ମିଥୁନ ସଂକ୍ରାନ୍ତି ଓଡ଼ିଶାରେ ରଜସଂକ୍ରାନ୍ତି ଭାବରେ ପାଳିତ ହୁଏ। ଚାନ୍ଦ୍ରମାସ ଅନୁସାରେ, ଏହା ବର୍ଷାଋତୁ; ଆ‌ଷାଢ଼-ଶ୍ରାବଣ ମାସ। ଏହି ଅବସରରେ‌ ପାଳିତ ହେଉଥିବା ରଜସଂକ୍ରାନ୍ତିର ବିଶେଷ ତାତ୍ପର୍ଯ୍ୟ ରହିଛି।
ଓଡ଼ିଶାରେ ପ୍ରଚଳିତ ସ୍ମୃତିଶାସ୍ତ୍ରମାନଙ୍କର ନିର୍ଦ୍ଧାରଣ ଅନୁସାରେ ଆମର ପର୍ବ ଉତ୍ସବ, ଓଷା ବ୍ରତ ଆଦି ପାଳିତ ହୋଇଥାଏ। ସ୍ମୃତିଶାସ୍ତ୍ର ଅନୁସାରେ, ଏହି ସଂକ୍ରାନ୍ତିରେ ସୂର୍ଯ୍ୟ ବୃଷରାଶିରୁ ଆସି ମିଥୁନ ରାଶିରେ ପ୍ରବେଶ କରନ୍ତି। ଓଡ଼ିଶାରେ ପାଳିତ ରଜପର୍ବ ଅନୁସାରେ, ବୃଷ ମାସର ଶେଷ ଦିନଟି ହେଉଛି ପହିଲି ରଜ। ତା’ ପରଦିନ ରଜ ସଂକ୍ରାନ୍ତି ଏବଂ ତାହାର ପରବର୍ତ୍ତୀ ଦୁଇଦିନ ଭୂ-ଦହନ ଓ ବସୁମତୀ ସ୍ନାନ ରୂପେ ପାଳିତ ହୁଏ।

Advertisment

ସ୍ମୃତିଶାସ୍ତ୍ର ଅନୁସାରେ, ବୃଷମାସ ଶେଷରେ ଓ ମିଥୁନ ମାସର ଆଦ୍ୟରେ ପୃଥିବୀ ରଜସ୍ବଳା ହୁଏ। କାରଣ, ଏହି ସମୟକୁ ମୌସୁମୀର ପ୍ରବେଶ ଘଟେ ଏବଂ ଆଦ୍ୟବର୍ଷାରେ ପୃଥିବୀ ଆର୍ଦ୍ର ହୁଏ। ଏହା ଫଳରେ ପୃଥିବୀ ଶସ୍ୟସମ୍ଭବା ହୁଏ। ଏଣୁ ଏହି ପର୍ବର ଚତୁର୍ଥ ବା ଶେଷ‌ଦିନରେ ପ୍ରତୀକାତ୍ମକ ଭାବରେ, ରଜସ୍ବଳା ପୃଥିବୀ ମାତାଙ୍କର ଶୁଦ୍ଧସ୍ନାନ କରାଯାଇଥାଏ। ସେ ଦୃଷ୍ଟିରୁ ଓଡ଼ିଶାରେ ଏହା ମୁଖ୍ୟତଃ କୁମାରୀକନ୍ୟାମାନଙ୍କର ପର୍ବ। ପ୍ରତୀକାତ୍ମକ ଭାବରେ ଶିଳ ବା ଶିଳପୁଆ ଓ ଲଙ୍ଗଳଫାଳକୁ ତେଲ ଓ ହଳଦି ଆଦି ଲଗାଇ ସ୍ନାନ କରାଯାଇ ପୂଜା କରାଯାଏ। ଏହା ପ୍ରକୃତରେ ଧରିତ୍ରୀମାତାଙ୍କର ପ୍ରତୀକାତ୍ମକ ପୂଜା। ଓଡ଼ିଶାର କୁମାରୀ କନ୍ୟାମାନେ ମଧ୍ୟ ଏହି ଦିନ ପ୍ରତ୍ୟୁଷରୁ ଏହିପରି ଭାବରେ ଶୁଦ୍ଧସ୍ନାନ କରିଥାଆନ୍ତି।

ଆମ ପୁରାଣ ଅନୁସାରେ, ଅାକାଶ ଭଗବାନ ବିଷ୍ଣୁ ଏବଂ ପୃଥିବୀ ଭୂଦେବୀ। ଏହି ସମୟ‌େର ଆକାଶର ମେଘ ସହିତ ମାଟିର ମିଳନ ହୁଏ। ଏଣୁ ଏହା ପର୍ଜନ୍ୟଦେବଙ୍କ ସହିତ ଧରିତ୍ରୀଦେବୀଙ୍କର ମିଳନର ମାସ। ଏଣୁ ଏ ମାସର ନାମ ମିଥୁନ। ‘ମେଘ’ ଶବ୍ଦର ବ୍ୟୁତ୍ପତ୍ତି ମଧ୍ୟ ଏହା ହିଁ କହେ। ‘ମିହ୍‌’ ଧାତୁରୁ ମେଘ ଶବ୍ଦର ସୃଷ୍ଟି- ଯାହାର ଅର୍ଥ ଜଳସିକ୍ତ କରିବା। ଏଣୁ ରଜପର୍ବ ମୁଖ୍ୟତଃ ମେଘର ମହୋତ୍ସବ। ଓଡ଼ିଶାରେ ଆନନ୍ଦ ଉତ୍ସବର ସହିତ ଏହି ପର୍ବ ପାଳନ କରି, ଲୋକେ ପ୍ରକୃତରେ ବର୍ଷାଋତୁକୁ ସ୍ବାଗତ କରିଥାନ୍ତି। ଶସ୍ୟଶାଳିନୀ ହୋଇ ଆମକୁ ପୁଷ୍ଟ କର ବୋଲି ଧରିତ୍ରୀମାତାଙ୍କୁ ପ୍ରାର୍ଥନା କରିଥାନ୍ତି।