ପିତା ପଣ୍ଡିତ ଦୀନନାଥ ଲତାଙ୍କ ପ୍ରଥମ ଶିକ୍ଷକ ଥିଲେ। ନବଯୁଗ ଚିତ୍ରପଟ୍ଟ ଚଳଚ୍ଚିତ୍ର କମ୍ପାନି ସ୍ବତ୍ବାଧିକାରୀ ବିନାୟକ ଦାମୋଦର କର୍ଣ୍ଣାଟକୀ ଲତାଙ୍କର ପିତାଙ୍କ ମୃତ୍ୟୁ ପରେ ଲତାଙ୍କୁ ବିଭିନ୍ନ ଚଳଚ୍ଚିତ୍ରରେ ଗୀତ ଗାଇବାର ସୁଯୋଗ ଦେଇଥିଲେ। କିନ୍ତୁ ସଙ୍ଗୀତ ନିର୍ଦ୍ଦେଶକ ଗୁଲାମ୍ ହୈଦର୍, ଲତାଙ୍କ ପ୍ରତିଭା ଉପରେ ଭରସା କରିବା ସହ ତାଙ୍କୁ ବଲିଉଡ୍ର ଶ୍ରେଷ୍ଠ କଣ୍ଠଶିଳ୍ପୀ ହେବାର ପ୍ରେରଣା ଦେଇଥିଲେ। ଏକଦା ୧୯୪୮ ମସିହାର ଚଳଚ୍ଚିତ୍ର ‘ସହିଦ’ର ନିର୍ମାଣ ଚାଲିଥିବା ବେଳେ ଏହାର ପ୍ରଯୋଜକ ଶଶଧର ମୁଖାର୍ଜୀଙ୍କ ସହ ଲତାଙ୍କୁ ଗୁଲାମ୍ ହୈଦର ପରିଚୟ କରାଇଥିଲେ। କିନ୍ତୁ ଲତାଙ୍କ ସ୍ବର ଖୁବ୍ ପତଳା କହି ଶ୍ରୀ ମୁଖାର୍ଜୀ ଲତାଙ୍କୁ ବିଦା କରି ଦେଇଥିଲେ। ସେହି ସମୟରେ ଗୁଲାମ୍ ହୈଦର କହିଥିଲେ, ଆଉ କିଛି ବର୍ଷ ପରେ ସମସ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ ଯାହାକୁ ନିଜ ଚଳଚ୍ଚିତ୍ରରେ ଗାଇବାକୁ ଭିକ୍ଷା ମାଗିବେ, ତାଙ୍କ ଗୋଡ଼ ଧରିବେ; ଏ ହେଉଛନ୍ତି ସେହି କଣ୍ଠଶିଳ୍ପୀ। ନିଜ ଗୁରୁଙ୍କର ସେହି ବିଶ୍ବାସକୁ ଲତା ଖୁବ୍ କମ୍ ବର୍ଷ ଭିତରେ ସତ କରି ଦେଇଥିଲେ ଓ ପାଲଟି ଯାଇଥିଲେ ବଲିଉଡ୍ର ମହାନ ଗାୟିକା। ଏକ ସାକ୍ଷାତ୍କାରରେ ଲତା ନିଜେ ଗୁଲାମ୍ ହୈଦରଙ୍କୁ ନିଜ ଗଡ୍ଫାଦର ଭାବେ ସ୍ବୀକାର କରିଛନ୍ତି। ଗୁଲାମ୍ ହୈଦର ହିଁ ଲତାଙ୍କୁ ତାଙ୍କ ଜୀବନର ପ୍ରଥମ ବଡ଼ ସୁଯୋଗ ଦେଇଥିଲେ। ଆଉ ୧୯୪୮ ମସିହାର ‘ମଜବୁର୍’ ଚଳଚ୍ଚିତ୍ରର ‘ଦିଲ୍ ମେରା ତୋଡ଼ା... ମୁଝେ କହିଁ କା ନା ଛୋଡ଼ା...’ ସଙ୍ଗୀତ ଲତାଙ୍କ ସଙ୍ଗୀତ ଯାତ୍ରାର ମାଇଲଖୁଣ୍ଟ ପାଲଟି ଯାଇଥିଲା।
/sambad/media/post_attachments/wp-content/uploads/2022/02/17.jpg)
‘ପଦ୍ମ’ଠୁ ‘ଭାରତରତ୍ନ’
ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତରତ୍ମ’ରେ ଭୂଷିତା କିମ୍ବଦନ୍ତୀ ଗାୟିକା ଲତାଙ୍କ ଅନ୍ୟ ପୁରସ୍କାରର ତାଲିକା ବଖାଣିବା କେବଳ ସମୟର ଅପଚୟ ମାତ୍ର। ସେ ୨୦୦୧ ମସିହାରେ ସଙ୍ଗୀତ ଜଗତକୁ ଅନନ୍ୟ ଅବଦାନ ପାଇଁ ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନିତ ହୋଇଥିଲେ। ଏଥିସହ ସେ ୧୯୬୯ରେ ପଦ୍ମଭୂଷଣ, ୧୯୯୯ ମସିହାରେ ପଦ୍ମବିଭୂଷଣ ଓ ୧୯୮୯ ମସିହାରେ ‘ଦାଦା ସାହେବ ଫାଲ୍କେ’ ସମ୍ମାନରେ ସମ୍ମାନିତ ହୋଇଥିଲେ। ଏଥିସହ ୧୯୯୭ ମସିହାରେ ‘ମହାରାଷ୍ଟ୍ର ଭୂଷଣ ସମ୍ମାନ’, ୧୯୯୨ରେ ‘ଏନ୍ଟିଆର୍ ରାଷ୍ଟ୍ରୀୟ ସମ୍ମାନ’, ୨୦୦୭ ମସିହାରେ ‘ଲିଜନ୍ ଅଫ୍ ଅନର୍’, ୨୦୦୯ ମସିହାରେ ‘ଏଏନ୍ଆର୍ ରାଷ୍ଟ୍ରୀୟ ସମ୍ମାନ’, ୩ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ୧୫ଟି ‘ବେଙ୍ଗଲ ଫିଲ୍ମ ଜର୍ଣ୍ଣାଲିଷ୍ଟ୍ସ୍ ଆସୋସିଏସନ୍ ସମ୍ମାନ’, ୪ଟି ଫିଲ୍ମ ଫେୟାର ଆୱାର୍ଡ ଓ ୧୯୯୩ରେ ସେ ଜୀବନବ୍ୟାପୀ ସାଧନା ପାଇଁ ଫିଲ୍ମ ଫେୟାର ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଖାଲି ସେତିକି ନୁହେଁ, ୨୦୧୨ ମସିହାରେ ଆଉଟ୍ଲୁକ୍ ଇଣ୍ଡିଆ ପୋଲ୍ରେ ଶ୍ରେଷ୍ଠ ଭାରତୀୟ ଭାବେ ଲତା ୧୦ମ ସ୍ଥାନ ଅଧିକାର କରିଥିଲେ। ଦିଲୀପ କୁମାର ଲତାଙ୍କ ସ୍ବରକୁ ‘ଈଶ୍ବରଙ୍କ ଚମତ୍କାର’ ଭାବେ ବର୍ଣ୍ଣନା କରିଥିଲେ।
ଆଶାଙ୍କୁ ସାଙ୍ଗରେ ନେଇ ଯାଇଥିବାରୁ ସ୍କୁଲ ଛାଡ଼ିବାକୁ ପଡ଼ିଥିଲା
ବଲିଉଡ୍ର ଦୁଇ କୋକିଳକଣ୍ଠୀ ଭଉଣୀ ଲତା ମଙ୍ଗେସକର ଓ ଆଶା ଭୋସ୍ଲେଙ୍କ ନିବିଡ଼ତା କାହାକୁ ବା ଅଛପା! ଉଭୟ ଭଉଣୀଙ୍କୁ ସବୁବେଳେ ଏକାସାଥେ ଦେଖିବାକୁ ମିଳେ। ଲତା, ଆଶାଙ୍କ ସବୁଠାରୁ ବଡ଼ ପ୍ରେରଣା। ପିଲାବେଳେ ଲତା ଯୁଆଡ଼େ ଯାଉଥିଲେ ନିଜ ସାନଭଉଣୀ ଆଶାଙ୍କୁ ସାଙ୍ଗରେ ନେଇ ଯାଉଥିଲେ। ଏଥିପାଇଁ ପ୍ରଥମ ଦିନରୁ ହିଁ ଲତାଙ୍କୁ ସ୍କୁଲ ଛାଡ଼ିବାକୁ ପଡ଼ିଥିଲା। କାରଣ ସ୍କୁଲକୁ ସେ ନିଜ ସାନଭଉଣୀ ଆଶାଙ୍କୁ ନେଇ ଯାଇଥିଲେ। ସ୍କୁଲ କର୍ତ୍ତୃପକ୍ଷ ଆଶାଙ୍କୁ ଶ୍ରେଣୀଗୃହକୁ ପଶିବାର ଅନୁମତି ନ ଦେବାରୁ ଲତା ବାଧ୍ୟ ହୋଇ ସ୍କୁଲ ଛାଡ଼ି ଦେଇଥିଲେ।
ମରାଠୀ ଚଳଚ୍ଚିତ୍ରରୁ ଯାତ୍ରା ଆରମ୍ଭ
