ନେପାଳ ସରକାର ଦେଶର ପ୍ରମୁଖ ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମଗୁଡ଼ିକୁ ନିଷିଦ୍ଧ ଘୋଷଣା କରିବା ପରେ ଏଭଳି ଅଘଟଣ ଘଟିବ ବୋଲି ହୁଏତ ଚିନ୍ତା କରି ନ ଥିେବ। କାରଣ ଏପରି ନିଷ୍ପତ୍ତିର ପ୍ରତିବାଦରେ ଯାହା ଘଟିଗଲା, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ବିରୋଧରେ ଅପ୍ରତ୍ୟାଶିତ ଭାବେ ଆରମ୍ଭ ହୋଇଯାଇଥିବା ଜନ ଆନ୍ଦୋଳନକୁ ନିୟନ୍ତ୍ରଣ କରିପାରିଲେ ନାହିଁ ସରକାର, ରାଜନୈତିକ ଅସ୍ଥିରତା ଭିତରକୁ ଠେଲି ହୋଇଗଲା ଦେଶ। ସେନା ହାତକୁ ନେଲା ଶାସନ।
ପ୍ରଧାନମନ୍ତ୍ରୀ ଇସ୍ତଫା ଦେବାକୁ ବାଧ୍ୟ ହେଲେ ଏବଂ ଆନ୍ଦୋଳନକାରୀଙ୍କ ସ୍ବୀକୃତିରେ ବଛା ହେଲେ ନୂଆ ନେତା। ଆଉ ଏହି ପଟ୍ଟ ପରିବର୍ତ୍ତନର ମୁଖ୍ୟ ନାୟକ ଥିଲେ ନେପାଳର ଯୁବପିଢ଼ି, ଯାହାଙ୍କୁ ବିଶ୍ବର ଗଣମାଧ୍ୟମ ସବୁ ‘ଜେନ୍-ଜେଡ୍’ ବୋଲି ଅଭିହିତ କରିଥିଲେ। ବିଶ୍ବ ଇତିହାସକୁ ପରଖିଲେ ଆମେ ଦେଖିବା, ସେହି ଆନ୍ଦୋଳନ କିମ୍ବା ଜନଜାଗରଣ ସଫଳ ହୋଇଛି, ଯେଉଁଠି ଯୁବଶକ୍ତି ସାମିଲ ହୋଇଛି। ନେପାଳ ତାହାର ସଦ୍ୟତମ ଉଦାହରଣ। ପ୍ରାୟ ବର୍ଷକ ପୂର୍ବରୁ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ଭୟଙ୍କର ରୂପ ନେଇ ସରକାରକୁ ବାହାରର ରାସ୍ତା ଦେଖାଇ ଦେଇଥିଲା।
ତେବେ ସମସାମୟିକ ଘଟଣାପ୍ରବାହରେ, ଆନ୍ଦୋଳନାତ୍ମକ କାର୍ଯ୍ୟକଳାପରେ ଜେନ୍-ଜେଡ୍ ଶବ୍ଦର ପ୍ରୟୋଗ ସମ୍ଭବତଃ ପ୍ରଥମଥର ଦେଖିବାକୁ ମିଳିଲା। ଏଠାେର ସ୍ବତଃ ପ୍ରଶ୍ନ ଆସେ, ନେପାଳରେ ସାମାଜିକ ଗଣମାଧ୍ୟମ ନିଷିଦ୍ଧ ପ୍ରସଙ୍ଗରେ ତରୁଣ ପିଢ଼ି ବା ‘ଜେନ୍-ଜେଡ୍’ ଏଭଳି ପ୍ରତିକ୍ରିୟାଶୀଳ ହେଲେ କାହିଁକି? ୧୮, ୨୦, ୨୨ ଓ ୨୩ ବର୍ଷୀୟ ନେପାଳୀ ଯୁବପିଢ଼ିଙ୍କ ପ୍ରତିବାଦ ସ୍ବର କେବଳ ରାଜଧାନୀ କାଠମାଣ୍ଡୁରେ ସୀମିତ ନ ଥିଲା, ବରଂ ଦେଶର ଅନ୍ୟ ଅଞ୍ଚଳକୁ ନିଆଁ ପରି ବ୍ୟାପି ଯାଇଥିଲା। ‘ଜେନ୍-ଜେଡ୍’ ଭିତରେ ଏହି ଅପ୍ରତ୍ୟାଶିତ ଆଲୋଡ଼ନ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ। ସେମାନେ ପାର୍ଲାମେଣ୍ଟ୍ ପରିସର ମଧ୍ୟକୁ ଧସେଇ ପଶିଲେ ଏବଂ ରାଜନେତାମାନଙ୍କ ବାସଭବନ ଉପରେ ଆକ୍ରମଣ କଲେ। ଅତ୍ୟନ୍ତ ନିର୍ଭୀକ ଭାବେ ନିଜ ମତ ସାବ୍ୟସ୍ତ କଲେ ସେମାନେ।
‘ଜେନ୍ ଜେଡ୍’ କିଏ?
