ରଥ ଉପରେ ମୁଣ୍ଡରେ ନଡ଼ିଆ ବାଜିଲା, କିନ୍ତୁ କିଛି ହେଲାନି: ଗିରୀଶ ଚନ୍ଦ୍ର ନାୟକ (ଘଣ୍ଟୁଆ ସେବାୟତ ନିଯୋଗ ‌ସଭାପତି)

ରଥଯାତ୍ରା ସମୟରେ ଘଣ୍ଟୁଆ ସେବା ସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ରହିଥାଏ। ସ୍ନାନ ପୂର୍ଣ୍ଣମୀ ଦିନ ସ୍ନାନପିଣ୍ଡିକୁ ଧାଡ଼ି ପହଣ୍ଡିରେ ଆଣିବା ସହିତ ରାତିରେ ସ୍ନାନ ମଣ୍ଡପରୁ ଅଣସର ପିଣ୍ଡିକୁ ଗୋଟି ପହଣ୍ଡିରେ ଯିବା ସମୟରେ ଘଣ୍ଟୁଆ ସେବକମାନେ ଗୋଷ୍ଠୀଗତ ସେବା କରିଥାନ୍ତି। ସେହିପରି ରଥଯାତ୍ରା ପୂର୍ବଦିନ ତିନି ରଥକୁ ରଥ ଖଳାରୁ ସିଂହଦ୍ବାର ସମ୍ମୁଖକୁ ରଥ ଉପରେ ଘଣ୍ଟ ବଜାଇ ନେଇଥାନ୍ତି। ଶ୍ରୀଜୀଉମାନେ ଯେତେବେଳେ ଧାଡ଼ି ପହଣ୍ଡିରେ ରଥ ଉପରକୁ ଆସନ୍ତି, ସେହି ସମୟରେ ତାଙ୍କ ସମ୍ମୁଖରେ ଘଣ୍ଟ ବଜାଇ ସେବା କରିଥାନ୍ତି। ସେହିପରି ରଥଯାତ୍ରା ଦିନ ରଥ ସିଂହଦ୍ବାରରୁ ଗୁଣ୍ଡିଚା ମନ୍ଦିର ଯିବା ସମୟରେ ରଥ କାହାଳୀ ବାଜିବା ମାତ୍ରେ ରଥ ଉପରେ ରହି ଘଣ୍ଟ ସେବା କରିଥାନ୍ତି। ଶ୍ରୀଜୀଉମାନଙ୍କୁ ରଥ ଉପରୁ ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି କରାଯିବା ସମୟରେ ମଧ୍ୟ ଘଣ୍ଟ ବଜାଇଥାନ୍ତି। ଦକ୍ଷିଣମୋଡ଼ ଦିନ ମଧ୍ୟ ରଥ ଉପରେ ଘଣ୍ଟ ବଜାଇଥାନ୍ତି।

ବାହୁଡ଼ା ଦିନରେ ଗୁଣ୍ଡିଚା ମନ୍ଦିରରୁ ତିନି ରଥ ଉପରକୁ ଏବଂ ସେଠାରୁ ସିଂହଦ୍ବାର ପର୍ଯ୍ୟନ୍ତ ରଥ ଯିବା ସମୟରେ ରଥ ଉପର ରହି ଗୋଷ୍ଠୀଗତ ଘଣ୍ଟ ବଜାଇ ସେବା କରିଥାନ୍ତି। ସେହିପରି ନୀଳାଦ୍ରି ବିଜେ ଦିନ ମଧ୍ୟ ଗୋଟି ପହଣ୍ଡିରେ ଘଣ୍ଟ ବଜାଇ ଶ୍ରୀଜୀଉମାନଙ୍କୁ ରତ୍ନ ସିଂହାସନ ପର୍ଯ୍ୟନ୍ତ ନେଇଥାନ୍ତି।

ଏହି ଘଣ୍ଟୁଆ ସେବା ବଂଶାନୁକ୍ରମିକ ସେବା ହୋଇଥିବା ବ‌େଳେ ୮୦ରୁ ୯୦ ଜଣ ଘଣ୍ଟୁଆ ଘଣ୍ଟ ବଜାଇ ଗୋଷ୍ଠୀଗତ ସେବା କରିଥାନ୍ତି। ବିଭିନ୍ନ କାଳରେ ବିଭିନ୍ନ ସମୟରେ ପରିସ୍ଥିତିକୁ ନେଇ ପ୍ରଶାସନ ପକ୍ଷରୁ ପରିଚାଳନା କମିଟିରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଘଣ୍ଟ ସେବା ଯୋଗାଇ ଦିଆଯାଇଥାଏ। କୋଭିଡ଼ କଟକଣା ସମୟରେ ୨୦୨୦, ୨୦୨୧ ମସିହାରେ ପ୍ରତି ରଥ ଉପରେ ମାତ୍ର ଜଣେ ଲେଖାଏଁ ଘଣ୍ଟୁଆ ସେବକ ରହି ଘଣ୍ଟ ବଜାଇଥିଲେ। କିନ୍ତୁ ପହଣ୍ଡି ସମୟରେ ଗୋଷ୍ଠୀଗତ ଭାବରେ ଘଣ୍ଟୁଆ ସେବା ଯୋଗାଇ ଦିଆଯାଇଥିଲା।

