ଆମେରିକୀୟ ସୁପରମଡେଲ୍ ଜିଜି ହାଦିଦ ଗତ ସପ୍ତାହରେ କେମ୍ୟାନ୍ ଆଇଲ୍ୟାଣ୍ଡ୍‌ରେ ଛୁଟି କାଟୁଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଥିଲା ବୋଲି ନିକଟରେ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ଜିଜି ଜଣେ ବନ୍ଧୁଙ୍କ ସହ ଏକ ବ୍ୟକ୍ତିଗତ ବିମାନରେ କେମ୍ୟାନ୍ ଆଇଲାଣ୍ଡ୍‌ର ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କର ସନ୍ଦେହ ହେବାରୁ ତାଙ୍କ ବ୍ୟାଗ୍‌ ତଲାସ କରାଯାଇଥିଲା। ତଲାସରୁ ଗଞ୍ଜେଇ ସମେତ ଗଞ୍ଜେଇ ଟାଣିବାର ସରଞ୍ଜାମ ମିଳିଥିଲା। ଏହା ପରେ ଜିଜି ଓ ବନ୍ଧୁଙ୍କୁ ପ୍ରଥମେ ଗିରଫ କରାଯାଇଥିଲା। କିଛି ଘଣ୍ଟା େଜଲ୍‌ରେ ରହିବା ପରେ ସେମାନଙ୍କୁ ଜାମିନ ମିଳିଯାଇଥିଲା। ଗତ ୧୨ ତାରିଖରେ କୋର୍ଟରେ ହାଜର ହୋଇ ସେମାନେ ଦୋଷ ସ୍ବୀକାର କରିଥିଲେ।

Advertisment

ଏଥିପାଇଁ ସେମାନଙ୍କ ଉପରେ ୧୦୦୦ ଡଲାର୍‌ର ଜରିମାନା ଲାଗିଥିଲା ଏବଂ ସେମାନେ ସେଠାରେ ଛୁଟି କାଟି ଘରକୁ ଫେରିଥିଲେ। ଜିଜିଙ୍କ ପ୍ରତିନିଧି ପ୍ରକାଶ କରିଛନ୍ତି ଯେ ଜିଜି ନ୍ୟୁୟର୍କରୁ ଆଇନତଃ ଗଞ୍ଜେଇ କିଣିଥିଲେ ଏବଂ କେମ୍ୟାନ୍ ଆଇଲାଣ୍ଡ୍‌ରେ ମଧ୍ୟ ୨୦୧୭ରୁ ଗଞ୍ଜେଇର ଔଷଧୀୟ ବ୍ୟବହାରକୁ ବୈଧତା ମିଳିସାରିଛି। ତେଣୁ ଜିଜିଙ୍କ ବିରୋଧରେ କୌଣସି ଆପରାଧିକ ମାମଲା ରୁଜୁ ହୋଇ ନାହିଁ। ୨୦୨୦ରେ ଜିଜି ଓ ପୁରୁଷବନ୍ଧୁ ତଥା ବ୍ରିଟିସ୍‌ ଗାୟକ ଜେନ୍ ମଲିକଙ୍କ ଔରସରୁ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ତେବେ ୨୦୨୧ରେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା। ଗତ ବର୍ଷରୁ ଜିଜି ଓ ହଲିଉଡ୍‌ ତାରକା ଲିଓନାର୍ଡୋ ଡି’କାପ୍ରିଓଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହୋଇଆସୁଛି।