କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗର ପ୍ରଫେସର ଶରତ କୁମାର ପଳିତା ପୂର୍ବଘାଟ ପର୍ବତମାଳା ଉପରେ କରିଥିବା ଅଧ୍ୟୟନ ବିଶ୍ୱରେ ଓଡ଼ିଶାକୁ ଏକ ନୂଆ ସୁଖ୍ୟାତି ଆଣିଦେଇଛି। ପୂର୍ବଘାଟ ପର୍ବତମାଳାର ବଣଜଙ୍ଗଲ ଘେରା ପାହାଡ଼ଗୁମ୍ଫା ଭଳି ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ ବାସ କରୁଥିବା ବିରଳ ତଥା ବିପନ୍ନ ବାଦୁଡ଼ିଙ୍କୁ ନେଇ ନିଜର ଅନୁଧ୍ୟାନ ଓ ଗବେଷଣା ତଥ୍ୟକୁ ବେଲ୍ଜିୟମ୍, ନେଦର୍ଲ୍ୟାଣ୍ଡ୍ସ୍, ରୋମ୍ ଓ ଇଟାଲି ସମେତ ଅନ୍ୟାନ୍ୟ ଅନ୍ତର୍ଜାତୀୟ ସମ୍ମିଳନୀରେ ପ୍ରକାଶ କରି ସେ ଅନନ୍ୟ ସ୍ବୀକୃତି ହାସଲ କରିଛନ୍ତି। ଏଭଳି ଏକ ବିରଳ ବ୍ୟକ୍ତିତ୍ବ ପ୍ରଫେସର ଶରତ କୁମାର ପଳିତାଙ୍କ ସହିତ ‘ସମ୍ବାଦ ରବିବାର’ର ସ୍ବତନ୍ତ୍ର ସାକ୍ଷାତ୍କାର।
ଆପଣଙ୍କ ଜୀବନର ସଂଘର୍ଷର କାହାଣୀ ଶୁଣିବା ପରେ ମନେହୁଏ ବାସ୍ତaବରେ ଦୁର୍ବାର ଇଚ୍ଛାଶକ୍ତି ନିକଟରେ ସବୁକିଛି ନିଶ୍ଚିତ ପରାସ୍ତ ହୁଏ। ଆପଣଙ୍କର କିପରି ଏତେ ଦୃଢ଼ ଇଚ୍ଛାଶକ୍ତି ଆସିଥିଲା?
ମୁଁ ମୋ ଜୀବନର କାହାଣୀକୁ ଦୁଃଖଭରା ବୋଲି ଭାବିନାହିଁ। ଏବେ ପ୍ରଶ୍ନ ଉଠୁଛି ସଂଘର୍ଷର କଥା। ମୋତେ କହନ୍ତୁ, ଏପରି କାହାର ଜୀବନରେ ସଂଘର୍ଷ ନାହିଁ? ସଂଘର୍ଷ ମଧ୍ୟରେ ପ୍ରକୃତି କୋଳରେ ବଞ୍ଚିବାର ଆନନ୍ଦକୁ ଅନୁଭବ କରିପାରିଲେ ସମାଜରେ ସଫଳତା ମିଳିଥାଏ। ବଞ୍ଚିବାର ଅନ୍ୟ ନାମ ସଂଘର୍ଷ। ଯଦି ଆମେ ସଂଘର୍ଷ ନ କରିବା ତେବେ ସବୁବେଳେ ହାରିଯିବା ସୁନିଶ୍ଚିତ। ମୋ ଜୀବନ ମତେ ଏହା ହିଁ ଶିଖାଇଛି।
ପଙ୍ଗୁଂ ଲଂଘୟତେ ଗିରି...
