ଦୋଳଗୋବିନ୍ଦ ପଣ୍ଡା
ଧାତୁ ଭିତରେ ପ୍ଲାଟିନମ୍ ଓ ରତ୍ନ ଭିତରେ ହୀରା ହେଉଛି ଶ୍ରେଷ୍ଠ। ହୀରା ଏକ ଅତୁଳନୀୟ ରତ୍ନପଥର। ଏହା ଅତ୍ୟନ୍ତ ମୂଲ୍ୟବାନ୍ ହୋଇଥିବା ବେଳେ ଏହାର ସହୋଦର ଗ୍ରାଫାଇଟ୍ ଓ କୋଇଲାର ମୂଲ୍ୟ ନଗଣ୍ୟ। ଏସବୁ କାର୍ବନ ବା ଅଙ୍ଗାରକର ପରିବର୍ତ୍ତିତ ରୂପ। ଖଣି ଭିତରେ ଅତ୍ୟଧିକ ଚାପ ଓ ତାପ ପାଇ କୋଇଲା ହିଁ ହୀରାରେ ପରିଣତ ହୁଏ। ପେନ୍ସିଲ୍ରେ ବ୍ୟବହୃତ ଗ୍ରାଫାଇଟ୍ ବି ଏହାର ଏକ ରୂପାନ୍ତର। କଠିନତା, ଔଜ୍ଜ୍ବଲ୍ୟ ଓ ଚମକ ହିଁ ହୀରାକୁ ଅତୁଳନୀୟ ରତ୍ନରେ ପରିଣତ କରିଥାଏ।
ହୀରାର କାର୍ବନ୍ ପରମାଣୁ ସବୁ ଦିଗରେ ସମାନ ଢଙ୍ଗରେ ବନ୍ଧା ହୋଇଥାଏ। ଅନ୍ୟ ଏକ ଖଣିଜ ପଦାର୍ଥ, ଗ୍ରାଫାଇଟ୍ରେ କେବଳ କାର୍ବନ୍ ରହିଥାଏ, କିନ୍ତୁ ଏହାର ଗଠନ ପ୍ରକ୍ରିୟା ଏବଂ ସ୍ଫଟିକ ଗଠନ ବହୁତ ଭିନ୍ନ ଅଟେ। ଅଧିକାଂଶ ହୀରା ଏକ ବିଲିୟନ୍ ବର୍ଷ ପୂର୍ବେ ପୃଥିବୀର ଗଭୀରତାରେ ସୃଷ୍ଟି ହୋଇଥିଲା। ସବୁଠାରୁ ପୁରାତନ ହୀରା ପ୍ରାୟ ୩.୫ ବିଲିୟନ୍ ବର୍ଷ ପୁରୁଣା ବୋଲି ବିଶ୍ୱାସ କରାଯାଏ। ହୀରାଗୁଡ଼ିକୁ ଚାରିଟି ‘ସି’ ଆଧାରରେ ଶ୍ରେଣୀଭୁକ୍ତ କରାଯାଏ, ଯଥା-: କ୍ୟାରେଟ୍ (ଓଜନ), କଲର୍ (ରଙ୍ଗ), କଟ୍ (କଟା) ଓ କ୍ଲାରିଟି (ସ୍ପଷ୍ଟତା)। ହୀରା ବା ଯେକୌଣସି ରତ୍ନକୁ ରତି ବା କ୍ୟାରେଟ୍ ଏକକରେ ମପାଯାଏ। ଏହା ହୀରାର ଓଜନକୁ ସୂଚାଏ। ବଡ଼ ବା ଅଧିକ ଓଜନବିଶିଷ୍ଟ ହୀରା ହେଉଛି ଦୁର୍ଲଭ ଓ ଏହାର ଦାମ୍ ଅଧିକ। କଟ୍ ମାନେ କାଟିବା ଅର୍ଥାତ୍ ହୀରାକୁ ତା’ର ମୂଳ ଅବସ୍ଥାରୁ କେତେ ସୁନ୍ଦର ଭାବରେ କଟାଯାଇଛି। କଟିଂ ଯେତେ ସୁନ୍ଦର ହେବ ସେ ହୀରା ସେତେ ସୁନ୍ଦର ଓ ମୂଲ୍ୟବାନ୍ ହେବ। ଉତ୍ତମ ଭାବେ କଟା ହୋଇଥିବା ହୀରା ସୁନ୍ଦର ଭାବରେ ଆଲୋକ ପ୍ରତିଫଳନ କରିଥାଏ। କ୍ଲାରିଟି ମାନେ ହୀରା ଭିତରେ କିଛି ଅନ୍ୟ ଉପାଦାନ ମିଶିକରି ଅଛି କି, ନାହିଁ। କିଛି ମିଶି ନ ଥିଲେ ଏହା ଅଧିକ ସୁନ୍ଦର ଓ ସ୍ବଚ୍ଛ ହୋଇଥାଏ, ଯାହାର ଦାମ୍ ସାମାନ୍ୟ ଅପମିଶ୍ରିତ ହୀରାଠାରୁ ଯଥେଷ୍ଟ ଅଧିକ। ଏଥିରେ କୌଣସି ରଙ୍ଗ ଯେତେ କମ୍ ଥିବ ତା’ର ଗ୍ରେଡ୍ ବା ମାନ ସେତେ ଅଧିକ। ସାମାନ୍ୟତମ ରଙ୍ଗ ମଧ୍ୟ ହୀରା ମୂଲ୍ୟରେ ନାଟକୀୟ ପରିବର୍ତ୍ତନ ଆଣିପାରେ। କ୍ଲାରିଟି ବା ସ୍ପଷ୍ଟତା ହୀରାର ମାନ ବୃଦ୍ଧି କରେ। ଏଥିରେ କିଛି ଦାଗ ଥିଲେ ମୂଲ୍ୟ କମିଯାଏ।
ବିବାହ ଓ ନିର୍ବନ୍ଧ ମୁଦିରେ ଧନୀ ଲୋକମାନେ ପ୍ରାୟତଃ ହୀରା ବ୍ୟବହାର କରନ୍ତି। ପଞ୍ଚଦଶ ଶତାବ୍ଦୀ ପ୍ରାରମ୍ଭରୁ ୟୁରୋପୀୟ ଅଭିଜାତବର୍ଗଙ୍କ ମଧ୍ୟରେ ଏହି ପ୍ରଥା ପ୍ରଚଳିତ ହୋଇଆସୁଛି, ଯଦିଚ ଭାରତରେ ଏହାର ବ୍ୟବହାର ଅତି ପ୍ରାଚୀନ। ପ୍ରାଚୀନ କାଳରୁ ଆମ ଦେଶରେ ଅଳଙ୍କାର ଭାବରେ ଏହା ବ୍ୟବହୃତ ହୋଇଆସୁଛି। ହୀରା ସାଧାରଣତଃ ଶ୍ବେତବର୍ଣ୍ଣ ଓ ଅତ୍ୟନ୍ତ ଉଜ୍ଜ୍ବଳ ଦୀପ୍ତିବିଶିଷ୍ଟ। ତେବେ ରଙ୍ଗଭେଦରେ ଏହାର ଚାରୋଟି ଜାତି ଅଛି, ଯଥା ଶ୍ବେତ ବ୍ରାହ୍ମଣ, ରକ୍ତ କ୍ଷତ୍ରିୟ, ପୀତ ବୈଶ୍ୟ ଓ କୃଷ୍ଣ ଶୂଦ୍ର । ହୀରାର ପୁରୁଷ, ସ୍ତ୍ରୀ ଓ ନପୁଂସକ ଲିଙ୍ଗ ମଧ୍ୟ ଅଛି। ସୁଗୋଲ, ଅତ୍ୟୁଜ୍ଜ୍ବଳ ଓ ବୃହତ୍ତର ହୀରା ପୁରୁଷଜାତୀୟ ଓ ସର୍ବଶ୍ରେଷ୍ଠ। ଷଟ୍କୋଣଯୁକ୍ତ ଓ ରେଖା-ବିନ୍ଦୁବିଶିଷ୍ଟ ହୀରା ସ୍ତ୍ରୀଜାତୀୟ। ଏହା ସ୍ତ୍ରୀମାନଙ୍କର କାନ୍ତିବର୍ଦ୍ଧକ ଓ ସୁଖଦ। ତ୍ରିକୋଣବିଶିଷ୍ଟ ଦୀର୍ଘାକାର ହୀରା ନପୁଂସକ ଏବଂ ଏହା ଅକର୍ମଣ୍ୟ ଓ ତେଜୋହୀନ। କଳାହୀରାକୁ କାଚ ପ୍ରଭୃତି କାଟିବା କାମରେ ଲଗାଯାଏ। ଦକ୍ଷିଣ ଭାରତର ଗୋଲକୁଣ୍ଡା ଅଞ୍ଚଳରୁ ଏବଂ ଆଫ୍ରିକା ଖଣିରୁ ଭଲ ହୀରା ମିଳେ।
