ଜାପାନୀ ଆନିମେସନ୍ ଫିଲ୍ମ ଷ୍ଟୁଡିଓ ‘ଜିବ୍ଲି’ ଦ୍ବାରା ପ୍ରସ୍ତୁତ କାର୍ଟୁନ୍ ଚିତ୍ର ଦ୍ବାରା ଉତ୍ସାହିତ ହୋଇ ଆଜିକାଲି ଲକ୍ଷ ଲକ୍ଷ ଇଣ୍ଟରନେଟ୍ ବ୍ୟବହାରକାରୀ ନିଜର ଫଟୋକୁ ନୂତନ କଳାତ୍ମକ ରୂପ ଦେଇ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିବାରେ ଲାଗିଛନ୍ତି। ସେମାନେ ଏଥିପାଇଁ ନିଜର ଫଟୋକୁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ମଞ୍ଚ ‘ଚାଟ୍ଜିଟିପି’ରେ ଅପ୍ଲୋଡ୍ କରିବାରେ ଆଦୌ ହେଳା କରୁନାହାନ୍ତି। ମାତ୍ର ଚାଟ୍ଜିଟିପି ମାଧ୍ୟମରେ ‘ଜିବ୍ଲି’ କଳା ସୃଷ୍ଟି କରିବା ସମୟରେ ନିଜ ଫଟୋ ଉପଯୋଗର ନିରାପତ୍ତାକୁ ନେଇ ପ୍ରଶ୍ନ ଉଠିଛି। ଏ ପରିପ୍ରେକ୍ଷୀରେ ବ୍ୟବହାରକାରୀଙ୍କ ଗୋପନୀୟତା ପ୍ରତି ବିପଦ ଥିବା ସହ ସୁରକ୍ଷାରେ ଛିଦ୍ର ସୃଷ୍ଟି ହେବା ଆଶଙ୍କା ଥିବାରୁ ସଚେତନ ରହିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ବ୍ୟାପକ ଲୋକପ୍ରିୟତା ହାସଲ କରିଥିବା ଏହି ଧାରା ଏଆଇ ତାଲିମ ଉଦ୍ଦେଶ୍ୟରେ ବିପୁଳ ପରିମାଣର ଫଟୋ ଆହରଣ କରିବାର ଏକ ରଣନୀତି ହୋଇପାରେ। ମାତ୍ର ବ୍ୟବହାରକାରୀମାନେ ଅଜାଣତରେ ନିଜ ମୁହଁର ତଥ୍ୟ ପ୍ରଦାନ କରୁଛନ୍ତି, ଯାହା ସେମାନଙ୍କ ଗୋପନୀୟତାକୁ ବିପଦରେ ପକାଇପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।
‘ଜିବ୍ଲି’ କାର୍ଟୁନ ଶୈଳୀରେ ନିଜର ଚିତ୍ର ଦେଖିବାକୁ ଖୁବ୍ ସୁନ୍ଦର ଲାଗୁଥିଲେ ହେଁ ଏହା ସହିତ ଗୋପନୀୟତା ହନନର ବିପଦ ସଂପୃକ୍ତ ହୋଇ ରହିଛି। ମୁହଁର ତଥ୍ୟକୁ ବ୍ୟବହାର କରି ନକଲି ଆକାଉଣ୍ଟ ଖୋଲିବା, ପରିଚୟ ଚୋରି କରିବା ଭଳି ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।
ଓପନ୍ଏଆଇର ଏହି ତଥ୍ୟ ସଂଗ୍ରହ ପଦ୍ଧତି ଏଆଇ କପିରାଇଟ୍ ସମସ୍ୟାଠାରୁ ବଡ଼, ଯାହା କମ୍ପାନିକୁ ବ୍ୟବହାରକାରୀ ପ୍ରଦାନ କରିଥିବା ଫଟୋ ହାସଲ କରିବାକୁ ଏବଂ ସେଥି ସହ ଜଡ଼ିତ ଆଇନଗତ ପ୍ରତିବନ୍ଧକ ଏଡ଼ାଇବାକୁ ଅନୁମତି ଦେଇଥାଏ। ବ୍ୟବହାରକାରୀମାନେ ଥରେ ସେମାନଙ୍କ ଫଟୋ ଦାଖଲ କରିବା ପରେ ତାହାର ବ୍ୟବହାର ଉପରେ ସେମାନେ ନିୟନ୍ତ୍ରଣ ହରାଇ ବସିବେ। ପରିଚୟ ଚୋରି କରିବା ପାଇଁ ଫଟୋଗୁଡ଼ିକର ଅପବ୍ୟବହାର ହୋଇପାରେ। ବ୍ୟବହାରକାରୀଙ୍କ ସୂଚନା ସୁରକ୍ଷିତ ନ ରହିପାରେ ଏବଂ ତାହା ଅପବ୍ୟବହାର ପାଇଁ ସହଜ ବି ହୋଇପାରେ। ସେହିପରି ନକଲି ବ୍ୟକ୍ତିଗତ ପରିଚୟ (ପ୍ରୋଫାଇଲ୍) ତିଆରି ପାଇଁ ଫଟୋଗୁଡ଼ିକୁ ବ୍ୟବହାର କରାଯାଇପାରେ। ବ୍ୟବହାରକାରୀଙ୍କ ଫଟୋର ଅନଧିକୃତ ବ୍ୟବହାର ଆଇନଗତ ଜଟିଳତା ସୃଷ୍ଟି କରିବାର ଆଶଙ୍କା ବି ରହିଛି। ତେଣୁ ଏହି ବିପଦଗୁଡ଼ିକୁ ଦୃଷ୍ଟିରେ ରଖି ବ୍ୟବହାରକାରୀଙ୍କୁ ସେମାନଙ୍କ ଫଟୋ ଚାଟ୍ଜିପିଟିକୁ ଦେବା ପୂର୍ବରୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/03/Nic1z4RlS1A2ao7zbgqM.jpg)