ଆମେରିକାର ମାସାଚ୍ୟୁସେଟ୍ସ ବିଶ୍ବବିଦ୍ୟାଳୟର ବିଦ୍ୟୁତ୍ ଇଞ୍ଜିନିଅରିଂ ବିଭାଗର ଗବେଷକମାନେ ବାୟୁର ଆର୍ଦ୍ରତାରୁ ବିଦ୍ୟୁତ୍ ଉତ୍ପାଦନ କରିବାରେ ସଫଳ ହୋଇଛନ୍ତି। ସେମାନେ ବାୟୁମଣ୍ଡଳରେ ଭାସି ବୁଲୁଥିବା ଜଳକଣାରୁ ପରୀକ୍ଷାମୂଳକ ଭାବେ ଏପରି ନିର୍ମଳ ବିଦ୍ୟୁତ୍ ଲାଭ କରି ଶକ୍ତି ସଂକଟରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାର ସମ୍ଭାବନା ସୃଷ୍ଟି କରିଛନ୍ତି। ସେମାନଙ୍କ ମତରେ ସୌର ଶକ୍ତି ଓ ପବନ ଶକ୍ତି ପରି ବାୟୁର ଆର୍ଦ୍ରତା ଶକ୍ତି ହେଉଛି ଅନ୍ୟତମ ଅଣପାରମ୍ପରିକ ବା ଅସରନ୍ତି ଶକ୍ତିର ଉତ୍ସ ଯାହା ନିରନ୍ତର ଭାବେ ଉପଲବ୍ଧ। ଯେ କୌଣସି ପ୍ରକାରର ଅଙ୍ଗାରକ, ଅଣଅଙ୍ଗାରକ ବା ଜୈବ ବସ୍ତୁରୁ ପ୍ରସ୍ତୁତ ଏକ ଅତିକ୍ଷୁଦ୍ର (ନାନୋ) ପଦାର୍ଥ ସାହାଯ୍ୟରେ ଏହି ଶକ୍ତି ଆହରଣ କରିହେବ।
ସେମାନଙ୍କ ତତ୍ତ୍ବ ଅନୁଯାୟୀ, କୌଣସି ପ୍ରକାର ବସ୍ତୁର ଶହେ ନାନୋମିଟରରୁ ଛୋଟ ଆକାରର ଛିଦ୍ର ମାଧ୍ୟମରେ ବାୟୁ ଓ ଜଳକଣାକୁ ପ୍ରବେଶ କରାଇ ତାହାର ପୃଷ୍ଠଦେଶରେ ବିଦ୍ୟୁତ୍ ଚାର୍ଜ ଉତ୍ପନ୍ନ ହୋଇପାରିବ। ଏହି ଛିଦ୍ରଗୁଡ଼ିକ ଏତେ କ୍ଷୁଦ୍ର ଯେ ଏହାର ଉପରି ଭାଗରୁ ନିମ୍ନ ଆଡ଼କୁ ଜଳର ଅଣୁଗୁଡ଼ିକ ଅତିକ୍ରମ କଲା ବେଳେ ସେମାନେ ତାହା ଧାରରେ ପିଟି ହୋଇ ବିଦ୍ୟୁତ୍ ଚାର୍ଜ ସୃଷ୍ଟି କରିେପାରିବେ। ସୁତରାଂ ମେଘଖଣ୍ଡରେ ବିଜୁଳି ଉତ୍ପନ୍ନ ହେବା ପରି ଏହି ଅତି କ୍ଷୁଦ୍ର ଛିଦ୍ରରେ ବିଦ୍ୟୁତ୍ ଶକ୍ତି ପ୍ରବାହିତ ହେବ। ତେବେ ମେଘଖଣ୍ଡରେ ଉତ୍ପନ୍ନ ବିଜୁଳିକୁ ଶକ୍ତି ଆକାରରେ ସଂଗ୍ରହ କରାଯାଇ ପାରୁନଥିବା ବେଳେ ଏହି ନାନୋଛିଦ୍ରରେ ଉତ୍ପନ୍ନ କୃତ୍ରିମ ନାନୋ ବିଜୁଳିର ଶକ୍ତି ସଂଗ୍ରହ କରାଯାଇପାରିବ। ବାୟୁମଣ୍ଡଳର ଆର୍ଦ୍ରତା ଚବିଶ ଘଣ୍ଟା ଉପଲବ୍ଧ ହେଉଥିବାରୁ ସେଥିରୁ ଆବଶ୍ୟକ ଯନ୍ତ୍ରାଂଶ ଖଞ୍ଜି ପ୍ରଚୁର ବିଦ୍ୟୁତ୍ ଶକ୍ତି ଆହରଣ କରିହେବ ବୋଲି ଗବେଷକମାନେ ଦାବି କରିଛନ୍ତି। ସମ୍ପ୍ରତି ୟୁରୋପର ଶକ୍ତି ସଂକଟ ପାଇଁ ସବୁଜ ଉଦ୍ଜାନ ଶକ୍ତିକୁ ପ୍ରୋତ୍ସାହନ କରାଯାଉଥିବା ବେଳେ ଏହି ନୂତନ ଆର୍ଦ୍ରତା ଶକ୍ତି ତାହାର ଏକ ଚୂଡ଼ାନ୍ତ ବିକଳ୍ପ ହୋଇପାରିବ ବୋଲି ଆଶା କରାଯାଉଛି।