ଓଡ଼ିଆଙ୍କର ବାରମାସରେ ତେର ପର୍ବ। ଏସବୁ ପର୍ବର ଉତ୍ପତ୍ତି କିଛିଟା ଶାସ୍ତ୍ରୀୟ, କିଛିଟା ଲୋକାଚାରଜନିତ ବା କିଂବଦନ୍ତି ଆଧାରିତ। ଶାସ୍ତ୍ରୀୟପର୍ବ ସବୁ ପ୍ରାୟତଃ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଶ୍ରୀବତ୍ସଖଣ୍ଡଶାଳ ଶ୍ରୀମନ୍ଦିରରେ ପାଳିତ ହୁଏ ଏବଂ ଗୃହୀମାନେ ତାକୁ ଅନୁସରଣ କରନ୍ତି। ସେହିପରି ଏକ ପ୍ରସିଦ୍ଧ ପର୍ବ ହେଲା ଗହ୍ମାପୂନେଇଁ ବା ଶ୍ରାବଣ ପୂର୍ଣ୍ଣିମା। ଏହା ବଡ଼ବାଡ଼ମଣିମା ବଳଭଦ୍ର ଗୋସେଇଁଙ୍କ ଜନ୍ମଦିନ। ରାଜା ବସୁଦେବ ଓ ତାଙ୍କ ପତ୍ନୀ ଦେବକୀଙ୍କୁ ବନ୍ଦୀଶାଳାରେ ରଖି ମଥୁରାର ଅସୁର ରାଜା କଂସ ତାଙ୍କର ଛଅ ପୁଅଙ୍କୁ ଦର୍ପଣଶିଳାରେ କଚାଡ଼ି ମାରିବା ପରେ ସପ୍ତମ ଗର୍ଭର ସନ୍ତାନକୁ ମହାବିଷ୍ଣୁଙ୍କ ଆଦେଶ ଅନୁସାରେ ଯୋଗମାୟା ସଂକର୍ଷିତ କରି ତାଙ୍କର ଅନ୍ୟ ପତ୍ନୀ ରୋହିଣୀଙ୍କ ଗର୍ଭରେ ସଂସ୍ଥାପିତ କଲେ। ସିଂହପୂର୍ଣ୍ଣମୀ ବା ଶ୍ରାବଣ ପୂର୍ଣ୍ଣିମାରେ ସେ ସନ୍ତାନଟି ଜନ୍ମଲାଭ କଲା। ସେ ହେଉଛନ୍ତି ଆମର ଏବେକାର ବଡ଼ବାଡ଼ ମଣିମା ସଂକର୍ଷିତ ଭଗବାନ ବଳଭଦ୍ର ଗୋସେଇଁ।
ମହାପ୍ରଭୁ ବଳଭଦ୍ରଙ୍କ ଆୟୁଧ ହେଲେ ହଳମୂଷଳ। ସେ କୃଷି ସଂସ୍କୃତିର ପ୍ରତିନିଧି, ହଳୀ, ବଜ୍ରଲାଙ୍ଗଳୀ, ମହାକୃଷକ। ତାଙ୍କର ଜନ୍ମଦିନକୁ କୃଷିପ୍ରଧାନ ଓଡ଼ିଶା ରାଜ୍ୟରେ ବଡ଼ ଧୁମଧାମରେ ପାଳନ କରାଯାଏ। ଭଗବାନ ଶଂକର୍ଷଣ ଧଳା ରଙ୍ଗର ବୋଲି ଧଳା ମଣ୍ଡା, ଧଳା ଗଇଁଠା, ଧଳା ଚାଉଳ କ୍ଷୀରୀ, ଚକୁଳି, ଚିତଉ ଆଦି ପିଠା ଠାକୁରଙ୍କ ଠାରେ ଭୋଗ ହୁଏ। ପୁଣି ଏହିଦିନ ଗୋମାତାଙ୍କୁ ମଧ୍ୟ ପୂଜା କରାଯାଏ। ଚାଷୀପୁଅର ସାଥୀ ତା’ର