ପୂର୍ବରୁ ଓଡ଼ିଶାର ସମ୍ବଲପୁରରୁ ହୀରା ମିଳୁଥିଲା। ସେଥିପାଇଁ ଏହାର ନାମ ଥିଲା ହୀରାଖଣ୍ଡ। ହୀରାକୁଦର ନାମକରଣ ବି ଏହି କାରଣରୁ ହୋଇଛି। ଏଠାରେ ନଦୀରୁ ହୀରା ମିଳୁଥିଲା। ଶୋଧିତ ଓ ମାର୍ଜିତ ହୀରା ପରମାୟୁ, ବଳ, ବୀର୍ଯ୍ୟ, କାନ୍ତି, ଶୁକ୍ର ଓ ସୁଖ ବୃଦ୍ଧିକରେ ଏବଂ ରୋଗ ନଷ୍ଟକରେ। ଏହା ଉଷ୍ଣବୀର୍ଯ୍ୟ, ରସାୟନ ଓ ବିଷାକ୍ତ। ସତୀତ୍ବ ବିପଦରେ ପଡ଼ିଲେ ହାତରେ ପିନ୍ଧିଥିବା ହୀରା ଚୁଚୁମି ଚୁଚୁମି ରାଣୀ ବା ରାଜକୁମାରୀମାନେ ଆତ୍ମହତ୍ୟା କରିବାର ଦୃଷ୍ଟାନ୍ତ ପୁରାଣ ଓ ଇତିହାସରେ ଦେଖିବାକୁ ମିଳେ। ହୀରା ହେଉଛି ଶୁକ୍ରଙ୍କ ପାଇଁ ପିନ୍ଧାଯାଉଥିବା ରତ୍ନପଥର। ବୃଷ ଓ ତୁଳା ଲଗ୍ନ ପାଇଁ ଶୁକ୍ର ଲଗ୍ନାଧିପତି ହୋଇଥିବାରୁ ଏହି ଲଗ୍ନଜାତ ବ୍ୟକ୍ତିଙ୍କ ଜାତକରେ ଶୁକ୍ର ଦୁର୍ବଳ ଥିଲେ ହୀରା ପିନ୍ଧିବାକୁ ପରାମର୍ଶ ଦିଆଯାଇଥାଏ। ମକର ଓ କୁମ୍ଭ ଲଗ୍ନକୁ ଶୁକ୍ର କେନ୍ଦ୍ର ଓ କୋଣାଧିପତି ଭାବେ ଯୋଗକାରକ ହୋଇଥିବାରୁ ସେମାନେ ନିର୍ବିବାଦରେ ହୀରା ପିନ୍ଧିପାରିବେ। କିନ୍ତୁ, ଯେଉଁମାନଙ୍କ ଜାତକରେ ଶୁକ୍ର ମୀନରେ ଥିବେ ସେମାନେ ହୀରା ପିନ୍ଧିବା ଆବଶ୍ୟକ ନୁହେଁ। କାରଣ ମୀନରେ ଶୁକ୍ର ଉଚ୍ଚ ହୋଇଥାନ୍ତି। ମିଥୁନ ଲଗ୍ନକୁ ପଞ୍ଚମାଧିପତି ଓ କନ୍ୟାଲଗ୍ନକୁ ଭାଗ୍ୟାଧିପତି ହୋଇଥିବାରୁ ଏହି ଦୁଇ ଲଗ୍ନର ବ୍ୟକ୍ତି ମଧ୍ୟ ହୀରା ପିନ୍ଧିପାରିବେ। ହୀରା ସାଧାରଣତଃ ପ୍ଲାଟିନମ୍ ଧାତୁରେ ପିନ୍ଧାଯାଏ। ଶୁକ୍ରବାର ଶୋଧନ କରି ଶିବ ମନ୍ଦିରରେ ପୂଜା କରି ‘ଓଁ ଶୁଂ ଶୁକ୍ରାୟ ନମଃ’ ମନ୍ତ୍ର ୧୦୮ ଥର ଜପ କରି ମଝି ଆଙ୍ଗୁଠି କିମ୍ବା କାଣି ଆଙ୍ଗୁଠିରେ ହୀରା ମୁଦି ପିନ୍ଧାଯାଏ।