ପୁରୁଣା ଭୁବନେଶ୍ବରରେ ଥିବା ବ୍ରିଟିଶ୍‌ ଅମଳର ଡାକବଙ୍ଗଳା ବିଷୟରେ ଶୁଣିଛନ୍ତି ? ପୁନାମା ଗେଟ୍ ନିକଟରେ ଥିବା ଡାକବଙ୍ଗଳା ଛକ ଏହାର ପ୍ରମାଣ ଦିଏ। ସମ୍ଭବତଃ ୧୮୫୦ ଦଶକରେ ନିର୍ମିତ ହୋଇଥିବା ଏହି ଡାକବଙ୍ଗଳା ସମ୍ପର୍କରେ ସ୍ଥାନୀୟ ଲୋକଙ୍କଠାରୁ ଲୋମଟାଙ୍କୁରା କାହାଣୀ ଶୁଣିବାକୁ ମିଳେ। ଏଠାରେ ଏକାଧିକ ଅଶରୀରୀ ଆତ୍ମା ବୁଲୁଥିବା ସ୍ଥାନୀୟ ଲୋକେ ଦାବି କରନ୍ତି।
ସେହିପରି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍‌ କେନ୍ଦୁପାଟଣା ପଞ୍ଚାୟତରେ ଥିବା ଏକ ବ୍ରିଟିଶ୍‌ ଅମଳର ଡାକବଙ୍ଗଳା ସହିତ ସମାନ ପ୍ରକାରର ଆତଙ୍କ ସୃଷ୍ଟିକାରୀ ଲୋକକଥା ପ୍ରଚଳିତ। ଏହି ଡାକବଙ୍ଗଳାରେ ଜଣେ ଚୌକିଦାର ‘ବାହାଦୁର’ର ଆତ୍ମା ବୁଲୁଥିବା ଲୋକେ କହନ୍ତି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳଠାରେ ଥିବା ରାଜସ୍ବ ବିଭାଗର ଡାକବଙ୍ଗଳାକୁ ନେଇ ସମାନ ଧରଣର କାହାଣୀ ପ୍ରଚଳିତ। ସ୍ଥାନୀୟ ଲୋକେ ବିଶ୍ବାସ କରନ୍ତି କି, ସେଠାରେ ଜଣେ ମହିଳାର ଆତ୍ମା ବାସକରେ।
କିନ୍ତୁ, କେହି କେହି ଏହାକୁ ଅନ୍ଧବିଶ୍ବାସ କହି ଉଡ଼ାଇ ଦେଉଥିବା ବେଳେ କେହି ଘଟଣା ମିଛ ନୁହେଁ ବୋଲି ଦୃଢ଼ ମତ ରଖନ୍ତି। ତେବେ ଡାକବଙ୍ଗଳାଗୁଡ଼ିକ ସହ ଭୂତ କାହାଣୀ ଯୋଡ଼ିହେବା କେବଳ ଆମ ଓଡ଼ିଶାରେ ସୀମିତ ନୁହେଁ, ସାରାଦେଶର ବିଭିନ୍ନ ସ୍ଥାନରେ ଥିବା ପରିତ୍ୟକ୍ତ ଡାକବଙ୍ଗଳା ସଂପର୍କରେ ଊଣାଅଧିକେ ଏଭଳି ଶୁଣିବାକୁ ମିଳେ। ଏହାର କାରଣ ଜାଣିବାକୁ ହେଲେ ଆମକୁ ଡାକବଙ୍ଗଳାର ଇତିହାସ ବୁଝିବାକୁ ହେବ।

Advertisment

ଡାକବଙ୍ଗଳାର ଇତିହାସ
ଡାକବଙ୍ଗଳା ବ୍ରିଟିଶ୍‌ ଶାସନାଧୀନ ଭାରତର ପ୍ରଶାସନିକ ଢାଞ୍ଚାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା। ହିନ୍ଦୀ ଶବ୍ଦ “ଡାକ”ରୁ ଡାକବଙ୍ଗଳାର ଉତ୍ପତ୍ତି। ଡାକ ଶବ୍ଦର ଅର୍ଥ “ଚିଠି” ବା “ଡାକସେବା” ଏବଂ “ବଙ୍ଗଳା” କହିଲେ ଏକ ବଡ଼ ଘରକୁ ବୁଝାଏ। କହାଯାଏ, ଚିଠିପତ୍ର ବା ଡାକ ପରିବହନ କରୁଥିବା କର୍ମଚାରୀମାନଙ୍କ ବିଶ୍ରାମ ପାଇଁ ଏହି ଘରଗୁଡ଼ିକ ନିର୍ମାଣ ହୋଇଥିଲା। ଡାକବଙ୍ଗଳାର ଇତିହାସ ଅଷ୍ଟାଦଶ ଶତାବ୍ଦୀରେ ବ୍ରିଟିଶ୍‌ ଇଷ୍ଟ୍‌ ଇଣ୍ଡିଆ କମ୍ପାନି ଶାସନ ପ୍ରତିଷ୍ଠା ସମୟରୁ ଆରମ୍ଭ ହୁଏ। କମ୍ପାନି ଭାରତର ବିଭିନ୍ନ ଅଞ୍ଚଳରେ ତା’ର ଆଧିପତ୍ୟ ବିସ୍ତାର କରିବା ପରେ ସୁରୁଖୁରୁରେ ପ୍ରଶାସନ ଚଳାଇବା ପାଇଁ ବ୍ୟାପକ ଯୋଗାଯୋଗ ଏବଂ ପରିବହନ ଭିତ୍ତିଭୂମିର ବିକାଶ କରିଥିଲା। ଯୋଗାଯୋଗର ମୁଖ୍ୟ ମାଧ୍ୟମ ଥିଲା ଚିଠିପତ୍ର ବା ଡାକ ଦିଆନିଆ। ଭାରତର ପ୍ରଥମ ଗଭର୍ଣ୍ଣର୍‌ ଜେନେରାଲ୍‌ ୱାରେନ୍‌ ହେଷ୍ଟିଙ୍ଗସ୍‌ଙ୍କ ସମୟରେ ୧୭୬୬ରେ ଭାରତରେ ଡାକ ବ୍ୟବସ୍ଥା ଆରମ୍ଭ ହୋଇଥିଲା। କମ୍ପାନିର ବିଭିନ୍ନ ପ୍ରଶାସନିକ ଏବଂ ସାମରିକ କେନ୍ଦ୍ର ମଧ୍ୟରେ ଯୋଗାଯୋଗ ପାଇଁ ଡାକସେବା ଚାଲୁ ହୋଇଥିଲା। ପରେ ୧୭୭୪ରେ ଡାକସେବାକୁ ସଧାରଣ ଲୋକମାନଙ୍କ ପାଇଁ ଖୋଲି ଦିଆଗଲା। ସେତେବେଳେ ଚିଠିପତ୍ର ପରିବହନ ପାଇଁ ଡାକକର୍ମଚାରୀମାନଙ୍କୁ ଦୀର୍ଘ ଦିନ ଧରି ଜଙ୍ଗଲ ରାସ୍ତାରେ ଦୂରନ୍ତ ଇଲାକାକୁ ଯାତ୍ରା କରିବାକୁ ପଡୁଥିଲା। ଯାତ୍ରାର ମାଧ୍ୟମ ଥିଲା ଶଗଡ଼ କିମ୍ବା ଘୋଡ଼ାଗାଡ଼ି। କିନ୍ତୁ, ରାତିରେ ସେମାନଙ୍କ ରହିବା ପାଇଁ କୌଣସି ସୁରକ୍ଷିତ ଆଶ୍ରୟସ୍ଥଳ ନ ଥିଲା। ଫଳରେ ସେମାନେ ତମ୍ବୁ ଟାଣି ରହୁଥିଲେ, ଯାହାକି ସୁରକ୍ଷିତ ନ ଥିଲା। ଏହାର ସମାଧାନ ପାଇଁ ଡାକବଙ୍ଗଳାଗୁଡ଼ିକର ନିର୍ମାଣ କରାଯାଇଥିଲା। ୧୮୩୮-୩୯ରେ ତତ୍‌କାଳୀନ ଗଭର୍ଣ୍ଣର୍‌ ଜେନେରାଲ୍‌ ଲର୍ଡ ଅକ୍‌ଲାଣ୍ଡ୍‌ ଡାକବଙ୍ଗଳା ନିର୍ମାଣ ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ଡାକ କର୍ମଚାରୀ ଓ ବ୍ରିଟିଶ୍‌ ଅଧିକାରୀଙ୍କୁ ଆରାମ ଓ ଆଶ୍ରୟ ଦେବା ପାଇଁ ଡାକବଙ୍ଗଳାଗୁଡିକ ମୁଖ୍ୟତଃ ଡାକ ମାର୍ଗ, ବାଣିଜ୍ୟ ମାର୍ଗ ଏବଂ ପ୍ରଶାସନିକ କେନ୍ଦ୍ର ନିକଟରେ ନିର୍ମାଣ କରାଯାଉଥିଲା। କେବଳ ଡାକ କର୍ମଚାରୀ ନୁହନ୍ତି, ବିଭିନ୍ନ ସ୍ଥାନକୁ ପରିଦର୍ଶନରେ ଯାଉଥିବା ପ୍ରଶାସନିକ, ନ୍ୟାୟିକ ଓ ସାମରିକ ଅଧିକାରୀମାନେ ଏଠାରେ ବିଶ୍ରାମ ନେଉଥିଲେ।

ଡାକବଙ୍ଗଳା ଭୂତଘର କାହିଁକି ?
