ସମୁଦ୍ରପତ୍ତନଠାରୁ ପ୍ରାୟ ୬୫୦୨ ଫୁଟ ଉଚ୍ଚରେ ରୁଦ୍ରପ୍ରୟାଗ ଜିଲାର ତୁଷାରାବୃତ ପର୍ବତଶ୍ରେଣୀ ମଧ୍ୟରେ ଏକ ଉଷ୍ମ ଜଳଧାରା ସଂପନ୍ନ କୁଣ୍ଡ ବା ସରୋବର ଅବସ୍ଥିତ। ତାହାକୁ ପାର୍ବତ୍ୟ ସରୋବର ବା ଗୌରୀକୁଣ୍ଡ କୁହାଯାଏ। ଭାରତର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ଅନ୍ୟତମ ଜ୍ୟୋତିର୍ଲିଙ୍ଗ ହେଉଛନ୍ତି କେଦାରନାଥ। ଯେଉଁମାନେ ଚାରିଧାମ ଯାତ୍ରାକରି କେଦାରନାଥ ଯାତ୍ରା କରନ୍ତି, ପଥ ମଧ୍ୟରେ ଥିବା ପାବନୀ ସରୋବର ଗୌରୀକୁଣ୍ଡରେ ସ୍ନାନ କରି ଯାତ୍ରାରମ୍ଭ କରିଥାନ୍ତି। ଗୌରୀକୁଣ୍ଡଠାରୁ ପ୍ରାୟ ଦଶ କିଲୋମିଟର ଦୂରରେ କେଦାରନାଥ ଅବସ୍ଥିତ। 

Advertisment

ଗୌରୀକୁଣ୍ଡ ଏକ ପ୍ରାକୃତିକ ଉଷ୍ମ ପ୍ରସ୍ରବଣ। ଭୌଗୋଳିକ ଦୃଷ୍ଟିକୋଣରୁ ଏହା ଯେତିକି ଆଶ୍ଚର୍ଯ୍ୟଜନକ, ଏହାକୁ ଆଶ୍ରୟ କରି ଗଢ଼ିଉଠିଥିବା କିଂବଦନ୍ତି ସେହିପରି ରୋଚକ। ପ୍ରଥମ କିଂବଦନ୍ତି ଅନୁଯାୟୀ, ଏହି କୁଣ୍ଡର ଜଳ ପାର୍ବତୀଙ୍କର ତପସ୍ୟା ଦ୍ୱାରା ପବିତ୍ର ହୋଇଥିଲା। ଦକ୍ଷଯଜ୍ଞରେ ସତୀଙ୍କର ମୃତ୍ୟୁ ପରେ ମହାଦେବ ବିଶାହରା ବୈରାଗୀରେ ପରିଣତ ହୋଇଯାଇଥିଲେ। ତେଣୁ ଦେବୀ ଜଗଦମ୍ବା ହିମାଳୟଙ୍କର ପୁତ୍ରୀ ଭାବରେ ଜନ୍ମଗ୍ରହଣ କରି, ଶିବଙ୍କୁ ପତି ରୂପେ ପାଇବାପାଇଁ ଇଚ୍ଛା କଲେ। କିନ୍ତୁ ଶିବ ଏଥିପ୍ରତି ଦୃଷ୍ଟିପାତ ନ କରିବାରୁ ପର୍ବତକନ୍ୟା ପାର୍ବତୀ କଠୋର ତପସ୍ୟା କରି ଶିବଙ୍କୁ ଆକର୍ଷିତ ଓ ପ୍ରସନ୍ନ କରିବାକୁ ଚେଷ୍ଟା କଲେ। ସେ ପ୍ରଥମେ ଫଳାହାର ଏବଂ ତା’ପରେ ପତ୍ରାହାର ଓ ଜଳାହାର କରି ତପସ୍ୟା କଲେ। କିନ୍ତୁ ଶିବଙ୍କର ହୃଦୟ ପରିବର୍ତ୍ତନର କୌଣସି ଉପାୟ ନ ଦେଖି, କୌଣସି ଆହାର ନ କରି ଜଳ ମଧ୍ୟରେ ରହି ତପସ୍ୟା କଲେ। ଏହା ଫଳରେ ଶିବ ସନ୍ତୁଷ୍ଟ ହେଲେ ଏବଂ ଗୌରୀକୁଣ୍ଡ ନିକଟକୁ ଆସି ପାର୍ବତୀଙ୍କୁ ଦର୍ଶନ ଦେଲେ। ନିକଟରେ ଥିବା ତ୍ରିଯୋଗୀ ନାରାୟଣ ମନ୍ଦିରରେ ସେମାନଙ୍କର ବିବାହ ସମ୍ପନ୍ନ ହେଲା। ପରେ ଏହି ସରୋବର ଦେବୀ ପାର୍ବତୀଙ୍କର ନିତ୍ୟସ୍ନାନ ପୁଷ୍କରିଣୀରେ ପରିଣତ ହୋଇଗଲା। 

ଅନ୍ୟ ଏକ କିଂବଦନ୍ତି ଅନୁଯାୟୀ, ଏହି ସରୋବରର ଜଳ ପାର୍ବତୀଙ୍କର ଶ୍ୟାମବର୍ଣ୍ଣକୁ ନେଇ ସାଧାରଣ ଜଳର ରଂଗଠାରୁ ଅଧିକ ନୀଳ। କଥାଟି ଏହିପରି- ଦେବୀ ପାର୍ବତୀ ଥିଲେ ଶ୍ୟାମବର୍ଣ୍ଣା। ତେଣୁ ଶିବ ତାଙ୍କୁ କାଳୀ, କାଳୀ କହି ଚିଡ଼ାଉଥିଲେ। ଏଥିରେ ଦୁଃଖିତା ପାର୍ବତୀ ଗୌରବର୍ଣ୍ଣ ପ୍ରାପ୍ତି ନିମିତ୍ତ ସରୋବର ମଧ୍ୟରେ ରହି ବ୍ରହ୍ମାଙ୍କୁ ତପସ୍ୟା କଲେ। ବ୍ରହ୍ମା ପାର୍ବତୀଙ୍କୁ ଗୌରବର୍ଣ୍ଣା କରିଦେଲେ ଏବଂ ପାର୍ବତୀଙ୍କର କଳା ରଙ୍ଗ ଗ୍ରହଣ କରି ପାର୍ବତୀ-ସରୋବରର ପାଣି କଳା ରଙ୍ଗ ହୋଇଗଲା। ସରୋବରଟି ଗୌରୀକୁଣ୍ଡ ନାମରେ ବିଖ୍ୟାତ ହେଲା। 

ଏହି ସରୋବରର ଉଦ୍‌ବୃତ୍ତ ଜଳ ଯାଇ ମନ୍ଦାକିନୀରେ ମିଶିଥାଏ। ସରୋବର ନିକଟରେ ଶିବପାର୍ବତୀଙ୍କର ଏକ ମନ୍ଦିର ଅଛି। ଶିବରାତ୍ରି ଦିନ ଭକ୍ତମାନେ ଆସି ଏଠାରେ କ୍ଷୀର ଓ ଜଳ ଅର୍ପଣ କରିଥାନ୍ତି। ଏଠାରେ ଏକ ବିରାଟ ପ୍ରସ୍ତର ଖଣ୍ଡ ରହିଛି, ଯାହାକୁ ଉମାଶଙ୍କର ଶିଳା କୁହାଯାଏ। ଏହି ଶିଳାଖଣ୍ଡକୁ ଲଙ୍କାରୁ ନିର୍ବାସିତ ଶିବଭକ୍ତମାନଙ୍କର ଆତ୍ମା କୁହାଯାଏ। ଗୌରୀକୁଣ୍ଡରେ ସ୍ନାନ ସର୍ବରୋଗହାରକ ବୋଲି ବିଶ୍ୱାସ ରହିଛି।