ଅଟାରି: ପ୍ରଥମ ଥର ପାଇଁ ନିଜ ଜନ୍ମଭୂମିରେ ପାଦ ରଖିଲେ ହିନା। ସୁନ୍ଦର ପୋଷାକ, ହାତରେ ମେହେନ୍ଦୀ ଲଗାଇ ବେଶ୍ ଉତ୍ସୁକତାରେ ଜନ୍ମଭୂମି ପାକିସ୍ତାନରେ ହିନା ପାଦ ରଖିବା ପରେ ଭାବପ୍ରବଣ ହୋଇପଡ଼ିଛନ୍ତି ତାଙ୍କ ବାପା। ଜନ୍ମରୁ ଝିଅକୁ ଥରୁଟିଏ ବି ଦେଖି ନ ଥିବା ବାପା ଏବେ ଖୁସିରେ ମସ୍ଗୁଲ୍।
ଘଟଣାଟି ଅତ୍ୟନ୍ତ ହୃଦୟ ବିଦାରକ। ୨୦୦୬ ମସିହା ମେ ୮ ତାରିଖ। ଅଟାରୀ ସୀମାରେ ସ୍ମଗ୍ଲିଙ୍ଗ୍ କରୁଥିବା ଅଭିଯୋଗରେ ଭାରତୀୟ ପୁଲିସ୍ ଦ୍ୱାରା ଗିରଫ ହୁଅନ୍ତି ପାକିସ୍ତାନୀ ମହିଳା ଫତିମା, ଭଉଣୀ ମୁମତାଜ ଏବଂ ମାଆ ରସିଦା। ତାଙ୍କ ମାମଲା କୋର୍ଟରେ ବିଚାର ହୁଏ। ବିଚାର ପରେ ୨ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ସହିତ ୧୦ ବର୍ଷ ପର୍ଯ୍ୟନ୍ତ କୋର୍ଟ କରନ୍ତି ଦଣ୍ଡ ଶୁଣାଣି। ସେମାନେ ପଞ୍ଜାବର ଅମ୍ରିତସର ଜେଲ୍ରେ ବନ୍ଦୀ ଭାବେ ରହନ୍ତି। କିଛିଦିନ ପରେ ଜେଲ୍ରେ ଫତିମା ହୁଅନ୍ତି ଜଣେ କନ୍ୟା ସନ୍ତାନର ଜନନୀ। ଝିଅର ନାମ ରଖାଯାଏ ହିନା। ସେ ଆଜି ୧୦ ବର୍ଷର ବାଳିକା।
୨୦୦୬ ମସିହାରେ ଅମ୍ରିତସର ଜେଲ୍ରେ ୩ ଜଣ ଗିରଫ ହୋଇ ରହିବା ପରେ ୨୦୦୮ ମସିହାରେ ଜେଲ୍ ମଧ୍ୟରେ ମାଆ ରସିଦାଙ୍କ ମୃତ୍ୟୁ ଘଟେ। ଜେଲ୍ ଭୋଗନ୍ତି ୨ ଭଉଣୀ ଫତିମା ଓ ମୁମତାଜ୍। ଏପଟେ ଜେଲ୍ କର୍ତ୍ତୃପକ୍ଷଙ୍କ ଦ୍ୱାରା ଲାଳିତପାଳିତ ହୁଅନ୍ତି କୁନି ଝିଅ ହିନା। ୨୦୧୬ ମସିହାରେ ଶେଷ ହୁଏ ସେମାନଙ୍କ ଦଣ୍ଡକାଳ। ମାତ୍ର ୨ ଲକ୍ଷ ଟଙ୍କା ଲେଖାଏ ଜରିମାନା ଦେଇ ନ ପାରିବାରୁ ଅଧିକ ୨ ବର୍ଷ ଜେଲ୍ ଭୋଗନ୍ତି ଫତିମା ଓ ମୁମତାଜ। ୨୦୧୭ ମସିହାରେ ହ୍ୟୁମାନିଟି କ୍ଲବ୍ ନାମରେ ଏକ ସ୍ୱେଚ୍ଛାସେବୀ ସଂଗଠନ ଏହି ୨ ପାକିସ୍ତାନୀ ମହିଳାଙ୍କୁ ମୁକୁଳେଇବା ପାଇଁ ୪ ଲକ୍ଷ ଟଙ୍କାର ସହାୟତାର ହାତ ବଢ଼େଇବାରୁ ଶେଷରେ ଏମାନେ ଜେଲ୍ରୁ ମୁକୁଳନ୍ତି।
ଜେଲ୍ରୁ ବାହାରିବା ପରେ ଫତିମା ଏବଂ ମୁମତାଜ୍ଙ୍କର ଅମ୍ରିତସରରେ ଥିବା ସ୍ୱର୍ଣ୍ଣ ମନ୍ଦିର ଯିବାର ଅଭିଳାଷ ପୂରା ହୋଇପାରି ନାହିଁ। ତେବେ, ଫତିମାଙ୍କ ସ୍ୱାମୀ ସଇଫୁଲ୍ ଫୋନ୍ ଜରିଆରେ ଜଣାଇଛନ୍ତି ସେମାନେ ଏକ ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ ଲାହୋରରେ ଥିବା ଦତ୍ତ ଦରବାରକୁ ଯିବାକୁ ଚାହାନ୍ତି। ମୁସ୍ଲିମ୍ମାନେ ବିଶ୍ୱାସ କରନ୍ତି ଯେ ଖୁବ୍ ପୁରୁଣା ଏହି ଦରବାରରେ କିଛି ଚମତ୍କାରୀ ଶକ୍ତି ନିଶ୍ଚୟ ରହିଛି। ଏହା ସହିତ ଫତିମାଙ୍କ ସ୍ୱାମୀ ସଇଫୁଲ୍ ହ୍ୟୁମାନିଟି କ୍ଲବ୍କୁ ଧନ୍ୟବାଦ ଜଣାଇଛନ୍ତି।
ତେବେ, ପ୍ରଥମ କରି ନିଜ ଜନ୍ମଭୂମିରେ ପାଦ ରଖିଥିବା ହିନାଙ୍କୁ ହ୍ୟୁମାନିଟି କ୍ଲବ୍ର ସଦସ୍ୟ ନବଜିତ ସିଂହ ଉପହାର ସ୍ୱରୁପ ଏକ ସୁନା ଚେନ୍ ଦେଇଛନ୍ତି। ଏହା ସହ ଉଭୟ ଭାରତ ଓ ପାକିସ୍ତାନ ପତାକା ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ‘ଆମେ ଚାହୁଁଛୁ ହିନା ଶାନ୍ତିର ରାଜଦୂତ ହୋଇ ଭିସା କରି ଖୁବ୍ ଶୀଘ୍ର ଭାରତ ପରିଦର୍ଶନ କରନ୍ତୁ।’