ନେପାଳରେ ସଂଗଠିତ ଏହି ‘ଜେନ୍ ଜେଡ୍’ ଆନ୍ଦୋଳନ ସାରା ବିଶ୍ବକୁ ଚକିତ କରିଛି। ଏବେ ସବୁଠି ଗୋଟିଏ ପ୍ରଶ୍ନ- ଏ ବଳବାନ୍ ନେପାଳୀ ତରୁଣ ଗୋଷ୍ଠୀ କେଉଁଠି ଥିଲେ? ହଠାତ୍ ସଂଗଠିତ ହେଲେ କେମିତି? ସେମାନେ କ’ଣ କେବଳ ନେପାଳରେ ଅଛନ୍ତି ନା, ବିଶ୍ବର ଅନ୍ୟାନ୍ୟ ଦେଶରେ ବି ଅଛନ୍ତି? ଏ ପ୍ରଶ୍ନର ଉତ୍ତର ହେଲା, ଭାରତ ସମେତ ବିଶ୍ବର ସବୁ ଦେଶରେ ‘ଜେନ୍ ଜେଡ୍’ ଅଛନ୍ତି। ଅସଲରେ ୧୯୯୬ରୁ ୨୦୧୦ ଏବଂ ମତାନ୍ତରେ ୧୯୯୭ରୁ ୨୦୧୨ ମଧ୍ୟରେ ଜନ୍ମିତଙ୍କୁ ‘ଜେନେରେସନ୍ ଜେଡ୍’ ବା ସଂକ୍ଷେପରେ ‘ଜେନ୍ ଜେଡ୍’ ଆଖ୍ୟା ଦିଆଯାଇଛି। ଏଠାରେ ‘ଜେନେରେସନ୍’ ଅର୍ଥ ପିଢ଼ି ଏବଂ ‘ଜେଡ୍’ ଅର୍ଥ ‘ଜୁମର୍’, ଯାହା ଇଣ୍ଟର୍ନେଟ୍ରେ ବହୁଳ ବ୍ୟବହୃତ ଶବ୍ଦ ‘ଜୁମ୍’ର ସଂକ୍ଷେପଣ। ଇଣ୍ଟର୍ନେଟ୍ର ଉନ୍ମେଷ ଓ ବିକାଶ ସହିତ ବଢ଼ିଥିବା ‘ଜେନ୍ ଜେଡ୍’ ବହୁ ଭାବେ ଡିଜିଟାଲ୍ ପ୍ରିୟ ଓ ସକ୍ରିୟ। ସାଧାରଣ ଅର୍ଥରେ କହିଲେ, ଏମାନେ ଅନ୍ଲାଇନ୍ କାର୍ଯ୍ୟକଳାପ ଉପରେ ମାତ୍ରାଧିକ ନିର୍ଭରଶୀଳ। ଖବର ଜାଣିବାଠାରୁ ନେଇ କିଣାକିଣି, ମନୋରଞ୍ଜନ, ସ୍ବାସ୍ଥ୍ୟ ଓ ଶିକ୍ଷା ପର୍ଯ୍ୟନ୍ତ ସବୁ କାର୍ଯ୍ୟ ନିମନ୍ତେ ଏମାନେ ତତ୍କ୍ଷଣାତ୍ ଇଣ୍ଟର୍ନେଟ୍ ଲୋଡ଼ନ୍ତି। ମିଲେନିଆଲ୍ ଓ ଜେନେରେସନ୍ ଆଲ୍ଫା ପିଢ଼ିଙ୍କ ମଧ୍ୟରେ ସ୍ଥାନ ପାଇଥିବା ‘ଜେନ୍ ଜେଡ୍’ ହେଉଛନ୍ତି ଦ୍ବିତୀୟ କନିଷ୍ଠ ପିଢ଼ି। ଡିଜିଟାଲ୍ ପ୍ରଯୁକ୍ତିର କ୍ଷିପ୍ରତା, ଜଳବାୟୁ ଜନିତ ଉଦ୍ବେଗ, ପରିବର୍ତ୍ତନଶୀଳ ଆର୍ଥିକ ଅନିଶ୍ଚିତତା ଓ କୋଭିଡ୍-୧୯ ସଂକଟ ଭଳି ପାରିପାର୍ଶ୍ବିକ ପରିସ୍ଥିତି ହିଁ ‘ଜେନ୍ ଜେଡ୍’ ଗୋଷ୍ଠୀର ଚିନ୍ତାଧାରାକୁ ରୂପ ଦେଇଛି।
ପରିବର୍ତ୍ତନର ପିଢ଼ି
