ପାଟନା: ବୁଣାକାରଙ୍କ ପୁଅ ହେଲେ ଜେଇଇ ଟପ୍ପର। ବିହାରର ମାନପୁର ବ୍ଲକର ପାଟୱା ଟୋଲିରେ ରହୁଥିବା ଗୁଲଶନ କୁମାର ଏହି କମାଲ କରି ଦେଖାଇଛନ୍ତି। ଜେଇଇ ମେନ୍ ପରୀକ୍ଷାରେ ଶତପ୍ରତିଶତ ମାର୍କ ରଖି ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ଗୁଲଶନ। ବିହାରର ଗୁଲଶନ କୁମାର ୪୧ଜଣ ଛାତ୍ରଛାତ୍ରୀଙ୍କ ସହ ଜାତୀୟ ଟପ୍ପର ହୋଇଥିବା ଜଣାପଡ଼ିଛି। ପ୍ରବେଶିକା ପରୀକ୍ଷା ଫଳାଫଳ ଘୋଷଣା ପରେ ଏବେ ଗୁୁଲଶନଙ୍କ ଖୁସିର ଠିକଣା ନାହିଁ।

Advertisment

ଜେଇଇ ମେନ୍ ପରୀକ୍ଷାରେ ଟପ୍ପର ହେବା ପରେ ଏବ‌େ ୧୭ବର୍ଷୀୟ ଗୁଲଶନ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହାର ପରୀକ୍ଷା ଜୁନ୍ ୪ତାରିଖରେ ହେବାକୁ ଯାଉଛି। ଗୁଲଶନ ଆଇଆଇଟି-ଦିଲ୍ଲୀ କିମ୍ବା ଆଇଆଇଟି-ମୁମ୍ବାଇରେ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଅଧ୍ୟୟନ କରିବାକୁ ଚାହୁଁଛନ୍ତି। ସେ ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଛନ୍ତି ଯେ ମୋର ମାର୍କ ଏବଂ ପରୀକ୍ଷାରେ ରାଙ୍କିଙ୍ଗ ଆଧାରରେ ମୁଁ ଆଇଆଇଟି-ଦିଲ୍ଲୀ କିମ୍ବା ଆଇଆଇଟି-ମୁମ୍ବାଇକୁ ଯାଇପାରିବି। ବର୍ତ୍ତମାନ, ମୁଁ କେବଳ ଭଲ ମାର୍କ ରଖିବା ପାଇଁ ଜେଇଇ ଆଡଭାନ୍ସଡ ଉପରେ ଧ୍ୟାନ ଦେଉଛି ଯାହା ଦ୍ବାରା ମୁଁ ମୋର ସ୍ୱପ୍ନକୁ ସାକାର କରିପାରିବି।

ଗୁଲଶନଙ୍କ ବାପା ତୁଳସୀ ପ୍ରସାଦ ଜଣେ ବୁଣାକାର ହୋଇଥିବା ବେଳେ ମା’ ଗଙ୍ଗା ଦେବୀ ଘର ସମ୍ଭାଳନ୍ତି। ତୁଳସୀଙ୍କ ବାର୍ଷିକ ଆୟ ୧ଲକ୍ଷରୁ କମ ଥିବାରୁ ତାଙ୍କ ପାଇଁ ୩ପୁଅଙ୍କୁ ପାଠ ପଢ଼ାଇବା କଷ୍ଟକର ଥିଲା। ସ୍କୁଲରେ ଥିବା ବେଳେ ଗୁଲଶନ ଟିଉସନ ଯାଇପାରୁନଥିଲେ। ନିଜ ଚେଷ୍ଟାରେ ସେ ଦଶମରେ ୮୬% ମାର୍କ ରଖିଥିବା ବେଳେ ଏବେ ଦ୍ବାଦଶ ପରୀକ୍ଷା ଫଳାଫଳକୁ ଅପେକ୍ଷା କରିଛନ୍ତି। ଗୁଲଶନ ତାଙ୍କ ସଫଳତାର ଶ୍ରେୟ ତାଙ୍କ ଶିକ୍ଷକ, ଅଭିଭାବକ ଏବଂ ପରିବାରବର୍ଗଙ୍କୁ ଦେଇଛନ୍ତି ଯେଉଁମାନେ ତାଙ୍କୁ ସମସ୍ତ ପ୍ରସ୍ତୁତି ସମୟରେ ଉତ୍ସାହିତ କରିଥିଲେ ଏବଂ ସମର୍ଥନ କରିଥିଲେ।

ଗୁଲଶନଙ୍କ କହିବା ମୁତାବକ, ଦଶମ ପରୀକ୍ଷା ଶେଷ ହେବା ପରେ, ମୁଁ ଏକ ଘରୋଇ ଜେଇଇ କୋଚିଂ ସେଣ୍ଟର ଦ୍ୱାରା କରାଯାଉଥିବା ‘ଫରଚ୍ୟୁନ୍ ୪୦’ ପରୀକ୍ଷା ଦେଇ ପାସ୍ କରିଥିଲି। ଏହା ପରେ ସେଠାରେ ମୁଁ ଜେଇଇ କୋଚିଂ ନେବା ଆରମ୍ଭ କଲି। ମୋର ଶିକ୍ଷକ ଏବଂ ପରାମର୍ଶଦାତାମାନେ ପ୍ରସ୍ତୁତି ସମୟରେ ମୋର ସଠିକ ମାର୍ଗଦର୍ଶନ କରିଥିଲେ। ନିଜେ ପଢ଼ିବା ବ୍ୟତୀତ, ମୁଁ ମକ୍ ଟେଷ୍ଟ ଏବଂ ଟେଷ୍ଟ ସିରିଜ୍ ଅଭ୍ୟାସ କରୁଥିଲି ଯାହା ମୋତେ ଜେଇଇ ମେନରେ ଭଲ ମାର୍କ ଆଣିବାରେ ସାହାଯ୍ୟ କଲା।