ଖାଦ୍ୟର ସ୍ବାଦ ତଥା ସୁଗନ୍ଧ ବଢ଼ାଇବା, ଜୀର୍ଣ୍ଣକ୍ରିୟାକୁ ସୁଗମ କରିବା ଓ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ପରି ଘିଅର ଅନେକ ସ୍ବାସ୍ଥ୍ୟପ୍ରଦ ଗୁଣ ରହିଛି। ସେଭଳି କିଛି ସୁଗୁଣ ବାବଦରେ ଜାଣିବା। ଆମ ପାକସ୍ଥଳୀରେ ଥିବା ଉପକାରୀ ବୀଜାଣୁଗୁଡ଼ିକ ଘିଅରେ ଥିବା ବ୍ୟୁଟିରେଟ୍ ତନ୍ତୁକୁ ଭାଙ୍ଗି ବ୍ୟୁଟିରିକ୍ ନାମକ ଏକ ଚର୍ବିଳାମ୍ଳରେ ପରିଣତ କରିଥା’ନ୍ତି, ଯାହା ଆମ ବୃହଦାନ୍ତ୍ରର ଜୀବକୋଷମାନଙ୍କ ପାଇଁ ଏକ ଶକ୍ତିପ୍ରଦ ଉତ୍ସ। ସୁତରାଂ ଘିଅ ହଜମକ୍ରିୟାକୁ ସୁଗମ କରିଥାଏ। ଘିଅ ଖାଇବା ଦ୍ବାରା ପେଟ ଫୁଲିବା ସମସ୍ୟା ଦୂର ହୋଇଥାଏ। ଘିଅରେ ଥିବା ଉଚ୍ଚମାନର ଓମେଗା ଚର୍ବିଳାମ୍ଳ ଓଜନ ହ୍ରାସ ପାଇଁ ସହାୟକ ହୋଇଥାଏ। ଘିଅରେ ପ୍ରଚୁର ପରିମାଣର ଭିଟାମିନ୍ ଡି, କେ, ଇ ଓ ଏ ପରି ଚର୍ବି-ଦ୍ରବଣୀୟ ଗୁରୁତ୍ବପୂର୍ଣ୍ଣ ଉପାଦାନ ରହିଛି।
ତେଣୁ ଘିଅ ଖାଇବା ଦ୍ବାରା ଆମର ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ। ଦେଶୀ ଘିଅର ଆଣ୍ଟିଫଙ୍ଗାଲ୍, ଆଣ୍ଟିବ୍ୟାକ୍ଟେରିଆଲ୍ ଓ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି। ତେଣୁ ଏହା ଥଣ୍ଡା, କାଶ, ଫ୍ଲୁ ଓ ବିଭିନ୍ନ କ୍ଷତିକାରକ ବୀଜାଣୁ କବଳରୁ ରକ୍ଷା କରିଥାଏ। ଘିଅ ମସ୍ତିଷ୍କ କ୍ରିୟାକୁ ଉନ୍ନତ କରିଥାଏ। ଏହା ବିଭିନ୍ନ ଜୀବକୋଷ ଓ ତନ୍ତୁକୁ ନଷ୍ଟ ହେବାରୁ ବଞ୍ଚାଇ ଜୀବନଧାରଣ କ୍ଷମତା ବଢ଼ାଇଥାଏ। ପ୍ରତ୍ୟହ ସକାଳେ ଖାଲିପେଟରେ ଘିଅ ଖାଇଲେ ତାହା ଶରୀରର ଉପଶମ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥାଏ। ଘିଅର ଆଣ୍ଟିଇନ୍ଫ୍ଲାମେଟରି ଓ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଶରୀରରୁ ବିଷାକ୍ତ ପଦାର୍ଥ ନିଷ୍କାସନ କରି ଚର୍ମକୁ ଲୋଚାକୋଚା ହେବା ଓ କଳା ପଡ଼ିବାରୁ ରକ୍ଷା କରିଥାଏ। ତ୍ବଚା ଓ କେଶକୁ କୋମଳ ତଥା ଉଜ୍ବଳ ରଖିବାରେ ମଧ୍ୟ ଘିଅର ପ୍ରମୁଖ ଭୂମିକା ରହିଛି।