୧୯୪୨ ମସିହାର ମରାଠୀ ଚଳଚ୍ଚିତ୍ର ‘କିଟି ହସାଲ୍’ରେ ଲତା ନାଚୁ ୟା ଗାଡେ, ଖେଲୁସାରି ମାନି ହୋସ ଭରି... ସଙ୍ଗୀତ ଗାଇଥିଲେ। କିନ୍ତୁ ଚଳଚ୍ଚିତ୍ରର ଶେଷ ସମ୍ପାଦନା ବେଳକୁ ଏହି ସଙ୍ଗୀତଟିକୁ କାଟି ଦିଆଯାଇଥିଲା। ଏହାପରେ ସେହି ବର୍ଷ ହିଁ ବିନାୟକ ଦାମୋଦର ତାଙ୍କୁ ‘ପହିଲି ମଙ୍ଗଳା -ଗୌର’ ମରାଠୀ ଚଳଚ୍ଚିତ୍ରରେ ଗାଇବାର ସୁଯୋଗ ଦେଇଥିଲେ। ଲତାଙ୍କ ପ୍ରଥମ ହିନ୍ଦୀ ଗୀତ ହେଉଛି ୧୯୪୩ ମସିହାର ମରାଠୀ ଚଳଚ୍ଚିତ୍ର ‘ଗଜଭାଉ’ର ସଙ୍ଗୀତ ‘ମାତା ଏକ ସପୁତ୍ କି ଦୁନିଆ ବଦଲ ଦେ ତୁ...’।
/sambad/media/post_attachments/wp-content/uploads/2022/02/asha-with-lata.jpg)
ଭଉଣୀ ଆଶା ଭୋସଲେ ହିଁ ଭାଙ୍ଗିଥିଲେ ଲତାଙ୍କ ‘ଗିନିଜ୍ ବୁକ୍ ଅଫ୍ ରେକର୍ଡ’
୧୯୪୮ରୁ ୧୯୭୪ ମସିହା ମଧ୍ୟରେ ୨୫ ହଜାରରୁ ଊର୍ଧ୍ବ ତଥା ୨୦ଟି ଭାଷାରେ ଏକକ, ଦ୍ବୈତ ଓ ସହଗାନ କରି ୧୯୭୪ ମସିହାରେ ‘ଦ ଗିନିଜ୍ ବୁକ୍ ଅଫ୍ ରେକର୍ଡସ୍’ରେ ସ୍ଥାନ ପାଇଥିଲେ ଲତା ମଙ୍ଗେସକର। ପ୍ରଖ୍ୟାତ କଣ୍ଠଶିଳ୍ପୀ ମହମ୍ମଦ ରଫି ସେ ସମୟ ସୁଦ୍ଧା ୨୮ ହଜାର ସଙ୍ଗୀତ ଗାଇସାରିଥିବା ଦାବି କରିବା ସହ ଏହି ରେକର୍ଡ ଉପରେ ଆପତ୍ତି ଉଠାଇଥିଲେ। ମହମ୍ମଦ ରଫିଙ୍କ ଦେହାନ୍ତ ପରେ ୧୯୮୪ ମସିହାର ସଂସ୍କରଣରେ ଗିନସ୍ ବୁକ୍ ପୁଣି ଥରେ ଲତାଙ୍କୁ ସର୍ବାଧିକ ସଙ୍ଗୀତ ଗାନ କରିଥିବା କଳାକାର ଭାବେ ସ୍ଥାନ ଦେଇଥିବା ବେଳେ ରଫିଙ୍କ ଦାବିକୁ ମଧ୍ୟ ଉଲ୍ଲେଖ କରିଥିଲା। ଏହି ରେକର୍ଡରେ ଲତା ୧୯୪୮ରୁ ୧୯୮୭ ମଧ୍ୟରେ ୩୦ ହଜାରୁ ଅଧିକ ଗୀତ ଗାଇ ସାରିଥିବା ଉଲ୍ଲେଖ କରାଯାଇଥିଲା। ୧୯୯୧ ମସିହାରୁ ଗିନିଜ୍ ବୁକ୍ ଅଫ୍ ରେକର୍ଡରୁ ଲତାଙ୍କ ନାମ ହଟାଇ ଦିଆଗଲା। ଲତା ସେ ସମୟ ସୁଦ୍ଧା ୫୦ ହଜାରରୁ ଅଧିକ ଗୀତ ଗାଇ ସାରିଥିବା ଅନେକ ଦାବି କରିଥିଲେ ସୁଦ୍ଧା ଲତାଙ୍କୁ ଆଉ ରେକର୍ଡରେ ସ୍ଥାନ ମିଳିନଥିଲା। ୨୦୧୧ ମସିହାରେ ଲତାଙ୍କ ଭଉଣୀ ଆଶା ଭୋସଲେଙ୍କୁ ସର୍ବାଧିକ ଗୀତ ରେକର୍ଡ କରିଥିବା କଳାକାର ଭାବେ ସ୍ଥାନ ଦିଆଯାଇଥିଲା। ଏବେ ଏହି ରେକର୍ଡ ଦକ୍ଷିଣ ଭାରତୀୟ କଣ୍ଠଶିଳ୍ପୀ ପି. ସୁଶୀଲାଙ୍କ ନାମରେ ରହିଛି।
