ପଶ୍ଚିମବଙ୍ଗର କଲିକତାଠାରୁ ପ୍ରାୟ ୧୫୦ କି.ମି. ଦୂର ଚବିଶପ୍ରଗଣା ଜିଲାର କାକଦ୍ବୀପ ଉପଖଣ୍ଡରେ ପବିତ୍ର ଗଙ୍ଗାନଦୀ ଓ ବଙ୍ଗୋପସାଗରର ମିଳନ ବିନ୍ଦୁରେ ରହିଛି ଏକ ଦ୍ବୀପ। ତାହାକୁ ଗଙ୍ଗାସାଗର ଦ୍ବୀପ ବା ସାଗର ଦ୍ବୀପ କୁହାଯାଏ। ଭାରତର ପବିତ୍ରତମ ତୀର୍ଥମାନଙ୍କ ମଧ୍ୟରୁ ଏହା ଅନ୍ୟତମ। ପ୍ରସିଦ୍ଧ ପ୍ରୟାଗ କୁମ୍ଭମେଳା ପରେ ବୋଧହୁଏ ସବୁଠାରୁ ଅଧିକ ତୀର୍ଥଯାତ୍ରୀ ପ୍ରତିବର୍ଷ ଏଠାକୁ ସ୍ନାନ କରିବାକୁ ଆସିଥାନ୍ତି। ଏହାର ପୌରାଣିକ ପ୍ରସିଦ୍ଧି ହେତୁ କୁହାଯାଏ-‘‘ସାରେ ତୀର୍ଥ ବାରବାର, ଗଙ୍ଗାସାଗର ଏକ ବାର।’’
ମାନ୍ୟତା ଅନୁସାରେ, ଭଗବାନ ବିଷ୍ଣୁଙ୍କର ଅବତାର ମହର୍ଷି କପିଳ ଏଠାରେ ଦୀର୍ଘକାଳ ତପସ୍ୟା କରିଥିଲେ। ଆଜି ମଧ୍ୟ ଏଠାରେ କପିଳମୁନିଙ୍କର ଆଶ୍ରମ ଦୃଶ୍ୟମାନ। ପ୍ରତିବର୍ଷ ମକରସଂକ୍ରାନ୍ତି ଦିନ ଏଠାରେ ଏକ ବିରାଟ ସ୍ନାନମେଳାର ଆୟୋଜନ ହୋଇଥାଏ। କୁମ୍ଭମେଳା ପରେ ଏହା ସବୁଠାରୁ ବଡ଼ ସ୍ନାନମେଳା। ମହାଭାରତର ‘ବନପର୍ବ’ରେ ଏହାର ଉଲ୍ଲେଖ ରହିଛି। ମକର ସଂକ୍ରାନ୍ତି ଆପାତତଃ ସୂର୍ଯ୍ୟଦେବଙ୍କର ଉତ୍ତରାୟଣର ପ୍ରଥମ ଦିନ। ଏହିଦିନ ବହୁ ତୀର୍ଥଯାତ୍ରୀ ଏଠାକୁ ଆସି ପବିତ୍ର ଗଙ୍ଗାସଙ୍ଗମରେ ସ୍ନାନ କରି ସୂର୍ଯ୍ୟଙ୍କୁ ଆରାଧନା କରିଥାନ୍ତି ଏବଂ କପିଳମୁନିଙ୍କ ମନ୍ଦିରକୁ ଯାଇ ସେଠାରେ ଗଙ୍ଗାଦେବୀ, କପିଳମୁନି ଓ ସାଗର ରାଜାଙ୍କୁ ପୂଜନ କରନ୍ତି। କୁହାଯାଏ, ଏହା କରିବା ଦ୍ବାରା ମନୁଷ୍ୟର ସମସ୍ତ ପାପ ମୋଚନ ହୋଇଥାଏ।
ହିନ୍ଦୁଧର୍ମ ବିଶ୍ବାସର ଏହି ମହାନ ପର୍ବର ଇତିହାସ ଯେତିକି ରୋଚକ ସେତିକି ମନୋମୁଗ୍ଧକର। ସାଂଖ୍ୟଦର୍ଶନର ପ୍ରବକ୍ତା କପିଳମୁନି ଭଗବାନ ବିଷ୍ଣୁଙ୍କର ଅବତାର ରୂପେ ସ୍ବୀକୃତ। ମହର୍ଷି କର୍ଦ୍ଦମ ଓ ସାଧ୍ବୀ ଦେବହୁତିଙ୍କର ପୁତ୍ର ଥିଲେ କପିଳ। ଜନ୍ମ ପରେ ସନ୍ନ୍ୟାସ ଗ୍ରହଣ କରି ସେ କାକଦ୍ବୀପରେ ଯାଇ ତପସ୍ୟା କରିବାକୁ ଲାଗିଲେ। ଈକ୍ଷ୍ବାକୁ ବଂଶୀୟ ରାଜା ସଗର ଅନେଶତ ଅଶ୍ବମେଧ ଯଜ୍ଞ କଲା ପରେ ଶତତମ ଯଜ୍ଞ ପାଇଁ ଆୟୋଜନ ଆରମ୍ଭ କଲେ। ଦେବରାଜ ଇନ୍ଦ୍ର ଏକଶତ ଅଶ୍ବମେଧ ଯଜ୍ଞ କରି