ଗରୁଡ଼ ଶୟନ ଦ୍ୱାଦଶୀ

ଯେଅମିତ ସାହସ ଓ ପରାକ୍ରମସଂପନ୍ନ ତେଜରେ ସମସ୍ତ ଦିଗକୁ ପ୍ରକାଶିତ କରନ୍ତି; ଯାହାଙ୍କ ପାଖରେ ନିଜ ଇଚ୍ଛା ଅନୁସାରେ ରୂପଧାରଣ କରିବାର ଶକ୍ତି ରହିଛି; ଯିଏ ଯେଉଁ ସ୍ଥାନକୁ ଯିବାକୁ ଚାହାଁନ୍ତି ଯାଇ ପାରନ୍ତି ଏବଂ ନିଜ ଇଚ୍ଛା ଅନୁସାରେ, ପରାକ୍ରମ ଦେଖାଇ ପାରନ୍ତି, ତାଙ୍କର ପ୍ରାକଟ୍ୟ ଆକାଶଚାରୀ ପକ୍ଷୀ ରୂପରେ ହୋଇଥିଲା। ସେ ହେଉଛନ୍ତି କାଶ୍ୟପନନ୍ଦନ ଗରୁଡ଼। ସେ ମହାନ ବିଷ୍ଣୁଭକ୍ତ ଓ ଶ୍ରୀବିଷ୍ଣୁଙ୍କର ବାହନ।

ବୃଷଭ ଯେପରି ଶିବମନ୍ଦିରରେ ଶିବଙ୍କର ପ୍ରତୀକ, ସେହିପରି ବିଷ୍ଣୁମନ୍ଦିରରେ ଗରୁଡ଼ଙ୍କ ଉପସ୍ଥିତି ଅପରିହାର୍ଯ୍ୟ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ମଧ୍ୟ ଗରୁଡ଼ ବିଦ୍ୟମାନ। ଶ୍ରୀମନ୍ଦିରର ଜଗମୋହନ ଓ ଭୋଗମଣ୍ଡପ ମଧ୍ୟବର୍ତ୍ତୀ ନାଟମଣ୍ଡପ ମଧ୍ୟରେ, ଦଶଫୁଟ ଉଚ୍ଚତାର ଏକ ସ୍ତମ୍ଭ ଉପରେ ରହିଛନ୍ତି ଯୋଡ଼ହସ୍ତ ଗରୁଡ଼ ମୂର୍ତ୍ତି। ପ୍ରାୟ ସମସ୍ତ ଭକ୍ତ ଏହି ସ୍ତମ୍ଭ ପଛରେ ଠିଆହୋଇ ଏକତ୍ର ତ୍ରିମୂର୍ତ୍ତି ଦର୍ଶନ କରିଥାନ୍ତି ଏବଂ ଏହି ସ୍ତମ୍ଭକୁ ଆଲିଙ୍ଗନ କରିଥାନ୍ତି। ‘ନୃସିଂହପୁରାଣ’ର ବର୍ଣ୍ଣନା ଅନୁସାରେ, ମହାପ୍ରଭୁ ଗରୁଡ଼ଙ୍କୁ କହିଛନ୍ତି-
ତୋତେ ଦର୍ଶନ କରିବେ ଆଗ ସବୁପ୍ରାଣୀ। ପରେ ଦର୍ଶନ କରିବେ ମୋତେ ଯାଇ ପୁଣି।ା

ଗରୁଡ଼ଙ୍କୁ ଦର୍ଶନ କଲା ପରେ ଭକ୍ତମାନେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥାନ୍ତି। କଥିତ ଅଛି, ଗରୁଡ଼ଙ୍କ ସମ୍ମୁଖରେ ମହାପ୍ରଭୁ ଭୋଜନ କରିଥାନ୍ତି- ତୋହର ମୋହର ଦୃଷ୍ଟି ନ ପଡ଼ିବ ଯହିଁ। ସେହି ଦ୍ରବ୍ୟ ଯାକ ମୋତେ ଅମେଧ୍ୟ ଅଟଇ।ା ଭକ୍ତ ଓ ଭକ୍ତିର ଅନନ୍ୟ ବିଭାବ ମହାପ୍ରଭୁଙ୍କର ଶୟନଯାତ୍ରା। ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ଶୟନ ଯାତ୍ରା ଅନୁଷ୍ଠିତ ହୁଏ। ତା’ ପରଦିନ, ଅର୍ଥାତ୍ ଶୁକ୍ଳ ଦ୍ୱାଦଶୀ ତିଥିରେ ଗରୁଡ଼ ମଧ୍ୟ ଶୟନ କରନ୍ତି। ତ୍ରିକାଳ ପୂଜାର ସମାପ୍ତି ପରେ, ଗରୁଡ଼ଙ୍କୁ ପଞ୍ଚାମୃତରେ ସ୍ନାନ କରାଇ ଦୁଇଖଣ୍ଡ ବସ୍ତ୍ରରେ ମଣ୍ଡିତ କରାଯାଏ। ଚନ୍ଦନ ଓ ପୁଷ୍ପାଦି ଅଳଙ୍କାର ଦ୍ୱାରା ତାଙ୍କୁ ଭୂଷିତ କରାଯାଏ। ଉତ୍ତମ ନୈବେଦ୍ୟ ପ୍ରଦାନ ପୂର୍ବକ ପଞ୍ଚଉପଚାରରେ ପୂଜାର୍ଚ୍ଚନା କରାଯାଇ ପୁଷ୍ପାଞ୍ଜଳି ଦିଆଯାଏ। ଏହାପରେ ଗରୁଡ଼ଙ୍କୁ ପ୍ରାର୍ଥନା କରାଯାଏ, “ମହାପ୍ରଭୁଙ୍କର ପ୍ରୀତି ଅର୍ଥରେ ତାଙ୍କ ପଲଙ୍କ ତଳେ ସୁଖରେ ଶୟନ କରିବା ହେଉ।” ଏହିପରି ପ୍ରାର୍ଥନା କରାଯାଇ ତାଙ୍କୁ ଶୟନ ପ୍ରତିମାଙ୍କ ପଲଙ୍କ ତଳେ ଶୟନ କରାଯାଇଥାଏ।

ପୁନଶ୍ଚ କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ପ୍ରଭୁଙ୍କର ନିଦ୍ରାଭଙ୍ଗ ହୁଅନ୍ତେ, ଗରୁଡ଼ଙ୍କୁ ମଧ୍ୟ ଗାତ୍ର ଉତ୍‌ଥାପନ ନିମିତ୍ତ ପ୍ରାର୍ଥନା କରାଯାଇ ତାଙ୍କର ନିଦ୍ରାଭଙ୍ଗ କରାଯାଇଥାଏ। ଏଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସେବା, ପୂଜା, ମଣୋହି ଆଦି ସହିତ ବୈନତେୟ ଗରୁଡ଼ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ।
– ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର