ନୂଆଦିଳ୍ଲୀ: ଆପଣ ନିଜ ଜୀବନରେ କେତୋଟି ବୃତ୍ତିରେ କାମ କରିଛନ୍ତି? ଗୋଟାଏ, ଦୁଇଟା, ତିନିଟା କିମ୍ବା ଅତିବେଶିରେ ୫ଟା ଭିନ୍ନ କାର୍ଯ୍ୟ କରିଥିବେ ନିଜ ପେଟ ପୋଷଣ କରିବା ପାଇଁ। ମାତ୍ର ଆମେ ଆଜି ଜଣେ ଏପରି ଯୁବତୀଙ୍କ ବିଷୟରେ କହିବୁ, ଯିଏକି ୨୩ ବର୍ଷ ବୟସରେ ୨୩ଟି ଭିନ୍ନ କାର୍ଯ୍ୟରେ ନିଜକୁ ନିୟୋଜିତ କରି ସାରିଛନ୍ତି। ଯୁବତୀଙ୍କ ନାମ ଆନାସ୍ତାସିଆ ସେଚେଟୋ। ସେ ଏବେ ଲଣ୍ଡନସ୍ଥିତ ଏସିଇ ଇନ୍ଫ୍ଲୁଏନ୍ସର୍ ନାମକ ମାର୍କେଟିଂ ଏଜେନ୍ସିର ସିଓଇ ତଥା ପ୍ରତିଷ୍ଠାତା।
ଏହି କାମ ପୂର୍ବରୁ ଆନାସ୍ତାସିଆ ୨୨ଟି ଭିନ୍ନ ଭିନ୍ନ ଚାକିରି କରି ସାରିଛନ୍ତି। ସେ ଆଇସ୍କ୍ରିମ୍ ବିକ୍ରି କରିବାରୁ ନେଇ କେକ୍, ପାଉଁରୁଟି ତିଆରି କରିବା ପର୍ଯ୍ୟନ୍ତ କାମ ସବୁ କରିଛନ୍ତି। ସେ ବେକର୍ରୁ ନେଇ ମଡେଲ୍, ଏସିଇଓ, ବିଷେଶଜ୍ଞ, ଫିଟ୍ନେସ୍ ଟ୍ରେନର୍ ଆଦି କାମ ମଧ୍ୟ କରି ସାରିଛନ୍ତି।
କେବଳ ସେତିକି ନୁହେଁ, ସେ ବାସନ ମାଜିବା ଓ ହୋଟେଲ୍ରେ ୱେଟର୍ର ବି କାମ କରି ସାରିଛନ୍ତି। ମଜାଦାର୍ କଥା ହେଉଛି, ତାଙ୍କୁ କେବେ କେଉଁଠାରୁ ଚାକିରିରୁ ବାହାର କରାଯାଇ ନାହିଁ। ସବୁ ଜାଗାରେ ସେ ନିଜେ ଚାକିରି ଛାଡ଼ିଛନ୍ତି ଓ ପରେ ଭିନ୍ନ ଚାକିରି କରନ୍ତି। ତାଙ୍କୁ ସୋସିଆଲ୍ ମିଡିଆ ମ୍ୟାନେଜର୍ ଚାକିରି ନିଜର ଏକ ବ୍ୟବସାୟ କରିବାକୁ ଖୁବ୍ ସାହାଯ୍ୟ କରିଥିଲା। ଯାହାଫଳରେ ସେ ଆଜି ଏସିଇ ଇନ୍ଫ୍ଲୁଏନ୍ସର୍ ମାର୍କେଟିଂ ଏଜେନ୍ସିର ସିଓଇ ତଥା ପ୍ରତିଷ୍ଠାତା ହୋଇ ପାରିଛନ୍ତି।
୨୩ ବର୍ଷୀୟା ଆନାସ୍ତାସିଆ କହନ୍ତି ତାଙ୍କର ସବୁଠାରୁ ବଡ଼ ବଳ ହେଉଛି ତାଙ୍କର ବହୁମୁଖୀ ପ୍ରତିଭା। ସେ ଆହୁରି ବି କହିଛନ୍ତି ଯେ ପ୍ରତ୍ୟେକ ସ୍ଥାନରେ ଭଲ ପ୍ରଦର୍ଶନ ନକଲେ ବି ସବୁ ଚାକିରିରୁ ସେ କିଛି ନା କିଛି ଶିକ୍ଷଛନ୍ତି ନିଶ୍ଚୟ।