‘ଭିଭିଆନାଇଟ୍‌’ ହେଉଛି ଏକ ରତ୍ନ ପଥର ଯାହା ପ୍ରାଚୀନ ମୃତ ଶରୀର ଉପରେ ସୃଷ୍ଟି ହୋଇଥାଏ। ଏହି ବିରଳ ରତ୍ନ ହେଉଛି ଫସ୍‌ଫରସ୍‌ ଖଣିଜର ଏକ ଯୌଗିକ। ସୌନ୍ଦର୍ଯ୍ୟ ଓ ରଙ୍ଗିନ ଗଠନ ପାଇଁ ପରିଚିତ ଏହି ରତ୍ନ ପଥରଟି ଲୌହ-ସମୃଦ୍ଧ ଅସ୍ଥି, କ୍ଷୟପ୍ରାପ୍ତ କାଠଗଣ୍ଡି ଓ ଅନ୍ୟାନ୍ୟ ଜୈବିକ ଅବଶେଷରେ ବିକଶିତ ହୋଇଥାଏ। ସେଗୁଡ଼ିକ ପେଗ୍ମାଟାଇଟ୍‌ସ ନାମକ ଏକ ଫସଫେଟ୍‌-ସମୃଦ୍ଧ ଆଗ୍ନେୟ ଶୀଳାରେ ମଧ୍ୟ ମିଳିଥା’ନ୍ତି। ଉକ୍ତ ରତ୍ନଟି ଅତ୍ୟନ୍ତ ଭଙ୍ଗୁର ଏବଂ ପ୍ରାରମ୍ଭିକ ଅବସ୍ଥାରେ ତାହା ଧଳା ବା ସ୍ବଚ୍ଛ ଦେଖାଯାଉଥିବା ବେଳେ ଆଲୋକ ସଂସ୍ପର୍ଶରେ ଆସିଲେ ତାହାର ରଙ୍ଗ ବଦଳିଥାଏ। ଜାରଣ ପ୍ରକ୍ରିୟା ଯୋଗୁଁ ତାହା କ୍ରମେ ନୀଳ, ଗାଢ଼ ସବୁଜ ଓ ବାଇଗଣୀ ରଙ୍ଗରେ ପରିଣତ ହୋଇଥାଏ। ଉକ୍ତ ରତ୍ନର ଗଠନ ପାଇଁ ଲୌହ, ଜଳ ଓ ଫସ୍‌ଫେଟ୍‌ ମଧ୍ୟରେ ରାସାୟନିକ କ୍ରିୟା ହିଁ ଦାୟୀ। ଆମ ଶରୀରରେ ପ୍ରଚୁର ପରିମାଣର ଫସ୍‌ଫେଟ୍‌ (ଅସ୍ଥି ଓ ଦାନ୍ତରେ) ରହିଛି। ତେଣୁ ମଣିଷର ଶବ ବିଘଟିତ ହୋଇ ଏହି ରାସାୟନିକ ପଦାର୍ଥଗୁଡ଼ିକ ଜଳକଣା ଓ ଲୌହକଣା ସଂସ୍ପର୍ଶରେ ଆସି ଏକ ବିଶେଷ ସ୍ଥିତିରେ ‘ଭିଭିଆନାଇଟ୍‌’ ରତ୍ନର ରୂପ ନେଇଥାଏ। ତେବେ ଶତାବ୍ଦୀ ଶତାବ୍ଦୀ ପୂର୍ବେ କବର ଦିଆଯାଇଥିବା ଶରୀରରେ ଏହା ସୃଷ୍ଟି ହୋଇଥାଏ। ୧୮୧୭ ମସିହାରେ ଇଂଲାଣ୍ଡର କର୍ଣ୍ଣଵାଲ୍‌ ଠାରେ ଇଂରେଜୀ ଖଣିଜବିତ୍‌ ଜନ୍‌ ହେନରି ଭିଭିଆନ୍‌ଙ୍କ ଦ୍ବାରା ଏଭଳି ପ୍ରଥମ ରତ୍ନ ଆବିଷ୍କୃତ ହୋଇଥିବାରୁ ତାହାକୁ ତାଙ୍କ ନାମ ଅନୁଯାୟୀ ‘ଭିଭିଆନାଇଟ୍‌’ ରଖାଯାଇଛି।

Advertisment