‘ପିଢ଼ି’ ଶବ୍ଦ ସହିତ ଊଣାଅଧିକେ ଆମେ ସମସ୍ତେ ପରିଚିତ। ଆପଣଙ୍କ ଜେଜେଜେଜୀ, ପିତାମାତା, ସନ୍ତାନସନ୍ତତି ଏବଂ ସନ୍ତାନସନ୍ତତିଙ୍କ ପିଲାଛୁଆ ସମସ୍ତେ ଗୋଟାଏ ଗୋଟାଏ ‘ପିଢ଼ି’ର ମଣିଷ। ଗୋଟିଏ ପରିବାରରୁ ଜାତ ହୋଇଥିଲେ ହେଁ ପ୍ରତି ପିଢ଼ି ଯୁଗ ଓ ସମୟାନୁସାରେ ପରସ୍ପରଠାରୁ ଅନେକ ଗୁଣରେ ଭିନ୍ନ ହୋଇଥାଆନ୍ତି। ଅଗଷ୍ଟ କୋମେଟ୍ଙ୍କ ଭଳି ଚିନ୍ତକମାନେ ଯୁକ୍ତି ବାଢ଼ନ୍ତି ଯେ ପିଢ଼ିଗତ ପରିବର୍ତ୍ତନ ହିଁ ସାମାଜିକ ପରିବର୍ତ୍ତନର କାରଣ। କାରଣ, ପ୍ରତି ‘ପିଢ଼ି’ ଅଳ୍ପେବହୁତେ ନୂତନ ଜୀବନଧାରାରେ ପ୍ରବେଶ କରନ୍ତି ଏବଂ ତାହା ହିଁ ସମାଜର ଇତିହାସ ସୃଷ୍ଟିକରେ। ପରିବର୍ତ୍ତିତ ସାମାଜିକ ପରିସ୍ଥିତି ଏବଂ ସମସାମୟିକ ନୂତନତା ଦ୍ବାରା ସମ୍ପୃକ୍ତ ‘ପିଢ଼ି’ ପରିଚିତ ବା ନାମିତ ହୁଅନ୍ତି। ଉଦାହରଣ ସ୍ବରୂପ, ପ୍ରଥମ ବିଶ୍ବଯୁଦ୍ଧ କାଳରେ ଅସୁବିଧା ଓ ହତାଶା ମଧ୍ୟରେ ଜିଇଥିବା ଜନତାଙ୍କୁ ‘ଦି ଲଷ୍ଟ୍ ଜେନେରେସନ୍’ ବୋଲି ନାମିତ କରାଗଲା। ତା’ପରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବୀରତ୍ବ ସହକାରେ ଆତ୍ମତ୍ସୋର୍ଗ କରିଥିବାରୁ ସେମାନଙ୍କୁ ‘ଦି ଗ୍ରେଟେଷ୍ଟ୍ ଜେନେରେସନ୍’ କୁହାଗଲା। ସେହିପରି, ଯୁଦ୍ଧ ଅବସାନ ପରେ ଜନ୍ମିଥିବା ସେମାନଙ୍କ ପିଲାଙ୍କୁ କୁହାଗଲା ‘ବୁମର୍’।
ବିଶ୍ବରେ ୨୦୦ କୋଟି
ସାମ୍ପ୍ରତିକ ଆକଳନ ଅନୁସାରେ, ସମଗ୍ର ବିଶ୍ବରେ ‘ଜେନ୍ ଜେଡ୍’ଙ୍କ ସଂଖ୍ୟା ପ୍ରାୟ ୨୦୦ କୋଟି। ସେଥିରୁ ଭାରତରେ ‘ଜେନ୍ ଜେଡ୍’ ବର୍ଗର ସଂଖ୍ୟା ପ୍ରାୟ ୩୭.୭ ବା ହାରାହାରି ୪୦ କୋଟି ହେବ। ଆମ ଦେଶର ସମୁଦାୟ ଜନସଂଖ୍ୟାର ଆନୁମାନିକ ୨୭ରୁ ୩୦ ପ୍ରତିଶତ ହେଉଛନ୍ତି ‘ଜେନ୍-ଜେଡ୍’। ଅର୍ଥାତ୍ ବିଶ୍ବର ଯେକୌଣସି ଦେଶ ଅପେକ୍ଷା ଭାରତରେ ‘ଜେନ୍ ଜେଡ୍’ଙ୍କ ସଂଖ୍ୟା ଅଧିକ। ପ୍ରଯୁକ୍ତିବିଦ୍ୟାରେ ନିପୁଣତା, ବୈଧ୍ୟତା ଉପରେ ଗୁରୁତ୍ବ ଓ କ୍ୟାରିୟର୍କୁ ନେଇ ଉଚ୍ଚାକାଙ୍କ୍ଷୀ ‘ଜେନ୍ ଜେଡ୍’ ହେଉଛନ୍ତି ଆମ ଦେଶର ପ୍ରମୁଖ ଅର୍ଥନୈତିକ ଓ ସାଂସ୍କୃତିକ ଶକ୍ତି। ପୁଣି ଭାରତରେ ପ୍ରତି ୪ ଜଣ ‘ଜେନ୍ ଜେଡ୍’ ପ୍ରତିନିଧିଙ୍କ ମଧ୍ୟରୁ ଜଣେ ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍’, ‘ସାଇବର୍ସିକ୍ୟୁରିଟି’ ଓ ‘କଣ୍ଟେଣ୍ଟ୍ କ୍ରିଏସନ୍’ ଭଳି ନବଯୁଗୀୟ କର୍ମସଂସ୍ଥାନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆଗ୍ରହୀ। ସେହିପରି ଏହି ପିଢ଼ିର ୪୩ ପ୍ରତିଶତ ସେମାନଙ୍କ କ୍ୟାରିୟର୍ରେ ସଫଳ ହେବାଲାଗି କର୍ମକ୍ଷେତ୍ରର ସମସ୍ତ ଚାହିଦା ପୂରଣ ଲାଗି ପ୍ରସ୍ତୁତ ବୋଲି ଗୋଟାଏ ଅଧ୍ୟୟନରୁ ଜଣାପଡ଼ିଛି।
କ୍ୟାରିୟର୍କେ ଲିଏ କୁଛ୍ ଭି କରେଗା!
‘ସାଇବର୍ମିଡିଆ ରିସର୍ଚ’ ସହିତ ମିଶି ‘ଆଇକ୍ୟୁଉ’ କରିଥିବା ‘କ୍ବେଷ୍ଟ୍ ରିପୋର୍ଟ ୨୦୨୪’ ଶୀର୍ଷକ ଉକ୍ତ ଅଧ୍ୟୟନ ଦର୍ଶାଇଛି ଯେ ‘ଜେନ୍ ଜେଡ୍’ ଅଭିଳାଷ, କ୍ୟାରିୟର୍ ଓ ଆକାଙ୍କ୍ଷା ଉପରେ ଗୁରୁତ୍ବାେରାପ କରୁଛନ୍ତି। ପୁଣି କର୍ମ ଜୀବନରେ ସ୍ଥିରତା ଓ ନିରାପତ୍ତା ନିମିତ୍ତ ସେମାନଙ୍କ ମଧ୍ୟରୁ ମାତ୍ର ୯ ପ୍ରତିଶତ ଉଦ୍ୟୋଗୀ ହେବାକୁ ଚାହାନ୍ତି। ସୂଚନାଯୋଗ୍ୟ, ‘ଆଇକ୍ୟୁ’ ହେଉଛି ‘ଭିଭୋ ଗ୍ରୁପ୍’ର ଗୋଟାଏ ଉପ-ସ୍ମାର୍ଟଫୋନ୍ ବ୍ରାଣ୍ଡ୍’। ଏହି ଅଧ୍ୟୟନ ପୁନର୍ବାର ସୂଚାଇଛି ଯେ କ୍ୟାରିୟର୍ରେ ସଫଳକାମୀ ହେବା ପାଇଁ ଭାରତର ୪୩ ପ୍ରତିଶତ ଓ ବିଶ୍ବର ୪୬ ପ୍ରତିଶତ ତରୁଣ ପିଢ଼ି ସମସ୍ତ ତ୍ୟାଗ ସ୍ବୀକାର କରିବାକୁ ପ୍ରସ୍ତୁତ। ପୁନଶ୍ଚ ଅଭିଳାଷ ଚରିତାର୍ଥ କରିବା ଲାଗି ସେଥିରୁ ପ୍ରାୟ ୬୨ ପ୍ରତିଶତ ଭାରତୀୟ ତରୁଣ ସେମାନଙ୍କର ସଉକ ଓ ଅନ୍ୟାନ୍ୟ ରୁଚି ବର୍ଜନ କରିବାକୁ ପ୍ରସ୍ତୁତ। ଦୈନିକ ୧୪ ଘଣ୍ଟିଆ ଡିୟୁଟି ବା କାର୍ଯ୍ୟ ଓ ସାପ୍ତାହିକ ୭୦ ଘଣ୍ଟିଆ ଡିୟୁଟି ଯୋଗୁଁ ବ୍ୟକ୍ତିଗତ ଜୀବନ ଓ କର୍ମକ୍ଷେତ୍ର ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଉପରେ ବିବେଚନା କରିବା ଲାଗି ସମ୍ପ୍ରତି ହୋଇଥିବା ବିତର୍କ ‘ଜେନ୍ ଜେଡ୍’ଙ୍କୁ ଚିନ୍ତିତ କରିପକାଇଛି ବୋଲି ମଧ୍ୟ ଉକ୍ତ ଅଧ୍ୟୟନ ଉଲ୍ଲେଖ କରିଛି।
ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ୍, ମାଲେସିଆ, ବ୍ରାଜିଲ୍ ଓ ଭାରତ ସମେତ ୭ଟି ଦେଶରେ ୨୦ରୁ ୨୪ ବର୍ଷ ବୟସ୍କ ୬,୭୦୦ଜଣ ‘ଜେନ୍ ଜେଡ୍’ଙ୍କୁ ନେଇ ହୋଇଥିବା ଉକ୍ତ ଅଧ୍ୟୟନ କହିଛି ଯେ ସର୍ବେକ୍ଷଣ କରାଯାଇଥିବା ଭାରତୀୟଙ୍କ ମଧ୍ୟରୁ ୧୯ ପ୍ରତିଶତ ବଡ଼ ବଡ଼ ସଂସ୍ଥାନରେ ନିଜ ନିଜର କ୍ୟାରିୟର୍ କରିବାକୁ ପସନ୍ଦ କରୁଥିବା ବେଳେ ୮୪ ପ୍ରତିଶତ ଭାରତୀୟ ବିଶ୍ବାସ କରନ୍ତି ଯେ ସେମାନଙ୍କ ଲକ୍ଷ୍ୟ ଅନୁଯାୟୀ କର୍ମସଂସ୍ଥାନ ମିଳିବା ଉଚିତ। କେବଳ ଭାରତ ନୁହେଁ, ବିଶ୍ବବ୍ୟାପୀ ୭୨ ପ୍ରତିଶତ ‘ଜେନ୍ ଜେଡ୍’ଙ୍କର ଉପରୋକ୍ତ ଦ୍ବିତୀୟ ବିକଳ୍ପ ଉପରେ ବିଶ୍ବାସ ରହିଛି। ସେହିପରି, ୪୫ ପ୍ରତିଶତ ସରିକି କର୍ମସଂସ୍ଥାନ ଅନ୍ବେଷଣକାରୀ କହିଛନ୍ତି ଯେ କର୍ମସଂସ୍ଥାନ ଅନ୍ବେଷଣ କାର୍ଯ୍ୟରେ ସହାୟକ ହେବା ଲାଗି ସେମାନେ ଉଚ୍ଚତର ଅଧ୍ୟୟନ କରିବେ। କିନ୍ତୁ, ୩୨ ପ୍ରତିଶତ କର୍ମସଂସ୍ଥାନ ଅନ୍ବେଷଣକାରୀଙ୍କ ବିଶ୍ବାସ ଯେ ଅଭିଳାଷ ସାକାର କରିବା ଲାଗି ସେମାନେ ଉପଯୁକ୍ତ ବା ପ୍ରାସଙ୍ଗିକ କର୍ମସଂସ୍ଥାନ ଗ୍ରହଣ କରିନେବା ଉଚିତ।
ଏହା ବ୍ୟତିରେକେ, ମନପସନ୍ଦ କ୍ୟାରିୟର୍ ନିମନ୍ତେ ପ୍ରସ୍ତୁତି କ୍ଷେତ୍ରରେ ଆର୍ଥିକ ଅନଟନ ବାଧା ସୃଷ୍ଟି କରୁଛି ବୋଲି ୪୬ ପ୍ରତିଶତ ‘ଜେନ୍ ଜେଡ୍’ ହୃଦ୍ବୋଧ କରନ୍ତି। ସେ ଯାହାହେଉ, ବାଧାବିଘ୍ନ ସତ୍ତ୍ବେ ଅଭିଳାଷ ଚରିତାର୍ଥ କରିବେ ବୋଲି ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତରୁ ଅଧିକଙ୍କର ଦୃଢ଼ ବିଶ୍ବାସ ରହିଛି। ଅଧ୍ୟୟନ ପୁଣି ମଧ୍ୟ ଦର୍ଶାଇଛି ଯେ ଅଭିଳାଷ ସାକାର ନିମନ୍ତେ ଲିଙ୍ଗ ନକାରାତ୍ମକ ପ୍ରଭାବ ପକାଉଛି ବୋଲି ପୁରୁଷଙ୍କ ତୁଳନାରେ ଏହି ଗୋଷ୍ଠୀର ୨ଗୁଣ ନାରୀଙ୍କର ହୃଦ୍ବୋଧ ହୁଏ।