କେବଳ ଆମ ଦେଶ ନୁହେଁ, ଆଫ୍ରିକା ଓ ଦକ୍ଷିଣ-ପୂର୍ବ ଏସିଆର ବିଭିନ୍ନ ସ୍ଥାନରେ ଥିବା ପୁରାତନ ବିଶ୍ରାମାଗାର ସହ ଊଣାଅଧିକେ ଅନେକ ପ୍ରକାରର ଭୟାନକ କାହାଣୀ ଜଡ଼ିତ। ପ୍ରଥମତଃ, ଡାକବଙ୍ଗଳାଗୁଡ଼ିକ ଜନପଦଠାରୁ ଦୂର ନିର୍ଜନ ସ୍ଥାନରେ ଥିଲା। ବ୍ରିଟିଶ୍‌ ଶାସନର ଅବସାନ ପରେ ରକ୍ଷଣାବେକ୍ଷଣ ଅଭାବରୁ ସେଗୁଡ଼ିକ ପରିତ୍ୟକ୍ତ ହୋଇଗଲା। ଏଭଳି ପରିବେଶ ଭୂତପ୍ରେତ କାହାଣୀର ଉତ୍ପତ୍ତିକୁ ଖୋରାକ ଯୋଗାଇଥିବା ବିଶ୍ବାସ କରାଯାଏ।
ପୁଣି ଡାକବଙ୍ଗଳାଗୁଡ଼ିକ ଥିଲା ଅନେକ ରକ୍ତରଞ୍ଜିତ ତଥା ଦୁଃଖଦ ଘଟଣାର ମୂକସାକ୍ଷୀ। ୧୮୫୭ର ସିପାହୀ ବିଦ୍ରୋହ ଏବଂ ପରବର୍ତ୍ତୀ ସମୟରେ ଘଟିଥିବା ସ୍ବାଧୀନତା ସଂଗ୍ରାମ କାଳରେ ଅନେକ ବ୍ରିଟିଶ୍‌ ଅଧିକାରୀଙ୍କୁ ହତ୍ୟା କରାଯାଇଥିଲା। ସଶସ୍ତ୍ର ବିଦ୍ରୋହ ସମୟରେ କେତେକ ଅଧିକାରୀ ପ୍ରାଣ ବିକଳରେ ଆସି ଡାକବଙ୍ଗଳାରେ ଆତ୍ମଗୋପନ କରୁଥିଲେ। କିନ୍ତୁ, ବିଦ୍ରୋହୀମାନେ ସେଠାରେ ମଧ୍ୟ ପହଞ୍ଚି ସେମାନଙ୍କୁ ଖୋଜି ହତ୍ୟା କରିଥିବାର ଇତିହାସ ରହିଛି। ଏହାଛଡ଼ା, ଅନେକ ବ୍ରିଟିଶ୍‌ ଅଧିକାରୀ ପରିବାରଠାରୁ ଦୀର୍ଘଦିନ ଦୂରରେ ରହି ମାନସିକ ଅବସାଦବଶତଃ କେତେକ ଡାକବଙ୍ଗଳାରେ ଆତ୍ମହତ୍ୟା କରିବାର ନଜିର ରହିଛି। ଆଉ କେତେକ ମ୍ୟାଲେରିଆ, କଲେରା ପରି ରୋଗରେ ପଡ଼ି ମୃତ୍ୟୁବରଣ କରୁଥିଲେ। ଏସବୁ ଘଟଣା ପରେ ଡାକବଙ୍ଗଳାଗୁଡ଼ିକରେ ମୃତକଙ୍କ ଭୂତ ଥିବା ସ୍ଥାନୀୟ ଲୋକେ ବିଶ୍ବାସ କରୁଥିଲେ।

