ନୂଆଦିଲ୍ଳୀ: ଦିଲ୍ଲୀର ଜିବି ରୋଡ୍ ଏକ ଏପରି ବଦନାମ ଗଳି, ଯାହାର ନାମ ଶୁଣିବା ମାତ୍ରେ ଲୋକେ ନାକ ଟେକିବା ଆରମ୍ଭ କରି ଦେଇଥାନ୍ତି। ଇଂରେଜ ଶାସନ କାଳରେ ଅୟାସୀର ଆଡ୍ଡାସ୍ଥଳୀ ବନିଥିବା ଏହି ଅଞ୍ଚଳ ଏବେ ଦିଲ୍ଲୀ-ଏନ୍ସିଆର୍ର ସବୁଠାରୁ ଚର୍ଚ୍ଚିତ ରେଡ୍ ଲାଇଟ୍ ଏରିଆ । ବର୍ଷା ହେଉ କିମ୍ବା ଉଦୁଉଦିଆ ଖରା, ଦିନ ଦ୍ବିପ୍ରହର ହେଉ କିମ୍ବା ମଧ୍ୟରାତ୍ର, ଏହି ରାସ୍ତାରେ ଯିବା ବେଳେ ବହୁ ଆଖି ଝରକା ସେପାଖରୁ ଗ୍ରାହକଙ୍କୁ ଅନେଇ ରହିଥିବେ। ସେଠାରେ ମିଳିବେ ଏଭଳି ଅନେକ ଚେହେରା, ଯାହା ଉପରେ ଲାଗିଥିବ ମେକ୍ଅପ୍ର ନକଲି ସୌନ୍ଦର୍ଯ୍ୟ ଓ ମୁହଁରେ ଥିବ ଓଠର ନକଲି ହସ। ଯଦି କିଛି ଅସଲି ମଳିବ, ତାହା ହେଉଛି ସେହି ହସ ପଛର ଯନ୍ତ୍ରଣାଭରା ମଜବୁରି।
ଆମେ କହୁଛୁ ସେହି ଦେହଜୀବୀମାନଙ୍କ ବିଷୟରେ। ଯେଉଁମାନେ ନିଜ ମନର ମଣିଷ ପାଇଁ ନୁହେଁ, ସଜେଇ ହୁଅନ୍ତି ଗ୍ରାହକଙ୍କ ପାଇଁ। ବିିନା ବିବାହରେ ମାଆ ହୁଅନ୍ତି। ହେଲେ ପିଲାକୁ ଦେଇପାରନ୍ତିନି ବାପାର ପରିଚୟ। ଏଠାରେ ମିଳନ୍ତି ପ୍ରତ୍ୟେକ ବୟସର ମହିଳା। କମ୍ ବୟସର ଯୁବତୀ ଦିନକୁ ୧୫ରୁ ୨୦ ହଜାର ଟଙ୍କା କମାଉଥିବା ବେଳେ ବୟସ୍କା ମହିଳାଙ୍କ ପାଇଁ ବଢ଼ିଯାଏ ପେଟପାଟଣା ଚିନ୍ତା। ବୟସ ୪୦ ଟପିଲେ ରୋଜଗାର ଏକରକମର ଠପ୍। ଏଠାରେ ୪୫ ବର୍ଷରୁ ଅଧିକ ବୟସ୍କା ମହିଳା ମାତ୍ର ୪୦ ପ୍ରତିଶତ ଥିବା ବେଳେ ୫୦-ରୁ ୫୫ ବର୍ଷ ମଧ୍ୟରେ ବି କିଛି ମହିଳା ରହିଛନ୍ତି।
ଏଠାରେ ରହନ୍ତି ୩୫ ବର୍ଷୀୟା କମଳା (ଛନ୍ମନାମ) ନାମ୍ନୀ ଜଣେ ମହିଳା। କମଳାଙ୍କର ଏକ ୫ ବର୍ଷର ପୁଅ ବି ଅଛି। କମଳାଙ୍କ ବାନ୍ଧବୀ ସାରିକା (ଛନ୍ମନାମ)ଙ୍କ କହିବା କଥା ହେଉଛି କମଳାଙ୍କ ଉକ୍ତ ପୁଅ ଜଣେ ଗ୍ରାହକଙ୍କର। ଜାଣିବାକୁ ମିଳିଛି ଯେ ପିଲା ଛୋଟ ଥିବା ବେଳେ ସେମାନଙ୍କୁ ସେମାନଙ୍କ ମାଆ ପାଳିଥାନ୍ତି ଓ ବଡ଼ ହେବା ପରେ ସେହି ପିଲାମାନଙ୍କୁ ହଷ୍ଟେଲ୍ରେ ଛାଡ଼ି ଦିଆଯାଏ।
ଏପରି ବି କିଛି ଉଦାହରଣ ରହିଛି, କିଛି ସନ୍ତାନ ବଡ଼ ହୋଇ ନିଜ ଗୋଡ଼ରେ ଛିଡ଼ା ହେବା ପରେ ସେମାନଙ୍କ ମାଆଙ୍କୁ ସେଠାରୁ ନେଇ ଯାଇଛନ୍ତି। ସେହିପରି ୪୦ ବର୍ଷୀୟା ଜଣେ ମହିଳା କହନ୍ତି ଯେ ସେ ସେଠାରେ ୨୦ ବର୍ଷ କାଟିବା ପରେ ଏବେ ସ୍ବାଧୀନ ଭାବରେ ନିଜର ଏକ ଭୋଜନାଳୟ କରିଛନ୍ତି। ତାଙ୍କ ପୁଅ ବଡ଼ ହେବା ପରେ ନିଜ ମାଆଙ୍କୁ ଏହି କାମ କରିବାକୁ ମନା କରିବାକୁ ସେ ପୁଅର ସମ୍ମାନ ପାଇଁ ଏପରି ପଥ ଆପଣେଥିବା କହିଛନ୍ତି।
ସେଠାରେ କାମ କରୁଥିବା ସୁରଭୀ ନାମ୍ନୀ ଜଣେ ମହିଳାଙ୍କୁ ତାଙ୍କ ଗ୍ରାହକ ପ୍ରେମ କରିବସିଲେ। ଗ୍ରାହକ ଜଣକ ତାଙ୍କୁ ବାହାରକୁ ନେଇ ବିବାହ କରି ଘର ସଂସାର କଲେ। ସେମାନଙ୍କର ୨ଟି ପୁଅ ହେଳେ। ମାତ୍ର ଦୁର୍ଭାଗ୍ୟକୁ ସୁରଭୀଙ୍କୁ ସ୍ବାମୀଙ୍କର ମଧ୍ୟ ବୟସରୁ ମୃତ୍ୟୁ ହୋଇଯିବା କାରଣରୁ ସେ ପୁଣି ସେହି ପନ୍ଥା ଆପଣେଥିଲେ। ମାତ୍ର ସେ ନିଜ ପୁଅମାନଙ୍କୁ ଏହି ପରିବେଶରୁ ଦୂରରେ ରଖିଛନ୍ତି। ତାଙ୍କ ଗୋଟାଏ ପୁଅ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟ ପୁଅ ସେନାରେ ନିଯୁକ୍ତ ପାଇଛି । ସେମାନେ ଜାଣନ୍ତି ନାହିଁ ଯେ ସେମାନଙ୍କ ମାଆ ଏବେ ଏହି ବୃତ୍ତିରେ ଅଛନ୍ତି ବୋଲି।