‘ମୃତ୍ୟୁମୁଖରୁ ବଞ୍ଚାଇଥିବାରୁ ଝିଅ ନାଁ ସୁଭଦ୍ରା ରଖିଛି’: ରବି ଭୋଇ, ଭୋଇ ସର୍ଦ୍ଦାର

ଭୋଇ ସର୍ଦ୍ଦାର ଭାବେ ପ୍ରତିବର୍ଷ ଦୋଳପୂର୍ଣ୍ଣିମାଠାରୁ ଆମର ସେବା ଆରମ୍ଭ ହୁଏ। ଚାନ୍ଦୁଆ ବାନ୍ଧୁ, ଖିଲଣରେ ତେଲ ଦେଉ। ଦୋଳଯାତ ସରିଗଲା ପରେ ଚାନ୍ଦୁଆ ଖୋଲି ଯଥାସ୍ଥାନରେ ରଖୁ। ଚୈତ୍ର ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ଚାପ ପାଇଁ ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ରହିଥିବା ନନ୍ଦା, ଭଦ୍ରା, ବୈଜୟନ୍ତୀଙ୍କୁ ମିଶାଇ ୫ଟି ଡଙ୍ଗା ଉପରକୁ ଆଣୁ। ୨୧ ଦିନ ଚାପ ସରିବା ପରେ ପୁଣି ତାହାକୁ ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ାଇ ରଖୁ। ପରେ ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ଦିନଠାରୁ ଶାଢ଼ି ବନ୍ଧାଇ ରଥ ନିର୍ମାଣରେ ନିୟୋଜିତ ହେଉ। ସେହିଦିନଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଆମେ ହବିଷ୍ୟାନ୍ନ ପାଳନ କରୁ।

ବଡ଼ ବଡ଼ କାଠ ସବୁ ରଥଖଳାରେ ମହାରଣା ସେବକମାନଙ୍କୁ ଯୋଗାଇ ‌ଦେବା ଆମର କାମ। କାଠ ସାଲ, ବିନ୍ଧ ହେବା ପରେ ତାହାକୁ ଖଞ୍ଜିବା ପାଇଁ ଯଥାସ୍ଥାନରେ ରଖୁ। ପନ୍ତି ଛାମୁଣ୍ଡିଆ ବି ଆମେ ବାନ୍ଧୁ। ମହାଖଳା, ଚନ୍ଦନ ଚାଳି, କମାର ଚାଳି, ତନ୍ତୀ ଚାଳି ବି ଆମେ ତିଆରି କରୁ। ରଥ ଚାଲିବା ବେଳେ ରଥ ତଳେ ରହି କାମ କରୁ। କେଉଁଠି ମୋଡ଼ ପକାଯିବ, ଫାଳି ପକାଯିବ, ସେ କାମ ସଂପାଦନ କରୁ। ରଥ ସରିଗଲା ପରେ ରଥ ଭାଙ୍ଗୁ। ଯେତେବେଳେ ଯେଉଁଠି ଯେତେ ଲୋକ ଆବଶ୍ୟକ ‌ପଡ଼େ, ସେତିକି ଲୋକ ନେଇ କାମ ସୁଚାରୁ ରୂପେ ସଂପନ୍ନ କରିବା ଆମ କାମ। କାଳୀୟ ଦଳନ ଏକାଦଶୀ ପର୍ଯ୍ୟନ୍ତ ଭୋଇ ସେବକଙ୍କ କାମ ରହେ।

ମହାପ୍ରଭୁଙ୍କ ଅନୁଭୂତିକୁ ଯିଏ ଅଙ୍ଗେ ନିଭେଇଛି, ସିଏ ହିଁ ମହାପ୍ରଭୁଙ୍କ ମହାତ୍ମ୍ୟ ଜାଣିପାରିଛି। ୨୦୦୫ ମସିହା କଥା, ଯେତେବେଳେ ନୂଆ ଶାଢ଼ି ବନ୍ଧାଇ ଥାଏ, ଝିଅଟିଏ ଜନ୍ମ ହୋଇଥିଲା। କିନ୍ତୁ ଜନ୍ମ ସମୟରେ ଝିଅ ଦେହ ବହୁତ ଖରାପ ଥିଲା। ଡାକ୍ତରଖାନାରେ ପଡ଼ିଥିଲା। ଡାକ୍ତର ବି ଆଶା ଛାଡ଼ି ଦେଇଥିଲେ। ସେ ସମୟରେ ରଥ ଭଙ୍ଗା ଚାଲିଥାଏ। ଏଣୁ ରଥ କଣ୍ଟା ନେଇ ଝିଅ-ମା’ ମୁଣ୍ଡ ପାଖ‌ରେ ରଖିଥାଏ।

ଝିଅର ବି କିଛି ନାଁ ଦେଇନଥିଲି। ତିନି ରଥର ସର୍ଦ୍ଦାର ହେଲେ ମଧ୍ୟ ମୁଁ ସୁଭଦ୍ରାଙ୍କ ବାଡ଼ର ମୁଖ୍ୟ। ଏଣୁ ମା’ ସୁଭଦ୍ରାଙ୍କୁ ଡାକି ଝିଅ ନାଁ ସୁଭଦ୍ରା ଦେଇଥିଲି। ଏହାର କିଛିଦିନ ପରେ ହଠାତ୍‌ ଝିଅ ସୁସ୍ଥ ହୋଇଯାଇଥିଲା। ଯେଉଁ ଝିଅ ବଞ୍ଚିବାର ଆଶା ନ ଥିଲା, ସେ ଏବେ ବଡ଼ ହୋଇ ଯୁକ୍ତ ଦୁଇ ପଢ଼ୁଛି। ଯେଉଁଠି ଡାକ୍ତର ଆଶା ଛାଡ଼ି ଦେଇଥିଲେ, ସେଠି ମହାପ୍ରଭୁଙ୍କ ଆଶୀର୍ବାଦ ନ ଥିଲେ, ଝିଅ ବଞ୍ଚିବା ବି ଆଶା ନଥିଲା। ତା’ ଉପରେ ସର୍ବଦା ମା’ ସୁଭଦ୍ରା ଓ ଅନ୍ୟ ଠାକୁରଙ୍କ ଆଶୀର୍ବାଦ ରହିଛି। ମୁଁ ଜାଣିଛି, ମହାପ୍ରଭୁ ସତ୍ୟ, ସୂର୍ଯ୍ୟ-ଚନ୍ଦ୍ର ସତ୍ୟ। ଯେଉଁ ମୁହୂର୍ତ୍ତରେ ଯେତେବେଳେ ମହାପ୍ରଭୁଙ୍କୁ ଡାକିଛି, ମନବାଞ୍ଛା ପୂରଣ ହୋଇଛି। ମହାପ୍ରଭୁଙ୍କ ଆଶୀର୍ବାଦରୁ ସବୁ କଷ୍ଟସାଧ୍ୟ କାମ ବି ସହଜ ହୋଇଯାଇଛି।

ସମ୍ବନ୍ଧିତ ଖବର