/sambad/media/post_attachments/wp-content/uploads/2022/02/1_1.jpg)
ନୁର୍ ଜାହାନ୍ଙ୍କ ନକଲ କରୁଥିବା ଅଭିଯୋଗ
କ୍ୟାରିଅର୍ର ଆରମ୍ଭରୁ ଲତା ପ୍ରଖ୍ୟାତ ପାକିସ୍ତାନୀ କଣ୍ଠଶିଳ୍ପୀ ନୁର୍ ଜାହାନ୍ଙ୍କ ନକଲ କରୁଥିବା ଅନେକେ ଅଭିଯୋଗ କରିଥିଲେ। ଏଥିରୁ ମୁକ୍ତି ପାଇବା ପାଇଁ ଲତା ନିଜର ଏକ ଭିନ୍ନ ଶୈଳୀ ବିକଶିତ କରିବାକୁ ଚିନ୍ତା କରିଥିଲେ। ଅନ୍ୟପଟେ ତାଙ୍କର କଥାବାର୍ତା ଓ ସଙ୍ଗୀତ ଗାନରେ ମରାଠୀ ଶୈଳୀ ରହୁଥିବାରୁ ଏହାକୁ ନେଇ ଦିନେ ଅଭିନେତା ଦିଲୀପ କୁମାର ଆପତ୍ତି ଦେଖାଇଥିଲେ। ସେ ସମୟରେ ହିନ୍ଦୀ ଚଳଚ୍ଚିତ୍ରର ସଙ୍ଗୀତ ମୁଖ୍ୟତଃ ଉର୍ଦୁ କବିମାନେ ଲେଖୁଥିଲେ ଓ ଅଧିକାଂଶ ସଂଳାପ ଉର୍ଦୁ ଶବ୍ଦକୁ ନେଇ ଲେଖାଯାଉଥିଲା। ଏଣୁ ଲତାଙ୍କୁ ଜଣେ ଊର୍ଦୁ ଶିକ୍ଷକଙ୍କଠାରୁ ଶିକ୍ଷାଲାଭ କରିବାକୁ ପଡ଼ିଥିଲା। ଏଥିସହ ନୁର୍ ଜାହାନ୍ଙ୍କଠାରୁ ସେ ପରାମର୍ଶ ନେଇ ନିଜ ସଙ୍ଗୀତ ଉପରେ ଅଧିକ କାମ କରିଥିଲେ।
ଛଦ୍ମନାମରେ ସଙ୍ଗୀତ ନିର୍ଦ୍ଦେଶନା
କୋକିଳକଣ୍ଠୀ ଲତା କେବଳ ସଙ୍ଗୀତ ଗାଇଛନ୍ତି ତାହା ନୁହେଁ, ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ କିଛି ଚଳଚ୍ଚିତ୍ରର ପ୍ରଯୋଜନା ଭାର ବି ନିଜେ ତୁଲାଇଛନ୍ତି। ୧୯୫୫ ମସିହାର ଚଳଚ୍ଚିତ୍ର ‘ରାମ୍ ରାମ୍ ପାଭ୍ନେ’ର ସଙ୍ଗୀତଗୁଡ଼ିକର ନିର୍ଦ୍ଦେଶନା ଲତା ନିଜେ ଦେଇଥିଲେ। କିନ୍ତୁ ସେ ଏକ ଛଦ୍ମନାମ ‘ଆନନ୍ଦ ଘାନ୍’ ନାମରେ ସଙ୍ଗୀତ ନିର୍ଦ୍ଦେଶନା ଦେଉଥିଲେ। ‘ମରାଠା ଟିଟୁକା ମେଲ୍ଭାଭା’, ମୋହିତ୍ୟାଞ୍ଚି ମଞ୍ଜୁଳା, ସାଧି ମନାସେ ଓ ତମ୍ବାଡି ମାଟି ଆଦି ମରାଠୀ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଲତା ଦେଇଥିଲେ। ସେହିଭଳି ମରାଠୀ ଚଳଚ୍ଚିତ୍ର ‘ବାଦଲ୍’, ହିନ୍ଦୀ ଚଳଚ୍ଚିତ୍ର ‘ଝାନ୍ଝର୍’, କାଞ୍ଜନଜଙ୍ଗା ଓ ଲେକିନ୍ ଆଦି ଚଳଚ୍ଚିତ୍ରର ଲତା ପ୍ରଯୋଜନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/11.jpg)