ଏହା ନୁହେଁ ଯେ, କେବଳ ଭାରତୀୟମାନେ ଏସବୁ କାହାଣୀ ଗଢୁଥିଲେ, ବ୍ରିଟିଶ୍‌ମାନେ ବି କିଛି କମ୍ ଅନ୍ଧବିଶ୍ବାସୀ ନ ଥିଲେ। କହିବା ବାହୁଲ୍ୟ, ସେମାନେ ବି ଭୂତପ୍ରେତରେ ବିଶ୍ବାସ କରୁଥିଲେ ଓ ଡାକବଙ୍ଗଳାରେ ଭୌତିକ ଘଟଣା ଘଟୁଥିବା ଦାବି କରୁଥିଲେ। ସେମାନଙ୍କଠାରୁ ଏସବୁ କାହାଣୀ ଆରମ୍ଭ ହୋଇ ସ୍ଥାନୀୟ ଅଂଚଳରେ ବ୍ୟାପିଯାଉଥିଲା। ମଧ୍ୟପ୍ରଦେଶର ଡାମୋହ ସର୍କିଟ୍ ହାଉସର କୋଠରି ନଂ୧ ଏପରି ଘଟଣା ପାଇଁ କୁଖ୍ୟାତ। ସେଠାରେ ଜଣେ ବ୍ରିଟିଶ୍‌ ସାହେବ ଓ ଜଣେ ମହିଳାଙ୍କ ପ୍ରେତ ବୁଲୁଥିବାର ଦାବି କରାଯାଏ। ୧୯୮୮ରେ ଏହି ଡାକବଙ୍ଗଳାଟି ନବୀକରଣ ହେବା ପୂର୍ବରୁ ସେଠାରେ ଜେନେରାଲ୍‌ ଡଗ୍‌ଲାସ୍‌ ନିଜ ପରିବାରକୁ ଗୁଳି ମାରିବା ପରେ ନିଜକୁ ଗୁଳିମାରି ଆତ୍ମହତ୍ୟା କରିଥିଲେ। ଏଠାରେ ଆଉ ଏକ ଘଟଣାର ଅବତାରଣା କରୁଛୁ। ବିଶ୍ବବିଖ୍ୟାତ ଶିକାରୀ ଜିମ କର୍‌ବେଟ୍ ଆତଙ୍କ ସୃଷ୍ଟିକାରୀ ‘ଚମ୍ପାବତ ନରଖାଦକ’କୁ ମାରିବାକୁ ବୁଲୁଥିବା ବେଳେ ଉତ୍ତରାଖଣ୍ଡର ଚମ୍ପାବତଠାରେ ଥିବା ଏକ ନିର୍ଜନ ଡାକବଙ୍ଗଳାରେ ରହିଥିଲେ। କିନ୍ତୁ, ସେଠାରେ ସେ ଏକ ଭୌତିକ ଘଟଣାର ସମ୍ମୁଖୀନ ହୋଇଥିବା କୁହାଯାଏ। ଏ ସମ୍ପର୍କରେ କର୍‌ବେଟ୍ ନିଜର ଶିକାର କାହାଣୀରେ ଅସ୍ପଷ୍ଟ ସଂକେତ ମଧ୍ୟ କରିଥିଲେ। ପରେ ଏହି ଘଟଣା ସଂପର୍କରେ ତାଙ୍କର ଜଣେ ସଂପର୍କୀୟ ଭାଇଙ୍କଠାରୁ ଜଣାପଡ଼ିଥିଲା।

ସାହିତ୍ୟ ଓ ସିନେମାରେ ଡାକବଙ୍ଗଳା
