ଇଟଲୀ: ପୁରୁଷ ହେଉ ଅବା ନାରୀ ସମସ୍ତେ ନିଜନିଜ ବିବାହକୁ ନେଇ ବିଭିନ୍ନ ପ୍ରକାର ସ୍ୱପ୍ନ ଦେଖିଥାଆନ୍ତି। କିପରି ନିଜର ବିବାହକୁ ଖାସ୍ କରିବେ ସେ ନେଇ ବିଭିନ୍ନ ପ୍ରକାର ଆୟୋଜନ ମଧ୍ୟ କରିଥାଆନ୍ତି। ନିକଟରେ ବିବାହକୁ ନେଇ ଇଟଲିରେ ଏକ ଅଦ୍ଭୁଦ ବିବାହ ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଇଟଲିରେ ରହୁଥିବା ଜଣେ ମହିଳାଙ୍କୁ ମନ ପସନ୍ଦର ପୁରୁଷ ନମିଳିବାରୁ ସେ ନିଜକୁ ବିବାହ କରି ନେଇଛନ୍ତି। ଘଟଣାଟି କାଳ୍ପନିକ ଲାଗୁଥିଲେ ବି ସତ।
ଲାରା ମେସି ନାମକ ମହିଳା ତାଙ୍କ ଘର ଲୋକଙ୍କୁ କହି ରଖିଥିଲେ କି, ୪୦ବର୍ଷ ପର୍ଯ୍ୟନ୍ତ ଯଦି ତାଙ୍କ ମନପସନ୍ଦ ବର/ଜୀବନସାଥୀ ନମିଳନ୍ତି ତେବେ ସେ ନିଜକୁ ନିଜେ ବିବାହ କରିବେ। ଏହା ନୁହେଁ କି ଲାରାଙ୍କ ଜୀବନରେ କେହି ପୁରୁଷ ଆସି ନଥିଲେ। ସେ ଅନେକ ପୁରୁଷଙ୍କ ସଂସ୍ପର୍ଶରେ ଆସିଥିଲେ। ୧୨ବର୍ଷ ହେବ ଜଣକଙ୍କ ସହିତ ରିଲେସନ୍ସିପ୍ରେ ମଧ୍ୟ ଥିଲେ । ହେଲେ କୌଣସି କାରଣୁ ସେମାନଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବାରୁ ୨ବର୍ଷ ପୂର୍ବ ତାଙ୍କର ୧୨ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗି ଯାଇଥିଲା। ଏହାପରେ ସେ ନିଷ୍ପତ୍ତି ନେଇଥିଲେ କି ସେ ନିଜକୁ ନିଜେ ବିବାହ କରିବେ।
ଲାରାଙ୍କ କହିବାନୁସାରେ, ବିବାହ ପରେ ବି ଯଦି ଭବିଷ୍ୟତରେ ତାଙ୍କ ମନପସନ୍ଦ ମୁତାବିକ ପୁରୁଷ ମିଳି ଯାଆନ୍ତି ତେବେ ସେ ବିବାହ କରିବେ। ସେ ନେଇ ଲାରାଙ୍କ କୌଣସି ଆପତ୍ତି ନାହିଁ।
ଇଟାଲିରେ ଲାରା ହେଉଛନ୍ତି ପ୍ରଥମ ମହିଳା ଯିଏକି ଏଭଳି ବିବାହ କରିଛନ୍ତି। ଲାରା ନିଜ ବିବାହରେ ପାଖାପାଖି ୭୮ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଲାରା ତାଙ୍କ ବିବାହରେ ଅନେକ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ ମଧ୍ୟ କରିଥିଲେ। ଯେଉଁଥିରେ ତାଙ୍କ ସମ୍ପର୍କୀୟ ଓ ସାଙ୍ଗସାଥୀ ବି ସାମିଲ ଥିଲେ।
ଏହି ବିବାହ ପାଇଁ ଲାରାଙ୍କ ସାଙ୍ଗ ଓ ପରିବାରବର୍ଗ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ ଓ ସମର୍ଥନ କରିଥିଲେ। ଲାରାଙ୍କ ଏହି ନିଷ୍ପତ୍ତିରେ କେବଳ ତାଙ୍କ ଭାଇ ରାଜି ନଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ରାଜି ହୋଇଯାଇଥିଲେ। ଦୁନିଆରେ ଲାରା ଏଭଳି ପ୍ରଥମ ମହିଳା ନୁହନ୍ତି, ଏମିତି କେତେକ ମହିଳା ଅଛନ୍ତି ଯେଉଁମାନେ ଜୀବନସାଥୀକୁ ଅପେକ୍ଷା ନକରି ନିଜକୁ ନିଜ ବିବାହ କରିଛନ୍ତି ଓ ଖୁସିରେ ରହୁଛନ୍ତି।