ଭାରତୀୟ ଜେନ୍-ଜେଡ୍
ଯଦିଓ ଜେନ୍-ଜେଡ୍ ବିଶ୍ବର ସବୁ ଦେଶରେ ସକ୍ରିୟ, କିନ୍ତୁ ଭୌଗୋଳିକ, ସାଂସ୍କୃତିକ, ସାମାଜିକ, ଆର୍ଥିକ ଓ ରାଜନୈତିକ ପ୍ରେକ୍ଷାପଟ୍ଟ ଅନୁସାରେ ସେମାନଙ୍କର ଭାବନା ଓ ଦୃଷ୍ଟିଭଙ୍ଗୀରେ ଭିନ୍ନତା ପରିଲକ୍ଷିତ ହୋଇଥାଏ। ଏକ ପରିସଂଖ୍ୟାନ ଅନୁସାରେ, ଭାରତର ସମୁଦାୟ ଜନସଂଖ୍ୟାର ୨୭ରୁ ୩୦ ପ୍ରତିଶତ ହେଉଛନ୍ତି ‘ଜେନ୍ ଜେଡ୍’। କୌତୂହଳର ବିଷୟ ହେଲା, ୨୦୨୪ରେ ଭାରତୀୟ ବଜାରରେ ସମୁଦାୟ ଖରିଦଦାରଙ୍କ ମଧ୍ୟରେ ଏମାନଙ୍କ ସଂଖ୍ୟା ଥିଲା ପ୍ରାୟ ୪୩ ପ୍ରତିଶତ। ତେଣୁ ଦେଶର ଏହି ପିଢ଼ିର ବ୍ୟୟ କ୍ଷମତା ବି ଉଲ୍ଲେଖନୀୟ। ଏମାନଙ୍କର ଡିଜିଟାଲ୍ ଆଚାର ବ୍ୟବହାର ବିଶ୍ବର ଅନ୍ୟାନ୍ୟ ଦେଶର ‘ଜେଡ୍ ଜେନ୍’ଙ୍କ ପରି ହୋଇଥିଲେ ହେଁ କେତେକ କ୍ଷେତ୍ରେର ସ୍ଥାନୀୟ ପ୍ରଥାନୁସାରେ ପ୍ରଭାବିତ ହୋଇଥାଏ। ଦୃଷ୍ଟାନ୍ତ ସ୍ବରୂପ ଦେଶର ଛୋଟ ସହରଗୁଡ଼ିକରେ ‘ଜେନ୍ ଜେଡ୍’ ଦୃଢ଼ ପାରିବାରିକ ଓ ସାଂସ୍କୃତିକ ମୂଲ୍ୟବୋଧ ଦ୍ବାରା ପରିଚାଳିତ। ଆସନ୍ତୁ ଭାରତୀୟ ଜେନ୍-ଜେଡ୍ଙ୍କ ବିଭିନ୍ନ ବ୍ୟାବହାରିକ ଦିଗ ଉପରେ ଦୃଷ୍ଟି ପକାଇବା।
ଡିଜିଟାଲ୍ ନେଟିଭ୍: ପ୍ରଥମ ପିଢ଼ି ଭାବେ ସମ୍ପୂର୍ଣ୍ଣରୂପେ ଡିଜିଟାଲ୍ ଯୁଗରେ ଲାଳିତ ହୋଇଥିବାରୁ ‘ଜେନ୍ ଜେଡ୍’ ସ୍ମାର୍ଟଫୋନ୍, ହାଇସ୍ପିଡ୍ ଇଣ୍ଟର୍ନେଟ୍’ ଓ ସାମାଜିକ ଗଣମାଧ୍ୟମ ଚଳାଇବା ସେମାନଙ୍କ ପକ୍ଷେ ଅତି ସହଜ।
ସାମାଜିକ ଗଣମାଧ୍ୟମ ପ୍ରଭାବିତ: ସହରାଞ୍ଚଳର ଭାରତୀୟ ‘ଜେନ୍ ଜେଡ୍’ଙ୍କ ମଧ୍ୟରୁ ୯୧ ପ୍ରତିଶତ ସାମାଜିକ ଗଣମାଧ୍ୟମରୁ ଖବର ଆହରଣ କରନ୍ତି। ସେଥିରୁ ଭିଡିଓ ପ୍ଲାଟ୍ଫର୍ମରୁ ମଧ୍ୟ ୮୮ ପ୍ରତିଶତ ସମ୍ବାଦ ପ୍ରାପ୍ତ ହୁଅନ୍ତି। ଯଦିବା ସେମାନଙ୍କର ପ୍ରତିଷ୍ଠିତ ସମ୍ବାଦ ପ୍ରତିଷ୍ଠାନ ଉପରେ ଅଧିକ ବିଶ୍ବାସ ଥାଏ, ତଥାପି ଆନୁଷ୍ଠାନିକ ପ୍ରକାଶକ, କ୍ରିଏଟର୍ ଓ ମିମ୍ ପେଜ୍ରୁ ମଧ୍ୟ ସେମାନେ ବିଭିନ୍ନ ଖବର ପାଇଯାଆନ୍ତି। ଭାରତୀୟ ‘ଜେନ୍ ଜେଡ୍’ଙ୍କର ମୁଖ୍ୟ ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମ ହେଉଛି ‘ୟୁଟ୍ୟୁବ୍’ ଓ ‘ଇନ୍ଷ୍ଟାଗ୍ରାମ୍’। ଲମ୍ବା ଭିଡିଓ ଅପେକ୍ଷା ସେମାନେ ‘ରିଲ୍ସ୍’ ଓ ‘ସର୍ଟସ୍’ ପସନ୍ଦ କରନ୍ତି। ଫିଜିଟାଲ୍ ଅନୁଭୂତି: ‘ଜେନ୍ ଜେଡ୍’ମାନେ ଅବାଧରେ ବାସ୍ତବ (ଫିଜିକାଲ୍) ଓ ଡିଜିଟାଲ୍ କ୍ଷେତ୍ର ସମ୍ମିଶ୍ରଣ କରିପାରନ୍ତି। କୌଣସି ଦୋକାନରେ ଥାଇ ସେମାନେ ଫୋନ୍ ଦ୍ବାରା ଅନୁସନ୍ଧାନ ଅଥବା କିଣାକିଣି ଅନୁଭୂତି ସାଙ୍ଗସାଥୀଙ୍କୁ ଅବଗତ କରାଇପାରନ୍ତି।
ବ୍ୟୟ ଓ ବ୍ରାଣ୍ଡ୍ ଚୟନ: ଭାରତୀୟ ‘ଜେନ୍ ଜେଡ୍’ ଖରିଦ କରିବା ଆଗରୁ ଉତ୍ପାଦ ସମ୍ବନ୍ଧରେ ବ୍ୟାପକ ଗବେଷଣା କରନ୍ତି। ଯେଉଁ ବ୍ରାଣ୍ଡ୍ ସବୁ ଜେନୁଇନ୍ ସେଗୁଡ଼ିକୁ ଖରିଦ କରନ୍ତି। ସାମାଜିକ ଦାୟିତ୍ବ ଉପରେ ଗୁରୁତ୍ବାରୋପ କରି ସେମାନେ ଦେଶୀୟ ବ୍ରାଣ୍ଡ୍ ଚୟନ କରନ୍ତି। କିନ୍ତୁ, ଏହାର ଅର୍ଥ ନୁହେଁ ଯେ ସେମାନେ ନିର୍ଦ୍ଦିଷ୍ଟ ବ୍ରାଣ୍ଡ୍ ପ୍ରତି ଅନୁଗତ। ବ୍ରାଣ୍ଡ୍ ଅାନୁଗତ୍ୟ ଅପେକ୍ଷା ସେମାନଙ୍କର କ୍ରୟ ସଦାସର୍ବଦା ପ୍ରଚଳିତ ଧାରା ଦ୍ବାରା ପରିଚାଳିତ। ସେମାନେ ସେଲିବ୍ରିଟିଙ୍କ ବ୍ରାଣ୍ଡ୍ ପ୍ରମୋସନ୍ ଅେପକ୍ଷା ସୋସିଅାଲ୍ ମିଡିଆ ‘ମାଇକ୍ରୋ-ଇନ୍ଫ୍ଲୁଏନ୍ସର୍’ଙ୍କୁ ଅଧିକ ବିଶ୍ବାସ କରନ୍ତି। ‘ଜେନ୍ ଜେଡ୍’ମାନେ ମିଲେନିୟାଲ୍ଙ୍କ ପରି ନଗଦ ଟଙ୍କା ଉପରେ ନିର୍ଭରଶୀଳ ନୁହନ୍ତି, ସେମାନେ ଡିଜିଟାଲ୍ ପେମେଣ୍ଟ୍ର ବ୍ୟାପକ ବ୍ୟବହାର କରୁଛନ୍ତି। ‘ଜେନ୍ ଜେଡ୍’ମାନେ ସବୁବେଳେ ବ୍ୟକ୍ତିଗତ ଅଭିବୃଦ୍ଧି ଓ ଟେକ୍ନୋଲଜି ଉପରେ ପ୍ରାଧାନ୍ୟ ଦେଉଥିବାରୁ ଗ୍ୟାଜେଟ୍ ଓ ଦକ୍ଷତା ବିକାଶ ପାଠ୍ୟକ୍ରମରେ ଅଧିକ ଅର୍ଥ ନିବେଶ କରୁଥିବା ଦେଖାଯାଉଛି।
