୧୯୬୧ରେ ସୋଭିଏତ୍ ସଂଘ ପ୍ରଥମକରି ମାନବ ପ୍ରେରଣ କରିବା ସମୟରେ ମହାକାଶରେ ପ୍ରାୟ ୧୦୦୦ ଖଣ୍ଡ ଧାତବ ଆବର୍ଜନା ଘୂରି ବୁଲୁଥିଲା । ସଦ୍ୟତମ ଆକଳନରୁ ଜଣାପଡ଼ିଛି କି, ବର୍ତ୍ତମାନ ଏହି ଆବର୍ଜନା ସଂଖ୍ୟା ପ୍ରାୟ ୩୦ ହଜାର ହୋଇଗଲାଣି। ଏଥିମଧ୍ୟରୁ ୯୦% ଆବର୍ଜନା ପାଇଁ ଆମେରିକା, ରୁଷ୍ ଓ ଚୀନ୍ ଦାୟୀ ବୋଲି କୁହାଯାଉଛି। ମହାକାଶ ଆବର୍ଜନା କହିଲେ ସାଧାରଣତଃ ପୃଥିବୀର କକ୍ଷପଥରେ ଘୂରିବୁଲୁଥିବା ରକେଟ୍ ଭଗ୍ନାଂଶ ଏବଂ ଅଚଳ କୃତ୍ରିମ ଉପଗ୍ରହ ଭଳି ମାନବକୃତ ଧାତବ ସାମଗ୍ରୀ ବା ସେସବୁର ଭଗ୍ନାଂଶ। ସମ୍ପ୍ରତି ଅନ୍ୟୂନ ୭୦ଟି ଦେଶର ମହାକାଶ ପ୍ରକଳ୍ପ ସକ୍ରିୟ ରହିଛି। ଆଗାମୀ ଦଶନ୍ଧି ବେଳକୁ ବାର୍ଷିକ ପ୍ରାୟ ୧୨,୦୦୦ ନୂଆ ସାଟେଲାଇଟ୍ ମହାକାଶକୁ ଉତ୍କ୍ଷେପଣ କରାଯାଉଥିବ ବୋଲି ଆକଳନ କରାଯାଉଛି। ତେଣୁ ଏବେଠୁ ମହାକାଶ ଆବର୍ଜନା ପରିଷ୍କାର ବ୍ୟବସ୍ଥା ନ ହେଲେ ଆଗକୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ଗବେଷକମାନେ କହୁଛନ୍ତି।
ଅଳ୍ପ କିଛି ବର୍ଷ ହେବ ଅନ୍ତରୀକ୍ଷ ବା ମହାକାଶ ଆବର୍ଜନାକୁ ନେଇ ଚିନ୍ତନ ଆରମ୍ଭ ହୋଇଛି । ବିଶେଷଜ୍ଞମାନେ କହୁଛନ୍ତି ଯେ, ଯଥାଶୀଘ୍ର ଏ ସମସ୍ୟା ସମାଧାନ କରାଯିବା ଆବଶ୍ୟକ। ଅର୍ବିଟାଲ୍ ମ୍ୟାପିଙ୍ଗ୍ ପ୍ରତିଷ୍ଠାନ ‘ଲିଓ ଲ୍ୟାବ୍ସ୍’ର ଗବେଷକମାନେ ସାବଧାନ କରାଇ ଦେଇଛନ୍ତି ଯେ, ପୃଥିବୀର କକ୍ଷପଥରେ ଯେତେ ସବୁ ବର୍ଜ୍ୟବସ୍ତୁ ଘୂରିବୁଲୁଛି, ତାହା ଖୁବ୍ ଶୀଘ୍ର ପ୍ରଳୟଙ୍କର ପରିସ୍ଥିତି ଆଣିବା ସୁନିଶ୍ଚିତ। ‘ଫୋର୍ବସ୍’ ପତ୍ରିକା ସହିତ ସାକ୍ଷାତ୍କାର ବେଳେ ‘ଲିଓ ଲ୍ୟାବ୍ସ୍’ର ବରିଷ୍ଠ ଗବେଷକ ଡାରେନ୍ ମ୍ୟାକ୍ନାଇଟ୍ କହିଛନ୍ତି, ମହାକାଶ ଆବର୍ଜନାରୂପୀ ବୋମା ବିସ୍ଫୋରିତ ହେବାକୁ ଯାଉଛି। ଏହାର ପରିଣାମ କ’ଣ ହେବ ତାହା କଳନା କରିବା ସମ୍ଭବ ନୁହେଁ।
ସମ୍ପ୍ରତି ଅନ୍ତରୀକ୍ଷରେ ବିପୁଳ ଧାତବ ଆବର୍ଜନା ଭାସି ବୁଲୁଛି ଏବଂ ତଜ୍ଜନିତ ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ଲାଗି ମ୍ୟାକ୍ନାଇଟ୍ ଏବଂ ତାଙ୍କ ସହକର୍ମୀମାନେ ଉଦ୍ୟମ ଚଳାଇଛନ୍ତି। ହିସାବରୁ ଜଣାପଡ଼ିଛି ଯେ, ପୃଥିବୀକୁ ବେଢ଼ିରହି ସଫ୍ଟ୍ବଲ୍ଠାରୁ ବଡ଼ ଆକାରର ପ୍ରାୟ ୩୦ ହଜାର ଧାତବ ଭଗ୍ନାଂଶ ଅତି କ୍ଷିପ୍ର ଗତିରେ ଘୂରିବୁଲୁଛନ୍ତି। ଏହାର ପରିଣାମ ଏତେ ଭୟାବହ େଯ ତା’ର ପ୍ରତିକାର କରିବା ସମ୍ଭବ ହେବ କି ନାହିଁ, ସେ ବିଷୟରେ ‘ଲିଓ ଲ୍ୟାବ୍ସ୍’ ମଧ୍ୟ ସୁନିଶ୍ଚିତ ହୋଇପାରୁନାହିଁ।