ଡାକବଙ୍ଗଳାକୁ କେନ୍ଦ୍ର କରି ଜନମାନସରେ ସୃଷ୍ଟି ହୋଇଥିବା ରହସ୍ୟମୟ ଘଟଣାବଳୀ ଲେଖକ ଓ ଫିଲ୍ମ ନିର୍ଦ୍ଦେଶକମାନଙ୍କୁ ଆକୃଷ୍ଟ କରିଆସିଛି। ଭାରତରେ ଜନ୍ମିତ ପ୍ରସିଦ୍ଧ ଲେଖକ ରୁଡ୍‌ୟାର୍ଡ କିପ୍‌ଲିଙ୍ଗ୍‌ (‘ଦି ଜଙ୍ଗଲ୍‌ ବୁକ୍‌’ର ସ୍ରଷ୍ଟା) ‘ମାଇଁ ଓନ୍ ଟ୍ରୁ ଘୋଷ୍ଟ୍‌ ଷ୍ଟୋରି’ରେ ଏକ ଡାକବଙ୍ଗଳାରେ ହୋଇଥିବା ଭୌତିକ ଘଟଣା ସଂପର୍କରେ ଲେଖିଛନ୍ତି। ସେହିପରି, ରସ୍କିନ୍ ବଣ୍ଡ୍ ମଧ୍ୟ ଡାକବଙ୍ଗଳା ଓ ସେଥିରେ ରହୁଥିବା ଭୂତମାନଙ୍କ ସଂପର୍କରେ କେତେକ ମଜାଦାର କଥା ଲେଖିଛନ୍ତି। ସେ ଲେଖିଛନ୍ତି, “ବ୍ରିଟିଶ୍‌ମାନେ ଭାରତକୁ ଆସିବା ବେଳେ ସଙ୍ଗରେ ଭୂତମାନଙ୍କୁ ଆଣିଥିଲେ ଓ ସେମାନଙ୍କୁ ଡାକବଙ୍ଗଳାରେ ଛାଡ଼ି ଦେଇଥିଲେ...।” ବଲିଉଡ୍‌ରେ ଡାକବଙ୍ଗଳାକୁ ନେଇ ଅନେକ ଚଳଚ୍ଚିତ୍ର ତିଆରି ହୋଇଛି। କେବଳ ‘ଡାକବଙ୍ଗଳା’ ନାଁରେ ୫ଟି ଭୌତିକ ଓ ରହସ୍ୟଧର୍ମୀ ଚଳଚ୍ଚିତ୍ର ବିଭିନ୍ନ ସମୟରେ ନିର୍ମାଣ ହୋଇଛି। ସେହିପରି, ହରର୍ ଚଳଚ୍ଚିତ୍ର ପାଇଁ ପ୍ରସିଦ୍ଧ ରାମସେ ବ୍ରଦର୍ସଙ୍କ ଅଧିକାଂଶ ଚଳଚ୍ଚିତ୍ରରେ ଡାକବଙ୍ଗଳା ସ୍ଥାନ ପାଇଥାଏ। ଏପରି କେତେକ ଚଳଚ୍ଚିତ୍ର ହେଉଛି ‘ବିରାନା’, ‘ଦୋ ଗଜ୍ ଜମିନ କେ ନୀଚେ’, ‘ପୁରାନୀ ହବେଲୀ’ ,‘ଗେଷ୍ଟ୍‌ ହାଉସ୍’ ଇତ୍ୟାଦି। ଏସବୁ ସ୍ବଳ୍ପ ବଜେଟ୍ ଚଳଚ୍ଚତ୍ରିଗୁଡ଼ିକର କାହାଣୀ ସାଧାରଣତଃ ଗୋଟିଏ ପ୍ରକାରର ହୋଇଥାଏ। ତେବେ ଅଧିକାଂଶ ଚଳଚ୍ଚିତ୍ରରେ ଏକ ପରିତ୍ୟକ୍ତ ଡାକବଙ୍ଗଳା ଥାଏ, ଯେଉଁଠାରେ ମଙ୍କିକ୍ୟାପ୍‌ ପରିଧାନ କରି ହାତରେ ଲଣ୍ଠନ ଧରିଥିବା ଓ ଅଦ୍ଭୁତ ଆଚରଣ କରୁଥିବା ଜଣେ ଚୌକିଦାର ନିଶ୍ଚିତ ଭାବେ ଥାଏ।