ରୋଜଗାର ଆକାଂକ୍ଷା: ବହୁ ଭାରତୀୟ ‘ଜେନ୍ ଜେଡ୍’ଙ୍କର ଔଦ୍ୟୋଗିକ ମନୋଭାବ ରହିଛି। ସେମାନଙ୍କ ମଧ୍ୟରୁ ବହୁଳାଂଶ ନିଜସ୍ବ ବ୍ୟବସାୟ କିଂବା ଆଉ କିଛି ସାମୟିକ କାର୍ଯ୍ୟ କରିବାକୁ ଆଗ୍ରହୀ। କିନ୍ତୁ, ଅଧ୍ୟୟନ କହେ ଉଦ୍ୟୋଗପତି ହେବାଠାରୁ ସେମାନଙ୍କ ମଧ୍ୟରୁ ଅନେକେ ସ୍ଥାୟୀ ସରକାରୀ ଚାକିରି ପ୍ରତି ମନବଳାଉଛନ୍ତି। ତେଣେ ହାଇବ୍ରିଡ୍ ୱାର୍କ ମଡେଲ୍ ସେମାନଙ୍କ ପସନ୍ଦ। ତେଣୁ ସେମାନେ ଚିରାଚରିତ ଭାବେ ଚାଲିଆସୁଥିବା ୯ଟାରୁ ୫ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବା ଅପେକ୍ଷା ଅଫିସ୍ କାର୍ଯ୍ୟ ଓ ବ୍ୟକ୍ତିଗତ କାର୍ଯ୍ୟ ମିଶାଇ କରିବା ଉପରେ ଗୁରତ୍ବ ଦିଅନ୍ତି। କାର୍ଯ୍ୟ କରିବା ବେଳେ ହେଉ ବା ପଢ଼ିବା ବେଳେ ହେଉ ଜେନ୍-ଜେଡ୍ ସବୁବେଳେ ସେମାନଙ୍କ ଦକ୍ଷତା ସମ୍ପ୍ରସାରଣ କରିବାକୁ ଚାହାନ୍ତି। କିନ୍ତୁ, ଏଥିପାଇଁ ସେମାନେ ସଂକ୍ଷିପ୍ତ, ମୋବାଇଲ୍-ଅପ୍ଟିମାଇଜ୍ଡ୍ ଶିକ୍ଷା ଧାରା ପସନ୍ଦ କରନ୍ତି। ଭାରତୀୟ ‘ଜେନ୍ ଜେଡ୍’ମାନେ କର୍ମସଂସ୍ଥାନଦାତାଙ୍କ ଠାରୁ ବେତନ ସ୍ବଚ୍ଛତା ଆଶା କରନ୍ତି। ଏ ସୂଚନା ନ ଥିଲେ ସେମାନେ ଏହାକୁ ନକାରାତ୍ମକ ଭାବେ ଗ୍ରହଣ କରନ୍ତି।
ମାନସିକ ସ୍ବାସ୍ଥ୍ୟ ଓ ସମସ୍ୟା: ପୂର୍ବ ପିଢ଼ିଙ୍କ ଅପେକ୍ଷା ‘ଜେନ୍ ଜେଡ୍’ ପିଢ଼ି ଉତ୍କଣ୍ଠା ଓ ଅବସାଦ ଭଳି ମାନସିକ ସ୍ବାସ୍ଥ୍ୟ ସମସ୍ୟା ନେଇ ଅଧିକ ଆଲୋଚନା କରନ୍ତି। ପ୍ରଯୁକ୍ତିପ୍ରିୟ ହୋଇଥିଲେ ବି ସେମାନଙ୍କୁ ସଂପ୍ରତି ଶିକ୍ଷାଗତ ଓ କ୍ୟାରିୟର୍ କ୍ଷେତ୍ରରେ ଖୁବ୍ ଚାପ, ଉତ୍କଣ୍ଠା ଆଦି ସମ୍ମୁଖୀନ ହେବାକୁ ପଡୁଛି। ପ୍ରତି କ୍ଷେତ୍ରରେ ଡିଜିଟାଲ୍ ପ୍ଲାଟ୍ଫର୍ମ ଓ ସାମାଜିକ ଗଣମାଧ୍ୟମ ନିର୍ଭରଶୀଳତା ସ୍କ୍ରିନ୍ ସମୟ ବୃଦ୍ଧି କରାଇଦିଏ। ଫଳରେ ସାମାଜିକ ଉତ୍କଣ୍ଠା ଓ ନିଃସଙ୍ଗତାର ଶିକାର ବି ହେଉଛନ୍ତି ଜେନ୍-ଜେଡ୍।