ଭୟାନକ ସିନେମା ବା ଭୂତପ୍ରେତ ସମ୍ବଳିତ ଭୟାନକ ଧାରାବାହିକ ଦେଖିବା ବା ସେଭଳି ଉପନ୍ୟାସ ପଢ଼ିବାରେ ଅନେକଙ୍କର ଆଗ୍ରହ ଥାଇପାରେ। ସେହିପରି ଭୌତିକ ଘରମାନଙ୍କର ବର୍ଣ୍ଣନା ଜାଣିବାକୁ ମଧ୍ୟ କେହି କେହି କୌତୂହଳୀ ହୋଇପାରନ୍ତି। ମାତ୍ର ବାସ୍ତବରେ ଭୌତିକ ଘରେ ରହିବାକୁ କେତେ ଜଣ ବା ପସନ୍ଦ କରିବେ? ସେଭଳି ବିଚିତ୍ର ଅଭିଳାଷ ରଖିଥିବା ବ୍ୟକ୍ତିଙ୍କ ପାଇଁ ଆମେରିକାର ଟେକ୍ସାସ୍ରେ ‘ଭୂତ କୋଠା’ ନାମରେ ଏକ କୋଠା ବିକ୍ରି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ସେଥିରେ ଥିବା ବିଭିନ୍ନ ସାମଗ୍ରୀ ହିଁ ତାହାକୁ ଚର୍ଚ୍ଚିତ କରିଛି। ‘ଦି ମିରର’ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମାତ୍ର କୋଟିଏ ଟଙ୍କାରେ ଉପଲବ୍ଧ ଏହି ତିନି ଶୟନକକ୍ଷ ବିଶିଷ୍ଟ ବିଶାଳ ଘରକୁ କିଣିବା ପାଇଁ କେହି ଆଗ୍ରହ ପ୍ରକାଶ କରିନାହାନ୍ତି।
ଉକ୍ତ ଭବନର କଳ୍ପନାତୀତ ସାଜସଜାକୁ ସେଥିପାଇଁ ଦାୟୀ କରାଯାଇପାରେ। ଦୁଇ ଏକର ପରିମିତ ଜାଗା ଉପରେ ନିର୍ମିତ ଏହି ଭବନର ଅଭ୍ୟର୍ଥନା ପ୍ରକୋଷ୍ଠର ଛାତରୁ ନରକଙ୍କାଳମାନ ଝୁଲୁଛନ୍ତି ଏବଂ ଭିତରେ ବସିବା ପାଇଁ ଚୌକି ବଦଳରେ ଗୁଡ଼ାଏ କଫିନ୍ ପଡ଼ିଛି। ସେହିପରି ଝରକା ବାଟେ ବାହାରକୁ ଚାହିଁଲେ କୋଠା ପରିସରରେ କୌଣସି ଉଦ୍ୟାନ ପରିବର୍ତ୍ତେ ଏକ କବରସ୍ଥଳୀର ଦୃଶ୍ୟ ଦେଖିବାକୁ ମିଳୁଛି। ରୋଷେଇ ଘରକୁ ଯାଇଥିବା ସୁଡ଼ଙ୍ଗ ବାଟେ ଗଲେ ସେଠାରେ କୌଣସି ରୋଷେଇ ସରଞ୍ଜାମ ପରିବର୍ତ୍ତେ ମେଞ୍ଚାଏ ଖପୁରି ପଡ଼ିଥିବା ଦେଖାଯାଏ। ସଜାଯାଇଥିବା କଳାକୃତି ମଧ୍ୟରେ ଜଣେ ଡାକ୍ତର ହୃତ୍ପିଣ୍ଡ ଅସ୍ତ୍ରୋପଚାର କରୁଥିବାର ଦୃଶ୍ୟ ଏବଂ ଏକ ସ୍କୁଲ ବସ୍ ଓଲଟି ପଡ଼ିଥିବାର ଦୃଶ୍ୟ ମନକୁ ନିଶ୍ଚିତ ଶିହରିତ କରିବ। ଏଥି ସହିତ ହଲିଉଡ୍ର ଭୟାନକ ଚେହେରା ଥିବା ମାଇକେଲ ମାୟର୍ସ ଓ ଜାସନ୍ ଭୂର୍ହିଙ୍କ ମୁଖା ମଧ୍ୟ କାନ୍ଥରେ ଟଣାଯାଇଛି। ଏହିସବୁ ଭୟାନକ ସାମଗ୍ରୀଗୁଡ଼ିକୁ ହଟାଇ ଦେଲେ ମଧ୍ୟ ଉକ୍ତ ଭବନ ପରିସରଟି ମଶାଣିଠାରୁ କମ୍ ହେବନାହିଁ ବୋଲି ଅନେକ ଆଶାୟୀ କ୍ରେତା ଟିପ୍ପଣୀ କରି ତା’ଠାରୁ ମୁହଁ ଫେରାଇ ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/gd54j65g4g65jjgjgjg.jpg)