ଦୃଢ଼ ଇଚ୍ଛାଶକ୍ତି ଥିଲେ ଅକ୍ଷମତା କେବେ ବି ବାଧା ଦିଏନାହିଁ। ପ୍ରଫେସର ଶରତ କୁମାର ପଳିତାଙ୍କ ଜୀବନରେ ଏହା ପ୍ରତିପାଦିତ ହୋଇଛି। ତାଙ୍କର ଆଦ୍ୟଜୀବନ ଅତ୍ୟନ୍ତ ସଂଘର୍ଷମୟ ଓ ଦୁଃଖଦ ଥିଲା, କିନ୍ତୁ ପରିସ୍ଥିତିର ମୁକାବିଲା କରି ତାହାକୁ ସେ ଅତିକ୍ରମ କରିଛନ୍ତି।୧୯୬୦ ମସିହାରେ ପ୍ରଫେସର ଶରତ କୁମାର ପଳିତାଙ୍କ ଜନ୍ମ ଭଦ୍ରକ ଜିଲ୍ଲାର ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୀବନପୁର ଗାଁରେ। ଶରତ ଥିଲେ ବାପାମାଆଙ୍କର ତ୍ରୟୋଦଶ ସନ୍ତାନ। ତାଙ୍କର ୧୦ ଜଣ ଭାଇଭଉଣୀ ଜନ୍ମ ହେବାର କିଛି ଘଣ୍ଟା ଭିତରେ ପ୍ରାଣ ହରାଇଥିଲେ। ଏହି କାରଣରୁ ଥରେ ଦୁଃଖରେ ଅଧୀରା ହୋଇ ଶରତଙ୍କ ମା’ ଗୋପନରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏହାପରେ ଏକାଦଶ ଗର୍ଭରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ ଏବଂ ସେ ବଞ୍ଚିରହିଲା। ତା’ପରେ ତାଙ୍କ ମା’ଙ୍କ ଦ୍ବାଦଶ ଗର୍ଭରୁ ଜନ୍ମ ହୋଇଥିଲା ଏକ କନ୍ୟା ସନ୍ତାନ। ସେ ଦୁଇଦିନ ବଞ୍ଚିବା ପରେ ଡାକ୍ତରଖାନାରେ ଆଖିବୁଜି ଦେଇଥିଲା।
ତ୍ରୟୋଦଶ ସନ୍ତାନ ଶରତ କିନ୍ତୁ, ତିନି ବର୍ଷ ବୟସରେ ‘ପୋଲିଓ’ ରୋଗାକ୍ରାନ୍ତ ହୋଇ ନିଜର ଡାହାଣ ଗୋଡ଼ ହରାଇଲେ। ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ସମୟରେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଗଲା। ହେଲେ ଜୀବନରେ ହାରିବା ଶିଖି ନ ଥିଲେ ଶରତ। ଯୌଥପରିବାରର ଅକୁଣ୍ଠ ସାହାଯ୍ୟ ସହଯୋଗରେ ପାଠପଢ଼ା ଜାରି ରଖିଲେ ସେ। ସେତେବେଳେ ତାଙ୍କ ଗାଁରେ ବିଦ୍ୟାଳୟ ନ ଥିଲା। ପଙ୍କକାଦୁଅ ରାସ୍ତା ଦେଇ ଦୂର ବିଦ୍ୟାଳୟକୁ ଯିବା ତାଙ୍କ ପକ୍ଷେ ଥିଲା ସମ୍ପୂର୍ଣ୍ଣ ଅସମ୍ଭବ। ସେ ହଷ୍ଟେଲ୍ରେ ରହି ପଢ଼ିଲେ। ଦରକାର ବେଳେ ଦାଦା ଉପେନ୍ଦ୍ରନାଥ, ଗୋପୀନାଥ ଓ ପ୍ରାଣବନ୍ଧୁ ତାଙ୍କୁ କାନ୍ଧରେ କିମ୍ବା ଭାର କରି ଘରକୁ ଆଣୁଥିଲେ। ବିଦ୍ୟାଳୟ ଶିକ୍ଷା ଶେଷ ହେଲା ପରେ କଲେଜ ଗଲେ ଶରତ। କଲେଜରେ ପଢ଼ିବା ସମୟରେ ସେ ଅଭ୍ୟାସ କରି ଆଶାବାଡ଼ି ସାହାଯ୍ୟରେ ଚାଲିବା ଶିଖିଲେ। ଏଥର ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଅତିକ୍ରମ କରିବାକୁ ସମର୍ଥ ହୋଇଥିଲେ ସେ। ଭାଗବତର ‘ପଙ୍ଗୁଂ ଲଙ୍ଘୟତେ ଗିରି’ ଉକ୍ତିଟି ଶରତଙ୍କ ଜୀବନରେ ସତ୍ୟ ପ୍ରମାଣିତ ହୋଇଛି। ପ୍ରଫେସର ପଳିତା ଜୀବନର ଏସବୁ ଦୁଃଖକାହାଣୀ ବର୍ଣ୍ଣନା କଲାବେଳେ ତିଳେମାତ୍ର ଉଦାସୀନ ହୁଅନ୍ତି ନାହିଁ, ବରଂ ହସି ହସି କହନ୍ତି, “ସର୍ବଶକ୍ତିମାନ୍ ଈଶ୍ୱରଙ୍କ ଇଚ୍ଛାକୁ କେହି ଟାଳି ପାରିବେ ନାହିଁ। ଜୀବନର ଝଡ଼ଝଞ୍ଜା ସହିବାକୁ ଏବଂ ସେଥିରୁ ମୁକ୍ତି ପାଇବା ଲାଗି ଶକ୍ତି ଯୋଗାଇବାକୁ ସେହି ଈଶ୍ୱରଙ୍କୁ ପ୍ରାର୍ଥନା କରି ଆଗକୁ ବଢ଼ିବାକୁ ପଡ଼ିବ। ଦୁଃଖରେ ଭାଙ୍ଗିଗଲେ କିମ୍ବା ଅଧୀର ହୋଇ ପଡ଼ିଲେ ଜୀବନ ଆପଣଙ୍କୁ ଛାଡ଼ିଦେବନି। ପ୍ରତ୍ୟେକ ପରିସ୍ଥିତିର ମୁକାବିଲା କରିପାରିଲେ ବିଜୟ ସୁନିଶ୍ଚିତ।”
ପୂର୍ବଘାଟ ପର୍ବତମାଳା ପ୍ରତି ଆପଣଙ୍କର ଏତେ ଆକର୍ଷଣ କିପରି ଆସିଥିଲା?