‘ଲିଓ ଲ୍ୟାବ୍ସ୍’ର ସିଇଓ ଡାନ୍ ସିପର୍ଲିଙ୍କ କହିବା ଅନୁସାରେ, ପରିସ୍ଥିତି ଏଡ଼େ ଜଟିଳ ଯେ, କୌଣସି ମୁହୂର୍ତ୍ତରେ ଅଘଟଣ ଘଟିପାରେ। ମହାକାଶ ଆବର୍ଜନା ମାନବ ଜୀବନ, ବିଶେଷକରି ମହାକାଶଚାରୀଙ୍କ ପାଇଁ ବଡ଼ ବିପଦ ସୃଷ୍ଟି କରୁଛି। ଉଡ଼ିବୁଲୁଥିବା ଯେକୌଣସି ଆକାରର ଧାତବ ଟୁକୁଡ଼ା ମହାକାଶଚାରୀଙ୍କ ପାଇଁ ମାରାତ୍ମକ ପରିସ୍ଥିତି ସୃଷ୍ଟି କରିବ।
ଅର୍ବିଟାଲ୍ ମ୍ୟାପିଙ୍ଗ୍ ପ୍ରତିଷ୍ଠାନ ‘ଲିଓ ଲ୍ୟାବ୍ସ୍’ର ଗବେଷକମାନେ ସାବଧାନ କରାଇ ଦେଇଛନ୍ତି ଯେ, ପୃଥିବୀର କକ୍ଷପଥରେ ଯେତେ ସବୁ ବର୍ଜ୍ୟବସ୍ତୁ ଘୂରିବୁଲୁଛି, ତାହା ଖୁବ୍ ଶୀଘ୍ର ପ୍ରଳୟଙ୍କର ପରିସ୍ଥିତି ଆଣିବା ସୁନିଶ୍ଚିତ।
ଚାରି ମିଲିମିଟର୍ ଗୋଲେଇର ଛୋଟ ଧାତବ ପଦାର୍ଥ ଚିହ୍ନଟ କରିବା ଭଳି ବୈଷୟିକ ବିଦ୍ୟା ‘ଲିଓ ଲ୍ୟାବ୍ସ୍’ର ଅଛି। କିନ୍ତୁ, ଏଥିରେ ତା’ଠାରୁ ଛୋଟ ପଦାର୍ଥ ସବୁର ଠିକ୍ ଅବସ୍ଥାନ ଆକଳନ ସମ୍ଭବ ନୁହେଁ। ଯୋଗ ଭଲ, ଏଯାବତ୍ ମହାକାଶ ଆବର୍ଜନା ମାନବ ଜୀବନ ପ୍ରତି ବିପତ୍ତି ସୃଷ୍ଟି କରିନାହିଁ। କିନ୍ତୁ, ତଜ୍ଜନିତ ଅସୁବିଧା ଆରମ୍ଭ ହୋଇଯାଇଛି। ୨୦୨୧ରେ ଗୋଟାଏ କ୍ଷୁଦ୍ର ଧାତବ ଟୁକୁଡ଼ା ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ବାହାରକୁ ରହିଥିବା ‘କ୍ୟାନାଡାର୍ମ ୨’ ରୋବୋଟିକ୍ ଆର୍ମ (ରୋବଟ୍ ଚାଳିତ ବାହୁ)ରେ ଛିଦ୍ର କରି ତାହାକୁ ନଷ୍ଟ କରିଦେଇଥିଲା।
ଭୂପୃଷ୍ଠଠାରୁ ଅପେକ୍ଷାକୃତ ସ୍ବଳ୍ପ ଉଚ୍ଚରେ ସାଧାରଣତଃ ୧୦୦୦ କିଲୋମିଟର୍ରୁ କମ୍ ଉଚ୍ଚରେ ଥାଇ ପରିକ୍ରମଣ କରୁଥିବା ମହାକାଶ ଧାତବ ଆବର୍ଜନା ସବୁଠୁ ଅଧିକ ବିପଜ୍ଜନକ ହୋଇପାରେ। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ପୂର୍ବର ସୋଭିଏତ୍ ସଂଘର ଅନେକଗୁଡ଼ିଏ ବ୍ୟବହୃତ ରକେଟ୍ ଉପରିଭାଗ ମହାକାଶରେ ଭାସି ବୁଲୁଛି। ସେସବୁକୁ କିଭଳି ହଟାଯିବ ସେମାନେ ବ୍ୟବସ୍ଥା କରୁନାହାନ୍ତି। ୨୦୨୨ ଜୁନ୍ରେ ଉଡ଼ି ବୁଲୁଥିବା ଭଗ୍ନ ରକେଟ୍ ଦୁଇଟି ପରସ୍ପରର ୫୦୦ ଫୁଟ୍ ପାଖକୁ ଚାଲିଆସିଥିଲେ। କିନ୍ତୁ, କୌଣସିମତେ ଧକ୍କା ଟାଳିଦେଇ ହୋଇଥିଲା। ସେମିତି, ଭାସି ବୁଲୁଥିବା ଗୋଟାଏ ଭଙ୍ଗା ରୁଷୀୟ ରକେଟ୍ ସହିତ ଧକ୍କା ଖାଇବାରୁ ୨୦୨୧ରେ ଚୀନ୍ର ଏକ ସେନା ସାଟେଲାଇଟ୍ (ୟୁନ୍ହାଇ ୧-୦୨) ନଷ୍ଟ ହୋଇଗଲା।