ହଳବଳଦ। ଭଗବାନ ହଳାୟୁଧଙ୍କ ଜନ୍ମଦିନରେ ହଳପୂଜା ସହ ବଳଦମାନଙ୍କର ବି ପୂଜା କରାଯାଏ। ସେମାନେ ସୁସ୍ଥ, ନିରୋଗ ରହି ସାରାବର୍ଷ ଚାଷ କାମରେ ସାହାଯ୍ୟ କରିବାକୁ ନିବେଦନ କରି ତାଙ୍କ ଶିଂଘରେ ରାକ୍ଷୀ ବାନ୍ଧି, ପିଠା ଖୁଆଇ ଗୃହସ୍ଥ ଓ ଗୃହିଣୀ ଖୁସି ହେଉଥାଆନ୍ତି। ବଳଭଦ୍ର ଜନ୍ମ ଦିବସରେ ବ୍ରାହ୍ମଣଦେବତା ନିଜେ ଯଜମାନ ଘରକୁ ଆସି ନଡ଼ିଆ, ପଇତା ଦେଇ ଉପଯୁକ୍ତ ଭେଟି ଓ ପ୍ରଣାମି ନେଇ ସସମ୍ମାନ ଫେରନ୍ତି। ଗହ୍ମାପୂର୍ଣ୍ଣିମା ଦିନ ସମସ୍ତେ ପୁରୋହିତଙ୍କ ରକ୍ଷାସୂତ୍ରରେ ବନ୍ଧା ହୋଇ ବ୍ରାହ୍ମଣ ପାଲଟିଯାଆନ୍ତି। ଭବିଷ୍ୟପୁରାଣର କାହାଣୀ ଅନୁସାରେ, ଇନ୍ଦ୍ରପ୍ରସ୍ଥର ରାଜା ହେବାପରେ ଧର୍ମରାଜ ଯୁଧିଷ୍ଠିରଙ୍କୁ ବଳଭଦ୍ରଙ୍କ ଆଦେଶ ଅନୁସାରେ ତାଙ୍କ ପୁରୋହିତ ଏକ ରକ୍ଷାସୂତ୍ରରେ ବାନ୍ଧି କଲ୍ୟାଣ କରିଥିଲେ। ସେହି ଅନୁସାରେ ଆଜିଯାଏଁ ଗାଁ ଗହଳିର ବ୍ରାହ୍ମଣମାନେ ସେମାନଙ୍କ ଯଜମାନଙ୍କୁ ପଇତା ଦେଇ ଆସନ୍ତି।
ଭାରତର ଉତ୍ତର ଓ ପଶ୍ଚିମ ଭାଗରେ ଭଉଣୀମାନେ ଭାଇମାନଙ୍କ ହାତରେ ରାଖି ବାନ୍ଧିବାକୁ ଶାଶୂଘରୁ ବାପଘରକୁ ଆସନ୍ତି। ଆଜିକାଲି ଓଡ଼ିଆଘରେ ବି ଭାଇକୁ ରାଖି ବାନ୍ଧିବାକୁ ଭଉଣୀମାନେ ସୁଖ ପାଉଛନ୍ତି। ରାଖି ବାନ୍ଧି ପଇସା, ଲୁଗାପଟା ଉପହାର ବି ପାଉଛନ୍ତି। ପର୍ବ ସମସ୍ତଙ୍କୁ ଏକାଠି କରେ, ଖୁସି ବଢ଼ାଏ। ରାଖିପୂର୍ଣ୍ଣିମା ଏମିତି ଗୋଟେ ଖୁସିର ପର୍ବ ହୋଇ ରହୁ। ଓଡ଼ିଆ ପ୍ରାଣର ବଡ଼ଠାକୁରଙ୍କ ଜନ୍ମଦିନକୁ ଗହ୍ମାପୂନେଇଁ ବୋଲି ଆମେ ସ୍ୱୀକାର କରି ଗୋ ଜାତିର ପୂଜା କରି କୃଷିପ୍ରଧାନ ରାଜ୍ୟର ଉନ୍ନତି କାମନା କରିବା।
- ପ୍ରଜ୍ଞାଶ୍ରୀ ରଥ, ଡୁମୁଡୁମା