ଭାରତର ପୂର୍ବ-ଉପକୂଳରେ ବଙ୍ଗୋପସାଗର ସହିତ ସମାନ୍ତରାଳ ଭାବେ ଉତ୍ତର-ପୂର୍ବରୁ ଦକ୍ଷିଣ-ପଶ୍ଚିମ ଦିଗକୁ ପୂର୍ବଘାଟ ପର୍ବତମାଳାର ପାହାଡ଼ ସବୁ ଅବସ୍ଥିତ। ମାତ୍ର, ଏହି ପର୍ବତମାଳାର ପାହାଡ଼ ସବୁ ପରସ୍ପର ସହିତ ସଂଯୁକ୍ତ ନୁହନ୍ତି ଏବଂ ପଶ୍ଚିମଘାଟ ତୁଳନାରେ ସେମାନଙ୍କର ଉଚ୍ଚତା ଆପାତତଃ କମ୍ ଅଟେ। ପୂର୍ବଘାଟ ପର୍ବତମାଳା ଦେଇ ଚାରୋଟି ବଡ଼ ନଦୀ- ମହାନଦୀ, ଗୋଦାବରୀ, କୃଷ୍ଣା ଓ କାବେରୀ ପ୍ରବାହିତ ହେଉଥିବାରୁ ଏହି ପର୍ବତମାଳା ବହୁଭାବେ କ୍ଷୟପ୍ରାପ୍ତ ଓ ବିଭାଜିତ। ଏହା ଉତ୍ତର ଓଡ଼ିଶାର ଶିମିଳିପାଳ ଠାରୁ ଆରମ୍ଭ ହୋଇ ଆନ୍ଧ୍ର ପ୍ରଦେଶ ଦେଇ ତାମିଲନାଡୁର ବୈଗଈ ନଦୀ ପର୍ଯ୍ୟନ୍ତ ବିସ୍ତୃତ। ଛତିଶଗଡ଼ର ବସ୍ତର, ତେଲେଙ୍ଗାନା ଓ କର୍ଣ୍ଣାଟକ ଦେଇ ଏହା ପରିବ୍ୟାପ୍ତ। ଏହି ପର୍ବତମାଳା ଉପରେ ସେଭଳି ବିଶେଷ କୌଣସି ଗବେଷଣା ହୋଇ ନ ଥିଲା। ମୁଁ ଏଠାରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଯୋଗଦେବା ପରେ ଏସବୁ ବିଷୟରେ ଧୀରେ ଧୀରେ ଜାଣିଲି ଏବଂ ଏହାକୁ ନେଇ ଅଧିକ ଗବେଷଣା କରିବାକୁ ଆଗ୍ରହ ପ୍ରକାଶକଲି। ମୋର ଛାତ୍ରଛାତ୍ରୀମାନଙ୍କୁ ଏଥିପାଇଁ ଉତ୍ସାହିତ କରି ଗବେଷଣାରେ ସଫଳ ହେଲି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ପୂର୍ବଘାଟ ପର୍ବତମାଳାର ଜୈବବିବିଧତା ଓ ପରିସଂସ୍ଥାନ ଓଡ଼ିଶାର ବୃଷ୍ଟିପାତ ଓ ପାଣିପାଗକୁ ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଭୂତାତ୍ତ୍ବିକ ଦୃଷ୍ଟିକୋଣରୁ ପୂର୍ବଘାଟ ପର୍ବତମାଳା ଅତ୍ୟନ୍ତ ପ୍ରାଚୀନ। ଏଠାରେ ୩୨୦୦ ପ୍ରଜାତିର ସପୁଷ୍ପକ ଉଦ୍ଭିଦ ସଙ୍ଗକୁ ୪୨୫ ପ୍ରକାରର ପକ୍ଷୀ ଓ ୧୫୫ ପ୍ରଜାତି ମାଛ ଅଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏଠାକାର ଚୂନପଥର ପାହାଡ଼ର ଗୁମ୍ଫାରେ ବିପଦପ୍ରବଣ ତାଲିକାରେ ଥିବା ୮ ପ୍ରକାରର ବାଦୁଡ଼ି ରହିଥାନ୍ତି। ଆମମାନଙ୍କ ମଧ୍ୟରୁ ଅନେକ ହୁଏତ ଜାଣି ନଥିବେ, ବିଭିନ୍ନ ପ୍ରଜାତିର ବାଦୁଡ଼ିଙ୍କ ପାଇଁ ୫୦୦ ପ୍ରକାର ବୃକ୍ଷଲତାରେ ପରାଗ ସଙ୍ଗମ ହୋଇଥାଏ। ବାଦୁଡ଼ିଙ୍କ ବ୍ୟତୀତ ଏହା ସମ୍ଭବ ନୁହେଁ। ଏଭଳି ବିରଳ ଅଞ୍ଚଳର ଗବେଷଣାରେ ଆମେ ବହୁତ ପଛରେ ରହିଛୁ। ଏହାକୁ ଓଡ଼ିଶାର ରତ୍ନଭଣ୍ଡାର କହିଲେ ଅତ୍ୟୁକ୍ତି ହେବନାହିଁ।
ପୂର୍ବଘାଟ ପର୍ବତମାଳାକୁ ନେଇ ଆପଣଙ୍କ ବାର୍ତ୍ତା କ’ଣ ରହିବ?
ଦେଖନ୍ତୁ, ଏହି ପର୍ବତମାଳା ବର୍ତ୍ତମାନ ଅତ୍ୟନ୍ତ ବିପଦପ୍ରବଣ ସ୍ଥିତିକୁ ଚାଲିଯିବାକୁ ବସିଲାଣି। ପୂର୍ବଘାଟ ପର୍ବତମାଳା ତା’ର ୧୫.୮୩ ପ୍ରତିଶତ ଜଙ୍ଗଲ ଏବଂ ମୁଖ୍ୟ ଅଞ୍ଚଳର ୩୪.୪୫ ପ୍ରତିଶତ ପରିସୀମା ହରାଇ ସାରିଲାଣି। ଏହାଦ୍ୱାରା ଜୀବଜନ୍ତୁଙ୍କ ବାସସ୍ଥାନ ସଂକୁଚିତ ହେବା ସହିତ ସେମାନଙ୍କ ଜୀବନ ସଙ୍କଟାପନ୍ନ ହୋଇଗଲାଣି। ଏଠାକାର ସଙ୍କଟାପନ୍ନ ପ୍ରାଣୀଙ୍କ ସଂଖ୍ୟା ୦.୦୮ ପ୍ରତିଶତ ହ୍ରାସ ପାଇଲାଣି। ‘େବାରାଗୁମ୍ଫା’ ପ୍ରସଙ୍ଗ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହା ଅତ୍ୟନ୍ତ ସମୃଦ୍ଧ ପରିସଂସ୍ଥାନ ସ୍ଥାନ। ଏକଦା ଏହା ଜୟପୁର ମହାରାଜାଙ୍କ ଅଧୀନରେ ରହିଥିଲା, କିନ୍ତୁ ଆମ ଅବହେଳାରୁ ଏଭଳି ସମୃଦ୍ଧ ସ୍ଥାନକୁ ଆନ୍ଧ୍ର ଦଖଲ କରିନେଲା। ବୋରାଗୁମ୍ଫା ପ୍ରସଙ୍ଗରେ ପ୍ରମାଣଯୋଗ୍ୟ ତଥ୍ୟ ଅନନ୍ତଗିରି ପାହାଡ଼ରେ ରହିଛି। ଇଂରେଜ ନୃତତ୍ତ୍ବବିତ୍ ୱିଲିୟମ୍ କିଙ୍ଗ୍ ୧୮୦୭ରେ ଏହାକୁ ଆବିଷ୍କାର କରିଥିଲେ। ଯଦି ବର୍ତ୍ତମାନ ଆମେ କୋଟିଆ ଅଞ୍ଚଳକୁ ଯଥେଷ୍ଟ ପ୍ରାଧାନ୍ୟ ନ ଦେବା କିମ୍ବା ଅବହେଳା କରିବା ତେବେ ଜୈବବିବିଧତା ପରିପୂର୍ଣ୍ଣ ଓ ଖଣିଜ ସମ୍ପଦଭରା କୋଟିଆ ଆନ୍ଧ୍ର ଦଖଲକୁ ଚାଲିଯିବା ଅସମ୍ଭବ ନୁହେଁ। ଏଥିପାଇଁ ଓଡ଼ିଶା ସତର୍କ ହେବା ଅତ୍ୟନ୍ତ ଜରୁରି।