ଇନ୍ଦ୍ରପଦ ପ୍ରାପ୍ତ ହୋଇଥିଲେ। ତେଣୁ କାଳେ ସଗର ତାଙ୍କ ଯଜ୍ଞରେ ସଫଳ ହେଲେ ତାଙ୍କର ଇନ୍ଦ୍ରପଦ ଛଡ଼ାଇନେବେ, ଏହା ଚିନ୍ତା କରି ଇନ୍ଦ୍ର ସଗରଙ୍କର ଅଶ୍ବମେଧ ଅଶ୍ବକୁ ନେଇ କପିଳମୁନିଙ୍କ ଆଶ୍ରମରେ ଲୁଚାଇ ରଖିଦେଲେ। ଅଶ୍ବ ନ ଫେରିବାରୁ ସଗର ତାଙ୍କର ଷାଠିଏ ସହସ୍ର ପୁତ୍ରଙ୍କୁ ଅଶ୍ବସନ୍ଧାନରେ ପଠାଇଲେ। ସେମାନେ ଅଶ୍ବ ଖୋଜି ଖୋଜି ଯାଇ ଯେତେବେଳେ କପିଳମୁନିଙ୍କ ଆଶ୍ରମରେ ପହଞ୍ଚିଲେ, ସେଠାରେ ଅଶ୍ବକୁ ଦେଖି କପିଳ ଅଶ୍ବ ଚୋରାଇଛନ୍ତି ଭାବି ତାଙ୍କର ତପଭଙ୍ଗ କରିବା ସହିତ ତାଙ୍କୁ ଅପମାନିତ କଲେ। ଫଳରେ କପିଳ ମୁନିଙ୍କ ନେତ୍ରରୁ ଯେଉଁ କ୍ରୋଧାଗ୍ନି ନିର୍ଗତ ହେଲା, ସେଥିରେ ସେମାନେ ପୋଡ଼ି ପାଉଁଶ ହୋଇଗଲେ। ସମୁଦ୍ର ଜଳହୀନ ହୋଇଥିବାରୁ ସେହି ଅଗ୍ନିପିଣ୍ଡମାନ ବିସର୍ଜିତ ନ ହୋଇ ପାରି ନର୍କ ଯନ୍ତ୍ରଣା ଭୋଗ କଲେ।
ସଗରରାଜା କପିଳଙ୍କୁ ବହୁ ଭାବରେ ସ୍ତୁତି କରି ତାଙ୍କର କ୍ରୋଧ ଶାନ୍ତ କଲେ। ଶେଷରେ କପିଳ କହିଲେ, ସ୍ବର୍ଗରୁ ଗଙ୍ଗାଙ୍କୁ ଆଣି ସମୁଦ୍ରକୁ ଜଳପୂର୍ଣ୍ଣ କଲେ ସଗରପୁତ୍ରମାନେ ମୋକ୍ଷଲାଭ କରିବେ। ପିଢ଼ି ପରେ ପିଢ଼ି ବିତିଗଲା। କୌଣସି ସଗର ଗଙ୍ଗାଙ୍କୁ ଭୂପୃଷ୍ଠକୁ ଆଣିବାକୁ ସମର୍ଥ ହେଲେ ନାହିଁ। ଶେଷରେ ସଗର ବଂଶରେ ଭଗୀରଥ ନାମରେ ରାଜା ଜନ୍ମ ନେଲେ। ସେ କଠୋର ତପସ୍ୟା କରି ସ୍ବର୍ଗରୁ ଗଙ୍ଗାକୁ ଆଣିବାକୁ ସମର୍ଥ ହେଲେ। ଯେଉଁଦିନ ଭଗୀରଥ ଗଙ୍ଗାଙ୍କୁ ଆଣି କପିଳମୁନିଙ୍କ ଆଶ୍ରମ ନିକଟରେ ପହଞ୍ଚି ଶୁଷ୍କ ସାଗରକୁ ଜଳପୂର୍ଣ୍ଣ କଲେ ଏବଂ ସଗରପୁତ୍ରମାନେ ଗଙ୍ଗାଙ୍କ ସ୍ପର୍ଶରେ ମୋକ୍ଷ ପ୍ରାପ୍ତ ହୋଇ ସ୍ବର୍ଗ ଗମନ କଲେ, େସ ଦିନ ଥିଲା ପବିତ୍ର ମକର ସଂକ୍ରାନ୍ତି ତିଥି। ସେହି ସ୍ମୃତିରେ ଶ୍ରଦ୍ଧାଶୀଳ ଭକ୍ତମାନେ ମୋକ୍ଷପ୍ରାପ୍ତି ନିମିତ୍ତ ଗଙ୍ଗାସାଗର ସଂଗମରେ ସ୍ନାନ କରି ଗଙ୍ଗାଦେବୀ ଓ କପିଳମୁନିଙ୍କ ଆଶୀର୍ବାଦ କାମନା କରିଥାନ୍ତି। ଏହି ସ୍ନାନଯାତ୍ରା ‘ଗଙ୍ଗାସାଗର ମେଳା’ ନାମରେ ବିଖ୍ୟାତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/10/AehszBDtOln1xk7mPDfs.jpg)