ଚଳିତବର୍ଷ ମଧ୍ୟ ସେହିପରି କଟକଣା କରାଯାଇଛି। ପ୍ରତି ରଥରେ ୨୧ ଜଣ ଘଣ୍ଟୁଆ ରଥ ଉପରେ ଘଣ୍ଟ ବଜାଇବାର ବ୍ୟବସ୍ଥା ହୋଇଛି। ରଥଯାତ୍ରା ଓ ବାହୁଡ଼ା ଯାତ୍ରା ସମୟରେ ରଥ ଉପରେ ଘଣ୍ଟ ବାଜିଲେ ହିଁ ଭକ୍ତମାନେ ରଥ ଦଉଡ଼ି ଟାଣିଥାନ୍ତି। ଘଣ୍ଟ ବନ୍ଦ ହେବା ମାତ୍ରକେ ଭକ୍ତମାନେ ରଥ ଦଉଡ଼ି ଛାଡ଼ି ଦିଅନ୍ତି। କଂସା ଧାତୁରେ ନିର୍ମିତ ଘଣ୍ଟର ଶବ୍ଦରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। ଘଣ୍ଟ ବଜାଇବାର ନିର୍ଦ୍ଦିଷ୍ଟ ଶୈଳୀ ମଧ୍ୟ ଅଛି। ଏକ କାଠିଆରୁ ଆରମ୍ଭ କରି ୧୬ କାଠିଆ ତାଳରେ ଏହି ଘଣ୍ଟ ବଜାଯାଇଥାଏ। ଜଗନ୍ନାଥଙ୍କ ପାଖରେ ଅନନ୍ୟ ଶୈଳୀରେ ଘଣ୍ଟ ବାଜିଥାଏ। ଏଭଳି ବାଦନ ଅନ୍ୟ କୌଣସିଠାରେ ଶୁଣିବାକୁ ବା ଦେଖିବାକୁ ମିଳେନାହିଁ। ଘଣ୍ଟୁଆ ସେବକମାନେ ନାଚି ନାଚି ଅଣ୍ଟା ହଲେଇ ହଲେଇ ଘଣ୍ଟା ବଜାଇବାର ଶୈଳୀ ଅନୁପମ। ତେଣୁ ଏହାକୁ ବିଜେ ଘଣ୍ଟ ବୋଲି କୁହାଯାଇଥାଏ।

ରଥଯାତ୍ରା ସମୟରେ ନୂଆ ଘଣ୍ଟ, ନୂଆ ଗାମୁଛା, ନୂଆ ମକୁଟା, ନୂଆ ଧୋତି ସମସ୍ତ ଘଣ୍ଟୁଆ ସେବକମାନଙ୍କୁ ନିଯୋଗ ପକ୍ଷରୁ ବିତରଣ କରାଯାଇଥାଏ। ଏହି ସେବାରେ ପୁରୀର ୨୪ ଘର ନିୟୋଜିତ ହୋଇଥିବା ବେଳେ ଗତ ୧୯୪୬ ମସିହାରେ ଭଟ୍ଟିମୁଣ୍ଡାର ୧୨ ଘରକୁ ଘଣ୍ଟା ବଜାଇବା ପାଇଁ ଗଜପତି ନିର୍ଦ୍ଦେଶ ଦେଇଥିଲେ। ଏହା ସନନ୍ଦରେ ଓ ସ୍ବତ୍ବଲିପିରେ ମଧ୍ୟ ଲିପିବଦ୍ଧ ରହିଛି।

ଗତ ଦୁଇ ବର୍ଷ ସେବାୟତମାନେ ଖାଲି ପାଦରେ ଖରାରେ ରଥ ଟାଣିବା ପୂର୍ବରୁ କେବେ ଦେଖିନଥିଲି। ସୀମିତ ସେବାୟତରେ ଦଉଡ଼ିକୁ ଛୋଟ କରି ରଥକୁ ଅହରହ ଟାଣିଟାଣି ନେଇ ସେମାନେ ସହଳରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇ ପାରିଥିଲେ। ଦୈବୀ ଶକ୍ତି ଯୋଗୁଁ ଏହା ସମ୍ଭବ ହେଲା।

ଗୋଟିଏ ବର୍ଷ ରଥ ଉପରେ ମୁଁ ଘଣ୍ଟ ବଜାଉଥିବା ସମୟରେ ରଥ ସମ୍ମୁଖରେ ରହିଥାଏ। ହଠାତ୍‌ ବାହାରୁ ଆସି ଏକ ନଡ଼ିଆ ମୋ ମୁଣ୍ଡରେ ବାଜି ୪/୫ ଖଣ୍ଡ ହୋଇଯାଇଥିଲା। ମାତ୍ର ମୁଣ୍ଡରେ ସାମାନ୍ୟତମ ଆଘାତ ବା ଖଣ୍ଡିଆଟିଏ ମଧ୍ୟ ହୋଇନଥିଲା ଏବଂ ସେଭଳି କୌଣସି କଷ୍ଟ ମଧ୍ୟ ହୋଇନଥିଲା। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ସବୁ ହେଉଛି। ଆମେ ନିମିତ୍ତ ମାତ୍ର।

ସମ୍ବନ୍ଧିତ ଖବର