର୍ଗଗଙ୍ଗାଙ୍କର ଧରାବତରଣର ପୁଣ୍ୟ ତିଥି। ସେଥିପାଇଁ ଏହାକୁ ‘ଗଙ୍ଗା ଦଶହରା’ କୁହାଯାଇଛି। ହସ୍ତା ନକ୍ଷତ୍ରଯୁକ୍ତ ଜ୍ୟେଷ୍ଠ ଶୁକ୍ଳ ଦଶମୀ ଏ କ୍ଷେତ୍ରରେ ଅଧିକ ପୁଣ୍ୟପ୍ରଦ। ଏହିଦିନ ଗଙ୍ଗାଙ୍କ ସହିତ ଶିବ, ବ୍ରହ୍ମା, ସୂର୍ଯ୍ୟ, ରାଜା ଭଗୀରଥ ଓ ହିମାଳୟଙ୍କର ପୂଜା ମଧ୍ୟ କରାଯାଏ। ଏହିଦିନ ସ୍ନାନ ସହିତ ଦାନ କରିବାର ବିଧି ମଧ୍ୟ ରହିଛି। ଗଙ୍ଗାଙ୍କ ସହିତ ଏହିଦିନ ହିମାଳୟଙ୍କୁ ଏବଂ ଭଗୀରଥଙ୍କୁ ପୂଜା କରାଯିବାର ତାତ୍ପର୍ଯ୍ୟ ହେଉଛି- ଗଙ୍ଗା ମଧ୍ୟ ହିମାଳୟକନ୍ୟା। ଏହି ପବିତ୍ରନଦୀ ହିମାଳୟର ଗଙ୍ଗୋତ୍ରୀରୁ ବାହାରିଛି। ହିମାଳୟ ଓ ଭଗୀରଥଙ୍କୁ ଗଙ୍ଗା ଦଶହରାରେ ପୂଜା କରାଯିବା ନେଇ ପୌରାଣିକ ପ୍ରସଙ୍ଗ ମଧ୍ୟ ରହିଛି। ତାହା ହେଉଛି- ହିମାଳୟଙ୍କ ପତ୍ନୀ ମେନା ଗଙ୍ଗା ଓ ଉମା ନାମରେ ଦୁଇଟି କନ୍ୟାଙ୍କୁ ଜନ୍ମ ଦେଇଥିଲେ। ଗଙ୍ଗାଙ୍କ ଜନ୍ମ ପରେ ଦେବତାମାନେ ହିମାଳୟଙ୍କୁ ଅନୁରୋଧ କରି ଗଙ୍ଗାଙ୍କୁ ସ୍ୱର୍ଗକୁ ନେଇଗଲେ। ସେଠାରେ ସେ ସ୍ୱର୍ଗଗଙ୍ଗା ‘ସୁରଧୁନୀ’ ନାମରେ ପରିଚିତା ହେଲେ। ପରବର୍ତ୍ତୀ କାଳରେ, କପିଳ ମୁନିଙ୍କ କୋପଦୃଷ୍ଟିରେ ଭସ୍ମୀଭୂତ ହୋଇଯାଇଥିବା ନିଜର ୬୦ ହଜାର ପୂର୍ବପୁରୁଷଙ୍କୁ ପୁନର୍ଜୀବନ ଦେବାପାଇଁ ଭଗୀରଥ ତପସ୍ୟା କଲେ। ସେଥିରେ ସନ୍ତୁଷ୍ଟ ହୋଇ ଗଙ୍ଗା ସ୍ୱର୍ଗରୁ ଅବରତଣ କରି ଆସିଥିଲେ। ତାଙ୍କର ନାଆଁ ହେଲା ‘ଭାଗୀରଥି’। ସେହି ପବିତ୍ର ଅବତରଣର ତିଥି ଜ୍ୟେଷ୍ଠ ଶୁକ୍ଳ ଦଶମୀ ବା ଗଙ୍ଗା ଦଶହରା।
-ଅସିତ ମହାନ୍ତି